অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତୈଳବୀଜ ଫସଲରେ ଜଳ ପରିଚାଳନା

ତୈଳବୀଜ ଫସଲରେ ଜଳ ପରିଚାଳନା

ଫସଲରେ ଜଳ ପରିଚାଳନା

ସୋରିଷ ପାଇଁ ଖୁବ୍ କମ୍ ଜଳସେଚନ ଆବଶ୍ୟକ । ଫୁଲ-ଫଳ ଧରିବା ଓ ବଢିବା ଅବସ୍ଥାରେ ଦୁଇ –ତିନି ଥର ଜଳସେଚନ କରନ୍ତୁ। ରାଶି ଫସଲ ପାଇଁ ମାତ୍ର ପଚିଶ ସେମି ଜଳ ଆବଶ୍ୟକ । ଦଶ-ବାର ଦିନ ଅନ୍ତରରେ ପାଞ୍ଚ ଥର  ଜଳସେଚନ କରନ୍ତୁ । ସୂର୍ଯ୍ୟମୁଖୀ  ପାଇଁ ଚାଳିଶ ସେମି ପାଣି ଦରକାର । କଢ ଫୁଲ ଓ ଦାନା ଧରିବା ବେଳ ଏହି ଫସଲର ସଙ୍କଟ ସମୟ । ଏହି ସମୟରେ ନିଶ୍ଚିତ ଭାବେ ଜଳସେଚନ କରନ୍ତୁ । ଜଳସେଚନ ସୁବିଧା ଥିବା ସ୍ଥାନରେ ପ୍ରଥମେ ଦଶରୁ ବାର ଦିନ ଏବଂ ପରେ ଆଠରୁ ଦଶ ଦିନ ଅନ୍ତରରେ ଅତି କମ୍ ରେ ଛଅ ଥର ଜଳସେଚନ କରନ୍ତୁ । ଚିନାବାଦାମ ଫସଲର ଅମଳ ସମୟ ପ୍ରାୟ ଚାରି ମାସ । ଏହି ସମୟରେ ଚିନାବାଦାମ ଚାଳିଶରୁ ପଞ୍ଚାବନ ସେମି ଜଳ ଆବଶ୍ୟକ କରେ ମୃତ୍ତିକା ଭେଦରେ ପ୍ରଥମେ ଦଶରୁ ବାର ଦିନ ବ୍ୟବଧାନରେ ଓ ପରେ ଆଠରୁ ଦଶ ଦିନ ବ୍ୟବଧାନରେ ଛଅରୁ ଆଠ ଥର ଜଳସେଚନ କରନ୍ତୁ ।

ମାଣ୍ଡିଆ

ମାଣ୍ଡିଆ ରୋଇବାର ତିନି ସପ୍ତାହ ହୋଇଯାଇଥିଲେ, ଘାସ ବାଛି କୋଡାଖୁସା କରନ୍ତୁ । ଏକର୍ ପ୍ରତି ଆଠ କିଗ୍ରା ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ସାର ପ୍ରୟୋଗ ପରେ ଜଳସେଚନ କରନ୍ତୁ । ତିନି ସପ୍ତାହର ମାଣ୍ଡିଆ ତଳିକୁ ଧାଡି ମଧ୍ୟରେ କୋଡିଏ ସେମି ଓ ଗଛ ମଧ୍ୟରେ ଦଶ ସେମି ବ୍ୟବଧାନ ରଖି ରୁଅନ୍ତୁ । ମାଟି ପରୀକ୍ଷା କରିଥିଲେ, ଅନୁମୋଦିତ ସାର ପ୍ରୟୋଗ କରନ୍ତୁ । ପରୀକ୍ଷା କରି ନ ଥିଲେ ୨୪-୧୨-୧୨(ମଧ୍ୟମ କିସମ ) ଓ ୧୬-୧୨-୧୦ (ସଅଳ କିସମ ) ଅନୁପାତରେ ଯବକ୍ଷାରଜାନ, ଫସ୍ଫରସ୍ ଓ ପଟାସ୍ ସାର ପ୍ରୟୋଗ କରନ୍ତୁ । ରୋଇବା ସମୟରେ ଅଧା ଯବକ୍ଷାରଜାନ ସାର ସହ ସମସ୍ତ ଫସ୍ଫରସ୍ ଓ ପଟାସ୍ ସାର ପକାନ୍ତୁ । ଅବଶିଷ୍ଟ ପଚାଶ ଭାଗ ଯବକ୍ଷାରଜାନ ସାରକୁ ରୋଇବାର ତିନି ସପ୍ତାହ ପରେ କୋଡାଖୁସା କରି ପ୍ରୟୋଗ କରନ୍ତୁ ।

କାଜୁରେ ରୋଗପୋକ ଦମନ

କାଜୁରେ କାଣ୍ଡ ଓ ଚେରବିନ୍ଧା ପୋକର ଦମନ ପାଇଁ ଆକ୍ରାନ୍ତ ଅଞ୍ଚଳରୁ ଶତକଡା ପଚାଶ ଭାଗ କବକ ଗୋଲେଇରେ ଛଡାଇଦିଅନ୍ତୁ। ପ୍ରତି ବୃକ୍ଷ ମୂଳରେ ମନ୍ଦା କରି ଏକ ମିଲି ମନୋକ୍ରୋଟସ୍ ପ୍ରୟୋଗ କରନ୍ତୁ । ଉକୁଣିଆ ପୋକର ଦମନ ପାଇଁ ପ୍ରତି ଲିଟର୍ ପାଣିରେ ଦୁଇ ମିଲି ମିଥାଇଲ୍ ଡିମେଟନ୍ ସେଚନ କରନ୍ତୁ ।

ଗୋଟିଏ ଗଛ ପ୍ରତି ୧୦-୨୦କିଗ୍ରା ଖତ,୭୫୦ଗ୍ରାମ୍ ଯବକ୍ଷାରଜାନ, ୧୨୫ଗ୍ରାମ୍ ଫସ୍ଫରସ୍ ଏବଂ ୧୨୫ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ । ଗଛ ମୂଳକୁ ଏକ ମିଟର୍ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରୁ ଅନାବନା ଘାସ ବାଛିଦିଅନ୍ତୁ । ପ୍ରତି ଗଛରେ କୋଡିଏ – ପଚିଶ ଲିଟର୍ ପାଣି ଢାଳନ୍ତୁ ।

ଖରାଟିଆ ଚିନାବାଦାମ

ତାପମାତ୍ରା ବଢୁଥିବାରୁ ଚିନାବାଦାମ ଲଗାଇବା କାର୍ଯ୍ୟ ଶୀଘ୍ର ସାରନ୍ତୁ । ଅଧିକ ଅମଳକ୍ଷମ ଉନ୍ନତ ବିହନ : ସ୍ମୃତି, ଏକେ ୧୨-୨୪, କିସାନ (ଓଜି୧୩-୩), ଜବାନ (ଓଜି୭୧-୩ ), ଫୁଲେ ପ୍ରଗତି (ଜେଏଲ୍୦୨୪),ଟିଜି ୩୮ । ଧାଡି ମଧ୍ୟରେ ୨୫ସେମି ଓ ମଞ୍ଜି ମଧ୍ୟରେ ୧୦ସେମି ବ୍ୟବଧାନ ରଖନ୍ତୁ ।  ଏକର ପ୍ରତି ୫୦କିଗ୍ରା ଚୋପା ଛଡା ବିହନ ବ୍ୟବହାର କରନ୍ତୁ । ବୁଣିବାର ସାତ ଦିନ ପୂର୍ବରୁ ପ୍ରତି କିଗ୍ରା ବିହନକୁ ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ଗୋଳାଇ ବିଶୋଧିତ କରନ୍ତୁ । ପ୍ରତି କିଗ୍ରା ବିହନକୁ କୋଡିଏ ଗ୍ରାମ୍ ରାଇଜୋବିୟମ୍ କଲ୍ଚର୍ ଦ୍ଵାରା ଉପଚାର କରନ୍ତୁ । ରାଇଜୋବିୟମ୍ କଲ୍ଚର୍ ଉପଚାର ବେଳେ ପ୍ରତି ୧୦ କିଗ୍ରା ବିହନରେ ତିନି ଗ୍ରାମ୍ ଆମୋନିୟମ୍ ମଲିବ୍ଡେଟ୍ ମିଶାନ୍ତୁ । ଏହା ଦ୍ଵାରା ଅଧିକ ଅମଳ ହୁଏ । ଶେଷ ଓଡ ଚାଷ ବେଳେ ଏକର୍ ପ୍ରତି ଦଶ କୁଇଣ୍ଟାଲ୍ କମ୍ପୋଷ୍ଟ୍    ପ୍ରୟୋଗ କରନ୍ତୁ । ଏକର୍ ପ୍ରତି ମୂଳ ସାର ଭାବେ ୮କିଗ୍ରା ଯବକ୍ଷାରଜାନ,୧୬ କିଗ୍ରା ଫସ୍ଫରସ୍ ଓ ୧୬ କିଗ୍ରା ପଟାସ୍ ବ୍ୟବହାର କରନ୍ତୁ ।

ଆଳୁ

ଆଗକୁ ବର୍ଷା ଥିବାରୁ ପାକଳ ଆଳୁ ଜମିରେ ନ ରଖି ଯଥା ଶୀଘ୍ର  ଅମଳ କରନ୍ତୁ । ଅମଳ ପରେ ବିହନ ପାଇଁ ପଚିଶରୁ ତିରିଶ ଗ୍ରାମ୍ ଓଜନର ଭଲ ଆଳୁ ରଖନ୍ତୁ ।

ସେଗୁଡିକୁ ସଫା ପାଣିରେ ଧୋଇ, ପ୍ରତି ଲିଟର ପାଣିରେ ତିରିଶ ଗ୍ରାମ୍ ବୋରିକ୍ ଅମ୍ଳ ମିଶାଇ, ସେଥିରେ ତିରିଶ ମିନିଟ୍ ଭିଜାଇ ଛାଇରେ ଶୁଖାନ୍ତୁ । ଭଲ ଭାବେ ଶୁଖିଯିବା ପରେ ଅଖା ମୁଣାରେ ଭର୍ତ୍ତି କରି ଶୀତଳ ଭଣ୍ଡାରରେ ଚାରି ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରାରେ ସାଇତିରଖନ୍ତୁ ।

ଆଧାର – କୃଷି ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate