অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଣେ ଚାହିଁଲେ ନିଶ୍ଚିତ ସ୍ଵାବଲମ୍ବୀ ହୋଇପାରିବ

ରେଖା ସାହୁଙ୍କ ପରିଚୟ

ପରିବାରର ଆର୍ଥିକ ଅବସ୍ଥା କିପରି ସ୍ୱଚ୍ଛଳ ହେବ ଏଇ ଚିନ୍ତା ତାଙ୍କୁ ଘାରୁଥିଲା । ଦିନେ ତାଙ୍କ ମନକୁ ତୁଟିଲା ଯେ ଘର କାମ ପରେ ସ୍ଵାମୀଙ୍କୁ ଯଦି ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତେ ତାହେଲେ ରୋଜଗାର ବି ବଢନ୍ତା । ଏବିଷୟରେ ସେ ତାଙ୍କ ସ୍ଵାମୀଙ୍କୁ କହିଲେ । ସେ ବି କଥାଟିକୁ ଭଲରେ ଗ୍ରହଣ କଲେ । ଏହାପରେ ହିଁ ନିଷ୍ପତ୍ତି ଅନୁସାରେ ଆରମ୍ଭ କଲେ ଛତୁଚାଷ । ସତକୁ ସତ ଏହି ଛତୁଚାଷ ପ୍ରାରମ୍ଭିକ ଭାବେ ତାଙ୍କ ପାଇଁ ଲାଭଜନକ ହେଲା ।

ତା’ପରେ ଏହି ଚାଷକୁ କ୍ରମାଗତ ଭାବେ ବଢାଇଲେ । ଲାଭ ବି ବଢିଲା ଆଉ ପରିବାରର ଆର୍ଥିକ ଅବସ୍ଥା ବି । ପୁଣି ତାଙ୍କ ଗ୍ରାମର ଆଉ କେତେଜଣ ମହିଳାଙ୍କୁ ଛତୁଚାଷ ମାଧମରେ ରୋଜଗାରର ବାଟ ଦେଖାଇବାରେ ସେ ହୋଇଛନ୍ତି ସକ୍ଷମ । ସେ ହେଲେ ରେଖା ସାହୁ (ମୋ: ୯୪୩୯୪o୮୯୬୦) । ତାଙ୍କ ସ୍ଵାମୀଙ୍କ ନାମ କ୍ଷୀରୋଦ ସାହୁ ।  ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗାଁରେ ତାଙ୍କ ଶାଶୁଘର ।

ରୋଜଗାର କରିବା ପାଇଁ ଚାଷ କାମରେ ମନବୃତ୍ତି

ଦଶମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ରେଖା ସମୟକ୍ରମେ ବିବାହ ହୋଇ ଶାଶୂଘରକୁ ଆସିଲେ । କିଛିମାସ ପରେ ଶାଶୁଘରର ଆର୍ଥିକ ଅବସ୍ଥାକୁ ଅନୁଭବ କଲେ । ତେଣୁ କିପରି ପରିବାରର ରୋଜଗାର ବଢିବ ଚିନ୍ତା କରି ସ୍ୱାମୀଙ୍କୁ ମନକଥା କହିଲେ । ଆଉ ସ୍ଵାମୀଙ୍କ ସହଯୋଗରେ ଛତୁଚାଷ ଆରମ୍ଭ କଲେ । ଜିଲା କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ଛତୁଚାଷ ପାଇଁ ଗ୍ରେନିଂ ନେଲେ। ଏପ୍ରିଲରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମାସକୁ ହାରାହାରି ୩୫୦ ବେଡ୍ ପାଳଛତୁ ପକାଇ ଚାଷ କଲେ । ବେଡ୍ ପ୍ରତି ୧ କିଗ୍ରା ଛତୁ ଅମଳ ହେଲା । ଏଥିରେ, ପ୍ରାୟ ୧୪ ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୮ ହଜାର ଟଙ୍କା ଲାଭ ମିଳିଲା । ସେହିପରି ଭାବେ ପ୍ରଥମେ ମାସକୁ ୪୫୦ ବ୍ୟାଗ ଧଙ୍ଗରି ଛତୁ ଚାଷ କରି ୪ ମାସରେ ପ୍ରାୟ ୭୦ ହଜାର ଟଙ୍କା ଲାଭ କରିଥିଲେ । ସେବେଠାରୁ ବର୍ଷତମାମ ଛତୁଚାଷ କରି ପରିବାରର ଆର୍ଥିକ ଅବସ୍ଥା ସୁଧାରିବାରେ ସହାୟକ ହୋଇ ପାରୁଛନ୍ତି । ରେଖା କୁହନ୍ତି, ଚଳିତ ବର୍ଷ ଛାୟାଘରେ ଛତୁଚାଷ ଆରମ୍ଭ କରିଛି, ଆଗାମୀ ଦିନରେ ପଲିଥିନ ଘରେ ଛତୁଚାଷ ପାଇଁ ଯୋଜନା ରଖୁଛି। ପାଳଛତୁ ଚାଷ ପାଇଁ ପ୍ରଥମେ ନଡ଼କୁ ସଂଗ୍ରହ କରାଯାଏ । ତା’ପରେ ୧୮ଇଞ୍ଚ ସାଇଜ୍‌ରେ କଟାଯାଇଥିବା ନଡ଼ାଖଣ୍ଡକୁ ପ୍ରାୟ ୧୨ ଘଣ୍ଟା ଧରି ଥଣ୍ଡା ପାଣିରେ ଭିତ୍ତାଇ ରଖାଯାଏ । ବିଶୋଧନ ଲାଗି ସେହି ନଡ଼ାବିଡ଼ାରେ ଚୂନ କିମ୍ବା ଛିଟି ପାଉଡର ପକାଯାଏ । ଗୋଟିଏ ଦିନ ପରେ ଉକ୍ତ ନଡ଼ାକୁ ବିଶୋଧୂତ ପାଣିରୁ ବାହାର କରଯାଇ ତା’ପରେ ପାଳଛତୁ ବେଡ୍ ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ବେଡ୍ ଉପରେ ଦୁଇ ବିଡ଼ା ନଡ଼ା ବିଛାଯାଇ ଚାରିପାଖରୁ ପ୍ରାୟ ୬ ଇଞ୍ଚ ବ୍ୟବଧାନରେ ବେସନଗୁଣ୍ଡ କିମ୍ବା ଚେକଡ଼ ବିଛାଯାଏ । ତା’ପରେ ନଡ଼ା ବିଛାଯାଇ ତା' ଉପରେ ଛତୁ ପାଇଁ ପ୍ରସ୍ତୁତ ମଞ୍ଜିକୁ ପକାଯାଇ ପୁଣି ତା' ଉପରେ ନଡ଼ା ପକାଯାଏ । ଏହାପରେ ଧଳାପଲିଥିନରେ ପ୍ରାୟ ୩ ଦିନ ଧରି ଏହି ବେଡ୍ କୁ ଘୋଡ଼ାଇ ରଖାଯାଇଥାଏ । ଯଦି ନଡ଼ା ଟିକେ ଶୁଖଲା ରହିଲା, ସେଥିରେ ଅଳ୍ପମାତ୍ରାରେ ଗରମ ପାଣି ଛିଞ୍ଚବାକୁ ହୁଏ । ପୁଣି ତାପମାତ୍ରା ଯଦି ୩୦ରୁ ୩୫ ଡିଗ୍ରୀ ରହେ, ତେବେ ୬ରୁ ୮ ଦିନ ମଧ୍ୟରେ ଛତୁ ପାଇଁ ଫିମ୍ପି ବାହାରି ଯାଇଥାଏ । ପ୍ରାୟ ୧୩ ଦିନ ମଧ୍ୟରେ ଛତୁ ହୋଇ ଯାଇଥାଏ । ସେହିପରି କେବଳ ଶୀତଦିନେ ଧୂଙ୍ଗର ଛତୁ ଚାଷ କରାଯାଏ । ଏଥିରେ ନଡ଼ାକୁ ଛୋଟ ଛୋଟ ଆକାରରେ କଟାଯାଏ । ସୂଚନାଯୋଗ୍ୟ ରେଖାଙ୍କ ଦ୍ଵାରା ଚାଷ ହେଉଥିବା ଛତୁକୁ ଅନୁଗୋଳ ବଜାରରେ ବିକ୍ରି କରଯାଇଥାଏ ।

ଅନ୍ୟ ଚାଷୀଙ୍କ ପାଇଁ ରେଖାଙ୍କର ବାର୍ତ୍ତା

ଏହିପରି ଭାବେ ଛତୁଚାଷରୁ ନିଜ ପରିବାରର ଆର୍ଥିକ ଅବସ୍ଥା ବଦଳାଇବାରେ ସହାୟକ ହେଉଥିବା ରେଖା କୁହନ୍ତି ଖାଲି ଭବି ଦେଲେ କ’ଣ ହେବ, ଭାବିବା କଥାକୁ ସତ କରିବା ଲାଗି ପରିଶ୍ରମ କରିବାକୁ ହେବ । ପରିଶ୍ରମକୁ ଆପଣେଇ ନେଲେ ଜଣେ ନିଶ୍ଚିତ ସ୍ଵାବଲମ୍ବୀ ହୋଇ ପାରିବ ବୋଲି ଦୃଢୋକ୍ତି ବ୍ୟକ୍ତ କରନ୍ତି। ଏହି ମହିଳା ।

ଆଧାର - ଡ. ବିନିତା ଶତପଥୀ (ସିନିୟର ସାଇଣ୍ଟିଷ୍ଟ ଆଣ୍ଡ ହେଡ୍, କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୋଳ)

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate