ଶ୍ରୀଯୁକ୍ତ ନଟବର ଷଡଙ୍ଗୀ ଶିକ୍ଷକତା କରୁଥିଲେ। ୧୯୯୨ରେ ଅବସର ନେଲା ପରେ ଚାଷ କାମରେ ମନ ଦେଲେ। ଏ ଦିଗରେ ସେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଥିଲେ। ଖୋର୍ଦ୍ଧା ଜିଲ୍ଲାର ଶସ୍ୟଶ୍ୟାମଳା ନିଆଳି ଅଞ୍ଚଳର ନରିଶୋ ଗ୍ରାମର ଗୋଟିଏ ଚାଷୀ ପରିବାରରେ ତାଙ୍କର ଜନ୍ମ। ତାଙ୍କ ବାପା ଖୁବ ଭଲ ଚାଷୀ ଥିଲେ। ଦେଢ ଏକର ଜମିରେ ସେ ଦଶପ୍ରାଣୀ ଥିବା କୁଟୁମ୍ବର ଭରଣ ପୋଷଣ କରିପାରୁଥିଲେ। ପିଲାମାନଙ୍କୁ ପାଠ ପଢେଇ ମଣିଷ କରିଥିଲେ।
ଚାଷ କାମ କରୁ କରୁ ୧୯୯୬ ମସିହାରେ ସରକାରୀ ପ୍ରାୟୋଜିତ ସବୁଜ ବିପ୍ଲବ ଧାରାରେ ଚାଷ କରି ତାଙ୍କର ଯେଉଁ ଅନୁଭୂତି ହେଲା ତାହା ତାଙ୍କ ଜୀବନର ମୋଡକୁ ବଦଳାଇ ଦେଲା। ତାପରେ ସେ ଭାରତର ପାରମ୍ପରିକ ଦେଶୀ ଚାଷ ପଦ୍ଧତିର ପୁନରୁଦ୍ଧାର ପାଇଁ ବ୍ରତୀ ହୋଇ ନିଜକୁ ଦେଶସେବା ପାଇଁ ଉତ୍ସର୍ଗ କଲେ।
ତାଙ୍କ ପାଇଁ ଭାରତୀୟ କୃଷି କେବଳ ମାତ୍ର ଜୀବିକା ନହୋଇ ଥିଲା ଏକ ଜୀବନ ଧାରା ଓ ସଂସ୍କୃତି।
ଏହି କୃଷି ଭିତ୍ତିକ ସଂସ୍କୃତିର ରକ୍ଷା ପାଇଁ ସେ ପ୍ରତିବଦ୍ଧ ହେଲେ। ଗାନ୍ଧୀଙ୍କ ପରି ତାଙ୍କର ଜୀବନ ହେଇଗଲା ତାଙ୍କର ସନ୍ଦେଶ। ଆଜି ଅଶୀତିପର ବୟସରେ ପହଞ୍ଚି ସୁଦ୍ଧା କର୍ମକ୍ଷେତ୍ରରେ ତାଙ୍କର ଯୁବସୁଲଭ ଉତ୍ସାହ ଓ ଉଦ୍ଦୀପନା ଅବିଶ୍ଵସନୀୟ। ବୋଧହୁଏ ଏହାର ମୂଳରେ ରହିଛି ଭାରତୀୟ ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବାର ଚ୍ୟାଲେଞ୍ଜ ଯାହା ତାଙ୍କୁ ନିରନ୍ତର ଚଳଚଞ୍ଚଳ ଓ ବ୍ୟସ୍ତ ରଖିଛି।ସେ ତାଙ୍କ ଜୀବନରେ ପାଇଛନ୍ତି ଏକ ସାର୍ଥକତା।
ଦୀର୍ଘ କୋଡିଏ ବର୍ଷ ଧରି ସେ ବିନା କୌଣସି ରାସାୟନିକ ସାର ଓ କୀଟନାଶକ ସାହାଯ୍ୟରେ କିପରି ଏକ ପୋଷଣୀୟ କୃଷି କରିହେବ ଓ ବିଲୁପ୍ତ ପ୍ରାୟ ଶହ ଶହ ପାରମ୍ପରିକ ଧାନ ବିହନର ସୁରକ୍ଷା କରିହେବ, ସେହି କାର୍ଯ୍ୟରେ ଅବିରତ ଲାଗି ରହିଛନ୍ତି। ତାଙ୍କର ନିଷ୍ଠାପର ଉଦ୍ୟମରେ ନିଆଳିର ନରିଶୋଠାରେ ଗଢିଉଠିଛି ‘ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର’। ଆଜିର ବ୍ୟୟବହୁଳ କୃଷି ଓ ବଢି ଚାଲିଥିବା ଚାଷୀ ଆତ୍ମହତ୍ୟାର ପୃଷ୍ଠଭୂମିରେ ନଟବର ଷଡଙ୍ଗୀଙ୍କର ପ୍ରୟାସର ପ୍ରାସଙ୍ଗିକତା ଅଧିକରୁ ଅଧିକ ଗୁରୁତ୍ଵ ବହନ କରୁଛି। ଏକପ୍ରକାରେ ହତାଶ ଓ ଦରିଦ୍ର ଚାଷୀ ମାନଙ୍କୁ ସେ ଏକ ବଞ୍ଚିବାର ରାହା ଦେଖାଉଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
“୧୯୯୨ରେ କାର୍ଯ୍ୟରୁ ଅବସର ନେଇ ଚାଷରେ ଲାଗିଲି। ୧୯୯୬ ମସିହାର କଥା। ସିଆର୧୦୦୯ (ସାବିତ୍ରୀ) ଧାନ ଚାଷ କରିଥାଏ। ବାଲିପାଟଣା ବ୍ଲକର କୃଷି ଅଧିକାରୀ ଓ ଗ୍ରାମସେବକଙ୍କ ପରାମର୍ଶରେ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କାର୍ବୋଫୁରାନ ଭଳି ଉତ୍କଟ ବିଷ (ଦାନାଦାର) ବିଲରେ ପକାଇଲି। ତିନି ଏକର ବିଲ। ଅଠର କିଲୋ କୀଟନାଶକ। ଯେଉଁ ଶ୍ରମିକଟି ଦାନାଦାର ପକାଉଥିଲା, ପ୍ରାୟ ଦେଢ ଏକର ପକାଇଛି ହଠାତ ଆସି ରାସ୍ତା ଉପରେ ଚାରି କାତ ଲମ୍ବି ପଡିଗଲା। ମୋର ଭୟ ହେଲା। ଜୟୀ କଣ ମରିଯିବ କି ? ମୁହଁରେ, ମୁଣ୍ଡରେ ପାଣି ଛିଞ୍ଚିଲୁ। ଦୁଇ ତିନି ଜଣ ଟେକି ହାତ ଧରି ଘରକୁ ନେଲୁ। ଗରମ କ୍ଷୀର ଟିକିଏ ପିଇବାକୁ ଦେଲି। ସାଷ୍ଟାଙ୍ଗ ହେଲା। କହିଲା “ସାର, ଏଡେ କଡା ଏ ଔଷଧ। ମୋ ମୁଣ୍ଡ ବୁଲେଇ ଚାରିଆଡେ ଅନ୍ଧାର ଦିଶିଲା। ବିଲ ସରିନି ତ। ଚାଲନ୍ତୁ ବାକିତକ ପକାଇଦେବି।“ ମୁଁ ମନା କଲି। ଆଉ ଔଷଧ ପଡିଲାନି। ଗୋଟିଏ ଜାଗାରେ ହାତ ଦୁଇ ହାତ ଗହିରା ଖାଲରେ ବାକି ଔଷଧ ତକ ପୋତିଦେଲୁ।"
"ପରଦିନ ସକାଳ। ବିଲକୁ ବୁଲିବାକୁ ଗଲି। ଏ କଣ? ଗେଣ୍ଡା, କଙ୍କଡ, ବେଙ୍ଗ, ମାଛ, ସାପ ସବୁ ମରି ଭାସୁଛନ୍ତି। ତେବେ ତ ମାଟି ଭିତରେ ଥିବା ଶହ ଶହ ଜିଆ ମରିଯାଇଥିବେ। ମରିଯାଇଥିବେ କୋଟି କୋଟି ଅଣୁଜୀବ। ଉପକାରୀ କୀଟପତଙ୍ଗ। ଏମାନେ ସବୁ ଫସଲର ପୋଷଣକାରୀ ବନ୍ଧୁ। ମନେପଡିଲା ନନା (ବାପା) ସବୁବେଳେ ସାର, କୀଟନାଶକକୁ କାହିଁକି ବିରୋଧ କରୁଥିଲେ। କହୁଥିଲେ ,ଆରେ ଏ ସାର ଔଷଧ ମାଟିକୁ ଖପରା କରିଦେବ।
ଚାଉଳ ,ଡାଲି,ପରିବାରେ ବିଷ ଭରିଯିବ। ନନା ଗାଁର ଚାଷୀ ଜଣେ। ଆଜି ଭାବୁଛି ସେ ତ କୃଷିବିଜ୍ଞାନ ପଢିନାହାନ୍ତି। ଏପରି ଆଗତ ଭବିଷ୍ୟ ଜାଣିଥିଲେ କିପରି? ଆଜି ତ ତାଙ୍କରି କଥା ଫଳୁଛି। ନା ଆଉ ସାର କୀଟନାଶକ ନୁହେଁ। ବିଦାୟ ସାର, ଔଷଧ । ଆମ ଦେଶୀ ଚାଷ କରିବା, ବିଷକୁ ଛାଡ଼ି ଅମୃତ ଖୋଜିବା" ତା’ ପରେ ନଟ ସାର ବିକଳ୍ପ ଖୋଜିଛନ୍ତି। ପଢିଛନ୍ତି ମାସାନୋବୁ ଫୁକୁଓକାଙ୍କ ‘ଗୋଟିଏ ଧାନଗଛର ବିପ୍ଲବ’(One Straw Revolution),ସାର ଆଲବର୍ଟ ହାୱାର୍ଡଙ୍କ An Agricultural Testament ଏବଂ ରାସେଲ କ୍ୟାରଶନଙ୍କ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’। “ ଏଇ ବହି କେଇ ଖଣ୍ଡ ମୋ ଆଖି ଫିଟାଇଛି”। ସେ କହନ୍ତି। “୧୯୯୬ ଠାରୁ ମୋର ୪ ଏକର ଜମି ମୁଁ ହଳଲଙ୍ଗଳରେ ଚାଷ କରି ଦେଶୀ ବିହନ ,ଖତ, ଧନିଚା, ଲିମ୍ବ,କରଞ୍ଜ ପିଡିଆ ବ୍ୟବହାର କରୁଛି।ବିନା ସାର,କୀଟନାଶକରେ ଅଧିକ ଅମଳକ୍ଷମ ଧାନ ବି ଚାଷ କରୁଛି”।
ମୋ ଦେଖାଦେଖି ପାଖ ଆଖରେ ୬୦/୭୦ ଜଣ ଚାଷୀ ଏବେ ଦେଶୀ ଚାଷ କଲେଣି। ଅମଳ ବି ବେଶ ହେଉଛି। ଏକରକୁ ଅଧିକ ଅମଳକ୍ଷମ ଧାନ ଦେଶୀ ଚାଷରେ ୨୨ କ୍ଵିଣ୍ଟାଲ ନରିଶୋ ଚାଷୀ ଫଳେଇ ପାରୁଛନ୍ତି। ଏବେ ଆମେ ଦୃଢ ଭାବେ କହିପାରିବୁ “ଦେଶୀ ଚାଷ ରାସାୟନିକ କୃଷିର ଯଥାର୍ଥ ବିକଳ୍ପ। ଅଧିକ ଅମଳ ଦେଶୀ ଚାଷରେ ସମ୍ଭବ, ସମ୍ଭବ, ସମ୍ଭବ”।
ଚାଷୀ ଯୁବରାଜ ସ୍ଵାଇଁ ୨୦୦୪ ଖରିଫ ବର୍ଷ ତାଙ୍କର ୨ ଏକର ଶାରଦ ଜମିରେ ଅଧିକ ଅମଳକ୍ଷମ ଧାନ CR1009 ବୁଣିଥିଲେ। ଜମିରେ କରଞ୍ଜ ପିଡିଆ,ଧନିଚା ଓ ଆବଶ୍ୟକ ପରିମାଣର ଖତ ପ୍ରୟୋଗ କରିଥିଲେ। ଗୋଟିଏ ଗ୍ରାମ ରାସାୟନିକ ସାର ବ୍ୟବହାର କରିନଥିଲେ। ରୋଗ ପୋକ ତ ମୋଟେ ଦେଖାଗଲାନି । ତେଣୁ କୀଟନାଶକ ପ୍ରୟୋଗ ନାହିଁ। ଏକର ପ୍ରତି ଖର୍ଚ୍ଚ କରିଥିଲେ ଟ॰୪୫୦୦/- ଧାନ ଅମଳ କଲେ ଏକର ପ୍ରତି ୨୧ କ୍ଵିଣ୍ଟାଲ । କ୍ଵିଣ୍ଟାଲ ପ୍ରତି ଟ.୪୦୦/-ଦରରେ ଟ.୮୪୦୦/-ପାଇଲେ। ସେହିପରି ଦେଶୀ ଧାନ ‘କେଦାରଗୌରୀ’ ଚାଷୀ ଏକରକୁ ୧୭ କ୍ଵିଣ୍ଟାଲ ଧାନ ଅମଳ କରିଛନ୍ତି। ଖର୍ଚ୍ଚ ଟ.୩୭୦୦/-।
ଏଥିରୁ ଜଣାଯାଉଛି ଯେ ଜୈବ କୃଷି ବା ଦେଶୀ ଚାଷ କମ ଖର୍ଚ୍ଚରେ କରି ଲାଭ ବି କରିହେବ। ଏହି ଚାଷରେ ଚାଷୀ ନିଜର ବିହନ ଓ ଖତ ପ୍ରସ୍ତୁତ କରୁଥିବାରୁ ଓ ରୋଗ ପୋକ କମ ହେଉଥିବାରୁ ମୋଟ ଉପରେ କମ ଖର୍ଚ୍ଚ ହୋଇଥାଏ।ଏବଂ ଜମିରେକ୍ରମାଗତ ଭାବେ ଅଣୁଜୀବ ଓ ଜିଆମାନଙ୍କ ବଂଶ ବୃଦ୍ଧି ଘଟି ବର୍ଷକୁ ବର୍ଷ ଖର୍ଚ୍ଚ କମିବାରେ ଲାଗେ। ଏତଦ୍ ବ୍ୟତୀତ ଏହାର ଦୀର୍ଘମିଆଦୀ ଉପକାର ଅନେକ ବେଶୀ ଯାହାକୁ ଟଙ୍କାପଇସାରେ ହିସାବ କରିହେବନି। ଜମିର ଉର୍ବରତା ବୃଦ୍ଧି ,ପରିବେଶର ସନ୍ତୁଳନ,ତଥା ବିଷମୁକ୍ତ ଖାଦ୍ୟ ଉତ୍ପାଦନ ଓ ପୋଷଣୀୟତା ଦୃଷ୍ଟିରୁ ଦେଶୀ ଚାଷର ଭୂମିକା ଅପରିହାର୍ଯ୍ୟ।ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ବର୍ଷ ହେଲା କ୍ୟୁବା ସରକାର ତାଙ୍କର ସମଗ୍ର ଦେଶରେ ଜୈବ କୃଷି ପ୍ରଚଳନ କରି ଖାଦ୍ୟ ନିରାପତ୍ତା ହାସଲ କରିପାରିଛନ୍ତି।
ବୀଜ ବା ବିହନ ଉପରେ ଚାଷୀର ଅଧିକାର ସାବ୍ୟସ୍ତ କରିବା ଏକ ବିପ୍ଳବର ବୀଜ। ଆଜି ବିହନ ଏକ ଟ୍ରିଲିୟନ ଡଲାରର ବଜାର ଏବଂ ମୁଷ୍ଟିମେୟ ବୃହତ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ଵାରା କବଳିତ। ନିଜର ଖତସାର ଓ ବିହନ ନିଜେ ପ୍ରସ୍ତୁତ କରିପାରିଲେ ହିଁ ଚାଷୀ ଆତ୍ମନିର୍ଭରଶୀଳ ହୋଇ ଏକ ପୋଷଣୀୟ ଦେଶୀ ବା ଜୈବ କୃଷି କରିପାରିବ। କରଜ ଯନ୍ତାରେ ପଡିବ ନାହିଁ।ଏହାକୁ ହାଡ଼େ ହାଡ଼େ ଉପଲବ୍ଧି କରିପାରିଥିଲେ ନଟ ସାର। ସାର କହନ୍ତି,ଦେଶୀ ଚାଷର ପ୍ରଧାନ ଉପାଦାନ ଦେଶୀ ବିହନ ଯାହା ବ୍ୟତିରକେ ଜୈବକୃଷି ଅସମ୍ପୂର୍ଣ୍ଣ। ସେଥିପାଇଁ ସେ ଦେଶୀ ବିହନର ସଂଗ୍ରହ ଓ ସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି।
ବିହନର ବିବିଧତା ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ। ଯେଉଁ ବିହନଗୁଡିକ ଚାଷ ହେବ ନାହିଁ, ସେଗୁଡ଼ିକ ଚିରଦିନ ପାଇଁ ଧରାପୃଷ୍ଠରୁ ଲୋପ ପାଇଯିବେ।
ସରକାରୀ ଓ ହାଇବ୍ରୀଡ ବିହନର ଅତ୍ୟଧିକ ପ୍ରୋତ୍ସାହନ ଫଳରେ ଅନେକ ଉତ୍କୃଷ୍ଟ ଧାନ ଆଜି ଦୁଷ୍ପ୍ରାପ୍ୟ। ଏ ବିଷୟରେ ନଟ ସାର କ’ଣ କହନ୍ତି ଶୁଣନ୍ତୁ। “ଆମ ଓଡିଶା ଧାନର ଜନ୍ମସ୍ଥାନ। କୋରାପୁଟ ଜିଲ୍ଲାର ଜୟପୁର ଚାଷୀ ୧୦,୦୦୦ ବର୍ଷ ପୂର୍ବେ ପ୍ରଥମେ ଧାନଚାଷ ଆରମ୍ଭ କରିଥିଲେ। ଓଡିଶାରେ ୩୦,୦୦୦ ରୁ ଅଧିକ କିସମର ଧାନ ଥିଲା। ୧୯୬୫ -୬୭ ମସିହା ପର୍ଯ୍ୟନ୍ତ ସେ କିସମଗୁଡ଼ିକ ଆମ ଚାଷୀପାଖରେ ଥିଲା। ସବୁଜ ବିପ୍ଳବରେ ଅଧିକ ଅମଳକ୍ଷମ ଧାନ ବିହନ ପ୍ରଚଳନ ହେବାରୁ ପୁରୁଣା ବିହନ ବୁଡ଼ିଯାଇଛି। ତଥାପି ଏବେ ଖୋଜିଲେ ପ୍ରତି ଗାଁରେ ତ ନୁହେଁ ପ୍ରତି ବ୍ଲକରେ ୪/୫କିସମର ପୁରୁଣା ଧାନ ବିହନ ମିଳିପାରିବ”।
ତମେ ଯଦି ନଟ ସାରଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ନିଆରା ଅନୁଷ୍ଠାନ ‘ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର’ କୁ ବୁଲିବାକୁ ଯିବ ହୁଏତ ଭୁଲିଯାଇଥିବା କେତେକ ଦେଶୀ ଧାନ ବିହନକୁ ଭେଟିବ। ଯଥା ପଦ୍ମକେଶରୀ, କାଇଁଚମାଳି, ସରୁଚିନାମାଳି ଇତ୍ୟାଦି ଯାହା ସ୍ଵାଦିଷ୍ଟ ଚାଉଳ ପାଇଁ କେବେ ଲୋକଙ୍କର ପ୍ରିୟ ଥିଲେ କିନ୍ତୁ ଏବେ ଦୁଷ୍ପ୍ରାପ୍ୟ ।
ଶ୍ରୀ ଷଡଙ୍ଗୀ ସଂଗ୍ରହ କରିଥିବା ଦେଶୀ ଧାନ ବିହନଗୁଡ଼ିକର ସଂଖ୍ୟା ଚାରିଶହ ଟପିଲାଣି। ଦେଖିଲେ ହିଁ ବିଶ୍ଵାସ କରିହେବ। ବିହନଗୁଡ଼ିକ ନିଜ ନିଜ ଗୁଣରେ ଆଦରଣୀୟ। ମରୁଡ଼ି ସହୁଥିବା ବିହନ ହେଲେ କଳାକିଆରୀ,କାକୁଡ଼ିମଞ୍ଜି,ଭୋଜନି ଇତ୍ୟାଦି। ବଢିପାଣି ସହୁଥିବା ବିହନ ହେଲେ କେଦାରଗୌରୀ, କନିଆପାତି, ହାତୀପିଞ୍ଜରା ଇତ୍ୟାଦି। ଲିଆ,ମୁଢି,ଚୂଡା,ପଖାଳ ପାଇଁ ମୟୁରକଣ୍ଠିଆ,ଜାମାଇନାଡୁ, ନାଲିମଟର ରତ୍ନଚୁଡି ,ମହିପାଳ ଇତ୍ୟାଦି। ଖେଚୁଡି,କ୍ଷୀରି ପାଇଁ ପଦ୍ମକେଶରୀ, ବାସୁମତୀ,ପିମ୍ପୁଡିବାସ ,ତୁଳସୀଫୁଲଇତ୍ୟାଦି। ଏତଦ୍ ବ୍ୟତୀତ କେତେକ ସୁନ୍ଦର ସୁନ୍ଦର ନାମର ତଥା ଭିନ୍ନ ଭିନ୍ନ ସ୍ଵାଦର ବିହନଗୁଡ଼ିକ ହେଲେ ମହାନଦୀ,ଚନ୍ଦ୍ରକାନ୍ତି, ଅନ୍ନପୂର୍ଣ୍ଣା,ସୋନାଲି,ଗୁଡ଼ମହୁ, ,ଝୁମ୍ପୁଲି, ସୁନାଖିଲ, କଳାମୋତି,ମହୁଆ,ମାଛକଣ୍ଟା,ଜଳବୁଡ଼ି,କାଜଲ,ସୁନାକାତି, ମଲ୍ଲିଫୁଲ ,ଚିଲିକା, ପଦ୍ମିନୀ, ଯୁବାଫୁଲ,ଅନାମିକା, ବାଉଁଶଗଜା,କାବେରୀ ଇତ୍ୟାଦି ଅନେକ।
ଆଧାର - ananta panigrahi writer
Last Modified : 12/7/2019