অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଳିଆ ଯୋଜନା

କାଳିଆ ଯୋଜନା

‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ

କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ଵରାନ୍ୱିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ମାଧ୍ୟମରେ ଚାଷୀମାନଙ୍କର ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୂହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରି କୃଷିଭିତ୍ତିକ ସମୃଦ୍ଧିର ଧାରାକୁ ତ୍ଵରାନ୍ୱିତ କରିବା ଲକ୍ଷ୍ୟ ରଖିଛନ୍ତି । ‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା  ପ୍ରଦାନ କରି ସେମାନଙ୍କର ସଶକ୍ତିକରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା । ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲ୍ଲବଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ ।

ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ୧୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହି ଯୋଜନାର ଲକ୍ଷ୍ୟ । ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀମାନଙ୍କୁ ପରିସରଭୁକ୍ତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି ।

କୃଷି କାର୍ଯ୍ୟ ପାଇଁ ସହାୟତା

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲରତୁରେ ମୋଟ୍ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି ।

ଜୀବିକା ନିର୍ବାହ ପାଇଁ ସହାୟତା

ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷିଭିତ୍ତିକ ଆନୁସଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳିପାଳନ ୟୁନିଟ୍, କ୍ଷୁଦ୍ର କୁକୁଡ଼ା ପାଳନ ୟୁନିଟ୍, ବତକ ପାଳନ ୟୁନିଟ୍, ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଉପରକଣ, ଛତୁ ଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ ସହାୟକ ହେବ ।

ଅସମର୍ଥ କୃଷି ପରିବାର ଏବଂ ଭୂମିହୀନ ଶ୍ରମିକମାନଙ୍କୁ ସହାୟତା

ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗ ଦ୍ଵାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

କୃଷକ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଜୀବନ ବୀମା ସୁବିଧା

ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାରର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୂରାବସ୍ଥା ତଥା ଅନିଶ୍ଚିତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନବୀମା ସହାୟତାର ବ୍ୟବସ୍ଥା କରାଯାଇଛି । ଏହି ବୀମାର ସୁବିଧା ନିମ୍ନ ପ୍ରକାରେ ପ୍ରଦାନ କରାଯିବ ।

  1. ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମା ଖାତାଧାରୀମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା କରାଯାଇଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ବୀମା ପ୍ରିମିୟମ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୧୬୫ ଟଙ୍କା ରାଜ୍ୟ ସରକାର ବହନ କରିବେ।
  2. ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଂଚୟ ଜମାଖାତାଧାରୀ ମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୂର୍ଘଟଣା ଜନିତ ବୀମାର ବ୍ୟବସ୍ଥା ଅଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ରାଜ୍ୟ ସରକାର ବହନ କରିବେ ।

ଉଲ୍ଲେଖଯୋଗ୍ୟ ଯେ ୫୧ ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ସଂଚୟ ଜମା ଖାତାଧାରୀମାନଙ୍କୁ ଉପରସ୍ଥ ପ୍ରଦତ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ନିମନ୍ତେ ସମୁଦାୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ଦେୟକୁ ରାଜ୍ୟ ସରକାର ବହନ କରିବେ ।

ବିନା ସୁଧରେ ଫସଲ ଋଣ ଦେବାର ବ୍ୟବସ୍ଥା

ଖରିଫ ୨୦୧୯ ବର୍ଷ ଠାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପ୍ରଦାନ କରାଯିବା ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛି ।

ଗ୍ରାମପଞ୍ଚାୟତ ସ୍ତରରେ ନୋଡାଲ ଏବଂ ସେକ୍ଟର ଅଧିକାରୀଙ୍କ ଦାୟିତ୍ଵ

  1. ଜାନୁୟାରୀ ମାସ ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୫ଘଟିକା ସମୟରେ ଗ୍ରାମ ପଞ୍ଚାୟତର ନୋଡ଼ାଲ ଅଧିକାରୀ ମାନେ ପ୍ରଦତ୍ତ ବାକ୍ସ ଦୁଇଟିକୁ ଖୋଲି ନାଲି ଏବଂ ନୀଳ ରଙ୍ଗର ଫର୍ମକୁ ସଂଗ୍ରହ କରି ତାକୁ ଭଲ ଭାବରେ ଯାଞ୍ଚ କରିବେ । ଯାଞ୍ଚ କରିବା ପରେ ତାଙ୍କର ମନ୍ତବ ରଖି ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତିରେ ଜମା କରିବେ । ୨୦୧୯ ଜାନୁୟାରୀ ୨୦ ତାରିଖ ଠାରୁ ଜାନୁୟାରୀ ୩୦ ତାରିଖ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ସମାନ କାର୍ଯ୍ୟ ସମ୍ପର୍କ କରାଯିବ ।
  2. ଚଳିତ ୨୦୧୯ ଜାନୁୟାରୀ ୧୫ ତାରିଖ ଠାରୁ ୨୦ ତାରିଖ ଏବଂ ୨୦୧୯ ଫ୍ରେବୃୟାରୀ ୧୫ ତାରିଖ ଠାରୁ ୨୦ ତାରିଖରେ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ‘ପିଠା’ କାର୍ଯ୍ୟକ୍ରମରେ ପ୍ରେରିତ ଚିଠିକୁ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ମାନେ ହିତାଧିକାରୀ ପ୍ରଦାନ କରିବେ ।
  3. ପ୍ରତିଦିନ ସେକ୍ଟର ଅଧିକାରୀମାନେ ପଞ୍ଚାୟତସ୍ତରୀୟ ନୋଡାଲ ଅଧିକାରୀମାନଙ୍କର କାର୍ଯ୍ୟକୁ ସନ୍ନିରିକ୍ଷଣ ଓ ତଦାରଖ କରିବେ ।
  4. ପ୍ରଥମ ପର୍ଯ୍ୟାୟରେ : ୨୦୧୯ ଜାନୁୟାରୀ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କୃଷକ ତଥ୍ୟ ସମ୍ବଳିତ ସମସ୍ତ ଅଭିଯୋଗ (ନାଲି ରଙ୍ଗ ଫର୍ମ), ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯିବ ଏବଂ ୨୪ ଘଣ୍ଟା ମଧ୍ୟରେ ସ୍ଥିର କରାଯିବ ଓ ଗ୍ରାମପଞ୍ଚାୟତୱାରୀ ତାଲିକାରେ ପରିବର୍ତ୍ତନ କରିବାକୁ ପ୍ରାଥମିକ କୃଷି ସମବାୟ ସମିତିକୁ ସୂଚିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗ୍ରାମପଞ୍ଚାୟତରୀ କୃଷକ ତଥ୍ୟରୁ କେବଳ ବିଯୋଗୀକରଣକୁ ଅନୁମତି ଦିଆଯିବ ।  ଏହି ପ୍ରକ୍ରିୟା ତା ୧୩.୦୧.୨୦୧୯ ରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପଡିବ । ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି ଓ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଗୋଟିଏ ରେଜିଷ୍ଟରରେ ଦୈନିକ ସଂଗୃହିତ ବିଭିନ୍ନ ଫର୍ମକୁ ଲିପିବଦ୍ଧ କରିବେ ।
  5. ତତ୍ ପରେ ସମବାୟ ସମିତି ତା ୧୪.୦୧.୨୦୧୯ରିଖ ଦିନ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ପ୍ରସ୍ତୁତ ଗ୍ରାମପଞ୍ଚାୟତ ୱାରୀ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକା (ପ୍ରଥମ ପର୍ଯ୍ୟାୟ) ବ୍ଲକସ୍ତରୀୟ ନୋଡାଲ ଅଧିକାରୀ (ସହକାରୀ କୃଷି ଅଧିକାରୀ)ଙ୍କୁ ପ୍ରେରଣ କରିବେ ।
  6. ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡିଶା ରବି – ୨୦୧୯ରେ ଚାଷ ପାଇଁ ସହାୟତା ରାଶି କୃଷକ ପରିବାର ପ୍ରତି ୫,୦୦୦ ଟଙ୍କା ଲେଖାଏଁ ଦେବାକୁ ମନୋନୀତ ବ୍ୟାଙ୍କକୁ କୃଷକ ତାଲିକା ପ୍ରେରଣ କରିବେ । ବିଭିନ୍ନ  ସ୍ତରରେ ଯାଞ୍ଚ ହୋଇଥିବା ପ୍ରଥମ ପର୍ଯ୍ୟାୟ ଯୋଗ୍ୟ ବିବେଚିତ ଚାଷୀଙ୍କୁ ଅର୍ଥ ପ୍ରେରଣ କାର୍ଯ୍ୟ ତା ୨୫.୦୧.୨୦୧୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
  7. ଦ୍ଵିତୀୟ ପର୍ଯ୍ୟାୟରେ : ଯେକୌଣସି ଅଭିଯୋଗ ପାଇଁ ୨୦ ଜାନୁୟାରୀରୁ ୩୦ ଜାନୁୟାରୀ ୨୦୧୯ ପର୍ଯ୍ୟନ୍ତ ଜମିଜମା ଦସ୍ତାବିଜ ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତଥ୍ୟ (ସବୁଜ ରଙ୍ଗ ଫର୍ମ) ପଞ୍ଚାୟତୱାରୀ (ପଞ୍ଚାୟତ ପ୍ରତି ୧୦ କିତା ନକଲ)ମୁଦ୍ରଣ କରାଯିବ ଓ ଏହି ତାଲିକାକୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ କରାଯିବ ।
  8. ଯଦି କୌଣସି ଅଭିଯୋଗ ଥାଏ ତେବେ ତାକୁ ଗ୍ରାମ ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିରେ ଉପଲବ୍ଧ ନିର୍ଦ୍ଧାରିତ ଫର୍ମରେ (ନାଲି ରଙ୍ଗ ଫର୍ମ) ଲିଖିତ ଆକାରରେ ଦାଖଲ କରିବାକୁ ପଡିବ । ଅଭିଯୋଗ ଫର୍ମ ପୂରଣ କରିସାରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ ପ୍ରାଥମିକ କୃଷି ସମବାୟ ସମିତି ଠାରେ ଥିବା ସଂପୃକ୍ତ ‘ଡ୍ରପ ବକ୍ସ’ରେ ପକାଇବାକୁ ପଡିବ ।
  9. ୨୦ ଜାନୁୟାରୀ ରୁ ୩୦ ଜାନୁୟାରୀ ୨୦୧୯ ପର୍ଯ୍ୟନ୍ତ ଯୋଗ୍ୟ ଚାଷୀ ଚୟନ ନିମନ୍ତେ ସମସ୍ତ ଅଭିଯୋଗ ଫର୍ମ (ନାଲି ରଙ୍ଗ ଫର୍ମ), ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀଙ୍କ ଦ୍ଵାରା ଦୈନିକ ଯାଞ୍ଚ କରାଯିବ ଏବଂ ୨୪ ଘଣ୍ଟା ମଧ୍ୟରେ ସ୍ଥିର କରାଯାଇ ପଞ୍ଚାୟତୱାରୀ ତାଲିକାରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରାଥମିକ କୃଷି ସମବାୟ ସମିତିକୁ ସୂଚିତ କରିବେ । ଏହି ପ୍ରକ୍ରିୟା ତା ୦୩.୦୨.୨୦୧୯ରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବ ।
  10. ତତ୍ ପରେ ଗ୍ରାମପଞ୍ଚାୟତରୀ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକା (୨ୟ ପର୍ଯ୍ୟାୟ) ବ୍ଳକ ନୋଡାଲ ଅଧିକାରୀଙ୍କୁ ତା୦୫.୦୨.୨୦୧୯ ରିଖ ଦିନ ପ୍ରେରଣ କରାଯିବ । ବ୍ଲକସ୍ତରୀୟ କମିଟି ୨ୟ ପର୍ଯ୍ୟାୟର ଚାଷୀ ତାଲିକାକୁ ସଂପୂର୍ଣ୍ଣ ଉପକୃଷି ନିର୍ଦ୍ଦେଶକଙ୍କୁ ପଠାଇବେ ଏବଂ ଜିଲ୍ଲା କମିଟିର ଅନୁମୋଦନ ପରେ ଏହାକୁ ତା ୦୮.୦୨.୨୦୧୯ ରିଖ ସୁଦ୍ଧା ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶାଙ୍କୁ ପ୍ରେରଣ କରିବେ ।
  11. ତତ୍ ପରେ ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶା ରବି ୨୦୧୯ ରେ ଚାଷ ପାଇଁ ସହାୟତା ରାଶି ପରିବାର ପ୍ରତି ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମନୋନୀତ ବ୍ୟାଙ୍କ କୃଷକ ତାଲିକା ପ୍ରେରଣ କରିବେ । ବିଭିନ୍ନ ସ୍ତରରେ ଯାଞ୍ଚ ହୋଇଥିବା ୨ୟ ପର୍ଯ୍ୟାୟ ଚାଷୀ ତାଲିକାର ଯୋଗ୍ୟ ବିବେଚିତ ଚାଷୀଙ୍କୁ ଅର୍ଥପ୍ରେରଣ କାର୍ଯ୍ୟ ଅତି ବେଶୀରେ ତା ୧୫.୦ ୨.୨୦୧୯ ରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।

କୃଷକ ସମ୍ପର୍କ ଅଭିଯାନ

ଏହି ଅବସରରେ ଓଡ଼ିଶାର ସରକାର ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ “କୃଷକ ସମ୍ପର୍କ  ଅଭିଯାନର” ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କର ସକ୍ରୀୟ ଯୋଗଦାନ ଏହି କୃଷକ ସଂପର୍କ ଅଭିଯାନର ଉଦ୍ଦେଶ୍ୟ । ସମବାୟ ବିଭାଗର ସମୟରେ ଗ୍ରାମପଞ୍ଚାୟତ ଏବଂ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଦୁଇମାସ ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ରାଜ୍ୟସ୍ତରୀୟ ସମନ୍ଵୟ କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟକରିବେ।

ଏହି ସଚେତନତା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଏବଂ ବ୍ଳକସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କମିଟି ଗଠନ କରାଯାଇଛି ।

ଓଡିଶା ସରକାରଙ୍କ କରକମଳରେ କାଳିଆ ଯୋଜନାର ପ୍ରତୀକ (Logo), କାଳିଆ ୱେବ୍‌ସାଇଟ୍, କାଳିଆ ହେଲ୍ପଲାଇନ ଓ କାଳିଆ ବାର୍ତ୍ତାର ଉନ୍ମୋଚନ ହୋଇଥିଲା ।

  1. କାଳିଆ ହେଲ୍ପଲାଇନ ନଂ– ୧୮୦୦-୫୭୨-୧୧୨୨ ଏକ ନିଃଶୁଳ୍କ ସୂଚନା ପ୍ରଦାନ ବ୍ୟବସ୍ଥା ଯାହାଦ୍ଵାରା ଇଚ୍ଛୁକ ବ୍ୟକ୍ତି କାଳିଆ ଯୋଜନା ବିଷୟରେ ସୂଚନା ପାଇପାରିବେ ଏବଂ ଅଭିଯୋଗ ପଞ୍ଜିକରଣ କରିପାରିବେ ।
  2. କାଳିଆ ୱେବସାଇଟ୍ - www.kalia.co.in କୁ ଯାଇ ଇଛୁକ ବ୍ୟକ୍ତି କାଳିଆ ଯୋଜନା ସମ୍ବନ୍ଧରେ ସୂଚନା ପାଇପାରିବେ । ଏହି ୱେବ୍‌ସାଇଟ୍‌ରେ ଇଛୁକ ବ୍ୟକ୍ତି ତାଙ୍କ ମୋବାଇଲ୍ ଫୋନ୍ ନମ୍ବରଟି ପଞ୍ଜିକରଣ କରିପାରିବେ। ଯାହାଦ୍ଵାରା ପରବର୍ତ୍ତୀ ସମୟରେ କାଳିଆ ସମ୍ବନ୍ଧରେ ସମସ୍ତ ସୂଚନା ପାଇପାରିବେ ।
  3. କାଳିଆ ବାର୍ତ୍ତା ରାଜ୍ୟ ସରକାରଙ୍କ ସୂଚନା ସେବାର ଏକ ବ୍ୟବସ୍ଥା । କୌଣସି ବ୍ୟକ୍ତି କାଳିଆ ଯୋଜନା ସମ୍ବନ୍ଧରେ ଜାଣିବାକୁ ଚାହିଁଲେ ଟେଲିଫୋନ୍ ନଂ- ୦୮୦୬୧୧୭୪ ୨୨୨ ମାଧ୍ୟମରେ ମିସକଲ ଦେଇ କାଳିଆ ବାର୍ତ୍ତାରେ ନାମ ପଞ୍ଜିକରଣ କରିପାରିବେ । ଏହାପରେ ଆପେ ଆପେ ସରକାରଙ୍କ ପାଖରେ ତାଙ୍କ ନାମ ପଞ୍ଜିକୃତ ହୋଇଯିବ। କାଳିଆ ଯୋଜନା ସଂପର୍କରେ ସୂଚନା ସମୟକ୍ରମେ ତାଙ୍କର ମୋବାଇଲ ଫୋନ୍‌କୁ ପ୍ରେରଣ କରାଯିବ। SMS ଏବଂ Voice Call ମାଧ୍ୟମରେ କାଳିଆ ଯୋଜନାର ତଥ୍ୟ ତାଙ୍କର ମୋବାଇଲ ଫୋନକୁ ପଠାଇ ଦିଆଯିବ ।

ଫର୍ମ

ଆଧାର -"କାଳିଆ"

Last Modified : 5/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate