ଜଳସେଚନ ପ୍ରକଳ୍ପ
ସ୍ୱାଧୀନତା ଲାଭର ପରବର୍ତ୍ତୀ ସମୟରେ ଭାରତ ବର୍ଷର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଉପଲବ୍ଧି କରି ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଜରୁରୀ ବୋଲି ଅନୁଭବ କରାଗଲା । ଏଣୁ ଅଧିକରୁ ଅଧିକ ଜମିକୁ କିପରି ଜଳସେଚିତ କରି କୃଷିର ବିକାଶ କରାଯିବ ସେଥିପାଇଁ ଜଳସେଚନ ପ୍ରକଳ୍ପମନ ନିର୍ମାଣ କରାଗଲା । କିନ୍ତୁ କାଳକ୍ରମେ ଲକ୍ଷ୍ୟ କରାଗଲା ଯେ ଜଳସେଚନ ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ଜଳର ଅପଚୟ ଏବଂ ଆବଶ୍ୟକୀୟ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ସେଚ ଜଳର ସୁବିନିଯୋଗ ହୋଇପାରୁନାହିଁ । କେବଳ ସରକାରୀ ବ୍ୟବସ୍ଥା ଦ୍ଵାରା କିମ୍ବା ଚାଷୀମାନଙ୍କର ବ୍ୟକ୍ତିଗତ ଉଦ୍ୟମ ଦ୍ଵାରା ଜଳସେଚନ ପ୍ରଣାଳୀର ଉତ୍ତମ ରକ୍ଷଣାବେକ୍ଷଣ ଓ ସୁପରିଚାଳନ ଅସମ୍ଭବ । ଏଣୁ ଏହାର ସମାଧାନ ନିମନ୍ତେ ବୁଦ୍ଧିଜୀବୀମାନେ ଜଳସେଚନ ପ୍ରକ୍ରିୟାରେ ଚାଷୀମାନଙ୍କର ପ୍ରତ୍ୟକ୍ଷ ଯୋଗଦାନ ଓ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ଉପଲବ୍ଧ ସେଚ ଜଳର ସୁପରିଚାଳନା , ସୁଷମ ବଣ୍ଟନ ଓ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ଅନୁଭବ କଲେ ।
ଆମ ରାଜ୍ୟର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ଜଳର ଉପଯୁକ୍ତ ପରିଚାଳନା ଓ ନିଜ ନିଜ ମଧ୍ୟରେ ସମନ୍ୱୟତା ରଖିବା ପାଇଁ ସେମାନଙ୍କର ସଙ୍ଘବଦ୍ଧତା ମନୋଭାବ ଅବଶ୍ୟମ୍ଭାବୀ ହୋଇପଡିଲା । ପ୍ରାରମ୍ଭିକ ସମୟରେ ଗଠିତହୋଇଥିବା ପାଣିପଞ୍ଚାଯତ ଗୁଡିକର ସଫଳତା ଲକ୍ଷକରି ଓଡିଶା ସରକାର କୃଷିର ବିକାଶ ଓ ଉତ୍ପାଦନ ବୃଦ୍ଧି ପାଇଁ ସେଚଜଳ କିପରି ଠିକ ସମୟରେ ଚାଷୀଙ୍କ ପାଖରେ ପହଞ୍ଚିପାରିବ ଓ ଏହାର ସଠିକ ବଣ୍ଟନ ହୋଇପାରିବ, ସେଥିପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପ ମାନଙ୍କରେ ପାଣି ପଞ୍ଚାୟତମାନ ଗଠନ କରିବାକୁ ନିଷ୍ପତି ନେଲେ ଏବଂ ୨୦୦୨-୦୩ ମସିହାରେ ପାଣି ପଞ୍ଚାୟତ ଆଇନ ଓ ନିୟମ ପ୍ରଣୟନ କରି ତାହାକୁ ଲୋକାଭିମୁଖୀ କରାଇବାର ବ୍ୟବସ୍ଥା କରିଛନ୍ତି ।
ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦ୍ୟେଶ୍ୟ
ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦ୍ୟେଶ୍ୟଗୁଡିକ ହେଉଛି:
- ଏକ ସ୍ଥିର, ପର୍ଯ୍ୟାପ୍ତ ଓ ନିର୍ଭରଶୀଳ ଜଳଯୋଗାଣ ସୁନିଶ୍ଚିତ କରିବା ।
- ୫-୮ ଏକର ବିଶିଷ୍ଟ ଚକରେ ଏକ ନ୍ୟାୟସଙ୍ଗତ ଜଳବଣ୍ଟନ ପ୍ରଣାଳୀ ସୁନିଶ୍ଚିତ କରିବା ।
- ଏହି ପ୍ରଣାଳୀ ଦ୍ଵାରା ଜଳସେଚନର କ୍ଷମତା ଉତ୍କୃଷ୍ଟ କରାଯାଇପାରିବ
- ଅଧିକାଂଶ ଚାଷୀମାନଙ୍କ ଦ୍ଵାରା ଏହା ଆଦୃତ ହୋଇପାରିବ ଯାଦ୍ୱାରା ସେମାନେ ଏହାକୁ ନିଜ ପ୍ରକଳ୍ପବୋଲି ଚିନ୍ତା କରିବେ ।
ଏହାର ଆବଶ୍ୟକତା
ନିମ୍ନଲିଖିତ ବିଷୟଗୁଡିକ ପାଇଁ ପାଣି ପଞ୍ଚାୟତ ଗଠନର ଆବଶ୍ୟକତା ରହିଛି ।
- ଚାଷୀମାନଙ୍କ ମଧ୍ୟରେ ଏକତାର ମନୋଭାବ ସୃଷ୍ଟି କରିବା ।
- କେନାଲ ଓ ଏହାର ଶାଖା କେନାଲ ଯେ କେବଳ ସରକାରଙ୍କର ନୁହେଁ ବରଂ ସେମାନଙ୍କର ନିଜସ୍ଵ ସମ୍ପତି , ଏହି ଧାରଣା ମନରେ ସୃଷ୍ଟି କରିବା ।
- ଜଳସଂରକ୍ଷଣ କରି ଜଳସେଚନ ପଦ୍ଧତିକୁ ସଠିକ ଭାବେ ବିନିଯୋଗ କରିବା ଓ ଜଳର ଅପଚୟ/ଅପବ୍ୟବହାର ରୋକିବା ।
- ମୃତ୍ତିକା ଓ ଜଳବାୟୁର ଅନୂକୁଳ ନାନାବିଧ ଫସଲ ଖସଡା ପ୍ରସ୍ତୁତ କରିବା ଓ ଆଧୁନିକ କୃଷିକୌଶଳ (ମୃତ୍ତିକା ପରୀକ୍ଷା, ବିହନ ବିଶୋଧନ, ଗଜା ଶକ୍ତି ପରୀକ୍ଷା, ଧାଡି ରୁଆ ଇତ୍ୟାଦି ) ଅବଲମ୍ବନ ଦ୍ଵାରା କୃଷିର ବିକାଶ ।
- ପାଣିକୁ ଠିକ ସମୟରେ ପାଇବା ଓ ସଠିକ ବଣ୍ଟନ ତଥା ପରିଚାଳନା ଦ୍ଵାରା ବିଭିନ୍ନ ଅର୍ଥକାରୀ ଫସଲ କରି ନିଜର ଆର୍ଥିକ ଓ କୃଷିର ବିକାଶ ଯେ ସମ୍ଭବ, ମନରେ ଏହି ଦୃଢ ଧାରଣା ସୃଷ୍ଟି ।
- ପାଣି ପଞ୍ଚାୟତ ଲାଇସେନ୍ସ ଦ୍ଵାରା ବିହନ ଓ ସାର ନିଜ ଅଞ୍ଚଳରେ ସୁବିଧାରେ ପ୍ରାପ୍ତି ।
ପ୍ରତି ଫସଲ ଋତୁ ଶେଷରେ ପଣି ପଞ୍ଚାୟତ ଦ୍ଵାରା ଜଳସେଚନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଓ କ୍ଷେତ୍ରାଞ୍ଚଳ ମଧ୍ୟରେ ଥିବା ସବ – ମାଇନର , କରନାଳୀ ଓ କ୍ଷେତ୍ର ନାଳୀ ଗୁଡିକର ରକ୍ଷଣାବେକ୍ଷଣ (ପଟୁ ନିଷ୍କାସନ, ବାଳୁଙ୍ଗା ସଫେଇ, ସଟର୍ ମରାମତି ଓ ରଙ୍ଗ, ଘାଇ ବନ୍ଦ କରିବା ଇତ୍ୟାଦି ) କାର୍ଯ୍ୟ ସମ୍ପାଦନ ।
ପାଣି ପଞ୍ଚାୟତର ବିବିଧ କାର୍ଯ୍ୟାବଳୀ
- ତଳମୁଣ୍ଡରେ ସେଚଜଳକୁ ସୁନିଶ୍ଚିତ କରି ସେଚପ୍ରଣାଳୀର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ତଥା ସେଚଜଳର ସଦ୍ବ୍ୟବହାର ପ୍ରତି ସଚେତନତା ବୃଦ୍ଧି କରିବା ।
- ଚାଷୀମାନଙ୍କ ମଧ୍ୟରେ ଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରି ସେଚଜଳର ଅସାଧୁ ବ୍ୟବହାରକୁ ରୋକିବା ।
- ସରକାରୀ ପଦକ୍ଷେପକୁ ଅପେକ୍ଷା ନ କରି ଜଳସେଚନ ବ୍ୟବସ୍ଥାର ସାଧାରଣ ମରାମତି ପାଣି ପଞ୍ଚାୟତ ଜରିଆରେ ଅଳ୍ପ ସମୟ ମଧ୍ୟରେ କରି ଚାଷିକୁ ଜଳ ଉପଲବ୍ଧ କରାଇବା ।
- ହସ୍ତାନ୍ତରିତ ଜଳସେଚନ ପ୍ରଣାଳୀର ସମସ୍ତ ବିଶେଷ ମରାମତି କାର୍ଯ୍ୟ ପାଣି ପଞ୍ଚାୟତର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିବା ।
- ସରକାରଙ୍କ ଠାରୁ ପ୍ରାପ୍ତ ସହାୟକ ରାଶି (Grant-in-Aid) ର ଉଚିତ୍ ବିନିଯୋଗ କରି ନିଜ ନିଜ କେନାଲର ରକ୍ଷଣାବେକ୍ଷଣ କରିବା ।
- ପାଣି ପଞ୍ଚାୟତ ମାଧ୍ୟମରେ କୃଷକମାନଙ୍କର କୃଷିଭିତ୍ତିକ ସମସ୍ୟାର ଉପସ୍ଥାପନ ଓ ସମାଧାନ କରିବା ।
- ସେଚଜଳର ପରିମାଣ , ଜମିର କିସମ ଓ ସ୍ଥାନୀୟ ପାଣିପାଗକୁ ଦୃଷ୍ଟିରେ ରଖି ଚାଷୀମାନେ ସୁଚିନ୍ତିତ ଫସଲ ଖସଡା ପ୍ରସ୍ତୁତ କରି ଅଧିକ ଲାଭଜନକ ଫସଲ ଚାଷ କରିବା ।
- ପାଣି ପଞ୍ଚାୟତ କୃଷି ପାଇଁ ଆବଶ୍ୟକୀୟ ଦ୍ରବ୍ୟ (ବିହନ, ସାର, କୀଟନାଶକ, କୃଷିଋଣ ଓ ଆନୁଷଙ୍ଗିକ ସରଞ୍ଜାମ) ଏବଂ ଉତ୍ପାଦିତ ଦ୍ରବ୍ୟଗୁଡିକୁ ସହଜ, ସୁବିଧା, ସୁଲଭ ଦର ଓ କମ ସମୟରେ ଉପଲବ୍ଧ କରାଇବାରେ ସାହାଯ୍ୟ ଓ ସହଯୋଗ କରିବା ।
- ପାଣି ପଞ୍ଚାୟତ ଅନ୍ତର୍ଗତ ସମୂହ ସରକାରୀ ସମ୍ପତ୍ତି , ଜଳାଶୟ / ଗୋଚର ପ୍ରଭୃତିକୁ ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବା ।
- ଭାରତ ସରକାରଙ୍କ ଯୋଜନା ଅନୁଯାୟୀ ସେଚାଞ୍ଚଳ ଉନ୍ନୟନ ସଂସ୍ଥାର ତତ୍ତ୍ଵାବଧାନରେ ପାଣି ପଞ୍ଚାୟତମାନେ କ୍ଷେତ୍ରନାଳୀ ଏବଂ ନିଷ୍କାସନ ନାଳୀର ନିର୍ମାଣ କରିବା ।
- ପାଣି ପଞ୍ଚାୟତଗୁଡିକ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଜଳସେଚନ ପ୍ରଣାଳୀ ଗୁଡିକର ବିଶେଷ ମରାମତି କାର୍ଯ୍ୟ କରିବା।
- ପାଣି ପଞ୍ଚାୟତଗୁଡିକ ୨୦୦୮ର ସଂଶୋଧିତ ଅଧିନିୟମ ଓ ନିୟମାବଳୀ ଅନୁଯାୟୀ ପାଣି ପଞ୍ଚାୟତର ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବା ଆବଶ୍ୟକ ।
ପାଣି ପଞ୍ଚାୟତ ଗଠନ ପ୍ରଣାଳୀ
କୌଣସି ଏକ କେନାଲ ଓ ଏହାର ଶାଖା କେନାଲ ଦ୍ଵାରା ଜଳସେଚିତ ହେଉଥିବା ୩୦୦ – ୬୦୦ ହେକ୍ଟର କ୍ଷେତ୍ରଞ୍ଚାଳକୁ ନେଇ ଏକ ପାଣି ପଞ୍ଚାୟତ ଗଠିତ ହୋଇଥାଏ । ଏହା ଏକ ତିନି ସ୍ତରୀୟ (ସ୍ଥଳ ବିଶେଷରେ ଚର୍ତୁସ୍ତରୀୟ/ପଞ୍ଚସ୍ତରୀୟ) ସଂଗଠନ ଅଟେ । ପ୍ରଥମ ସ୍ତରରେ ଚକ କମିଟି, ଦ୍ଵିତୀୟ ସ୍ତରରେ କାର୍ଯ୍ୟନିର୍ବାହୀ କମିଟି ଓ ତୃତୀୟ ସ୍ତରରେ ଶୀର୍ଷ କମିଟି ଗଠନ କରାଯାଏ । ଏହି କ୍ଷେତ୍ରାଞ୍ଚଳ ମଧ୍ୟରେ ଥିବା ସମସ୍ତ ଭୂ-ଧାରକ ବା ତାଙ୍କର ଉତ୍ତରାଧିକାରୀ ପାଣି ପଞ୍ଚାୟତର ସଭ୍ୟ ଅଟନ୍ତି ।
- ଚକ କମିଟି – କେନାଲ ଯଥା ମାଇନର ବା ସବ-ମାଇନର ର କୌଣସି ଏକ ନିର୍ଦ୍ଦିଷ୍ଟ ଶୋଠରୁ ପାଣି ପାଉଥିବା ସମସ୍ତ କ୍ଷେତ୍ରାଞ୍ଚଳକୁ ଏକ ଚକ କୁହାଯାଏ । ଏହି କ୍ଷେତ୍ରାଞ୍ଚଳ ବା ଚକର ସମସ୍ତ ଜଳ ଉପଭୋକ୍ତା /ହିତାଧିକାରୀଙ୍କ ମଧ୍ୟରୁ ଉପରଭାଗ କ୍ଷେତ୍ର ପାଇଁ ଜଣଙ୍କୁ, ମଧ୍ୟଭାଗ ପାଇଁ ଜଣଙ୍କୁ ଓ ଶେଷଭାଗ ପାଇଁ ଜଣଙ୍କୁ ନିର୍ବାଚିତ କରାଯାଏ । ଏହି କମିଟିରେ ମହିଳା, ଆଦିବାସୀ ତଥା ପଛୁଆ ବର୍ଗର ଲୋକମାନଙ୍କର ପ୍ରତିନିଧିତ୍ଵ କରିବାର ସମାନ ଅଧିକାର ଅଛି ।
- ପୁନର୍ବାର ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଚକ ନେତା ବା ଶୋଠ ମୂଖ୍ୟ ଭାବେ ନିର୍ବାଚିତ କରାଯାଏ । ଏକାଧିକ ଚକ କମିଟିର ସଭ୍ୟ ହେବାପାଇଁ ଯୋଗ୍ୟତା ଥିବା ବ୍ୟକ୍ତି ସବୁଥିରେ ସଭ୍ୟ ହୋଇପାରିବେ କିନ୍ତୁ ନିଜ ଇଚ୍ଛା ମୁତାବକ କେବଳ ଗୋଟିଏ କାର୍ଯ୍ୟନିର୍ବାହୀ କମିଟିର ସଭ୍ୟ ହୋଇପାରିବେ ।
- ଚକ ଅବଧି ଓ ସଂରକ୍ଷଣ – ନୂତନ ପାଣି ପଞ୍ଚାୟତ ନିୟମ ଅନୁସାରେ ଗୋଟିଏ ପାଣି ପଞ୍ଚାୟତରେ ଥିବା ଚକ ସଂଖ୍ୟାର ୫୦% ଚକ ତିନି ବର୍ଷିଆ ଓ ୫୦% ଚକ ଛଅ ବର୍ଷିଆ ରହିବା ଆବଶ୍ୟକ ଓ ସମୁଦାୟ ଚକର ଏକ ତୃତୀୟାଂଶ ଚକ ମହିଳାଙ୍କ ପାଇଁ ସଂରକ୍ଷିତ ।
- କାର୍ଯ୍ୟନିର୍ବାହୀ କମିଟି – ପ୍ରତ୍ୟେକ ଚକରୁ ନିର୍ବାଚିତ ହୋଇଥିବା ଶୋଠ ମୁଖ୍ୟ / ଚକ ନେତାଙ୍କୁ ନେଇ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥାଏ ଓ ଏହି ନିର୍ବାଚିତ ସଦସ୍ୟମାନେ ପାଣି ପଞ୍ଚାୟତର ପରିଚାଳନା ପାଇଁ ସେମାନଙ୍କ ମଧ୍ୟରୁ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ କରାଇଥାନ୍ତି । ଚକର ଅବଧି ଅନୁସାରେ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କର କାର୍ଯ୍ୟକାଳ ସ୍ଥିର ହୋଇଥାଏ । ଉଠା ଜଳସେଚନ ପ୍ରକଳ୍ପରେ ସର୍ବନିମ୍ନ ୪ ଜଣ ଓ ସର୍ବାଧିକ ୧୦ ଜଣ ସଭ୍ୟ ରହିପାରିବେ ।
କାର୍ଯ୍ୟନିର୍ବାହୀ କମିଟିର ସଭାପତିଙ୍କ ନିର୍ବାଚନ ସେଠାକାର ଅଧିକ୍ଷଣ ଯନ୍ତ୍ରୀ କରାଇଥାନ୍ତି । ଏହି ନିର୍ବାଚନ ପ୍ରକ୍ରିୟା ନିର୍ଧାରିତ ପ୍ରଣାଳୀ ଅନୁଯାୟୀ ଗୁପ୍ତ ମତଦାନ ପଦ୍ଧତି ଅନୁସାରେ ହୋଇଥାଏ । ଉଠା ଜଳସେଚନ ପାଣି ପଞ୍ଚାୟତରେ ଏହି ପ୍ରକ୍ରିୟା ନିର୍ବାହୀ ଯନ୍ତ୍ରୀଙ୍କ ଦ୍ଵାରା ସମ୍ପାଦନ କରାଯାଇଥାଏ ।
ଚକର ସଭାପତି, କୌଣସି କାରଣରୁ recalled ହୋଇନଥାନ୍ତି, ତେବେ କମିଟିର ପ୍ରଥମ ସଭାଦିନ ଠାରୁ ୩ ବର୍ଷ କାର୍ଯ୍ୟ କରିବେ । କାର୍ଯ୍ୟନିର୍ବାହୀ କମିଟି ଜଣେସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିର୍ବାଚିତ କରନ୍ତି । ସେମାନେ ବହୁମତ ଦ୍ଵାରା ନିର୍ବାଚିତ ହୋଇଥାନ୍ତି । ସରକାର ଚାହିଁଲେ ଜଳ ସମ୍ପଦ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ; ଯାହାଙ୍କର ମତଦାନ ଅଧିକାର ନଥିବ, ପାଣି ପଞ୍ଚାୟତର ସଭାରେ ନିୟମିତ ଯୋଗ ଦେଇ ପାରିବେ ।
- ଏମାନଙ୍କ ମଧ୍ୟରୁ ଜଣଙ୍କୁ ସଭାପତି, ଜଣଙ୍କୁ ସମ୍ପାଦକ ଓ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଏ ।
- ସାଧାରଣ ପରିଷଦ – ପାଣି ପଞ୍ଚାୟତ କ୍ଷେତ୍ର ଅନ୍ତର୍ଭୁକ୍ତ ସମସ୍ତ ଭୂ-ଧାରକ ଏହି ପରିଷଦର ସଭ୍ୟ ହୋଇପାରିବେ ଏବଂ ସେମାନଙ୍କର ଭୋଟ ଦେବାର ଅଧିକାର ରହିବ । ଓଡିଶା ସରକାରଙ୍କ ଜଳ ସମ୍ପଦ, କୃଷି ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ମନୋନୀତ ୩ ଜଣ ଅଧିକାରୀ ଉପଦେଷ୍ଟା ଭାବେ ଏହି ପରିଷଦରେ କାର୍ଯ୍ୟ କରିଥାନ୍ତି କିନ୍ତୁ ଏମାନଙ୍କର ଭୋଟ ଦେବାର ଅଧିକାର ନାହିଁ ।
ଉପରୋକ୍ତ ସମସ୍ତ କମିଟିକୁ ନିର୍ବାଚିତ ବ୍ୟକ୍ତି / କର୍ମକର୍ତ୍ତାଙ୍କ ଠାରେ ନିମ୍ନଲିଖିତ ଗୁଣ ରହିବା ଆବଶ୍ୟକ:
- ସେ କର୍ତ୍ତବ୍ୟପରାୟଣ, ସାହସୀ, ଦୁରଦୃଷ୍ଟି ସମ୍ପନ୍ନ, ସଚ୍ଚୋଟ ଚିନ୍ତାଧାରା ସମ୍ପନ୍ନ, ବିଶ୍ଵାସୀ ଓ ବିନୟୀ ହେବା ଆବଶ୍ୟକ ।
- ତାଙ୍କ ପାଖରେ ଉତ୍ସର୍ଗୀକୃତ ସେବା ମନୋଭାବ, ବଳିଷ୍ଠ ବ୍ୟକ୍ତିତ୍ଵ ଓ ସମୟାନୁବର୍ତୀତା ରହିବା ଆବଶ୍ୟକ ।
ପାଣି ପଞ୍ଚାୟତ ସଶକ୍ତିକରଣ ପାଇଁ ସରକାରଙ୍କ ପଦକ୍ଷେପ :
- ସେଚାଞ୍ଚଳ ଉନ୍ନୟନ ତଥା ସହଭାଗୀ ଜଳସେଚନ ପରିଚାଳନା ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ସ୍ଥାପନ ।
- ପାଣି ପଞ୍ଚାୟତ କର୍ମକର୍ତ୍ତା ତଥା ଅଗ୍ରଣୀ ଚାଷିମାନଙ୍କୁ ରାଜ୍ୟ ବାହାରକୁ ପରିଭ୍ରମଣ ତାଲିମ କାର୍ଯ୍ୟକ୍ରମରେ ପଠାଯିବାର ବ୍ୟବସ୍ଥା ।
- ଦକ୍ଷତା ଭିତ୍ତିରେ ଯୋଗ୍ୟବିବେଚିତ ପାଣି ପଞ୍ଚାୟତମାନଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରିବା ।
- କୃଷକ ତଥା ସାଧାରଣ ଜନତାଙ୍କୁ ପାଣି ପଞ୍ଚାୟତ ବିଷୟରେ ସଚେତନ କରାଇବା ପାଇଁ ପ୍ରତ୍ୟେକ ବର୍ଷ ପାଣି ପଞ୍ଚାୟତ ପକ୍ଷ ପାଳନ କରିବାର ନିଷ୍ପତ୍ତି ।
ମୁଖ୍ୟଯନ୍ତ୍ରୀ କୌଣସି ପ୍ରକଳ୍ପର ସମୁଦାୟ ସିଂଚନ କ୍ଷେତ୍ରକୁ କେତୋଟି ଶାଖା କ୍ଷେତ୍ରରେ ଭାଗ କରିପାରନ୍ତି । ଏହି କ୍ଷେତ୍ର ପାଇଁ ଶାଖା କମିଟି ଗଠିତ ହୋଇଥାଏ ।
ଏହି କମିଟିଗୁଡିକୁ ସ୍ଥାନୀୟ ଅଞ୍ଚଳର ନାମ ଅନୁସାରେ ନାମିତ କରାଯାଇଥାଏ । ଏହି କମିଟିରେ ସେହି ଶାଖା ଅଞ୍ଚରେ ଥିବା ସମସ୍ତ ପାଣି ପଞ୍ଚାୟତର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମାନେ ସଭ୍ୟ ହୋଇଥାନ୍ତି ।
- ସବ୍ କମିଟି – ପାଣି ପଞ୍ଚାୟତର କାର୍ଯ୍ୟ ଦକ୍ଷତାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନ୍ତତଃ ପକ୍ଷେ ୩ ଟି ବା ଆବଶ୍ୟକସ୍ଥଳେ ତାଠାରୁ ଅଧିକ ସବ କମିଟି ଗଠନ କରାଯାଇପାରେ ଯଥା ଅଡିଟ, ନିର୍ମାଣ ଓ ଜଳ ପରିଚାଳନା ସବ କମିଟି ଇତ୍ୟାଦି । ପ୍ରତ୍ୟେକ କମିଟିରେ ଅନ୍ୟୁନ ୪ ଜଣ ସଭ୍ୟ ରହିଥାନ୍ତି ।
- ଶୀର୍ଷ କମିଟି – କାର୍ଯ୍ୟନିର୍ବାହୀ କମିଟିର ସାଧାରଣ ପରିଷଦ ସଭ୍ୟଙ୍କ ମଧ୍ୟରୁ ୯ ଜଣଙ୍କୁ ଶୀର୍ଷ କମିଟି ସଦସ୍ୟ ଭାବେ ନିର୍ବାଚିତ କରାଯାଇଥାଏ ।
ଆଧାର - ଲାଇଫ ଏକାଡେମି ଅଫ ଭୋକେସନାଲ ଷ୍ଟଡିଜ (ଲାଭ୍ସ)