ଅଧିବେଶନ ୧.୩ |
ଫସଲ ଖସଡା I |
ଉଦ୍ଦେଶ୍ୟ |
ଚାଷୀମାନଙ୍କୁ ଅଗ୍ରୀମ ଫସଲ ଖସଡା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବା ଯାହାଦ୍ୱାରା ଅଧିକ ଅମଳ ଓ ଲାଭ ହୋଇ ପାରିବ I |
ପଦ୍ଧତି |
ଉପଲବ୍ଧ କୃଷି ନିବେଶ ଏବଂ ବଜାର ଚାହିଦା ଆଧାରରେ କେଉଁ ପ୍ରକାର ଫସଲ ଚାଷ କରାଯିବ ସିଆରପିମାନେ ପୋଷ୍ଟର ବ୍ୟବହାର କରି ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | |
ଆଗାମୀ ଖରିଫ ଋତୁରେ କେଉଁ ସବୁ ଫସଲ ଚାଷ କରିବା ଉଚିତ, ତାହାର ଅଗ୍ରୀମ ଯୋଜନା କରିବାଫଳରେ ମିଳୁଥିବା ସୁବିଧା ସବୁକୁ ଚାଷୀମାନଙ୍କୁ ବୁଝାନ୍ତୁ I ବାର୍ଷିକ ଫସଲ ଖସଡା ପ୍ରସ୍ତୁତ କରିବାଦ୍ୱାରା ଚାଷ ନିବେଶ ଏବଂ ବିପଣନ ସୁବିଧା ସବୁର ଉତ୍ତମ ଉପଯୋଗ ହେବା ସହ ଏହା ଲାଭକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ I
ସୋପାନ ୧ : ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଗତ ବର୍ଷ ସେମାନେ ଚାଷ କରିଥିବା ବିଭିନ୍ନ ଫସଲ ସମ୍ବନ୍ଧରେ ସେମାନଙ୍କର ଅନୁଭବ କ'ଣ ଏବଂ ଫସଲ ଚୟନର ଭଲ ଓ ଖରାପ ନିଷ୍ପତ୍ତି ବିଷୟରେ ସେମାନେ କେଉଁ ପ୍ରକାର ଶିକ୍ଷା ଲାଭ କରିଛନ୍ତି I ଏହି ଅନୁଭୁତି ଆଧାରରେ ଆଗାମୀ କୃଷି ଋତୁ ପାଇଁ ଚାଷୀମାନେ ଫସଲ ଖସଡା ପ୍ରସ୍ତୁତ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେଇ ପାରିବେ I
ସୋପାନ ୨ : ଫସଲ ଖସଡା କ'ଣ : ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ଫସଲ ଖସଡା ହେଉଛି ଏକ ପ୍ରକ୍ରିୟା ଚକ୍ର ଯାହା ଗତ ବର୍ଷ ଅଗ୍ରୀମ ଯୋଜନା ତୁଳନାରେ ବାସ୍ତବରେ କ'ଣ ସବୁ ଘଟିଥିଲା ଏବଂ ଏଥିରୁ ଶିକ୍ଷାଲାଭ କରି ଆମେ ପରବର୍ତ୍ତୀ ଫସଲ ଖସଡା ପ୍ରସ୍ତୁତ କଲାବେଳେ ଆବଶ୍ୟକ ପରିବର୍ତନ କରିପାରିବା I ସେମାନଙ୍କୁ ବୁଝାନ୍ତୁ ଯେ ଚାଷ ଜମିରୁ ଅଧିକତମ ଲାଭ ପାଇବା ପାଇଁ ଫସଲ ଖସଡାକୁ ବର୍ଷ ପ୍ରାରମ୍ଭରେ ପ୍ରସ୍ତୁତ କରିବା ଉଚିତ ଇ
ଏହି ଫସଲ ଖସଡା ପ୍ରସ୍ତୁତ କଲେ ପ୍ରତ୍ୟେକ ଋତୁରେ କେଉଁ ସବୁ ଫସଲ ଚାଷ କରାଯିବ ନିର୍ଣୟ ନେବାରେ ସାହାଯ୍ୟ କରିବା ସହ ଚାଷ ପ୍ରସ୍ତୁତି କାର୍ଯ୍ୟ ଯଥା ବିହନ, ସାର ଓ ଅନ୍ୟାନ୍ୟ ଚାଷ ନିବେଶର ବନ୍ଦୋବସ୍ତ କରିବା ପାଇଁ ଯଥେଷ୍ଟ ସମୟ ମିଳିପାରିବ I ଏହି ପ୍ରକ୍ରିୟାରେ କୃଷିକାର୍ଯ୍ୟର ବିଭିନ୍ନ ଚରଣରେ ଅନେକ ସମୟ ସଞ୍ଚୟ ହେବା ସହ ପ୍ରାକୃତିକ ବିପର୍ଯ୍ୟ ସମୟରେ ସୁରକ୍ଷା ଦେଇଥାଏ I ତେଣୁ ଫସଲ ଖସଡା ହେଉଛି ପ୍ରତ୍ୟେକ ଚାଷୀ ଖରିଫ, ରବି ଏବଂ ଗ୍ରୀଷ୍ମ ଋତୁରେ କେଉଁ ପ୍ରକାର ଫସଲ ଚାଷ କରିବେ I
ସୋପାନ ୩ : ଫସଲ ଖସଡା ପ୍ରସ୍ତୁତି ସମୟରେ ଧ୍ୟାନ ରଖିବା ଦିଗ ସବୁ : ପ୍ରଥମ ଚରଣରେ ସ୍ଥାନୀୟ ଜଳବାୟୁ ଅବସ୍ଥାକୁ ଧ୍ୟାନରେ ରଖି ଆଗାମୀ ବର୍ଷର ଚାଷ ଋତୁରେ କେଉଁ ସବୁ ଫସଲ ଚାଷ କରାଯାଇପାରିବ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ I ଚାଷୀମାନଙ୍କୁ ନିଜ ନିଜର ପସନ୍ଦର ଫସଲ ଉଲ୍ଲେଖ କରିବାକୁ ପ୍ରୋତ୍ସାହିତ କରନ୍ତୁ ଏବଂ ସେମାନଙ୍କର ଜମିର ପରିମାଣ, ଉପଲବ୍ଧ ସମ୍ପଦ ଏବଂ ବ୍ୟକ୍ତିଗତ କ୍ଷମତା ଆଧାରରେ ଫସଲ ବାଛିବାକୁ ସାହାଯ୍ୟ କରନ୍ତୁ I ଉତ୍ପାଦର ଭଲ ବଜାର ଚାହିଦା ରହିଥିବା ଆବଶ୍ୟକ I
ଅର୍ଥକାରୀ ଫସଲ ଯଥା ଆଖୁ, କପା, ମକା ଇତ୍ୟାଦି ଚାଷ କରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଇପାରେ I ଚାଷୀମାନଙ୍କୁ କୁହନ୍ତୁ ଯେ ପନିପରିବା ଚାଷ ପାଇଁ ଯଥେଷ୍ଟ ଜଳ ସେଚନର ଆବଶ୍ୟକତା ରହିଛି I ମାଟିର ଉର୍ବରତା ବୃଦ୍ଧି କରିବାପାଇଁ ଚାଷୀମାନଙ୍କୁ ଡାଲି ଜାତୀୟ ଫସଲ ଚାଷ କରିବାପାଇଁ ଉତ୍ସାହିତ କରାଯାଇପାରିବ I
ସୋପାନ ୪ : କେଉଁ ସବୁ ଫସଲକୁ ଅଗ୍ରାଧିକାର ଦିଆ ଯାଇପାରିବ : ବର୍ଷାଋତୁରେ ପନିପରିବା ଚାଷ ଯେପରିକି ବାଇଗଣ, ଭେଣ୍ଡି, କଖାରୁ, କାକୁଡି, କଲରା, ଜହ୍ନି, ଝୁଡଙ୍ଗ, ସାରୁ, ମାଟିଆଳୁ ଇତ୍ୟାଦି କରିବାକୁ ଅଗ୍ରାଧିକାର ଦିଆଯାଇପାରିବ I ତଥାପି ସାବଧାନତା ଗ୍ରହଣ କରିବାକୁ ପଡିବ ଯେ ଗୋଟିଏ ପ୍ରକାର ଫସଲ ଯେପରି ଅନେକ ଗୁଡିଏ ଚାଷୀ ନ କରନ୍ତି, କାରଣ ଅଧିକ ଚାଷୀ ଏକାପ୍ରକାର ଫସଲ ଉତ୍ପାଦନ କଲେ ବଜାର ଚାହିଦା କମିଯାଇ ଚାଷୀମାନଙ୍କୁ କମ ଲାଭ ମିଳିଥାଏ I ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଶୀତଋତୁ ଶୀଘ୍ର ଆରମ୍ଭହେଉଥିବାରୁ ବିଭିନ୍ନ ଫସଲ ଯଥା ମୂଳା, ବିଲାତି ବାଇଗଣ, ବନ୍ଧାକୋବି, ଫୁଲକୋବି ଇତ୍ୟାଦି ଅଧିକ ଲାଭ କରିବା ପାଇଁ ଖରିଫ ଋତୁରେ ଚାଷ କରାଯାଇପାରିବ I ଯେଉଁସବୁ ଅଞ୍ଚଳରେ ସହରକୁ ଗମନାଗମନ ପାଇଁ ଭଲ ରାସ୍ତା ଅଛି ସେଠାରେ ପରିବା ମକା, ଅଣ-ଋତୁ ସବୁଜ ପରିବା ଚାଷ ଏବଂ ଫୁଲ ଚାଷ କରିବାପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଇପାରିବ I
ଆକଳନ କରିବାକୁ ଚେଷ୍ଟା କରନ୍ତୁଯେ ସବୁ ଚାଷୀ ଉତ୍ତମ ଲାଭ ପାଇବାପାଇଁ ଫସଲ ଖସଡାର ଆବଶ୍ୟକତା ବିଷୟରେ ହୃଦୟଙ୍ଗମ କରିଅଛନ୍ତି I ଯଦି କେହି ଚାଷୀ ଫସଲ ଖସଡା ପ୍ରସ୍ତୁତ କରିବାପାଇଁ ସକ୍ଷମ ହୋଇଥିବେ, ତେବେ ଏହାକୁ ଚାର୍ଟ ପେପରରେ ଦର୍ଶାଇ ପଚାରନ୍ତୁ କି ଏହି ଖସଡାକୁ କାର୍ଯ୍ୟକାରୀ କରାଯାଇ ପାରିବ କି I
ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ପ୍ରତ୍ୟେକ କୃଷି ଋତୁ ବର୍ଷର କେଉଁ ମାସରେ ଆସିଥାଏ I ଏକ ପ୍ଲିଫ ଚାର୍ଟ ଏବଂ ମାର୍କର କଲମ ସାହାଯ୍ୟରେ ପ୍ରତ୍ୟେକ ଚାଷୀଙ୍କୁ ପଚାରନ୍ତୁ ଯେ ଆଗାମୀ ତିନୋଟି କୃଷିଋତୁରେ ସେ କେଉଁ ସବୁ ଫସଲ ଚାଷ କରିବେ ଏବଂ ତାଙ୍କର ଉତ୍ତରକୁ ଚାର୍ଟ ପେପର ଉପରେ ଲେଖନ୍ତୁ I ଏହି ସୁଚନା ସିଆରପିମାନଙ୍କୁ ବିଭିନ୍ନ ଅଧିବେଶନ ସଞ୍ଚାଳନ କରିବାପାଇଁ ତାରିଖ ସ୍ଥିର କରିବାପାଇଁ ସାହାଯ୍ୟ କରିବ I
ଆଧାର – ପୋର୍ଟାଲ ଟିମ
Last Modified : 6/24/2020