ଛେଳି ଚାଷ ଅଧିବେଶନ ୨.୧ ଛେଳି ପାଳନର ଉଦ୍ଦେଶ୍ୟ I ଉଦ୍ଦେଶ୍ୟ ଚାଷୀମାନଙ୍କୁ ଛେଳି ପାଳନର ଉପାଦେୟ଼ତା ବିଷୟରେ ଶିକ୍ଷାଦାନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଏବଂ ଅଗ୍ରଣୀ ଅନ୍ୟାନ୍ୟ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ I ପୃଷ୍ଠ ଭୁମୀ ଗତ କିଛି ଦିନ ମଧ୍ୟରେ ଛେଳି ଚାଷ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି I ବଜାର ଚାହିଦାରେ ଉନ୍ନତି ହେବା ଫଳରେ ଏହା ଏକ ଲାଭଜନକ ବୃତ୍ତି ହେବା ସହ, ଆୟର ଏକ ଉତ୍ତମ ମାଧ୍ୟମ ହୋଇ ପାରିଛି I ଅଭାବ ସମୟରେ, ଛେଳି ବିକ୍ରିକରି ଅର୍ଥ ରୋଜଗାର କରିହେବ I ଓଡିଶା ରାଜ୍ୟରେ ଛେଳି ଚାଷ ପାଇଁ ବହୁତ ଅଧିକ ସୁଯୋଗ ଅଛି I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଛେଳି ପାଳନର ଉପାଦେୟତା ବିଷୟରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରନ୍ତୁ I ଯେଉଁମାନଙ୍କର ଛେଳି ନାହିଁ, ତାଙ୍କୁ ଛେଳି ପାଳନ ନ କରିବାର କାରଣ ପଚାରନ୍ତୁ I ସୋପାନ -୨: ଛେଳି ପାଳନର ଉପାଦେୟତା: ଅଂଶଗ୍ରହଣକାରୀମାନଙ୍କୁ ଛେଳି ପାଳନର କିଛି ଉପାଦେୟତା ବିଷୟରେ ବୁଝାନ୍ତୁ: ଛେଳିମାନେ ବିଭିନ୍ନ ଜଳବାୟିକ ଅବସ୍ଥାରେ ନିଜକୁ ଖାପ ଖୁଆଇ ପାରନ୍ତି I ଛେଳିମାନେ ଶୀଘ୍ର ବଢନ୍ତି I ତେଣୁ ନିବେଶରେ ଶୀଘ୍ର ଲାଭ ମିଳିଥାଏ I ଛେଳିମାନେ ବିଭିନ୍ନ ପ୍ରକାର, କଣ୍ଟାଳିଆ ବୁଦା ଓ ଅନ୍ୟାନ୍ୟ କୃଷି ଅବଶେଷକୁ ସହଜରେ ହଜମ କରିପାରନ୍ତି I ତେଣୁ, ଆହାର କିଣିବାରେ କମ୍ ଖର୍ଚ୍ଚ ହୁଏ I ଅନ୍ୟ ପଶୁଙ୍କ ତୁଳନାରେ ଛେଳିମାନେ କମ ରୋଗରେ ଆକ୍ରାନ୍ତ ହୁଅନ୍ତି I ଏଥିପାଇଁ ରୋଗ ପରିଚାଳନାରେ ଅଧିକ ଖର୍ଚ୍ଚ କରିବା ଦରକାର ନାହିଁ I ଛେଳିମାନେ ଏକାଥରକେ ଦୁଇଟି ଛୁଆକୁ ଜନ୍ମ ଦିଅନ୍ତି I ତେଣୁ ଏହା ଅଧିକ ଲାଭ ଦାୟକ ହୋଇଥାଏ I ଛେଳିଚାଷ ବିଭିନ୍ନ ସ୍ଥାନ ଓ ବିଭିନ୍ନ ଜଳବାୟିକ ଅବସ୍ଥାରେ ସମ୍ଭବ ହୋଇଥାଏ I ଛେଳିମାନଙ୍କ ପାଇଁ କୁଟୀର ନିର୍ମାଣରେ କମ୍ ଖର୍ଚ୍ଚ ହୁଏ I ସୋପାନ -୩: ଛେଳିମାନଙ୍କ ବିଷୟରେ କିଛି ଦରକାରୀ ସୂଚନା: ଛେଳି ସମ୍ବନ୍ଧୀୟ କିଛି ପ୍ରମୁଖ ବିଷୟ ବୁଝାନ୍ତୁ I ଯେଉଁ ଚାଷୀମାନେ ବର୍ତ୍ତମାନ ଛେଳି ପାଳନ କରୁଛନ୍ତି ତଥା ଯେଉଁମାନେ ଭବିଷ୍ୟତରେ କରିବାକୁ ଚାହୁଁଛନ୍ତି, ସେହିମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ଉପାଦେୟ ହେବ: ଛେଳିର ହାରାହାରି ବୟସ ହେଉଛି ୧୨ ବର୍ଷ I ସାଧାରଣତଃ, ଅଣ୍ଡିରା ଛେଳିଙ୍କ ଓଜନ ମାଈ ଛେଳିଙ୍କ ଓଜନଠାରୁ ଅଧିକ ହୋଇଥାଏ I ଛେଳିର ଗର୍ଭ ଧାରଣ ସମୟ ୧୪୫ ରୁ ୧୫୩ ଦିନ ପର୍ଯ୍ୟନ୍ତ ହୋଇ ଥାଏ I ପ୍ରସବ ପରେ, ପୁଣିଥରେ ପ୍ରସବ କରିବା ପାଇଁ ଛେଳିମାନେ ୨୦୦ ରୁ ୩୫୦ ଦିନ ନେଇଥାଆନ୍ତି I ମାଈ ଛେଳି ୭ ରୁ ୧୨ ମାସ ମଧ୍ୟରେ ବୟସ୍କତା ପ୍ରାପ୍ତ କରିଥାଏ I ଛେଳିମାନେ ଦିନକୁ ପ୍ରାୟ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଚରି ଥାଆନ୍ତି I ଛେଳି ଦୁଧରେ ଟି.ବି. ରୋଗର ପ୍ରତିଷେଧକ ଗୁଣ ଅଛି I ଏକ ବୟସ୍କ ଛେଳିର ଶରୀର ତାପମାତ୍ରା ୩୫0 ରୁ ୪୦0 ସେଣ୍ଟିଗ୍ରେଡ୍ (୧୦୨0 ରୁ ୧୦୪0 ଫାରେନହାଇଟ୍) ପର୍ଯ୍ୟନ୍ତ ହୋଇଥାଏ I ଉପସଂହାର ଅଧିବେଶନ ଶେଷ ଆଡକୁ ଯେଉଁ ଅଂଶଗ୍ରହଣକାରୀମାନଙ୍କର ଛେଳି ନାହିଁ, ପଚାରନ୍ତୁ କି ସେମାନେ ବର୍ତ୍ତମାନ ଛେଳିଚାଷ କରିବାକୁ ଆଗ୍ରହୀ ହେବେ କି I ଛେଳିର ପ୍ରଜାତି ଅଧିବେଶନ ୨.୨ ଛେଳିର ପ୍ରଜାତି I ଉଦ୍ଦେଶ୍ୟ ବିଭିନ୍ନ ପ୍ରଜାତିର ଛେଳି ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ I ପୃଷ୍ଠ ଭୁମୀ ସାଧାରଣତଃ ଛେଳି ପାଳନର ଦୁଇଟି ଉଦ୍ଦେଶ୍ୟ ଥାଏ, ଯଥା ଉଭୟ ମାଂସ ଓ ଦୁଧ ପାଇବା ପାଇଁ I କିନ୍ତୁ, ଓଡିଶାରେ ଛେଳି ପାଳନ ମୁଖ୍ୟତଃ ମାଂସ ପାଇଁ କରାଯାଇଥାଏ I ଉନ୍ନତ ପ୍ରଜାତିର ଛେଳିଙ୍କର ଓଜନ ଅଧିକ ହୋଇଥାଏ I ଏକା ଥରକେ ଏକରୁ ଅଧିକ ଛୁଆ ପ୍ରସବ କରୁଥିବାରୁ ଏହା ଅଧିକ ଲାଭ ଦାୟକ ହୋଇଥାଏI ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ସେମାନେ ପାଳନ କରୁଥିବା ଛେଳିଙ୍କର ବିଶିଷ୍ଟ ଲକ୍ଷଣସବୁକୁ ଉଲ୍ଲେଖ କରିବାକୁ କୁହନ୍ତୁ I ଏହା ସହ, ସେମାନେ ପାଳନ କରୁଥିବା ଛେଳିଙ୍କର ପ୍ରଜାତିର ନାମକୁ ପଚାରନ୍ତୁ I ସେମାନଙ୍କ ସହ ଅଲୋଚନା କରନ୍ତୁ କି ସେମାନେ ସ୍ଥାନୀୟ କିମ୍ବା ଉନ୍ନତ ପ୍ରଜାତିର ଛେଳି ପାଳନ କରିବାକୁ ଚାହୁଁଛନ୍ତି I ସୋପାନ -୨: ଛେଳିଙ୍କ ପ୍ରଜାତି: ଅଂଶଗ୍ରହଣକାରୀଙ୍କୁ ବୁଝାନ୍ତୁ କି, ଓଡିଶାରେ ଦୁଇ ପ୍ରକାରର ଛେଳି ଦେଖାଯାଆନ୍ତି ଯଥା ବ୍ଲାକ୍ ବେଙ୍ଗାଲ୍ ଓ ଗଞ୍ଜାମ ପ୍ରଜାତିର ଛେଳି I ବ୍ଲାକ୍ ବେଙ୍ଗାଲ୍ ପ୍ରଜାତି: ଏହା କେନ୍ଦୁଝର, ମଯୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଦେଖାଯାଏ I ଏହା ଆକାରରେ ଛୋଟ ଓ ସାଧାରଣତଃ କଳା ରଙ୍ଗର I କିନ୍ତୁ, କିଛି ଜାଗାରେ ଧଳା ଓ ଲାଲ ଧୁଷର ରଙ୍ଗର ଛେଳି ମଧ୍ୟ ଦେଖାଯାଆନ୍ତି I ଶିଙ୍ଗ ଦୁଇଟି ଛୋଟ ଓ ଉପର ମୁହାଁ ହୋଇଥାଏ I କାନ ଯୋଡିକ ମଧ୍ୟ ଛୋଟ ହୋଇଥାଏ I ବୟସ୍କ ମାଈ ଛେଳିର ଓଜନ ୧୫ ରୁ ୨୦ କେ.ଜି. ପର୍ଯ୍ୟନ୍ତ ଓ ବୁଦାର ଓଜନ ୨୦ ରୁ ୨୫ କେ.ଜି. ପର୍ଯ୍ୟନ୍ତ ହୋଇଥାଏ I ଗଞ୍ଜାମ ପ୍ରଜାତି: ଏହା ଗଞ୍ଜାମ, ଗଜପତି, ନୟାଗଡ ଓ କନ୍ଧମାଳ ଜିଲ୍ଲାରେ ଦେଖାଯାଏ I ଗୋଡ ଲମ୍ବା ହୋଇଥାଏ, ଦେହର ରଙ୍ଗ ଲାଲ କିମ୍ବା କଳା ହୋଇଥାଏ I ଏହି ପ୍ରଜାତିର ଛେଳି ଥରକୁ ଗୋଟିଏ ଛୁଆକୁ ଜନ୍ମ ଦେଇଥାଏ I ବୟସ୍କ ଛେଳିର ଓଜନ ୧୮ ରୁ ୨୦ କେ.ଜି. ପର୍ଯ୍ୟନ୍ତ ହୋଇଥାଏ I ରାଜ୍ୟରେ, ଆହୁରି ଅନେକ ଅନ୍ୟାନ୍ୟ ପ୍ରଜାତିର ଛେଳି ସ୍ଥାନ ଅନୁସାରେ ଦେଖାଯାଆନ୍ତି I ଏହା ସବୁ ହେଇଛି ଘୁମୁସର, ମାରାଗୁଡା, ଡାଳୁଆ, ମାଲକାନଗିରି, କେନ୍ଦୁଝର, ରାଇଘର ପ୍ରଜାତିର ଛେଳି ଇତ୍ୟାଦି I ସୋପାନ -୩: ଛେଳି କିଣିବା ସମୟରେ ବିଚାରକୁ ନେବା ପାଇଁ କିଛି ବିନ୍ଦୁ: ଛେଳି କିଣିବା ସମୟରେ ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ଲିଖିତ ବିଷୟରେ ଧ୍ୟାନ ରଖିବାକୁ କୁହନ୍ତୁ: ଛେଳିଟି ଶାନ୍ତ ପ୍ରକୃତିର ହୋଇଥିବା ଦରକାର I ଏହା ନିୟମିତ ବ୍ୟବଧାନରେ ପ୍ରସବ କରୁଥିବା ଦରକାର I ଦୁଇ ବର୍ଷରେ ତିନୋଟି ପ୍ରସବ ହୋଇଥିବା ଉଚିତ I ପ୍ରଥମ ପ୍ରସବ ୧୨ ରୁ ୧୮ ମାସ ଭିତରେ ହୋଇଥିବା ଉଚିତ I ଏହା ସମସ୍ତ ପ୍ରକାର ଖାଦ୍ୟ ଖାଉଥିବା ଦରକାର I ଛାତି ଚଉଡା ହୋଇଥିବା ଉଚିତ I ନାକ ପୁଡା ଚଉଡା ଏବଂ ଏହାର କଳପାଟି ଶକ୍ତ ହୋଇଥିବା ଉଚିତ I ମୁଣ୍ଡ ଓ ବେକ ଲମ୍ବା ତଥା ସଂକୀର୍ଣ ହୋଇଥିବା ଉଚିତ I ପଞ୍ଜରା ହାଡ ଚଉଡା ଓ ଗୋଲାକାର ଆକୃତି ହୋଇଥିବା ଦରକାର I ଛେଳିଟି ପ୍ରତ୍ୟେକ ପ୍ରସବରେ ଦୁଇଟି ଛୁଆ ଜନ୍ମ କରିଥିବା ଦରକାର I ଉପସଂହାର ଅଧିବେଶନ ସମାପ୍ତ କରିବା ଆଗରୁ, ଜଣେ ଅଂଶଗ୍ରହଣକାରୀଙ୍କୁ ଛେଳି ପ୍ରଜାତିର ନାମ ସବୁକୁ କହିବା ପାଇଁ କୁହନ୍ତୁ ଏବଂ ସେ ପାଳନ କରିଥିବା ଛେଳିର ପ୍ରଜାତିକୁ ଚିହ୍ନଟ କରିବାକୁ କରନ୍ତୁ I ଏହାସହ, ଛେଳି କିଣିବା ପୁର୍ବରୁ କ'ଣ ସବୁ ବିଷୟ ସେମାନେ ବିଚାରକୁ ନେବେ, ବର୍ଣ୍ଣନା କରିବାକୁ କୁହନ୍ତୁ I ଆଧାର – ପୋର୍ଟାଲ ଟିମ