ଯୁକ୍ତ ଦୁଇ ପରେ ତାଙ୍କ ପାଠପଢାରେ ଡେରି ବନ୍ଧା ହୋଇଗଲା । ତା’ପରେ ରୋଜଗାର ଚିନ୍ତା ବଢିଲା ।
ତେବେ ସମୟ ନଷ୍ଟ ନ କରି ସ୍ଵରୋଜଗାର କ୍ଷମ ଲାଗି ସେ ଚାଷ କାର୍ଯ୍ୟକୁ ଆପଣେଇ ନେଲେ ।
ଆରମ୍ଭ ହେଲା ଉଦ୍ୟମ ଆଉ ବର୍ଷ କେଇଟାରେ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷା ଭାବେ ନିଜକୁ ପରିଚିତ କରାଇବା ସହ ଆଉ କେତେଜଣଙ୍କ ପାଇଁ ରୋଜଗାରର ବାଟ ଦେଖାଇବାରେ ସଫଳ ହୋଇଛନ୍ତି ।
ସେ ହେଲେ ଫିରୋଜ ସାହୁ(ମୋ:୮୦୧୮୬୪୩୧୧୭) । ବରଗଡ଼ ଜିଲା ଭଟଲି ବ୍ଳକ୍ ଅନ୍ତର୍ଗତ ତେଜାଗୋଲା ଗ୍ରାମରେ ତାଙ୍କର ଘର । ପିତା ଶ୍ରୀବସ ସାହୁ ଓ ମାତାଙ୍କ ନାମ ବ୍ରଜେଶ୍ଵରୀ ସାହୁ ।
ଫିରୋଜ କୁହନ୍ତି – ‘ ସ୍କୁଲରେ ପଢୁଥିବା ବେଳେ ବାପାଙ୍କ ସହିତ ଚାଷ ଜମିକୁ ଯାଉଥିଲି । ଆଉ ସେବେ ଠାରୁ ଚାଷ ପ୍ରତି ମୋ ଭିତରେ ଆଗ୍ରହ ରହିଥିଲା । ଚାଷକୁ ରୋଜଗାରର ପନ୍ଥାଭାବେ ଆଦରି ନେବା ପରେ ବାପାଙ୍କ ସମେତ ପଡ଼ୋଶୀ, ସମ୍ପର୍କୀୟ ପୁଣି ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନ ଓ ପ୍ରେରଣା ପାଇଛି ।
ବର୍ତ୍ତମାନ ମୋଟ ୨୦ଏକର ଚାଷ ଜମିରେ ସମନ୍ୱିତ ଚାଷ କରିଛି । ୧୦ ଏକର ଜମିରେ କଦଳୀ, ଆମ୍ବ, ଲେମ୍ବୁ, ସପୁରି, ଲିବୁ, ସନ୍ତରା, ମିଠା ମକା ଏବଂ ପାମ୍ ଚାଷ କରିଥିବା ବେଳେ ୯ଏକର ଜମିରେ ଧାନ ଓ ୧ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରିଛି । ଋତୁକାଳୀନ ଚାଷ ପୋଟଳ, ଚିନାବାଦାମ ଏବଂ ଛତୁ ଚାଷ କରି ଭଲ ଦି ପଇସା ବି ମିଳୁଛି । ଏହି ଚାଷ ପାଇଁ ନିଜ ଜମିରେ ୪ଟି ଗଭୀର ନଳକୂପ ଖୋଳାଇଛି । ତେବେ ପାଣିର ଅପଚୟ ରୋକିବାକୁ ସମ୍ପୂର୍ଣ୍ଣ ଭାବେ ଜମିରେ ଡ୍ରିପ୍ ବ୍ୟବସ୍ଥା କରିଛି । ଏଥିପାଇଁ ପରିବାର ଲୋକେ ସହଯୋଗ କରିଥାନ୍ତି । ତେବେ କଦଳୀ ଚାଷରୁ ବେଶ୍ ଲାଭ ମିଳିଥାଏ । ଏବେ ମହାରାଷ୍ଟ୍ରର ଏକ କମ୍ପାନୀରୁ ଟିସୁ କଲ୍ଚର ଜି-୯ ପୁଆ କିଣିଛି । ଏହାର ମୂଲ୍ୟ ପୁଆ ପ୍ରତି ୧୮ଟଙ୍କା ହୋଇଥିବା ବେଳେ ସରକାରୀ ସବସିଡିରେ ତାହା ମୋତେ ଜମିକୁ ଆଣିବା ପର୍ଯ୍ୟନ୍ତ ମାତ୍ର ୮.୧୫ଟଙ୍କା ପଡୁଛି । ଏକର ପ୍ରତି ୧୨୦୦ ପୁଆ ଆବଶ୍ୟକ ହେଉଥିବା ବେଳେ ଗୋଟିଏ ଗଛରୁ ୨୧ମାସ ମଧ୍ୟରେ ୨ କାନ୍ଦି (୩୫/୪୦ କି.ଗ୍ରା.) କଦଳୀ ଅମଳ ହୋଇଥାଏ । ଏହି ଫସଲରେ ବୋରୋନ୍ ଓ ଜିଙ୍କ ଅଣୁ ସାର ପ୍ରୟୋଗ କରିବାକୁ ହୁଏ । ତେବେ ଏହାପରେ ପ୍ରଥମ ୪ମାସ ପଟାସ ଏବଂ ଫସଫରସ୍ ମିଶାଇ ଦେଇଥାଏ । ପରବର୍ତ୍ତୀ ସମୟରେ ପଟାସ୍, ଫସଫରସ୍ ସହିତ ନାଇଟ୍ରୋଜେନ ମିଶାଇ ଦେବାକୁ ହୁଏ । ପ୍ରତ୍ୟହ ୨ଘଣ୍ଟା ସ୍ଟିଙ୍କଲରେ ପାଣି ଦିଏ ।
ଏଥିପାଇଁ ଏକର ପ୍ରତି ୮୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ପ୍ରାୟତଃ ଛତିଶଗଡ଼ର ବ୍ୟବସାୟୀମାନେ ଏଠାରୁ କଦଳୀ କିଲୋ ପ୍ରତି ୮.୫୦ଟଙ୍କାରୁ ୧୪ଟଙ୍କା ପର୍ଯ୍ୟନ୍ତ କିଣି ନେଇଥାନ୍ତି । କେବଳ ପ୍ରାକୃତିକ ବିପର୍ଯ୍ୟୟ ଏହି ଚାଷକୁ କ୍ଷତି ପହଞ୍ଚାଇଥାଏ । ଅନ୍ୟପକ୍ଷରେ ମିଠା ମକା ଓ ବରକୋଳି ବି ଲାଭଦାୟକ ହେଉଛି । ଏହି ମିଠା ମକା, ଏବଂ ବରକୋଳିକୁ ଭୁବନେଶ୍ଵରରୁ ବେପାରୀ ଆସି କିଣି ନେଇଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏହି ଚାଷ କାର୍ଯ୍ୟ ମୋ ପରିବାରକୁ ସୁରୁଖୁରୁରେ ଚଳେଇବାରେ ସହାୟକ ହୋଇଛି । ପୁଣି ଆଉ କେତେଜଣ ଆମେ କ୍ଷେତରେ କାର୍ଯ୍ୟ କରି ସେମାନଙ୍କ ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହେଉଛନ୍ତି ।
ତେବେ ଏହି ଚାଷ କାର୍ଯ୍ୟ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଜଙ୍ଗଲ ବିଭାଗ, ଜିଲାପାଳ, ଡିଆରଡିଏ ଏବଂ ଆତ୍ମା ପକ୍ଷରୁ ବହୁବାର ସମ୍ମାନିତ ମଧ୍ୟ ହୋଇଛି । ସତକଥା, ପରିଶ୍ରମ କଲେ ଜଣେ ଚାଷକାର୍ଯ୍ୟରୁ ନିଶ୍ଚିତ ସ୍ଵାବଲମ୍ବୀ ହୋଇପାରିବ ।
ଲେଖା ଏବଂ ପ୍ରାପ୍ତ - ସଞ୍ଜାବ ଷଡ଼ଙ୍ଗୀ
Last Modified : 1/10/2020