ଉପକ୍ରମ

ଗୋଲକ ବିହାରୀ ବେହେରା (୫୧ବର୍ଷ)ଙ୍କ ଘର କଟକ ଜିଲାର ବିରିବାଟୀ ନିକଟସ୍ଥ ନୂଆ କୋରୁଆରେ ।

ତାଙ୍କର ଯୌଥ ପରିବାରର ୩ ଏକର ଜମିରେ ଧାନଚାଷ ହୁଏ, ଏଥିସହ ଅନ୍ୟ ପେସା ହେଲା ଗୋପାଳନ । ବାପା, ଜେଜେ ଅମଳରୁ ସେମାନେ ଗୋପାଳନ କରିଆସୁଛନ୍ତି ।

ଗୋପାଳନ ପାଇଁ ଘାସଚାଷ

୨୦ଟି ଦୁହାଁଳିଆ ଗାଈଙ୍କଠୁଁ ପାଖାପାଖି ୧୦୦ ଲିଟର କ୍ଷୀର ମିଳେ । ସେଥିରୁ ଅଧାଅଧି ଛେନା, ପନିର କରି ବିକୁଥିବାବେଳେ ଅବଶିଷ୍ଟ ଘର ଘର ବୁଲି ବିକ୍ରି କରନ୍ତି । ତାଙ୍କର ମହାନଦୀଠାରେ ଥିବା ୪ଏକର ଜମିରେ ପରିବାଚାଷ କରୁଥିଲେ । କିନ୍ତୁ କେବେ ବଢିରେ ନଷ୍ଟ ହୋଇଯାଏ ତ କେବେ ମାଙ୍କଡ ନଷ୍ଟ କରିଦିଅନ୍ତି । ଏଥିରେ ହତାଶ ହୋଇ ସେହି ଜମିକୁ ପଡିଆ ପକେଇଦେଲେ । ଗତବର୍ଷ ଗୋଲକ କଟକ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟକୁ ଆସିଥିଲେ । ଘାସଚାଷ ବିଷୟରେ ଅବଗତ ହେଲା ପରେ ୨ ଏକର ଜମିରେ ହାତିଆ ଘାସ, ଅଧଏକର ଜମିରେ ପାରା ଓ ହ୍ୟୁମିଡ଼ିକୋଲା ଘାସ ଏବଂ ଏକ ଏକର ଜମିରେ ଋତୁକାଳୀନ ଘାସଚାଷ କଲେ ।

ବର୍ତ୍ତମାନ ସେ ବର୍ଷସାରା ତାଙ୍କ ଗାଈଙ୍କୁ ଘାସ ଖାଇବାକୁ ଦେବା ସହିତ କିଛି ଘାସ, କାଣ୍ଡ ଓ ମୂଳ ଅନ୍ୟଙ୍କୁ ବିକ୍ରି କରିପାରୁଛନ୍ତି । ଗୋଲକ କହନ୍ତି,ଘାସ ଖୁଆଇବା ଦ୍ଵାରା ତାଙ୍କର ୨୫କି.ଗ୍ରା. ଦାନା ଦୈନିକ ବଞ୍ଚୁଛି ଏବଂ କ୍ଷୀରର ଉତ୍ପାଦନ ଖର୍ଚ୍ଚ ମଧ୍ୟ କମିଛି । ଇତିମଧ୍ୟରେ ସେ ମଧ୍ୟ ହିମୀକୃତ ଶୁକ୍ର ଭଣ୍ଡାରକୁ ୧୨୦ କୁଇଣ୍ଟାଲ ଘାସ ବିକ୍ରିକରି ୧୮ ହଜାର ଟଙ୍କା ପାଇସାରିଲେଣି । ତାଙ୍କ ଫାର୍ମକୁ ଆନ୍ତଃ ରାଜ୍ୟ ପରିଭ୍ରମଣରେ ଆସି ଗୁଜୁରାଟର ଏକ ଚାଷୀଦଳ ବୁଲିଗଲେଣି ।

ଶେଷକଥା

ଗୋଲକ କହନ୍ତି, ତାଙ୍କ ଘାସ ବିକ୍ରି ପଇସାକୁ ଗୋଟିଏ ବିଦ୍ୟୁତ୍ ଚାଳିତ ଘାସକାଟା ଯନ୍ତ୍ର କିଣିଛନ୍ତି । ଗାଈଙ୍କ ଖାଦ୍ୟ ଖର୍ଚ୍ଚ ମାସକୁ ୬୦ ହଜାର ଟଙ୍କା ହେଉଥିବାବେଳେ ଏବେ ୪୫ ହଜାରରେ ସୀମିତ ରହୁଛି । ଏହାଛଡା ମାସିକ ରୋଜଗାର ୩୦ ହାଜର ଟଙ୍କା ଥିଲାବେଳେ ଏବେ ୫୦ ହଜାରକୁ ବୃଦ୍ଧି ପାଇଛି । ତାଙ୍କ ମତରେ ଆମ ରାଜ୍ୟରେ ଗୋପାଳନ କରୁଥିବା ସବୁ ଚାଷୀ ଯଦି ଘାସଚାଷ କରିବେ ତା’ହେଲେ ନିଶ୍ଚିତ ଭାବରେ ଲାଭବାନ୍ ହେବେ ।

ଆଧାର – ଦୈନିକ ଧରିତ୍ରୀ