অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବେଶପ୍ରେମୀ ବଇଁଶୀ ଭାଇନା

ପରିବେଶପ୍ରେମୀ ବଇଁଶୀ ଭାଇନା

ଇଛା ଓ ଆନ୍ତରିକତା ଥିଲେ ଜଣେ ନିଜ କାମ ସହ ସମାଜ ପାଇଁ ମଧ୍ୟ ଅନେକ କିଛି କରିପାରିବ | ସମାଜସେବା ପାଇଁ ଯେ ଅଧିକ ସମୟ ଦେବାକୁ ପଡିବ, ସେମିତି କିଛି ନାହିଁ | ଆପଣ ନିଜ ଅବସର ମସୟରେ ବି ସମାଜସେବା କରିପାରିବେ | ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ପ୍ରହଲ୍ଲାଦ ସ୍ୱାଇଁ ଓରଫ୍ ବଂଶୀ ଭାଇନାଙ୍କ କଥା ଦେଖନ୍ତୁ | ନିଜେ ସେ ଔଷଧ ଦୋକାନ କରିଛନ୍ତି | କିନ୍ତୁ ସମାଜସେବା ପାଇଁ ଅନେକ କାମ କରି ନିଜ ଅଂଚଳରେ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି |

ପ୍ରହଲ୍ଲାଦଙ୍କ ଘର ଅସ୍ତରଙ୍ଗର ବରାଂଗ ଗାଁରେ | ଅସ୍ତରଙ୍ଗ ବଜାରରେ ତାଙ୍କର ଗୋଟିଏ ମେଡିସିନ୍ ଷ୍ଟୋର ରହିଛି | ପିଲାଦିନରୁ ବାପାମାଙ୍କ ପ୍ରେରଣାରେ ହିଁ ସମାଜସେବାକୁ ସେ ଆପଣେଇ ନେଇଛନ୍ତି |

୧୯୯୭ ମସିହାରେ ଭାରତ ସରକାରଙ୍କ ସାକ୍ଷରତା କାର୍ଯ୍ୟକ୍ରମ ଅଭିଯାନରେ ସେ ସାମିଲ ହୋଇଥିଲେ | ଆଳସାହି ପଂଚାୟତର ବିଭିନ୍ନ ଗ୍ରାମରେ ଏହି ଅଭିଯାନ ମାଧ୍ୟମରେ ସେ ଅନେକ ଲୋକଙ୍କୁ ସାକ୍ଷର କରାଇପାରିଥିଲେ | ବନ୍ୟାବାତ୍ୟା ସମୟରେ ସେ ଲୋକମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥାନ୍ତି | ୧୯୯୯ ମହାବାତ୍ୟା ସମୟରେ ଅସ୍ତରଙ୍ଗ ଅଂଚଳରେ ବ୍ୟପାକ କ୍ଷୟକ୍ଷତି ହୋଇଥିଲା | ଏହି ସମୟରେ ରିଲିଫ୍ ବଣ୍ଟନ ଓ ଥଇଥାନ କାମ ପାଇଁ ସେ ଦିନରାତି ଲଗାଇଦେଇଥିଲେ | ଗାଁ ରାସ୍ତା ଓ ପୋଖରୀ ସଫେଇରେ ସହଯୋଗ, ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ଖରାଦିନେ ଜଳଛତ୍ର ଖୋଲିବା ଆଦି ସବୁ କାମକୁ ସେ ଆଗକୁ ବଢାଇ ନିଅନ୍ତି | ଶ୍ରଦ୍ଧାରେ ଲୋକେ ତାଙ୍କୁ ବଇଁଶୀ ଭାଇନା ଡାକନ୍ତି |

ତାଙ୍କର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ସ୍ଥାନୀୟ ବାସିନ୍ଦା ଶରତ କୁମାର ପରିଡା କୁହନ୍ତି,

ବଇଁଶୀ ଭାଇନା ଜଣେ ପ୍ରକୃତିପ୍ରେମୀ ମଧ୍ୟ | ସେ ଶହ ଶହ ଗଛ ଲଗାଇଥିବା ଆମେ ଦେଖୁଛୁ | ଆଳଂଗପୁର ଠାରୁ ବଂରାଗ ପର୍ଯ୍ୟନ୍ତ ରାସ୍ତା କଡରେ ଓ ହାଇସ୍କୁଲ କ୍ୟାମ୍ପସ୍ ରେ ସେ ବହୁ ପ୍ରକାର ଗଛ ଲଗାଇଛନ୍ତି | ବସ୍ତଡିହ ଗାଁର କାଶୀ ବିଶ୍ୱନାଥ ମନ୍ଦିରରେ ନଡିଆ ଆଦି ଗଛ ଲଗାଇ ସେଠାରରେ ସବୁଜିମା ସୃଷ୍ଟି କରିପାରିଛନ୍ତି |

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସେ ଅସ୍ତରଙ୍ଗର ବିଭିନ୍ନ ଅଂଚଳରେ ସ୍ୱଚ୍ଛତା ଅଭିଯାନ ଚଳାଇଛନ୍ତି | ଅସ୍ତରଙ୍ଗ ମହାବୀର ମନ୍ଦିର ଠାରୁ ତାରିଣୀ ମନ୍ଦିର ଓ ଥାନା ପର୍ଯ୍ୟନ୍ତ ରାସ୍ତାକୁ ସଂପୂର୍ଣ ଭାବେ ସଫା କରି ପରିସ୍କାର ପରିବେଶ ସୃଷ୍ଟି କରିପାରିଛନ୍ତି ସେ |

ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ନିରାଶ୍ରୟ ରୋଗୀଙ୍କୁ ମଧ୍ୟ ବଂଶୀ ଭାଇନା ସହଯୋଗ କରନ୍ତି | ଏଭଳିକି ଗରିବ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ସହିତ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କରନ୍ତି | ତେବେ ଗଛ ଲଗାଇ ପରିବେଶକୁ ସବୁଜିମା କରିବା ତାଙ୍କ ଜୀବନର ବ୍ରତ ପାଲଟିଯାଇଛି | ଅନେକ ଅନୁଷ୍ଠାନ ପରିସରରେ ସେ ଗଛ ଲଗାଇଛନ୍ତି | ମହାତ୍ମାଗାନ୍ଧୀ ବୈଷୟିକ ବିଦ୍ୟାଳୟରେ ୫୦ରୁ ଅଧିକ ନଡିଆ ଓ ନାନାଦି ଗଛ ଲଗାଇଛନ୍ତି | ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସେ ବୃକ୍ଷରୋପଣ କରିଛନ୍ତି | ଏଥିପାଇଁ ତାଙ୍କୁ ଗତ ଜାନୁୟାରୀ ୨୬ ତାରିଖରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ପୁରସ୍କୃତ କରାଯାଇଛି |

କାହା ଠାରୁ ଏଭଳି ପ୍ରେରଣା ପାଇଛନ୍ତି ଓ କି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ପଚାଯିବାରୁ ପ୍ରହଲ୍ଲାଦ ‘ୟୋର ଷ୍ଟୋରୀ’କୁ କହିଛନ୍ତି,

ବାପା ମା ମୋତେ ସବୁବେଳେ ଏହି କାମ ପାଇଁ ପ୍ରେରଣା ଦେଇ ଆସିଛନ୍ତି | ମୁଁ ଜଣେ ସାଧାରଣ ନାଗରିକ | ତେଣୁ ଦେଶ ପାଇଁ ଯେତିକି କରିବା କଥା କରୁଛି | ତା ସହିତ ମୁଁ ମୋର ମେଡିସିନ୍ ଷ୍ଟୋରଟିକୁ ପରିବାର ପ୍ରତିପୋଷଣ ପାଇଁ ଚଳାଉଛି | ଏସବୁ ଠିକ୍ ଠାକ୍ ଚାଲିଛି | ମୁଁ ଅବସର ସମୟରେ ହିଁ ଗଛ ଲଗାଏ ଓ ପରିବେଶ ପରିସ୍କାର କରେ | ଏଭଳି କାମ କେଉଁଠି ହେଉଥିଲେ ମୁଁ ଆପେ ଆପେ ସେମାନଙ୍କ ସହ ଯୋଗ ଦିଏ |

ପରିବାର ଲୋକେ ଓ ତାଙ୍କ ଧର୍ମପତ୍ନୀ ମଧ୍ୟ ପ୍ରହଲ୍ଲାଦଙ୍କୁ ଏହି କାମରେ ସହଯୋଗ କରୁଛନ୍ତି | ତାଙ୍କ ସହଧର୍ମିଣୀ କୁହନ୍ତି,

ମୁଁ ଖୁସୀ ହୁଏ ତାଙ୍କର ସବୁ କାମ ଦେଖି | ନିଜ କାମ ସହ ସମାଜ ପାଇଁ ମଧ୍ୟ କିଛି କରିବାର ଅଛି | ଘରକୋଣ ରହି ମଧ୍ୟ ତାଙ୍କୁ ଏଥିପାଇଁ ସବୁ ପ୍ରକାର ସାହାଯ୍ୟ କରୁଛି | ତାଙ୍କୁ ଯେଉଁ ଦିନ ପୁରସ୍କାର ମିଳିଲା, ଆମେ ସମସ୍ତେ ଭାରି ଖୁସୀ ହୋଇଥିଲୁ |

ଆସନ୍ତା ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳିତ ହେବ | ଏହି ସମୟରେ ବହୁ ଗାଁରେ ନଡିଆ, ପଣସ, ଆମ୍ବ ଆଦି ବୃକ୍ଷରୋପଣ ପାଇଁ ପ୍ରହଲ୍ଲାଦ ଯୋଜନା କରିଛନ୍ତି | ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ଧାର୍ମିକ ପୀଠର ପରିବେଶକୁ ପରିସ୍କାର କରିବା ପାଇଁ ମଧ୍ୟ ସେ ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି |

ପ୍ରକୃତରେ ବଇଁଶୀ ଭାଇନାଙ୍କ ମହାନ ଭାବନା ଓ ସେବା କରିବାର ଆନ୍ତରିକତା ଯୋଗୁଁ ହିଁ ସେ ଆଜି ଅସ୍ତରଙ୍ଗର ପରିବେଶପ୍ରେମୀ ଭାବେ ପରିଚିତ ହୋଇପାରିଛନ୍ତି | ତାଙ୍କର ଏହି ଉଦ୍ୟମରେ ଅନେକ ଯୁବକ ମଧ୍ୟ ସାମିଲ ହୋଇଛନ୍ତି | ଆଗକୁ ତାଙ୍କ ଅଭିଯାନ ଆହୁରି ସଫଳ ହେଉ ବୋଲି ୟୋର ଷ୍ଟୋରୀ ପକ୍ଷରୁ ଶୁଭକାମନା |

ଆଧାର : ଟିମ ଓଡିଆ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate