অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନିଆ ଫସଲ ଓ ଜଳ ପରିଚାଳନା

କଖାରୁ ଓ କଲରା

କଖାରୁ ଓ କଲରାରେ ଫଳମାଛି ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ଏଣେଣ୍ଡ ସଲ୍‌ଫାନ କିମ୍ବା ୩ ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ । କଖାରୁ ଲଗାଇଲା ବେଳେ ମନ୍ଦାରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରନ୍ତୁ ।

ଏହାଦ୍ଵାରା ନାଲି କଖାରୁ ପୋକକୁ ନିୟନ୍ତ୍ରଣ କରାଯାଇପାରିବ । ବର୍ତ୍ତମାନ ଭେଣ୍ଡି, ଜହ୍ନି, କଲରା, ଗୁଆଁର, ଝୁଡଙ୍ଗ ଆଦି ଖରାଦିନିଆ ପନିପରିବା ଲଗାନ୍ତୁ ।

ଶଙ୍ଖ ସାରୁ ବିହନ ମୁଣ୍ଡାଗୁଡିକରୁ ଦୁଇରୁ ତିନୋଟି ଗଢା ଥବା ୫୦ ଗ୍ରାମ୍ ଓଜନର ଖଣ୍ଡ କାଟି ବିହନ ଆକାରରେ ବ୍ୟବହାର କରନ୍ତୁ । ୧ ଏକର ଫସଲ ପାଇଁ ୮-୧୦ କୁଇଣ୍ଟାଲ ବିହନ ସାରୁ ବ୍ୟବହାର କରନ୍ତୁ । ସର୍ବଦା ହୃଷ୍ଟପୁଷ୍ଟ ରୋଗ ନିରୋଧକ ଶକ୍ତି ଥବା କିସମ ଲଗାନ୍ତୁ । ୧ କିଗ୍ରା ସାରୁ ବିହନରେ ମେଟାଲାକ୍ଲିଲ୍ ଓ ମାକେଙ୍କାଜେବ ମିଶ୍ରଣରୁ ୧ ଗ୍ରାମ ହିସାବରେ ମିଶାଇ ବିଶୋଧନ କରନ୍ତୁ ।

ସୂର୍ଯ୍ୟମୁଖୀ

ମାଟିର ବତରକୁ ଚାହିଁ ଜଳସେଚନ କରନ୍ତୁ । ପରାଗସଙ୍ଗମ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏଥିଲାଗି ଫୁଲ ଉଡାଇବା ସମୟରେ ହାତରେ ଏକ ମସୃଣ କନା ସାହାଯ୍ୟରେ ପରାଗସଙ୍ଗମ କରାଇବା ଦରକାର । ଏହାଦ୍ଵାରା ଦାନା ଗଠନ ତ୍ୱରାନ୍ତିତ ହୋଇଥାଏ । ଫୁଲବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ଲିଟର ପାଣିରେ ୨ ମିଲି ଏଣ୍ଡୋସଲଫାନ ମିଶାଇ ସିଞ୍ଚନ କରନ୍ତୁ । ରେଡ ପୋକର ନିୟନ୍ତ୍ରଣ ଲାଗି ଏକର ପ୍ରତି ୪୦୦ମିଲି ଗ୍ଲୋରୋପାଇରିଫସ୍କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଧଳାମାଛିର ଦମନ ସକାଶେ ଏକର ପ୍ରତି ୪୦୦ମିଲି ଟ୍ରାଏତେଜାଫସ୍ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଏହାର ଦମନ ଲାଗି ପ୍ରତି ଲିଟର ପାଣିରେ ୧ ମିଲି ହିସାବରେ ୦.୫% ନିମ୍ବା ବିଷ ମଧ୍ୟ ସିଞ୍ଚନ କରାଯାଇପାରିବ । ସୂର୍ଯ୍ୟମୁଖୀ ଫଳରେ ଭଲରୂପେ ମଞ୍ଜି ଧରିବା ନିମନ୍ତେ କିଆରି ପାଖରେ ମହୁ ହବାକୁ ରଖା ମହୁଚାଷ କରିବା ଭଲ । ମହୁମାଛି ପରାଗସଙ୍ଗମରେ ସାହାଯ୍ୟ କରିଥାନ୍ତି । ରବି ସୂର୍ଯ୍ୟମୁଖୀ ଫସଲରେ ଫଳ ବିନ୍ଧା ପୋକର ଦମନ ପାଇଁ ଜୈବ ଔଷଧ ଏକର ପ୍ରତି ୨୫୦ ଏଲ୍. ଇ. ଏନ.ପି.ଭି କିମ୍ବା ବି.ଟି.କେ ୨୦୦ଗ୍ରାମକୁ ୨୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ । ଆବଶ୍ୟକ ହେଲେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଏଣୋସଲଫାନ ୨୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ । ସଅଳ ଫସଲରେ ଫୁଲ ତଳ ଅଂଶ ହଳଦିଆ ପଡି ଆସିଲେ ଫୁଲଗୁଡିକୁ ଦାଆରେ କାଟି ଖରାରେ ଶୁଖାନ୍ତୁ । ଫୁଲର ମଧ୍ୟଭାଗରେ ଥବା ମଞ୍ଜି ସବୁ ଗାଢ଼ ବାଦାମୀ ରଙ୍ଗ ହୋଇ ପାକଳ ହୋଇଗଲେ ଫୁଲ ସବୁ କାଟି ଦିଅନ୍ତୁ । ଏକ ସମୟରେ ସବୁ ଫୁଲ ନ କାଟି ପର୍ଯ୍ୟାୟକ୍ରମେ ୨-୩ ଥରରେ କାଟିଲେ ଫୁଲରୁ ମଞ୍ଜି କିଆରିରେ ଝଡିପଡ଼େ ନାହିଁ । ଫୁଲ କାଟି ସାରିବା ପରେ ସେଗୁଡ଼ିକୁ ୪-୫ଦିନ ଖରାଦେଇ ଅମଳ କରନ୍ତୁ ।

ଖରାଦିନିଆ ଫସଲରେ ଜଳ ପରଚାଳନା

ଖରାଦିନେ ତାପମାତ୍ରା ବଢୁଥିବାରୁ ଫସଲରେ ଜଳ ପରିଚାଳନା ଅପରିହାର୍ଯ୍ୟ ହୋଇପଡ଼ିଥାଏ । ସିଞ୍ଚନ ପ୍ରଣାଳୀ ଦ୍ଵାରା ଜଳସେଚନ କଲେ ଅଧିକ ତାପମାତ୍ରାର ପ୍ରଭାବକୁ କମାଯାଇପାରିବ । ପାଣିର ଅଭାବ ଥିଲେ ଧାଡ଼ିକୁ ଧାଡିଏ ଛାଡ଼ି ଜଳସେଚନ କରନ୍ତୁ । ଏହାଦ୍ଵାରା  ଶତକଡା ୫୦ ଭାଗ ପାଣି ସଞ୍ଚୟ କରାଯାଇପାରିବ । ସୁବିଧା ଥିଲେ ଫଳ ବଗିଚା କିମ୍ବା ଅଧିକ ଚଉଡ଼ାରେ ବୁଣାଯାଇଥିବା ଫସଲରେ ବୁନ୍ଦା କିମ୍ବା ସିଞ୍ଚନ ଜଳସେଚନ କରନ୍ତୁ । ବାଲିଆ କିମ୍ବା ବାଲିଆ ଦୋରସା ମାଟିରେ ପାଣିର ଅପବ୍ୟବହାର  କମାଇବା ପାଇଁ ଜଳସେଚନ ନାଳୀରେ ପାଣି ମଡ଼ାଇବା ପୂର୍ବରୁ ପଲିଥିନ ବିଛାଇ ଦିଅନ୍ତୁ । ନଡ଼ିଆ ଗଛ ଚାରିପଟେ (୧.୮ ମିଟର ବ୍ୟାସାର୍ଦ୍ଧ) । ନଡ଼ିଆ ପତ୍ର ବିଛାଇ ଦିଅନ୍ତୁ । କାଜୁ ଗଛରେ (୨ବର୍ଷିଆ) ୧୫ଦିନ ଅନ୍ତରରେ ଗଛ ପିଛା ୨୦-୨୫ ଲିଟର ପାଣି ଦିଅନ୍ତୁ ।

ନୂଆକରି ଗଛ ଲଗାଉଥିଲେ ବାଷ୍ଟାକରଣ କ୍ଷମତା କମାଇବା ପାଇଁ ମୂଳ ଚାରିପଟେ ଶୁଖିଲା  ପତ୍ର ମଲ୍‌ଚିଙ୍ଗ୍ ଆକାରରେ ଦିଅନ୍ତୁ । ନୂଆକରି ପନିପରିବା ତଳି ରୋଉଥିଲେ ଦିନବେଳେ ତା' ଉପରେ କାଗଜ ପୁଙ୍ଗା ଦିଅନ୍ତୁ । ଶୁଖିଲା ମାଟି ଓ ଅଧିକ ତାପମାତ୍ରା ହେତୁ ଚିନାବାଦାମ, ଫସଲରେ ଧବଳ ଭୂଙ୍ଗର ପ୍ରାଦୁର୍ଭାବ ଦେଖାଯିବାର ଆଶଙ୍କା ରହିଛି ।

ମାଛ ଚାଷା ଭାଇମାନେ ଫିଙ୍ଗର ଲିଙ୍ଗସ୍ ରଖାଥିଲେ ପୋଖରୀରେ ପାଣିର ଗଭୀରତା ଓ ମାନ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ବର୍ତ୍ତମାନ ତାପମାତ୍ରା ବଢ଼ିବା ଯୋଗୁ ଯଦି ପାଣିର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହେ ଏବଂ ପାଣିର ଗଭୀର ଏକ ମିଟରରୁ କମ୍ ହୋଇଥାଏ ତେବେ ଫିଙ୍ଗର ଲିଙ୍ଗସ୍ ଅମଳ କରିଦିଅନ୍ତୁ ଏବଂ ଆଉ କଲ୍‌ଚର କରନ୍ତୁ ନାହିଁ । ମାଛ ବିହନ ଛାଡିବା ପୂର୍ବରୁ ପୋଖରୀରେ ଯଥେଷ୍ଟ ପାଣି ରଖନ୍ତୁ ।

ଆଧାର – କୃଷି ବିଭାଗ

Last Modified : 7/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate