অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦଇମତୀଙ୍କ ଦେଶୀଆଳୁ ଚାଷ

ଦଇମତୀଙ୍କ ଆତ୍ମନିର୍ଭରଶୀଳ

ଓଡିଶାରେ ସାଧାରଣତଃ ଧାରଣା ରହିଛି ଯେ ମହିଳାମାନେ ଚାଷ କ୍ଷେତ୍ରରେ ପୁରୁଷମାନଙ୍କୁ ସହାୟତା କରିବେ ।  ଗାଁ ଗହଳିରେ ମହିଳାମାନେ ଜମିରେ କାମ କରୁଥିବା ସ୍ୱାମୀମାନଙ୍କ ପାଇଁ ଖାଦ୍ୟ ପାନୀୟ ନେଇଯିବା କଥା ଆମେ ଜାଣିଛେ ।  ତେଣୁ ସେମାନେ ଯେ ସ୍ୱତନ୍ତ୍ର ଭାବେ ଚାଷ କାମ କରିପାରିବେ, ଏହା ବହୁ କମ୍ ଲୋକଙ୍କ ବିଶ୍ୱାସ । କିନ୍ତୁ ଏମିତି ବି ଅନେକ ମହିଳା ଅଛନ୍ତି, ଯେଉଁମାନେ ସ୍ୱାଧୀନ ଭାବେ ଓ ଅଭିନବ ଢଙ୍ଗରେ କୃଷି କାର୍ଯ୍ୟ କରି ସଫଳ ହୋଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ଉଦାହରଣପାଲଟି ଯାଇଛନ୍ତି ।

କୋରାପୁଟ ଜିଲ୍ଲାର ଏକ ନିପଟ ମଫସଲ ଗାଁର ମହିଳା ଦଇମତୀଙ୍କ କଥା ।  ସେ ଏଭଳି ଭାବେ ଖମ୍ବଆଳୁ ବା ଦେଶୀଆଳୁ ଚାଷ କରିଛନ୍ତି ଯେ ନିଜେ ଆତ୍ମନିର୍ଭର ହେବା ସହ ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇଛନ୍ତି ।  ତାଙ୍କର ଏହି ଉଦ୍ୟମ ଏବେ ଆଖପାଖ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି ।

ଦଇମତୀ ଦୁରୁଆ ।  ସ୍ୱାମୀ ପୁଷୁ ଦୁରୁଆ ।  ଘର କୁନ୍ଦୁରା ବ୍ଲକ କେରିମିଟ ପଂଚାୟତର କେନ୍ଦୁଗୁଡା ଗାଁ ରେ । ଦୁଅ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ଛୋଟ ସଂସାର । ଗ୍ରାମାଂଚଳରେ ଦାରିଦ୍ର୍ୟର ଶିକାର ସେ ମଧ୍ୟ ହୋଇଛନ୍ତି ।  ଭୂମିହୀନ ଏହି ପରିବାରଟି ବର୍ଷ ପାଇଁ ଦାନା ସଂଗ୍ରହ କରବାକୁ ମଧ୍ୟ ଅସମର୍ଥ ହେଉଥିଲା ।

ଏସମ୍ପର୍କରେ ଦଇମତୀ କୁହନ୍ତି,ଆମେ ଚଳିବାକୁ ଭାରି ହଇରାଣ ହେଉଥିଲୁ ।  ଏଭଳିକି ଦିନେ ଦିନେ ଓପାସ ରହିବାକୁ ମଧ୍ୟ ପଡିଛି । ନିଜର କିଛି କାମ ଧନ୍ଦା ନଥିବାରୁ ଜଙ୍ଗଲରେ ବୁଲି ଯାହା ମିଳିବା ସେଥିରୁ ଗୁଜରାଣ ମେଣ୍ଟାଉ । ମୁଁ କେତେ କଣ କରିବାକୁ ଇଛା କରିଛି, ହେଲେ ସୁଯୋଗ ପାଇନଥିଲି ।

ରୋଜଗାରର ପନ୍ଥା

ଦଇମତୀଙ୍କ ଜୀବନରେ ସେତିକିବେଳେ ପରିବର୍ତ୍ତନର ମୋଡ ଆସିଲା, ଯେତେବେଳେ ସେ ତାଙ୍କ ଅଂଚଳରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ଖମ୍ବଆଳୁ ଚାଷ ସମ୍ପର୍କରେ ଜାଣିଲେ ଓ ସେଠାରେ ଯୋଗଦେଇ ଏହା କିପରି କରିବାକୁ ହୁଏ ତାହା ବୁଝିଲେ । ଜମି ନଥିବା ଚାଷୀମାନେ କିପରି ନିଜ ଘର ପାଖରେ ଥିବା ଅଳ୍ପ ସ୍ଥାନରେ ଖମ୍ବଆଳୁ ଚାଷ କରିପାରିବେ ତାହା ଏଠାରେ ଶିକ୍ଷା ଦିଆଯାଇଥିଲା । ସେଠାରୁ ଏହି ଚାଷ ବିଷୟରେ ଶିଖିବା ପରେ ଦଇମତୀ ଉତ୍ସାହର ସହ ଏହି କାମ ଆରମ୍ଭ କରିଥିଲେ ।

ଏହି ଚାଷରେ ସେ ନୂଆ ଥିବାରୁ ପ୍ରଥମେ ସେ ତିନିଟି ଜରିବସ୍ତାରେ ମାପ ଅନୁସାରେ ମାଟି, ବାଲି ଓ ଗୋବର ଖତ ମିଶାଇ ସେଥିରେ ଦୁଇ ଶହ ଗ୍ରାମ ଓଜନର ଖମ୍ବଆଳୁ ମଂଜି ପୋତିଲେ । ଉପଯୁକ୍ତ ପ୍ରଣାଳୀରେ ତାର ଯତ୍ନ ନେଲେ । ୭ ମାସ ପରେ ଗଛ ମରିଗଲା । ଆଉ ଜରି ଅଖା କାଟି ସେ ଆଳୁ ବାହାର କଲେ । ହାତୀ ଖୋଜିଆ ଏହି ଦେଶୀ ଖମ୍ବଆଳୁ କିସମର ଗୋଟିଏ ବସ୍ତାରୁ ୮ କେଜି, ଅନ୍ୟ ବସ୍ତାରୁ ୧୨ କେଜି ଓ ତୃତୀୟ ବସ୍ତାରୁ ୧୫ କେଜି ଆଳୁ ବାହାରିଲା ।

ଦଇମତୀ ଏ ସମ୍ପର୍କରେ ଖୁସୀର ସହ କହନ୍ତି,ମୁଁ ଭାବିଲି, ମୁଁ ବୋଧେ କିଛି ଭୁଲ କରିଦେଲି ।  ଗଛ ମରିଗଲା । ଆଉ ମୋର କ୍ଷତି ହୋଇଗଲା । କିନ୍ତୁ ତିନିଟି ଅଖାରେ ଆଳୁ ଦେଖି ମୁଁ ବହୁତ ଖୁସୀ ହୋଇଯାଇଥିଲି । ମୋଟ ୪୦୦ ଟଙ୍କା ଖର୍ଚ୍ଚ କରିଥିଲି । କିନ୍ତୁ ୧୧୦୦ ଟଙ୍କା ପାଇଲି ।  ଏହା ପରେ ଅଧିକ ଅଖାରେ ଖମ୍ବଆଳୁ ଚାଷ କରିବାକୁ ମନ ହୋଇଥିଲା ।

ଦଇମତୀଙ୍କୁ ସାହସ ଓ ଆତ୍ମବିଶ୍ୱାସ ମିଳି ଯାଇଥିଲା । ଦ୍ୱିତୀୟ ଥରେ ସେ ଏକଥରକେ ୫୦ ଟି ବସ୍ତାରେ ଖମ୍ବଆଳୁ ଚାଷ କଲେ । ସେଥିର ବି ସଫଳ ହେଲେ । ସେ ଥର ୧୫ ହଜାର ଟଙ୍କା ଲାଭ ହୋଇଥିଲା ବୋଲି ସେ କୁହନ୍ତି । ଏ ବର୍ଷ ସେ ୧୦୦ ବସ୍ତାରେ ଖମ୍ବଆଳୁ ମଂଜି ପକାଇ ଚାଷ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପରିବାର ପାଇଁ ମୁଖ୍ୟ ରୋଜଗାରର ପନ୍ଥା ପାଲିଟିଛି ।

ସ୍ଵାମୀଙ୍କ ବାର୍ତ୍ତା

ଏ ନେଇ ତାଙ୍କ ସ୍ୱାମୀ ପୁଷୁ ଦୁରୁଆ କହନ୍ତି,ପ୍ରଥମେ ସେ ଯେତେବେଳେ ଚାଷ ଆରମ୍ଭ କରିଥିଲା, ମୋର ଏଥିରେ ବିଶ୍ୱାସ ନଥିଲା । କିନ୍ତୁ ଭଳ ଖମ୍ବଆଳୁ ଫଳିବା ପରେ ତାର ଏହି କାମରେ ମୁଁ ମଧ୍ୟ ସାମିଲ ହୋଇଛି । ଏହି ଉଦ୍ୟମ ଆମ ପରିବାରକୁ ସାହାରା ହୋଇଛି ।

ଶେଷକଥା

ଖମ୍ବଆଳୁ ଚାଷ ସମୟରେ କେତେ ମାଟିରେ କେତେ ପରିମାଣର ସାର ଓ ଏହି ଅଖାକୁ କେଉଁଠି ରଖିଲେ ଗଛ ଭଲ ହେବ ଆଦି ସବୁ ଭଲ ଭାବେ ଜାଣିଛନ୍ତି ଦଇମତୀ । ଗାଁର ଅନ୍ୟ ମହିଳାଙ୍କୁ ମଧ୍ୟ ସେ ଏହି ଚାଷ କରିବାକୁ କହୁଛନ୍ତି । ଅନ୍ୟ କେତେକ ଲୋକମଧ୍ୟ ତାଙ୍କ ଠାରୁ ଏ ବିଷୟରେ ପରାମର୍ଶ ନେବାକୁ ଆସିଥାନ୍ତି । କଠିନ ପରିଶ୍ରମ ଫଳରେ ଯେ ନିଜେ ଗୋଡରେ ନିଜେ ଛିଡା ହୋଇହୁଏ, ତାହା ପ୍ରମାଣ କରିଦେଖାଇଛନ୍ତି ଦୁଇମତୀ । ନା ସେ ଅପେକ୍ଷା କରିଛନ୍ତି ଆଉ କାହାର ସାହାଯ୍ୟକୁ ନା ସରକାରଙ୍କ ସହାୟତାକୁ ।  ଗ୍ରାମାଂଚଳରେ ଦଇମତୀଙ୍କ ଭଳି ସବୁ ମହିଳା କିଛି ରୋଜଗାର କରିବାକୁ ଆଗେଇ ଆସିଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ନିଶ୍ଚୟ ସୁଧାର ଆସିବ ।

ଆଧାର - Akhand social worker, freelance journalist



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate