ସୁସ୍ଥ ଶରୀର ଲାଗି ରାସାୟନିକ ଯୁକ୍ତ ପନିପରିବା ଅନେକାଂଶରେ କ୍ଷତିକାରକ । ତେଣୁ ଶିକ୍ଷକତାରୁ ଅବସର ପରେ ନିଜ ଜମିରେ ଜୈବିକ ଉପାୟରେ ଚାଷ କରିବା ଆରମ୍ଭ କରିଛନ୍ତି । ଏମିତି ଜଣେ ମଣିଷ ହେଲେ ବଲାଙ୍ଗୀର ଜିଲ୍ଲା, ଲୋଇସିଂହା ବ୍ଳକ୍ ଅନ୍ତର୍ଗତ ବାଦିମୁଣ୍ଡା ପଞ୍ଚାୟତ ଅଧୀନସ୍ଥ କୁଟୁରାପାଲି ଗ୍ରାମର ସ୍ଥାୟୀ ବାସିନ୍ଦା ୬୫ ବର୍ଷିୟ ରଥ ସାଗର । ୨୦୧୧ରୁ ଶିକ୍ଷକତାରୁ ଅବସର ନେଇଛନ୍ତି । ଜଣେ ଆଦର୍ଶବାଦୀ ଶିକ୍ଷକ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ରଥ ସାଗର । ପରିବାର କହିଲେ ପତ୍ନୀ ଓ ୨ ପୁଅଙ୍କୁ ନେଇ ସୁଖର ସଂସାର । ଏବେ ଚାଷର ନିଜକୁ ନିୟୋଜିତ କରି ଅହେତୁକ ଆନନ୍ଦ ପାଉଥିବା ରଥ ସାଗରଙ୍କ ୩ ଏକର ୩୬ ଡିସମିଲ ପୌତ୍ଵକ ଜମି ରହିଛି । ସେଥିରୁ ୧ ଏକର ୫୦ ଡିସମିଲରେ ସେ ଧାନ ଚାଷ କରୁଛନ୍ତି । ବାକି ୧ଏକର ୮୬ ଡିସମିଲ ଜମିରେ ବାଇଗଣ, ଟମାଟୋ, ଲଙ୍କା, ଝୁଡ଼ଙ୍ଗ, ଜହ୍ନି, କାକୁଡ଼ି, କଲରା, ପିଆଜ ସମେତ ବିଭିନ୍ନ ପ୍ରକାରର ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଶାଗ ଓ ଫୁଲ ଚାଷ କରିଛନ୍ତି । ଏହାସହିତ ଆମ୍ବ, ଲେମ୍ବୁ, ପିଜୁଳୀ, ନଡ଼ିଆ, ଅମୃତଭଣ୍ଡା ଭଳି ଫଳ ଗଛ ଲଗାଇଛନ୍ତି । ଜମିରେ ଗୋଟିଏ କୂପ ସହିତ ନଳକୂପଟିଏ ରହିଛି । ଆଉ କିଛି ପାଣି ବର୍ଷା ସମୟରେ ମିଳିଯାଏ । ଏହାପରେ ବି ପାଣିର ଆବଶ୍ୟକତା ବହୁତ ରହୁଛି ବୋଲି ସେ କୁହନ୍ତି । ଏହାର ଯଦି କିଛି ବ୍ୟବସ୍ଥା ହୋଇପାରନ୍ତା ତେବେ ଆହୁରି ଭଲ ଚାଷ ହୁଅନ୍ତା ବୋଲି ସେ କହିଛନ୍ତି । ଜମିରୁ ଉତ୍ପାଦନ ହେଉଥିବା ପନିପରିବାକୁ ବେପାରୀ ଜମି ପାଖକୁ ଆସି ଦୈନିକ କିଣି ନିଅନ୍ତି । ଖାଲି ବିକ୍ରି ହୁଏନି ଘର ପାଇଁ ବି ପନିପରିବା କିଣିବାକୁ ପଡ଼େନି । ଜମିରେ କାମ କରି ଦୈନିକ ମଜୁରୀ କରି ୨ ଟି ପରିବାର ବେଶ ହସଖୁସିର ଗୁଜୁରାଣ ମେଣ୍ଟାଇଥାନ୍ତି । ନିଜ ଜମି ପାଖରେ ଥିବା କିଛି ଜମିକୁ ଭାଗଟାକ୍ଷୀ ଭାବରେ ନେଇ ଚାଷ ବାରବାହ କରୁଛନ୍ତି । ପନିପରିବା ଚାଷ ସହ ଏକ ସୁନ୍ଦର ବଗିଚା କରିବା ପାଇଁ ରଥ ସାଗର ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଚାଷୀଙ୍କୁ ସରକାରୀ ସୂତ୍ରରୁ ଆସୁଥିବା ବିଭିନ୍ନ ସୁବିଧା ସୁଯୋଗ ସହିତ ରିହାତୀ ଦରରେ ମିଳୁଥିବା ବିହନ, ଯନ୍ତ୍ରପାତି ମିଲିଲେ ବହୁତ ଭଲ ହେବ ।
କୋଣାର୍କ ଝିଙ୍କିରିଆର ପ୍ରକାଶ ଚନ୍ଦ୍ର ପାତ୍ର, ଯିଏକି ଜଣେ ସଫଳ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ । ୬୨ ବର୍ଷ ବୟସରେ ବି କର୍ମ ତତ୍ପର । ଚାଷକୁ ନିଜର ପେସା ଓ ନିଶା ଭାବେ ଗ୍ରହଣ କରିଛନ୍ତି । ଜମିରେ ଧାନ, ବାଇଗଣ, ଲଙ୍କା, କଦଳୀ, ତରଭୂଜ ଚାଷ କରି ଭଲ ରୋଜଗାର ସହ ପରିବାର ଚଳାଉଛନ୍ତି । ସାର ଉପରେ ଗୁରୁତ୍ଵ ନଦେଇ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଜମିରେ ଗୋବର ଖତ ସାଙ୍ଗକୁ ବିଭିନ୍ନ ପ୍ରକାର ଜୈବିକ ଖତ ବ୍ୟବହାର କରିଥାନ୍ତି । କଠିନ ପରିଶ୍ରମ କରି ଚାଷରେ ସଫଳତା ପାଇବା ସହ ଆତ୍ଵ ନିର୍ଭରଶୀଳ ହୋଇପାରିଛନ୍ତି । ୫ ଏକର ଜମିରେ ପ୍ରକାଶ ବର୍ଷକୁ ଦୁଇଥର ଧାନ ଚାଷ କରିଥାନ୍ତି । ୧୦ ଗୁଣ୍ଠ ଜମିରେ ଲଙ୍କା ଚାଷ କରିଛନ୍ତି । ଭଲ ଉତ୍ପାଦନ ବି ହୋଇଛି । ପ୍ରାୟ ୩ କ୍ଲିଣ୍ଟାଲ୍ ଲଙ୍କା ଅମଳ ହେବା ନେଇ ଆଶା ରଖିଛନ୍ତି ପ୍ରକାଶ । ଜଳବାୟୁ ପରିବର୍ତ୍ତନନ ଓ ମଜୁରିଆଙ୍କ ସମସ୍ୟା ଯୋଗୁଁ ଚାଷୀଙ୍କୁ ହତାଶ ହେବାକୁ ପଡୁଛି । ଏହା ଛଡା ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ହେ ଚାଷୀଙ୍କ ନିକଟରେ ତାର ସୁଫଳ ପହଞ୍ଚି ପାରୁନି । ଏହା ସତ୍ତେ ପ୍ରକାଶଙ୍କ ଭଳି କିଛି ଚାଷୀ ନିଜ ସ୍ତ୍ର ଉଦ୍ୟମରେ ଚାଷ କରି ସଫଳ ଚାଷୀର ମାନ୍ୟତା ଲାଭ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯଦି ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ ହୁଅନ୍ତା। ତେବେ ଲୋକମାନେ ଚାଷ ଆଡ଼ୁ ମୁହଁ ଫେରାଇ ନିଅନ୍ତେ ନାହିଁ । ବର୍ତ୍ତମାନ ପିଢିର ପିଲାମାନେ ଚାକିରୀ ପଛରେ ସମୟ ନଷ୍ଟ ନକରି ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ । ଫଳରେ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିପାରନ୍ତା ଓ ବେକାର ଯୁବଗୋଷ୍ଠୀ ସ୍ଵାବଲମ୍ବୀ ହୋଇପାରନ୍ତେ ବୋଲି ପ୍ରକାଶ କୁହନ୍ତି ।
ସଂଗୃହିତ –
Last Modified : 1/26/2020