অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ

କାନ୍ଦୁରୁଙ୍କ ଅଭିନବ ପ୍ରୟାସ

ପରିଶ୍ରମ କଲେ ମରୁଭୂମିକୁ ମଧ୍ୟ ଶସ୍ୟଶାମଳା କରାଯାଇପାରେ । ଆଉ ଡଙ୍ଗର ଜମିରେ ବି ଫୁଲ ଫୁଟିପାରେ । ଏଥିପାଇଁ ପରିଶ୍ରମ ଓ କିଛି କରିବାର ଇଛାଶକ୍ତି ହିଁ ଲୋଡା । ଏହା କେବଳ କୌଣସି ନାଟକର ସଂଳାପ ନୁହେଁ । ଓଡିଶାର ଜଣେ ନିପଟ ମଫସଲ ଓ ପାହାଡି ଅଂଚଳର ଚାଷୀ ଏହା କରି ଦେଖାଇଛନ୍ତି । ଏଇଥିପାଇଁ ସେ ଏବେ ସାରା ଅଂଚଳ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

କୋରାପୁଟ ଜିଲ୍ଲା ବୈପାରୀଗୁଡାର ଚାଷୀ କାନ୍ଦୁରୁ ହରିଜନଙ୍କ କଥା ।  ଦଣ୍ଡାବାଡି ପଂଚାୟତର ପଣସପୁଟ ଗାଁର କାନ୍ଦୁରୁ ଡଙ୍ଗର ଜମିରେ ଏମିତି ଫସଲ କରିବାରେ ସଫଳ ହୋଇଛନ୍ତି, ଯାହା ଦେଖିଲେ କୃଷି ବୈଜ୍ଞାନିକମାନେ ବି ଚକିତ ହୋଇ ଉଠିବେ । ତାହା ପୁଣି ବିନା କୌଣସି ସରକାରୀ ସାହାଯ୍ୟରେ । ଡଙ୍ଗର ଜମିରେ ଫସଲ ହେଉନଥିବାରୁ ତାହା ବର୍ଷ ସାରା ପଡିଆ ପଡୁଥିବା ବେଳେ କାନ୍ଦୁରଙ୍କ ଜମି କିନ୍ତୁ ଏବେ ବି ସବୁଜ । ସେ ପାରମ୍ପରିକ ଚାଷରୁ ହଟିଯାଇ ନିଜ ବିଲରେ ତୁଳସୀ ଓ ପାତାଳଗରୁଡ ଭଳି ଔଷଧୀୟ ବୃ‍କ୍ଷ ଆଦି ଚାଷ କରିଛନ୍ତି । ଏଥିରେ ତାଙ୍କୁ ବେଶ୍ ସଫଳତା ମିଳିଥିବା ବେଳେ ସେ ବର୍ଷ ସାରା ଆୟ ପାଇ ପାରୁଛନ୍ତି ।

କାନ୍ଦୁରୁ ପ୍ରଥମେ ଅନ୍ୟମାନଙ୍କ ପରି ପାରମ୍ପରିକ ଫସଲ କରୁଥିଲେ ।  କିନ୍ତୁ ତାହା ବର୍ଷକ ଖର୍ଚ୍ଚ ପୂରଣ କରିପାରୁନଥିଲା । ତେଣୁ ସେ କିଛି ନୂଆ ଚାଷ କରିବାକୁ ଚିନ୍ତା କଲେ । ବହୁତ ଚିନ୍ତା କରିବା ପରେ ସେ ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ସ୍ଥିର କଲେ ।

କାନ୍ଦୁରୁ କହନ୍ତି,“ମୋ ପାଖରେ ଯେତିକି ଜମି ସେଥିରୁ ହେଉଥିବା ଧାନ ଆମ ତିନିପ୍ରାଣୀ କୁଟୁମ୍ବର ଚଳାଇବା କଷ୍ଟକର ହୁଏ । କାରଣ ଏହା ଦ୍ୱାରା ଛଅ ମାସର ଖର୍ଚ୍ଚ ହିଁ ଉଠିଥାଏ ।  ନିଜ ପାଖରେ ୬ ଏକର ଡଙ୍ଗର ଜମିରୁ ସେ ମାଣ୍ଡିଆ, ଅଳସୀ, ସୁଆଁ ଚାଷ କରି କିଛି ରୋଜଗାର କରୁଥିଲି ।  କିନ୍ତୁ ତଥାପି ଅଭାବ ମେଣ୍ଟୁନଥିଲା । ତେଣୁ ଅନ୍ୟ କିଛି ଚାଷ କରିବାକୁ ଭାବିବାକୁ ଲାଗିଲି ।”

ଡଙ୍ଗର ଜମିରେ ଔଷଧୀୟ ଚାଷ କରିବାକୁ ନିଷ୍ପତ୍ତି ନ ନେଇଗଲେ, ହେଲେ ଏହା ଥିଲା ତାଙ୍କ ପାଇଁ ବଡ ଚ୍ୟାଲେଂଜ୍ । କାରଣ ତୁଳସୀ ଆଦି ଚାଷ କରିବା ଲାଗି ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ପାଣି ବ୍ୟବସ୍ଥା ନକଲେ ଏହି ଚାଷ ସଫଳ ହେବ ନାହିଁ ।  ତେଣୁ ସେ ଜମିର ଖାଲୁଆ ସ୍ଥାନରେ ଏକ ପୋଖରୀ ଖୋଳିଲେ ।  ଯେଉଁଠାରୁ ଜମିକୁ ଯେତେବେଳେ ଇଛା, ସେତେବେଳେ ପାଣି ଯୋଗାଇହେବ । କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ଏହି ଚାଷ ଆରମ୍ଭ କଥା ମନେ ପକାଇ କାନ୍ଦୁରୁ କହନ୍ତି,“ଏହି ଚାଷ ମୋ ପାଇଁ ନୂଆ ଥିଲା ।  କାଳେ କ୍ଷତି ହୋଇଯିବ ଭାବି ପ୍ରଥମ ଏକର ଜମିରେ ତୁଳସୀ ମଂଜି ବୁଣିଲି ।  ଠିକ୍ ଠାକ୍ ଚାଷ କଲାପରେ । ଧୀରେ ଧୀରେ ଚାଷ ବଢାଇଲି । ଏବେ ଚାରି ଏକର ଜମିରେ ତୁଳସୀ ଚାଷ କରିଛି ।”

ସେ ଦୁଇ ଏକର ଚାଷ ଜମିରେ ପାତାଳଗରୁଡ ବୃକ୍ଷ ମଧ୍ୟ ଚାଷ କରିଛନ୍ତି । ଏଥିସହିତ ଚାଷ ଜମି ଓ ପୋଖରୀ ହୁଡାରେ ଅମୃତଭଣ୍ଡା ଗଛ ଲଗାଇଛନ୍ତି ।  ଔଷଧୀୟ ବୃକ୍ଷ ଚାଷ ଆରମ୍ଭ କରିବା ସମୟରେ ଗାଁର ଲୋକେ କାନ୍ଦୁରୁଙ୍କୁ ଅନେକ କଥା କହିଥିଲେ ।  ଡଙ୍ଗର ଜମିରେ ଏହି ଚାଷ ହୋଇପାରିବ ନାହିଁ ବୋଲି ରୋକଠୋକ୍ କହିଥିଲେ ।

ଏହି କଥାକୁ ମନେ ପକାଇ ସେ କହନ୍ତି – “ଏଠାରେ କେହି କେବେ ଏହି ଚାଷ କରୁନଥିବାରୁ ଗାଁ ଲୋକେ ମୋତେ ମନା କରିଥିଲେ।  କେତେ କିଏ କହିଥିଲେ ତୁ ଏଥିରେ କାହିଁକି ମାତିଛୁ ।  ଆମର ମାଣ୍ଡିଆ, ଅଳସୀ ଭଲ ତ ଆମେ ଭଲ ।  କାହିଁକି ତୁ ପରୀକ୍ଷା ନିରୀକ୍ଷା କରୁଛୁ । ଏତେ ସବୁ ପରେ ବି ମୁଁ ନୂଆ ଚାଷ କରିଥିଲି ।”

ଔଷଧୀୟ ବୃକ୍ଷର ବ୍ୟବସାୟ

ଔଷଧୀୟ ବୃକ୍ଷକୁ ବିକ୍ରି କରିବା ଥିଲା ସବୁଠୁ ବଡ ସମସ୍ୟା । ଏହାର ବଜାର ଚାହିଦା କଥା ମଧ୍ୟ ନିପଟ ମଫସଲରେ ରହୁଥିବା କାନ୍ଦୁରୁଙ୍କୁ ଜଣା ନଥିଲା ।  ତୁଳସୀ, ପାତାଳଗରୁଡ ବୃକ୍ଷ ଆଦିକୁ କେଉଁଠି ବିକ୍ରି କରାଯିବ, ସେ ନେଇ ସେ ଅନୁସନ୍ଧାନ କଲେ ।  ଗାଁ ଠାରୁ ୬୦ କିଲୋମିଟର ଦୂର ଜୟପୁର ସହରକୁ ଆସି ବିଭିନ୍ନ ଆୟୁର୍ବେଦିକ ଦୋକାନୀମାନଙ୍କ ସହ ଯୋଗାଯୋଗ କଲେ ।  ସେମାନଙ୍କୁ ନିୟମିତ ଭାବେ ଏସବୁ ଯୋଗାଇଲେ ।  ଏଥିରୁ ତାଙ୍କୁ ଭଲ ଆୟ ମିଳିବାକୁ ଲାଗିଲା । ପୁଣି ଅମୃତଭଣ୍ଡା ଓ ପୋଖରୀ ମାଛ ବିକ୍ରି କରି ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରୁଛନ୍ତି । ଓଡିଶାରେ କିଛି ଦିନ ହେଲା ଧାନ ଫସଲ ନଷ୍ଟ ଯୋଗୁଁ ଚାଷୀ ପ୍ରାଣ ହରାଉଥିବା ବେଳେ କାନ୍ଦୁରୁ ଚାଷୀମାନଙ୍କ ପାଇଁ ଏବେ ଆଦର୍ଶ ପାଲଟିଛନ୍ତି ।

ସେ କହନ୍ତି, “ପରିଶ୍ରମ କଲେ ଫଳ ନିଶ୍ଚୟ ମିଳିବ ।  ଆମକୁ ଧୈର୍ଯ୍ୟ ରଖିବାକୁ ପଡିବ ।  ଶୋଇବା ସମୟକୁ ବାଦ୍ ଦେଲେ ପୂରା ସମୟ ମୋର ଏହି ଚାଷ ଜମିରେ କଟେ ।  ଏଇଟା ତ ମୋର ଦ୍ୱିତୀୟ ପରିବାର ପାଲଟି ଯାଇଛି ।”

ନିଜେ ଅପାଠୁଆ ।  ୧୦ ବର୍ଷର ଗୋଟିଏ ପୁଅ ପ୍ରଶାନ୍ତ ଏବେ ପଂଚମ ଶ୍ରେଣୀରେ ପଢାଉଛନ୍ତି ।  ତାକୁ ପାଠ ପଢାଇ ବଡ ମଣିଷ କରିବେ ବୋଲି କହନ୍ତି କାନ୍ଦୁରୁ ।  ଯେତେ ବାଧା ବିଘ୍ନ ଆସିଲେ ବି ପୁଅକୁ ସେ କେବେ କାମ କରିବାକୁ ଡାକନ୍ତି ନାହିଁ ।  ତେବେ ତାଙ୍କ ଧର୍ମପତ୍ନୀ ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତି ।

କାନ୍ଦୁରୁ ସଫଳ ଚାଷୀ

ସବୁଠୁ ବଡ କଥା ହେଲା କାନ୍ଦୁରୁ ଜଣେ ସଫଳ ଚାଷୀ ହେବା ପଛରେ ଆଉ କାହାର ସହଯୋଗ ନାହିଁ । ନିଜ ଗୋଡରେ ସେ ଛିଡା ହୋଇଛନ୍ତି ।  ତେବେ ଏହି ଚାଷ ପାଇଁ ସରକାରୀ ସାହାଯ୍ୟ ମିଳିଲେ, ସେ ଆହୁରି ଉନ୍ନତ ଧରଣର ଔଷଧୀୟ ବୃକ୍ଷଲତା ଆଦିର ଚାଷ କରିପାରନ୍ତେ ।

ଆଧାର - Akhand social worker, freelance journalist

Last Modified : 12/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate