ଗୁଜରାଟର ସ୍ୱଳ୍ପ ବୃଷ୍ଟି ହେଉଥିବା ବନସକଣ୍ଠା ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଡାଳିମ୍ବ ଚାଷୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ନିଜ ଜମିରେ ଡାଳିମ୍ବ ଚାଷ କରି ଏହାକୁ ସର୍ବୋତ୍ତମ ଉପଯୋଗ କରିବା ସହିତ ଅନ୍ୟ ବହୁ ଚାଷୀଙ୍କୁ ଏଥି ପାଇଁ ପ୍ରୋତ୍ସାହିତ କରିପାରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି । ଏହି ଚାଷୀ ଜଣକ ହେଉଛନ୍ତି ୫୨ ବର୍ଷ ବୟସ୍କ ଜିନାଭାଇ ପଟେଲ୍ । ବନସକଣ୍ଠା ଜିଲ୍ଲା ଅନ୍ତର୍ଗତ ଲଖାନି ତହସିଲର ସରକାରୀ ଗୋଲିୟା ଗ୍ରାମର ବାସିନ୍ଦା ଜିନାଭାଇ । ପୋଲିଓ ରୋଗାକ୍ରାନ୍ତ ହେବାପରେ ତାଙ୍କର ଦୁଇ ଗୋଡ ଅଚଳ ହୋଇପଡିଛି । କିନ୍ତୁ ସେଥିରେ ସେ ହାର ମାନିନଥିଲେ ବରଂ ସେ କୃଷିକୁ ନିଜର ବୃତ୍ତି ଭାବେ ବାଛିଥିଲେ । ପାରମ୍ପରିକ ଫସଲ ପରିବର୍ତ୍ତେ ସେ ତାଙ୍କର ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳରେ ଡାଳିମ୍ବ ଚାଷ କରିବାକୁ ଯୋଜନା କରିଥିଲେ । ନିଜ ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରି ଡାଳିମ୍ବ ଚାଷ କଲେ । ଏଥିରୁ ସେ ଲାଭ ଉପାର୍ଜନ କରିବା ପରେ ତାଙ୍କ ଗ୍ରାମର ଅନ୍ୟମାନେ ମଧ୍ୟ ଏବେ ସେହି ଚାଷ ଆରମ୍ଭ କରିଛନ୍ତି ।
ପ୍ରାହୟ ୭୦ ହଜାର ଚାଷୀ ତାଙ୍କ କ୍ଷେତକୁ ବୁଲିଯାଇ ତାଙ୍କ ଚାଷ ପଦ୍ଧତି ଦେଖୁଛନ୍ତି । ସେଥିପାଇଁ ଚଳିତ ବର୍ଷ ଜେନା ଭାଇଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଜଣେ ଭିନ୍ନକ୍ଷମ ହୋଇଥିବାରୁ ସେ ସାଧାରଣ ପନିପରିବା ଚାଷ କରିବା କଷ୍ଟକର ଥିଲା । ତେଣୁ ପ୍ରାୟେ ୧୨ ବର୍ଷ ତଳେ କୃଷି ବିଶ୍ଵବିଦ୍ୟାଳୟ ଏବଂ କୃଷି ମେଳାରୁ ଡାଳିମ୍ବ ଚାଷ ସମ୍ପର୍କରେ ଜାଣିବା ପରେ ସେ ଏହି ଚାଷ ପାଇଁ ମନ ବଳାଇଲେ I ମହାରାଷ୍ଟ୍ରରୁ ଡାଳିମ୍ବ ଚାରା କିଣି ନିଜର ପ୍ରାୟ ୨୦ ହେକ୍ଟର ଜମିରେ ଲଗାଇଲେ । ତାଙ୍କ ଅଞ୍ଚଳରେ ଜଳାଭାବ ପରିସ୍ଥିତି ଲାଗି ରହିଥିବାରୁ କମ୍ ଜଳ ବ୍ୟବହାର କରି ଫସଲ କରିବା ସକାଶେ ସେ ବୃନ୍ଦା ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କଲେ । ଦୁଇବର୍ଷ ପରେ ଗଛରେ ଫଳ, ଫଳିବା ଆରମ୍ଭ ହେଲା । କିନ୍ତୁ ତାହାକୁ କେଉଁଠାରେ ଓ କିଭଳି ବିକ୍ରି କରାଯିବ ତାହା ଜାଣିନଥିବାରୁ ତାଙ୍କୁ ଉଚିତ ମୂଲ୍ୟ ମିଳିଲା ନାହିଁ । ଚାଷ କରିବାର ୪-୫ ବର୍ଷ ପରେ ତାଙ୍କୁ ଡାଳିମ୍ବର ଉଚିତ ମୂଲ୍ୟ ମିଳିବା ଆରମ୍ଭ ହେଲା I ଫଳରେ ତାଙ୍କ ଅଞ୍ଚଳର ଅନ୍ୟ ଠାରୁ ପ୍ରେରଣା ପାଇଁ ଚାଷୀମାନେ ଡାଳିମ୍ବ ଚାଷ ଆରମ୍ଭ କରିଛନ୍ତି । ଏବେ ତାଙ୍କ ତହସିଲରେ ପ୍ରାୟ ୯ ହଜାର ହେକ୍ଟର ଜମିରେ ଡାଳିମ୍ବ ଚାଷ କରାଯାଉଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରୁ ବ୍ୟବସାୟୀମାନେ ଆସି ସେଠାରୁ ଡାଳିମ୍ବ କିଣୁଛନ୍ତି ।
କୃଷି କ୍ଷେତ୍ରରେ ସଫଳତା ନିମନ୍ତେ ଜିନାଭାଇଙ୍କୁ ବହୁ ପୁରସ୍କାର ଓ ସମ୍ମାନ ମିଳିଛି । ଗୁଜରାଟ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ କୃଷକଙ୍କ ପାଇଁ ଥିବା ପୁରସ୍କାର, ରାଷ୍ଟ୍ରପତିଙ୍କ ନିକଟରୁ ସୃଷ୍ଟି ସମ୍ମାନ ଏବଂ ବହୁ କର୍ପୋରେଟ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ତାଙ୍କ ଉଦ୍ୟମ ନିମନ୍ତେ ପ୍ରଶଂସା କରିଛନ୍ତି ।
ପ୍ରତ୍ୟେକ ଚାଷୀ ଚାହାନ୍ତି ସେମାନଙ୍କ ଉତ୍ପାଦ ବିକ୍ରି ବଟା କରି ଲାଭ ଉପାର୍ଜନ କରିବାକୁ । ସେଥିପାଇଁ ସେମାନେ ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଜ୍ଞାନକୌଶଳ ପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି । କିନ୍ତୁ ହରିଆଣା କୁରୁକ୍ଷେତ୍ର ଜିଲ୍ଲାର ଜଣେ ଚାଷୀ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ପନିପରିବା ନର୍ସରୀ କରି ସେଥିରୁ ବର୍ଷକୁ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଏହି ଚାଷୀ ହେଉଛନ୍ତି ଏସ୍ ହାରବିର ସିଂହ । କୁରୁକ୍ଷେତ୍ର ବିଶ୍ଵ ବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା ହରବିର ଚାକିରି ନକରି ତାଙ୍କ ଜମି ରେ ପନିପରି ବା ଚାଷ ଆରମ୍ଭ କଲେ ।
ପ୍ରଥମେ ସେ ୧ ଏକର ଜମିରେ ଚାଷ କଲେ, କିନ୍ତୁ ନିଜ ଉଦ୍ୟମରେ ସଫଳ ହୋଇପାରିଲେ ନାହିଁ । ୨୦୦୫ରେ ସେ ବୈଜ୍ଞାନିକ ଉପାୟରେ ଚାଷ କରିବାକୁ ମନସ୍ଥ କଲେ ଏବଂ ବିଶିଷ୍ଟ ଉଦ୍ୟାନବିତ୍ ଏମ ଏସ ଲାଥରଙ୍କୁ ଭେଟିଲେ । ପରେ ଅଣୁ ଜଳସେଚନ ବ୍ୟବହାର କରି ସେ ନିଜର ପନିପରିବା ନର୍ସରୀ ଆରମ୍ଭ କଲେ । ଏବେ ସେ ୧୪ ଏକର ଜମିରେ ପ୍ରାୟ ସମସ୍ତ ପ୍ରମୁଖ ପନିପରିବାର ନର୍ସରୀ କରିଛନ୍ତି । ତାଙ୍କ ସହିତ ବହୁ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଦିନକୁ ଦିନ ତାଙ୍କ ନର୍ସରୀ ଚାହିଦା ବଢୁଛି ଏବଂ ପ୍ରତିବର୍ଷ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଏଥିପାଇଁ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି।
ଆଧାର – କୃଷି ବିଭାଗ
Last Modified : 9/4/2019