ପାଣ୍ଠିର ପ୍ରକାରଭେଦ ଅନୁଯାୟୀ ନିର୍ଦ୍ଦେଶାଳୟ ରେ ନିମ୍ନଲିଖିତ ଯୋଜନା କାର୍ଯ୍ୟକାରୀ ହେଉଛି ।
ରାଜ୍ୟ ୧୦୦ ପ୍ରତିଶତ ପାଣ୍ଠି ପ୍ରଦାନ କରିଥାଏ ।
ଏଥିାଇଁ କେନ୍ଦ୍ର ସରକାର ୧୦୦ ପ୍ରତିଶତ ପାଣ୍ଠି ଯୋଗାଇଥାଆନ୍ତି ।
କେନ୍ଦ୍ର ସରକାରଙ୍କ ୧୦୦ ପ୍ରତିଶତ ପାଣ୍ଠି (ଅତିରିକ୍ତ କେନ୍ଦ୍ରୀୟ ସହାୟତା) ବ୍ୟବସ୍ଥା ସ୍ୱତନ୍ତ୍ର ଯୋଜନା ଜାତୀୟ ଖାଦ୍ୟ ନିରାପତ୍ତା ମିଶନ-
ରାଜ୍ୟ ଯୋଜନା
ଜଳନିଧି
ଉତ୍ପାଦନ ବୃଦ୍ଧିର ଅନ୍ୟତମ ମୁଖ୍ୟ ଦିଗ ହେଉଛି ଜଳସେଚନ ସୁବିଧା ସୃଷ୍ଟି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର.ଆଇ.ଡି.ଏଫ.ରେ ପର୍ଯ୍ୟାପ୍ତ ସଂଖ୍ୟକ ଅଗଭୀର ନଳ କୂପ , ଗଭୀର ନଳକୂପ ଖୋଳିବା ପାଇଁ, ଅଗଭୀର ନଳକୂପରେ ୫୦ ପ୍ରତିଶତ ରିହାତି ସର୍ବାଧିକ ୨୦,୦୦୦ ଟଙ୍କା ଗଭୀର ନଳକୂପ ୫୦ପ୍ରତିଶତ ରିହାତି ସର୍ବାଧିକ ୫୦,୦୦୦ ଟଙ୍କା, ସେଚକୂପରେ ୫୦ ପ୍ରତିଶତ ରିହାତି ସର୍ବାଧିକ ୫୦,୦୦୦ ଟଙ୍କା, ନଦୀ ଉଠାଜଳସେଚନ ପ୍ରକଳ୍ପରେ ୫୦ ପ୍ରତିଶତ ରିହାତି ସର୍ବାଧିକ ୪୦,୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି ।
କୃଷି ନୀତି
ରାଜ୍ୟରେ ଗୃହିତ ହୋଇଥିବା କୃଷି ନୀତି ବ୍ୟବସାୟିକ କୃଷି ସ୍ଥାପନ ଉପରେ ଗୁରୁତ୍ଵ ପ୍ରଦାନ କରିଥାଏ । ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷି ଉଦ୍ୟୋଗୀମାନଙ୍କୁ ସ୍ଥାୟୀ ପୁଞ୍ଜି ଉପରେ ୨୫ ପ୍ରତିଶତ ପୁଞ୍ଜିନିବେଶ ରିହାତି ପ୍ରଦାନ କରିବା ଯାହାର ସର୍ବାଧିକ ପରିମାଣ ହେଉଛି ୨୫,୦୦ ଲକ୍ଷ (ଅନୁସୂଚିତ ଜାତି/ଜନଜାତି/ମହିଳା/କୃଷି/ ଆନୁଷଙ୍ଗିକ/ ବିଷୟ ସ୍ନାତକଙ୍କ ପାଇଁ ୩୩ ପ୍ରତିଶତ ସର୍ବାଧିକ ୨୫,୦୦ ଲକ୍ଷ ଟଙ୍କା)
ତାଲିମ/ଗବେଷଣା କେନ୍ଦ୍ର/ପ୍ରୟୋଗଶାଳା/ କୃଷିଯନ୍ତ୍ରପାତି କାରଖାନାର ଭିତ୍ତିଭୂମି ବିକାଶର ଦୃଢୀକରଣ ।
କୃଷି ନିର୍ଦ୍ଦେଶାଳୟରେ ଥିବା ୩ ଗୋଟି ଆଞ୍ଚଳିକ ସମ୍ପ୍ରସାରଣ ତାଲିମ ପ୍ରତିଷ୍ଠାନ,୧୧ ଗୋଟି ମୃତ୍ତିକା ପରୀକ୍ଷା ପ୍ରୟୋଗଶାଳା, ୧୩ ଗୋଟି ପ୍ରୟୋଗାତ୍ମକ ଗବେଷଣା କେନ୍ଦ୍ର ରହିଛି । ଏହା ବ୍ୟତୀତ ଆଉ ଦୁଇଟି ମୃତ୍ତିକା ପରୀକ୍ଷାଗାର ସ୍ଥାପିତ ହେବାକୁ ଯାଉଛି । ଏହା ଦ୍ଵାରା ସମ୍ପ୍ରତି ଥିବା ବାର୍ଷିକ ୧,୨୦,୦୦୦ ମୃତ୍ତିକା ନମୂନା ପରୀକ୍ଷା ସୁବିଧାକୁ ଆହୁରି ଅତିରିକ୍ତ ୨୦,୦୦୦ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇପାରିବା । ରାଇଟ ମାଧ୍ୟମରେ କୃଷକ, କୃଷି ଉଦ୍ୟୋଗୀ ଓ ସମ୍ପ୍ରସାରଣ କର୍ମଚାରୀଙ୍କୁ ସଘନ ତାଲିମ ପ୍ରଦାନ କରାଯାଉଥିବା ବେଳେ ପ୍ରୟୋଗାତ୍ମକ ଗବେଷଣା କେନ୍ଦ୍ର ବିବିଧ ଅଞ୍ଚଳ ଭିତ୍ତିକ ପରୀକ୍ଷା ଓ ଜ୍ଞାନକୌଶଳ ଉଭବ ପାଇଁ କାର୍ଯ୍ୟ କରିଛି । ବିଭିନ୍ନ ପରୀକ୍ଷାଗାର ଗୁଡିକୁ (ମୃତ୍ତିକା/ସାର/ଜୈବ ନିୟନ୍ତ୍ରଣ/ କୀଟନାଶକ/ ବିହନ ପରୀକ୍ଷା)ଗୁଣାତ୍ମକ ମାନ ନିର୍ଦ୍ଧାରିତ ଓ ପରୀକ୍ଷା ଦିଗ ସମ୍ବନ୍ଧରେ ଯତ୍ନ ବାନ ହୁଅନ୍ତି । ଏହା ବ୍ୟତୀତ କୃଷି କ୍ଷେତ୍ରରେ ସେମାନେ କେତେକ ସୀମିତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି । କୃଷି ଯନ୍ତ୍ରପାତି କାରଖାନା କୃଷି ଯନ୍ତ୍ରପାତିର ଡିଜାଇନ ପ୍ରସ୍ତୁତ କରନ୍ତି ଓ ପରୀକ୍ଷା ମଧ୍ୟ କରିଥାଆନ୍ତ । ଏଭଳି ଯୋଜନାରେ ଏହି ଆନୁଷ୍ଠାନିକ ଭିତ୍ତିଭୂମିକୁ ଦୃଢୀଭୂତ କରାଯାଇଥାଏ ।
କୃଷି ଯନ୍ତ୍ରପାତି
ଏହି ଯୋଜନା କୃଷି ଯାନ୍ତ୍ରୀକିକରଣ ପ୍ରସାର ପାଇଁ ସମ୍ବଳ ନ୍ୟୁନ କୃଷକମାନଙ୍କୁ କୃଷି ଯନ୍ତ୍ରପାତି କ୍ରୟ କରିବା ନିମନ୍ତେ ରିହାତି ଆକାରରେ ସହାୟତା ପ୍ରଦାନ କରି ୨୦୦୭-୦୮ ବର୍ଷରୁ କାର୍ଯ୍ୟକାରୀ ହୋଇଆସୁଛି ।
ଅମ୍ଳ ମାଟି ପରିଚାଳନା
ରାଜ୍ୟରେ ପ୍ରାୟ ୧୩ ଲକ୍ଷ ହେକ୍ଟର ଅମ୍ଳମାଟି ରହିଛି ଯାହାକି ଫସଲ ଉତ୍ପାଦନ ଓ ଉତ୍ପାଦକତା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏହାର ସଂଶୋଧନ ବ୍ୟବସ୍ଥା ଭାବେ ଓମାଟି ସ୍ୱାସ୍ଥ୍ୟ ବୃଦ୍ଧି କରିବା ପାଇଁ ଚୂନ/କାଗଜକାଳମଣ୍ଡ ଦ୍ଵାରା ଉପଚରିତ ହେବା ଆବଶ୍ୟକ । ସମସ୍ୟା ବହୁଳ ଅମ୍ଳମାଟିର ସୁଧାର ପାଇଁ ୨୦୦୭-୦୮ ବର୍ଷରୁ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇ ଆସୁଛି ।
ସମ୍ପ୍ରସାରଣ ଅଧିକାରୀ ଙ୍କ ଜ୍ଞାନ ନବୀକରଣ ତାଲିମ
ବିଜ୍ଞାନାଗାରରୁ କୃଷକ କ୍ଷେତ୍ରକୁ ଜ୍ଞାନ କୌଶଳ ହସ୍ତାନ୍ତର କରିବା ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟଡ଼ଟ କୃଷି ସମ୍ପ୍ରସାରଣ କର୍ମଚାରୀଙ୍କ ଜ୍ଞାନ ସମୃଦ୍ଧି ପାଇଁ ଏହି ଯୋଜନା ୨୦୦୭-୦୮ ବର୍ଷରୁ କାର୍ଯ୍ୟକାରୀ ହେଉଛି ।
କୃଷି ସାମଗ୍ରୀ ରିହାତି
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଏକ ସାଧାରଣ ଘଟନା ହୋଇଯାଇଛି । ଫସଲ ଏହି ବିପର୍ଯ୍ୟୟ ଦ୍ଵାରା ବିଶେଷ ଭାବେ ପ୍ରଭାବିତ ହେବା ସହିତ ପରବର୍ତ୍ତୀ ସମୟରେ ପୋକ/ ରୋଗ ସମସ୍ୟା ଦେଖାଦିଏ । ପ୍ରାକୃତିକ ଦୁର୍ବିପାକ ଜନିତ ଉତ୍କଟ ପରିସ୍ଥିତି ସମୟରେ କୃଷକଙ୍କ ଏହି ଦୁଃଖ ଉପଶମ ନିମନ୍ତେ ବିହନ, ସାର , କୀଟନାଶକ ଓ ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି ଆକାରରେ ଗୁରୁତ୍ଵ ଦିଆଯାଇଥାଏ । ବିଶେଷତଃ ବିହନ ରିହାତି ଭଳି କୃଷି ସାମଗ୍ରୀ ରିହାତି ପ୍ରଦାନ ନିମନ୍ତେ ପ୍ରସ୍ତାବ ରଖାଯାଇଛି ।
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା
କାର୍ଯ୍ୟ କାରୀ ହେଉଥିବା/ କାର୍ଯ୍ୟ କାରୀ ହେବାକୁ ଥିବା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି ।
କର୍ମଯୋଜନା
ଏହି ଯୋଜନା ରାଜ୍ୟରେ ପ୍ରଥମ ଥର ପାଇଁ ୨୦୦୧-୦୨ ମସିହାରେ କାର୍ଯ୍ୟକାରୀ ହୋଇଥାଏ । ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ରର ପାଣ୍ଠିଯୋଗାଣ ହେଉଛି ୧୦.୯୦। କର୍ମ ଯୋଜନାରେ ମୁଖତଃ ଧାନ ଉନ୍ନୟନ, ଆଖୁ ଉନ୍ନୟନ , ମାଣ୍ଡିଆ ଉନ୍ନୟନ, କୃଷି ଯାନ୍ତ୍ରୀକିକରଣ ଓ ସାରର ସୁଷମ ଓ ସମନ୍ଵିତ ବ୍ୟବହାର ଭଳି ଉପ ଯୋଜନାଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ୨୦୦୯-୧୦ ବର୍ଷରୁ ସାରର ସୁଷମ ଓ ସମନ୍ଵୀତ ବ୍ୟବହାର କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା “ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ପରିଚାଳନା ପାଇଁ ଜାତୀୟ ପ୍ରକଳ୍ପ “ ରେ ଅନ୍ତର୍ଭୁକ୍ତ କରାଯିବ ।
ରାଜ୍ୟରେ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ନିମନ୍ତେ କୃଷକ କ୍ଷେତରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ଷେତ୍ର ଆଯୋଜନ, କୃଷକ ଓ ସମ୍ପ୍ରସାରଣ ଅଧିକାରୀଙ୍କ ପାଇଁ ତାଲିମ ବ୍ୟବସ୍ଥା, କୃଷକଙ୍କ ପାଇଁ ଶିକ୍ଷାମୂଳକ ଗସ୍ତ, ପ୍ରାମାଣିକ ବିହନ ଉତ୍ପାଦନ ଓ ବଣ୍ଟନରେ ପ୍ରୋତ୍ସାହନ ପ୍ରଦାନ ପୂର୍ବକ ବିହନ ପ୍ରତିବଦଳ ହାର ବୃଦ୍ଧି କରିବା, କୃଷି ଯାନ୍ତ୍ରିକୀକରଣ, ସୂଚନା ସମ୍ପ୍ରସାରଣ ଯୋଗାଯୋଗ ଦ୍ରବ୍ୟ ବଣ୍ଟନ ଆଦି ମାଧ୍ୟମରେ ଜ୍ଞାନକୌଶଳର ଅଭିବୃଦ୍ଧି କରିବା ହେଉଛି କର୍ମଯୋଜନା ଲକ୍ଷ । ଫସଲ ଉତ୍ପାଦନ ଓ ଉତ୍ପାଦକତାରେ ଏହି ଯୋଜନା ଆଖିଦୃଶିଆ ପ୍ରଗତି ହାସଲ କରିଛି ।
ତୈଳବୀଜ, ଡାଲି, ତାଳତେଲ, ଓ ମକା ସମନ୍ଵିତ ଯୋଜନାର କାର୍ଯ୍ୟକାରିତା
ତୈଳବୀଜ, ଡାଲି, ତାଳତେଲ ଓ ମକାର ସମନ୍ଵିତ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଭିତ୍ତିଭୂମି ବିକାଶ, ବିହନ ପୁଡିଆର ପ୍ରସାର ଓ ବଣ୍ଟନ ପାଇଁ ୧୦୦ ପ୍ରତିଶତ ସହାୟତା ଓ ଅନ୍ୟାନ୍ୟ ଉପାଦାନରେ ୭୫.୨୫ ପାଣ୍ଠି ବ୍ୟବସ୍ଥା ରହିଛି ।
ଆଇସୋପମ୍(ତୈଳ ବୀଜ)
ଏହି ଯୋଜନା ରାଜ୍ୟରେ ୧୯୯୪-୯୫ ମସିହାରୁ କାର୍ଯ୍ୟକାରୀ ହେଉଅଛି । ଏହାର ଉଦେଶ୍ୟ ହେଉଛି ମୁଖ୍ୟ ତୈଳବୀଜ ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା । ଏଥିରେ ଗୁଣାତ୍ମକ ବିହନ ଉତ୍ପାଦନ ଓ ବଣ୍ଟନ, ବ୍ଲକ ପ୍ରଦର୍ଶନୀ କ୍ଷେତ୍ର, ସମନ୍ଵିତ ରୋଗପୋକ ପରିଚାଳନା ପ୍ରଦର୍ଶନୀ କ୍ଷେତ୍ର ,କୃଷକ ତାଲିମ, ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି, ଉଦ୍ଭିଦ ସୁରକ୍ଷା ରାସାୟନିକ, ତୃଣ ନାଶକ, କୃଷି ଯନ୍ତ୍ରପାତି, ଶିକ୍ଷା ମୂଳକ ଗସ୍ତ, ଅନୁସାରେ ଯୋଗାଣ, ଜିଆଖତ, ଫୁଆରା ଜଳସେଚନ ସେଟ , ଜିପସମ ଓ ବ୍ୟାକ୍ଟେରିଆ କଲଚର ଆଦିରେ ସହାୟତା ପ୍ରଦାନ କରାଯାଇଥାଏ । ଏ ସମସ୍ତ ପଦକ୍ଷେପ ଦ୍ଵାରା ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ହାସଲ କରାଯାଇଛି ।
ଆଇସୋପମ୍ (ଡାଲି ଜାତୀୟ ଫସଲ)
ରାଜ୍ୟରେ ଡାଲିଜାତୀୟ ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଡାଲି ଉନ୍ନୟନ କାର୍ଯ୍ୟକ୍ରମ, କାର୍ଯ୍ୟକାରୀ ହେଉଅଛି । ପ୍ରଜଜକ ବିହନ, ପିଣ୍ଡ ବିହନ,ପ୍ରମାଣିତ ବିହନ ଉତ୍ପାଦନ ଓ ବିହନ ବଣ୍ଟନରେ ସହାୟତା, ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି, ଉଦ୍ଭିଦ ସୁରକ୍ଷା ରସାୟନିକ, ବ୍ଲକ ପ୍ରଦର୍ଶନ କ୍ଷେତ୍ର, ସମନ୍ଵିତ ରୋଗ ପୋକ ପରିଚାଳନା ପ୍ରଦର୍ଶନ କ୍ଷେତ୍ର, ରାଇଜୋବିୟମ କଲଚର, ଜିପସମ, କୃଷକ ତାଲିମ ଓ ଫୁଆର ଜଳସେଚନ ବ୍ୟବସ୍ଥା ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।
ଆଇସୋପମ୍ (ମକା)
ରାଜ୍ୟରେ ବିଶେଷତଃ ଆଦିବାସୀ ଅଧୁସିତ ଅଞ୍ଚଳରେ ମକା ଫସଲର ଉତ୍ପାଦନ ବୃଦ୍ଧି ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରଦର୍ଶନୀ କ୍ଷେତ୍ର, ବିହନ ବଣ୍ଟନ, ସମନ୍ଵିତ ରୋଗ ପୋକ ପରିଚାଳନା କୃଷକ ତାଲିମ ଆଦି ହେଉଛି ଏହି ଯୋଜନାର ମୁଖ୍ୟ ଉପାଦାନ ।
ସଘନ କପା ଉନ୍ନୟନ କାର୍ଯ୍ୟକ୍ରମ
ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳ କୃଷକଙ୍କ ଅର୍ଥନୈତିକ ଅବସ୍ଥାର ଉନ୍ନତି ପାଇଁ କପା ଏକ ମୁଖ୍ୟ ବ୍ୟବସାୟିକ ଫସଲ ଭାବେ ଗୃହିତ ହୋଇଛି । ଭାରତ ସରକାରଙ୍କ “କପା ଫସଲ ବୈଷୟିକ ମିଶନ “ ର ମାର୍ଗଦର୍ଶିକା ଅନୁଯାୟୀ ଏହି ଯୋଜନା କାର୍ଯ୍ୟ କରି ଆସୁଅଛି । କପାର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ସହିତ ଉତ୍ତମ ଲମ୍ବଯୁକ୍ତ ଉତ୍ପାଦନଙ୍କୁ ସୁନିଶ୍ଚିତ କରିବା ନିମନ୍ତେ ଆଇ.ସି. ଡି.ପି. କପା ଯୋଜନା କାର୍ଯ୍ୟକାରୀ ହେଉଅଛି । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଣ୍ଠି ଯୋଗାଣ ବ୍ୟବସ୍ଥାର ଅନୁପାତ ହେଉଛି ୨୫.୭୫ । ଏହି ଯୋଜନାରେ କୃଷକମାନଙ୍କୁ ପ୍ରଦାନ କରାଯାଇଥାବା ସହାୟତା ଯୋଗୁଁ ଦଶମ ଯୋଜନା ସମୟରେ କପା ତନ୍ତୁର ଉତ୍ପାଦନ ଓ ଉତ୍ପାଦକତା ଧାରା ବୃଦ୍ଧି ପାଇଛି । ଏଥିରେ କ୍ଷେତ୍ର ପ୍ରଦର୍ଶନୀ, କୃଷକ ତାଲିମ, ରୋଗପୋକ ପରିଚାଳନା ,ପ୍ରଦର୍ଶନୀ କ୍ଷେତ୍ର ରୋଗ ପୋକ ପରିଚାଳନା , ପ୍ରଦର୍ଶନୀ କ୍ଷେତ୍ର, ରୋଗ ପୋକ ସର୍ବେକ୍ଷଣ, ବିହନ ବିଶୋଧନ, ସଙ୍ଗଆକର୍ଷଣ ଯନ୍ତା, ଜୈବ ଏଜେଣ୍ଟ ଓ ଜୈବ କୀଟନାଶକ ଯୋଗାଣ , ସୁଗମକାରୀଙ୍କ ପାଇଁ ତାଲିମ ଓ ଗଣମାଧ୍ୟମ ସହଯୋଗ ଆଦିରେ ସହାୟତା ପ୍ରଦାନ ଜାରି ରହିବା ଆବଶ୍ୟକ।
ଝୋଟ ବୈଷୟିକ ମିଶନ (ମିନି ମିଶନ - ୨)
୨୦୦୭-୦୮ ବର୍ଷରୁ ଏହି ଯୋଜନା ଝୋଟ ବୈଷୟିକ ମିଶନ(ମିନି ମିଶନ-୨ ) ନାମରେ କେନ୍ଦ୍ର ଯୋଜନାରେ କାର୍ଯ୍ୟ କାରୀ ହେଉଛନ୍ତି । ଏହି ଯୋଜନାର ଆଭିମୁଖ୍ୟ ହେଉଛି ଗୁଣାତ୍ମକ ତନ୍ତୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ଅଧିକ ପରିମିତ ଜମିରେ ଝୋଟ ଓ ମେସ୍ତା ଚାଷ କରିବା ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ପ୍ରାପ୍ତିକୁ ସୁନିଶ୍ଚିତ କରିବା । ଏଥିପାଇଁ କୃଷକକ୍ଷେତ୍ର ବିଦ୍ୟାଳୟ ଆୟୋଜନ, ପ୍ରଦର୍ଶନୀ କ୍ଷେତ୍ର, କୃଷକଙ୍କ ପାଇଁ ଶିକ୍ଷାମୂଳକ ଗସ୍ତ, ତାଲିମ, କୃଷି ସାମଗ୍ରୀ ପାଇଁ ସହାୟତା ପ୍ରଦାନ, ଝୋଟ ଶଢାଇବା ପୋଖରୀ ଭଳି ବୈଷୟିକ ପଦକ୍ଷେପ ନିଆଜିବା ସହିତ ବିହନ ଉତ୍ପାଦନ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ । ଅଧିକ ପରିମିତ ଜମିର ଝୋଟ ଓ ମେସ୍ତା ଚାଷ କରିବା ପାଇଁ କୃଷକମାନଙ୍କୁ ଚାଷରେ ଯୋଗାଇ ଦିଆଯାଉଥିବା ସହାୟତା ଯୋଗୁଁ ଝୋଟ ଓ ମେସ୍ତା ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଛି ଓ ଏହି ବୃଦ୍ଧି ମଧ୍ୟ ଜାରି ରହିବ ।
ଅଣୁଜଳସେଚନ
ଏହି ଯୋଜନା ରାଜ୍ୟ, କେନ୍ଦ୍ର ଓ ହିତାଧିକାରୀ ମଧ୍ୟରେ ୩୦:୪୦:୩୦ ପାଣ୍ଠି ବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଅଛି । ରାଜ୍ୟରେ ବିଶେଷତଃ ଜଳାଭାବ ଅଞ୍ଚଳ ଓ ଋତୁ ପାଇଁ ବୁନ୍ଦା ଫୁଆରା ଜଳସେଚନ ବ୍ୟବସ୍ଥା ଯୋଗାଣ ପୂର୍ବକ ଜଳସେଚନ ପାଣ୍ଠିର ଦକ୍ଷତା ବୃଦ୍ଧି କରିବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ ।
ସମ୍ପ୍ରସାରଣ ସଂସ୍କାର ପାଇଁ ରାଜ୍ୟ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସହାୟତା
ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ହେଉଛି । ଆତ୍ମା ଜିଲ୍ଲାଗୁଡିକରେ ମାନବ ସମ୍ବଳ ବିକାଶ ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ “ଇମେଜ “ବା ରାଜ୍ୟ କୃଷି ପରିଚାଳନା ଓ ସମ୍ପ୍ରସାରଣ ତାଲିମ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରୁଅଛି । ଏହି ଅଭିଯାନଗତ ଗବେଷଣା ଓ ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତରେ ସହାୟତା, ଜିଲ୍ଲା ସ୍ତରରେ ବୈଷୟିକ ପରିଚାଳନାଗତ ତାଲିମ, ଅନ୍ୟାନ୍ୟ କାର୍ଯ୍ୟ କରିଥାଏ । ଏହା ପୂର୍ବରୁ ଏକ କେନ୍ଦ୍ର ଯୋଜନା ଭାବେ କାର୍ଯ୍ୟ କରୁଥିଲା । ୨୦୦୭-୦୮ ବର୍ଷରୁ ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଭାବେ କେନ୍ଦ୍ର ଓ ରାଜ୍ୟର ୯୦:୧୦ ପାଣ୍ଠି ପ୍ରଦାନ ବ୍ୟବସ୍ଥାରେ କାର୍ଯ୍ୟ କରୁଅଛି ।
ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ପରିଚାଳନା ପାଇଁ ଜାତୀୟ ପ୍ରକଳ୍ପ
ସମ୍ପ୍ରତି ଆରମ୍ଭ କରାଯାଇଥିବା ଏହି ଯୋଜନା ଉଦ୍ଦେଶ୍ୟ ହେଉଛି ମୃତ୍ତିକା ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ସହିତ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଧାରାବାହିକ ମୁର୍ତ୍ତିକା ପରିଚାଳନା ପଦ୍ଧତିର ପ୍ରସାର କରିବା ।
କେନ୍ଦ୍ର ସରକାରଙ୍କ ୧୦୦ ପ୍ରତିଶତ ସହାୟତା ନିମ୍ନଲିଖିତ କେନ୍ଦ୍ର ଯୋଜନା କାର୍ଯ୍ୟକାରୀ । ଏହା ବ୍ୟତିତ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ କେତେକ ବିଶେଷ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଅଛି । ତାଲିମ, ପରୀକ୍ଷା ଓ ପ୍ରଦର୍ଶନ ମଧ୍ୟମରେ କୃଷି ଯାନ୍ତ୍ରୀକିକରଣରେ ପ୍ରୋତ୍ସାହନ ଓ ଦୃଢୀକରଣ ।
ଏହି ଯୋଜନା ଲକ୍ଷ୍ୟ ହେଉଛି କୃଷି ଯନ୍ତ୍ରପାତିର ମୂଳ ରୂପ ଅନୁଯାୟୀ ଶିଳ୍ପଗତ ଡିଜାଇନ ପ୍ରସ୍ତୁତ କରିବା ଓ ଏହାର ପରୀକ୍ଷା କରିବା । ଏହା ବ୍ୟତିତ ଯନ୍ତ୍ରପାତିର ପ୍ରଦର୍ଶନ, ବ୍ୟବହାର ଓ ରକ୍ଷଣାବେକ୍ଷଣା ପାଇଁ ତାଲିମ ପ୍ରଦାନ ପୂର୍ବକ କୃଷକଙ୍କ ମଧ୍ୟରେ ଏହାର ପ୍ରସାର ବ୍ୟବସ୍ଥା କରାଯାଏ ।
ଏଗ୍ରିସନେଟ ପ୍ରକଳ୍ପ
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସୂଚନା ଯୋଗାଯୋଗ ପ୍ରଯୁକ୍ତି(ଆଇ.ସି.ଟି) ଜରିଆରେ କୃଷକଙ୍କୁ ଉନ୍ନତ ସେବା ପ୍ରଦାନ କରିବା । ଏହା ଭାରତ ସରକାରଙ୍କ ୧୦୦ ପ୍ରତିଶତ ସହାୟତାରେ କାର୍ଯ୍ୟକାରୀ ହେଉଅଛି ।
ଗୁଣାତ୍ମକ ବିହନ ଉତ୍ପାଦନ ଓ ବଣ୍ଟନ ପାଇଁ ଭିତ୍ତିଭୂମି ବିକାଶ ଓ ଦୃଢୀକରଣ
ଏହି ଯୋଜନା ୨୦୦୫-୦୬ ବର୍ଷରେ ଆରମ୍ଭ କରାଯାଇଛି ଓ ୧୦୦ ପ୍ରତିଶତ କେନ୍ଦ୍ରୀୟ ସହାୟତାରେ କାର୍ଯ୍ୟକାରୀ ହେଉଅଛି । କୃଷକ/ବିହନ ଉତ୍ପାଦନକାରୀଙ୍କୁ ବିହନ ମୂଲ୍ୟ , ସାଇତା କୋଠି, ଓ ତାଲିମପ୍ରଦାନ ଆଦି ଆର୍ଥିକ ସହାୟତା ଯୋଗାଇ ଦେଇ ଅଧିକ ପରିମିତ ଜମିରେ ଗୁଣାତ୍ମକ ବିହନ ଉତ୍ପାଦନ କରି ରାଜ୍ୟରେ ବିହନ ପ୍ରତି ବଦଳ ହାର ବୃଦ୍ଧି କରିବା ହେଉଛି ଏହାର ଉଦ୍ଦେଶ୍ୟ ।
ଜୈବିକ କୃଷି ପ୍ରୋତ୍ସାହନ ପାଇଁ ଜାତୀୟ ପ୍ରକଳ୍ପ
ଏହି ଯୋଜନା ୨୦୦୪-୦୫ ବର୍ଷରୁ ୧୦୦ ପ୍ରତିଶତ କେନ୍ଦ୍ର ସହାୟତାରେ କାର୍ଯ୍ୟକାରୀ ହେଉଅଛି । ଧାରାବାହିକ ଫସଲ ଉତ୍ପାଦନ ଉଦ୍ଦେଶ୍ୟ ନେଇ ନମୁନା ଜୈବିକ ଫାର୍ମ ସ୍ଥାପନ, ଜିଆ ପ୍ରଜନନ କେନ୍ଦ୍ର ସହିତ କ୍ଷେତ୍ର ପ୍ରଦର୍ଶନ, ତାଲିମ ଓ ବାୟୋଗ୍ୟାସ ସ୍ଲରି ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।
ରୋଗ ପୋକ ପରିଚାଳନା ଦୃଢୀକରଣ ଓ ଆଧୁନିକୀକରଣ
ଏହା ଏକ ନୂତନ ଯୋଜନା । ଏହାର ଉଦ୍ଦେଶ୍ୟ ହେଉଛି ଜୈବ ଏଜେଣ୍ଟଗୁଡିକ ପାଳନ ଓ ଉତ୍ପାଦନ ପାଇଁ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳାର ଆଧୁନିକୀକରଣ କରିବା । ଏହା ବ୍ୟତିତ ରାଜ୍ୟରେ କୀଟନାଶକଙ୍କର ମାନ ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ କୀଟନାଶକ ପରୀକ୍ଷାଗାରକୁ ଉନ୍ନୀତ କରିବା ଓ ପରିବେଶକୁ ସୁହାଇବା ଭଳି ରୋଗ ପୋକ ପରିଚାଳନା କରିବା ।
ସାର ମାନ ନିର୍ଦ୍ଧାରଣ ପାଇଁ ଜାତୀୟ ପ୍ରକଳ୍ପ
୨୦୦୭-୦୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ଏହା ଏକ ନୂତନ ଯୋଜନା । କୃଷକମାନଙ୍କୁ ଉତ୍ତମ ଗୁଣାତ୍ମକ ମାନର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସାର ପରିକ୍ଷୀଣ ସୁବିଧାର ଭିତ୍ତିଭୂମି ବିକାଶ ଓ ଦୃଢୀକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।
କୃଷିରେ ପ୍ରତିଯୋଗିତା ବୃଦ୍ଧି କରିବା ପାଇଁ ଦକ୍ଷତା ବୃଦ୍ଧି
ଏହା ଏକ ନୂତନ ଯୋଜନା । ପୃଥିବୀର ଅନ୍ୟ ସ୍ଥାନରେ ଥିବା କୃଷି ଉଦ୍ୟୋଗୀ ଙ୍କ ସହିତ ସମକକ୍ଷ ହେବା ପାଇଁ ଦକ୍ଷତା ବୃଦ୍ଧିହିଁ ଏହାର ଉଦ୍ଦେଶ୍ୟ । ଏଥିପାଇଁ କୃଷି ଉଦ୍ୟୋଗୀ/ କୃଷି ବିଶେଷଜ୍ଞଙ୍କୁ କୃଷି କ୍ଷେତ୍ରରେ ସେମାନଙ୍କ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ରହିଛି ।
ଅମଳ ପରବର୍ତ୍ତୀ ଜ୍ଞାନ କୌଶଳ ଓ ପରିଚାଳନା
କୃଷିଜାତ ଦ୍ରବ୍ୟର ଗୁଣାତ୍ମକ ପରିଚାଳନା ଓ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଓ ଅମଳ ପରବର୍ତ୍ତୀ ସମୟରେ ହେଉଥିବା କ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ୨୦୦୭-୦୮ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାରେ ୩୧୧ ଟି କୃଷି ଯନ୍ତ୍ରପାତିର ପ୍ରସାର କରାଯାଉଛି ଓ ସମନ୍ଵିତ ରବର ରୋଲର ସେଲ୍ର ଓ ସୋରିଷ ତେଲ ନିଷ୍କାସନ କଳର ପ୍ରଦର୍ଶନ କରାଯାଉଛି ।
କେବିକେ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଯୋଜନା
କେବିକେ ଜିଲ୍ଲାରେ ସ୍ୱଳ୍ପ ପ୍ରଗତି କରିଥିବା ଅଞ୍ଚଳରେ ଉନ୍ନୟନ ପାଇଁ ଅତିରିକ୍ତ କେନ୍ଦ୍ରୀୟ ସହାୟତାରେ କେତେକ ଯୋଜନା କାର୍ଯ୍ୟକରୁଅଛି । ସେଗୁଡିକ ହେଲା- ଜଳବିଭାଜିକା ଅଞ୍ଚଳରେ ଜୈବସାର ଓ ଜିଆ ଖତ, ମାଟି ପରୀକ୍ଷାଗାର ଗୁଡିକର ଦୃଢୀକରଣ, ଜଳ ବିଭାଜିକା ଅଞ୍ଚଳରେ ଫସଲର ବିବିଧିକରଣ, ଜଳବିଭାଜିକା ଅଞ୍ଚଳରେ ଧାନ ବିହନର ପ୍ରତିବଦଳ ହାର ବୃଦ୍ଧି, ଜଳବିଭାଜିକା ଅଞ୍ଚଳରେ କୃଷି ଓ କୃଷି ଯାନ୍ତ୍ରୀକିକରଣ ଜରିଆରେ ଆତ୍ମ ନିଯୁକ୍ତି ଇତ୍ୟାଦି ।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ
ଶହେ ପ୍ରତିଶତ କେନ୍ଦ୍ର ସହାୟତାରେ ଏହି କେନ୍ଦ୍ର ଯୋଜନା ୨୦୦୭-୦୮ ବର୍ଷରୁ କେତେକ ନିର୍ବାଚିତ ଜିଲ୍ଲାରେ ମିଶନ ରୀତିରେ ଧାନ ଓ ଡାଲି ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ କାର୍ଯ୍ୟକାରୀ ହେଉଛି।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା
କୃଷି କ୍ଷେତ୍ରରେ ୪ ପ୍ରତିଶତ ଅଭିବୃଦ୍ଧି ହାସଲ ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ୨୦୦୭-୦୮ ବର୍ଷରେ ଆରମ୍ଭ କରାଯାଇଛି । ଆଞ୍ଚଳିକ ଅଗ୍ରାଧିକାର ଭିତ୍ତିରେ ପ୍ରକଳ୍ପ ରୀତିରେ ଆର.କେ. ଭି. ୱାଇ. ରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ରାଜ୍ୟ ଯୋଜନା ଭଳି ୨୦୦୭ -୦୮ ବର୍ଷରୁ ୧୦୦ ପ୍ରତିଶତ କେନ୍ଦ୍ର ସହାୟତାରେ ଆର.କେ. ଭି. ୱାଇ. କାର୍ଯ୍ୟକରୁଛି । ୨୦୦୭-୦୮ ଓ ୨୦୦୮-୦୯ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।
ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର
Last Modified : 7/22/2019