ବୃତ୍ତିରେ ମେକାନିକ୍ । ମାତ୍ର ନିଜ ସ୍ୱଳ୍ପ ବୁଦ୍ଧିରେ ବିରାଟ ସମସ୍ୟାର ସମାଧାନ କରିଛନ୍ତି । ଚାଷୀଙ୍କ ଜଳସେଚନ ସମସ୍ୟାର ସୂତ୍ର ସେ କାଢିଛନ୍ତି । ଯାହାର ନାଁ ଦେଇଛନ୍ତି ‘‘ପମ୍ପ ଅନ୍ ହ୍ଵିଲ୍ସ" । କମ୍ ଖର୍ଚ୍ଚ ଓ କମ୍ ଓଜନ୍ ବିଶିଷ୍ଟ ଏହି ପମ୍ପ ଚାଷୀଙ୍କ ସମସ୍ୟା ଦୂର କରିଛି । ଜମିରେ ଜଳସେଚନ ନିମନ୍ତେ ନିଜ ଗାଁର ଚାଷୀମାନେ ଓଜନ ଦାର ପାଣି ପମ୍ପକୁ ବହୁ କଷ୍ଟରେ ନେବା ଦେଖିବାପରେ ଗଣେଶ ନାମକ ଏହି ମେକାନିକ ଏକ ହାଇଟ୍ରିଡ ସାଇକେଲର ଡିଜାଇନ ପ୍ରସ୍ତୁତିରେ ଲାଗିପଡିଲେ । ଏଥିପାଇଁ ମାତ୍ର ୧୪୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ଚାଷୀଙ୍କ ପାଇଁ ବିଶେଷ ସହାୟକ ହେବା ସହିତ ଗଣେଶ ତାହାକୁ ଭଡା ସୂତ୍ରରେ ଦେଇ ମାସକୁ ଭଲ ଜୋରାଜଗାର ମଧ୍ୟ କଲେ ।
ବିହାର ଅନ୍ତର୍ଗତ ପୁରନିଆର ବାସିନ୍ଦା ଗଣେଶ କୁମାର ସିଂ । ଗାଁର ଚାଷୀମାନଙ୍କୁ ୬୦ କିଲୋଗ୍ରାମ ଓଜନ୍ ପାଣି ପମ୍ପ ବ୍ୟବହାର କରୁଥିବାର ଦେଖିବାକୁ ପାଇଲେ । ଯଦି ପମ୍ପକୁ କୌଣସି ଗାଡିରେ ନିଆଯାଏ ତେବେ ତାହା ଜମିରେ ଗଲେ ଫସଲ ନଷ୍ଟ ହେବାର ଆଶଙ୍କା ବି ଥିଲା । ଏସବୁକୁ ଲକ୍ଷ୍ୟ କରିବା ପରେ ଗଣେଶ ଏଭଳି କିଛି ଡିଜାଇନ କରିବା ଚିନ୍ତା କଲେ ଯଦ୍ଵାରା ଜମିରେ ସହଜରେ ପାଣି ଉଠାଇ ହେଉଥିବା । ତା' ପରେ ଏକ ସାଇକେଲରେ ଯଦି ପମ୍ପକୁ କୌଣସି ଉପାୟରେ ଫିଟ୍ କରିହେବ। ତେବେ ତାହାକୁ ସହଜରେ ଜମିକୁ ନିଆଯାଇପାରିବ ବୋଲି ସେ ବିଚାର କଲେ । ବହୁ ପରୀକ୍ଷା ନିରୀକ୍ଷା ଏବଂ ଭୂଲ କରିବା ପରେ ଶେଷରେ ସେ ଏକ ନୂଆ ଉଦ୍ଭାବନ କଲେ ‘ପମ୍ପ ଅନ୍ ହ୍ଵିଲ୍ସ” । ଏଥିରେ ଏକ ବାଇସାଇକେଲର ସମ୍ମୁଖ ଭାଗ ଏବଂ ସ୍କୁଟରର ପଛ ଅଂଶକୁ ଯୋଡାଯାଇଛି । ଏହାକୁ ଜମି ହୁଡାରେ ମଧ୍ୟ ସହଜରେ ନିଆଯାଇପାରିବ ଏବଂ ଫସଲ ଆଦୌ ନଷ୍ଟ ହେବା ସମ୍ଭାବନା ନାହିଁ । ସ୍କୁଟରର ପଛ ଅଂଶକୁ ଏଥିରେ ଯୋଡାଯାଇଥିବାରୁ ପମ୍ପ ଚାଲିବା ସମୟରେ ଏହି ହାଇବ୍ରିଡ ଯାନରେ କମ୍ପନ ସୃଷ୍ଟି ହେଉନାହିଁ । ଏହି ମେସିନର ସମୁଦାୟ ଓଜନ ପ୍ରାୟ ୭୫ କିଲୋଗ୍ରାମ ରହିଛି ଏବଂ ସେଥିରେ ୬୦ କିଲୋଗ୍ରାମର ପମ୍ପ ଓଜନ ମଧ୍ୟ ସାମିଲ । ଗଣେଶ ଏକ ପୁରୁଣା ସାଇକେଲର ପଛ ଅଂଶକୁ ଭାଗ କରି ୪ ଇଞ୍ଚର ଲୁହାପାଇପରେ ପମ୍ପକୁ ଖଞ୍ଜିଛନ୍ତି । ଜୋର କମ୍ପନକୁ ସହ୍ୟ କରିବା ଏବଂ ସହଜରେ ଚଳାଚଳ କରିବା ନିମନ୍ତେ ସ୍କୁଟରର ବଲ୍ ବିଅରିଂ ସ୍ଥାନରେ ଏଥିରେ ତୁଳନାତ୍ମକ ଭାବେ ବଡ ବଲ୍ ବିଅରିଂ ଖଞ୍ଜାଯାଇଛି । ଏଥିପାଇଁ ସେ ନିକଟରେ ରହୁଥିବା ଜଣେ ୱେଲଡରଙ୍କ ସହାୟତା ନେଇଥିଲେ । ତାଙ୍କର ଏହି ପାଣି ପମ୍ପ ଏବେ ଠିକ୍ ଭାବେ କାର୍ଯ୍ୟ କରୁଛି।
ତାଙ୍କ ସଫଳତାକୁ ଲକ୍ଷ୍ୟ କରିବା ପରେ ନିକଟବର୍ତ୍ତୀ କିଛି ଗ୍ରାମର ଚାଷୀ ମଧ୍ୟ ଏହି ଭଳି ପମ୍ପ ପ୍ରସ୍ତୁତ କରିଛନ୍ତି । ଗଣେଶଙ୍କର ଏଭଳି ଉଦ୍ୟମରେ ବିହାର ଇନୋଭେସନ୍ ଫୋରମର ଜୀବିକା କାର୍ଯ୍ୟକ୍ରମ ପ୍ରଭାବିତ ହୋଇ ଏଥିରେ ଅଧିକ ଆଧୁନିକତା ଆଣିବା ଦିଗରେ ତାଙ୍କୁ ପ୍ରୋତ୍ସାହନ ଯୋଗାଇଦେଲା । ଫଳରେ ଗଣେଶ ଏହିଭଳି ଅନେକ ପମ୍ପ ପ୍ରସ୍ତୁତ କରି ପାରିଛନ୍ତି । ଇତି ମଧ୍ୟରେ ସେ ଏହି ଭଳି ପ୍ରାୟ ୪୦ଟି ପମ୍ପ ବିକ୍ରି କରିସାରିଲେଣି । ସେଗୁଡିକର ମୂଲ୍ୟ ୧୪୦୦ ଟଙ୍କାରୁ ୧୬୦୦ ଟଙ୍କା ମଧ୍ୟରେ ପଡୁଛି । ତାହାକୁ ଶ୍ରମିକ ମଜୁରୀ ଏବଂ ଡିଜେଲ ବାଦଦେଇ ଘଣ୍ଟା ପ୍ରତି ୭୦ ଟଙ୍କା ଭଡ଼ାରେ ମଧ୍ୟ ଦିଆଯାଉଛି । ଏହିଭଳି ଗୋଟିଏ ମେସିନ୍ରୁ ଗଣେଶ ଦିନକୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି । ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତିଗତ ସହଯୋଗ ମିଳିଲେ ସେ ଏଥିରେ ଆଉକିଛି ନୂଆ ଉଦ୍ଭାବନ କରିପାରିବେ ବୋଲି ଗଣେଶ ଆଶା ରଖିଛନ୍ତି ।
ଆଧାର – କୃଷି ବିଭାଗ
Last Modified : 1/26/2020