অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୂତନ ଶସ୍ୟ ବୀମା ଯୋଜନା

ଦେଶରେ ଅଭିବୃଦ୍ଧି ଓ ବିକାଶ ନିମନ୍ତେ କେନ୍ଦ୍ର ସରକାର କୃଷି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କୃଷି ଓ କୃଷକଙ୍କ ବିକାଶ ସକାଶେ ସରକାର ୨୦୧୬ ଜାନୁଆରୀ ୧୩ରେ ନୂଆ ଶସ୍ୟ ବୀମା ଯୋଜନାର ଘୋଷଣା କରିଥିଲେ । ଦେଶରେ ଖାଦ୍ୟ ନିରାପତା, କୃଷି ଅଭିବୃଦ୍ଧି ଏବଂ କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସରକାର ଓ ନୀତି ନିର୍ଦ୍ଧାରକଙ୍କ ସକାଶେ ଅନେକ ଆହ୍ୱାନ ରହିଆସିଛି ।

ଏଥିପାଇଁ କୃଷକଙ୍କ କଲ୍ୟାଣ, ଫାର୍ମ କ୍ଷେତ୍ରରେ ନିୟୋଜିତ କୃଷକଙ୍କ ବିକାଶ, ଫାର୍ମପରିଚାଳନା, ମରୁଡି ଓ ବନ୍ୟାର ପ୍ରତିକାର, ବିପର୍ଯ୍ୟୟ ପରିଚାଳନା, ପ୍ରଭାବିତ ଲୋକଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଆଦି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ସରକାର ଉଭୟ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଯୋଜନାମାନ କାର୍ଯ୍ୟକାରୀ କରିଛନ୍ତି । ବିଭିନ୍ନ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଏହି ନୂଆ ଶସ୍ୟ ବୀମା ଯୋଜନା ସଫଳ ହୋଇପାରିବ ।

କୃଷକଙ୍କ ପ୍ରିମିୟମ

ମୌସୁମୀ ଅଭାବ କାରଣରୁ ଲଗାତର ଦୁଇ ବର୍ଷ ଧରି ଦେଶ ମରୁଡ଼ି ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ସରକାରଙ୍କ ଏହି ବୀମା ଯୋଜନା କୃଷକଙ୍କ ପାଇଁ ଆଶାର କିରଣ ହୋଇପାରିଛି। ନୂଆ ବୀମା ଯୋଜନା ସକାଶେ ସରକାରଙ୍କୁ ବାର୍ଷିକ ପ୍ରାୟ ୯ହଜାର କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ପଡ଼ିବ । ଏହି ଯୋଜନାରେ କୃଷକଙ୍କ ପ୍ରିମିୟମ ପରିମାଣ ରହିଛି ଶସ୍ୟ ଓ ତୈଳବୀଜ ପାଇଁ ୨ ପ୍ରତିଶତ ଏବଂ ଉଦ୍ୟାନକୃଷି ଓ କପା ପାଇଁ ୫ ପ୍ରତିଶତ । ଚଳିତ ବର୍ଷ ଖରିଫ ଋତୁରେ ବହୁପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେବ । ଏହାକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି ।

ଘରୋଇ ବୀମା କମ୍ପାନି

ଏହି ନୂଆ ଯୋଜନା ବିଭିନ୍ନ ଘରୋଇ ବୀମା କମ୍ପାନି ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ନୀତି ନିର୍ଦ୍ଧାରକ, କୃଷକ ସମ୍ପ୍ରଦାୟ ଓ ବିଶେଷଜ୍ଞଙ୍କ ଦ୍ୱାରା ଆଧାରିତ ନୀତି ଅନୁସାରେ ଏହି ଯୋଜନା ପରିଚାଳିତ ହେବ । ରବି ଫସଲ ପାଇଁ କୃଷକଙ୍କ ପ୍ରିମିୟମ ଅଂଶକୁ ୧.୫ ପ୍ରତିଶତ ରଖାଯାଇଛି । ଅର୍ଥକାରୀ ଫସଲ ସକାଶେ ଏହି ପରିମାଣକୁ ୫ ପ୍ରତିଶତ ରଖାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରହିଆସିଥିବା ଜାତୀୟ କୃଷି ବୀମା ଯୋଜନା ବଦଳରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ନୂଆ ବୀମା ଯୋଜନା ଯୋଗୁ ବୀମା ପ୍ରିମିୟମ କ୍ଷେତ୍ରରେ କୃଷକଙ୍କ ସକାଶେ ୭୫ରୁ ୮୦ ପ୍ରତିଶତ ସବସିଡି ଯୋଗାଇଦିଆଯିବ ।

କୃଷକଙ୍କ ସମସ୍ୟାର ସମାଧାନ

ଏହାଛଡ଼ା ବିଭିନ୍ନ ବିପର୍ଯ୍ୟୟଜନିତ ସହାୟତା ପଦକ୍ଷେପ ସ୍ୱରୂପ ସରକାର ବାର୍ଷିକ ୫୦୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏହା ଯୋଗୁ ଦେଶର କୃଷକମାନେ ଉପକୃତ ହେବେ । ପୂର୍ବରୁ ଥିବା ବିଭିନ୍ନ ବୀମାଯୋଜନା ତୁଳନାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କୁ ଅଧିକ ଉପକୃତ କରାଇବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଥିଲେ ଯେ, ଏହି ବୀମା ଯୋଜନା ଭାରତର କୃଷକମାନଙ୍କ ଜୀବନର ମାନ ରୂପାନ୍ତରଣ କରିବାରେ ସକ୍ଷମ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିବ ଏବଂ ସବୁଠାରୁ କମ ପି୍ରମିୟମ ଯୋଗୁ ଏହାକୁ ଦେବାରେ କୃଷକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିରେ ମୋବାଇଲ ପ୍ରଯୁକ୍ତି, କ୍ଷତିର ତୁରନ୍ତ ଆକଳନ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି  ।

ସାମାଜିକ ଆବଶ୍ୟକତା

ବିଶେଷଜ୍ଞମାନେ ମତ ଦିଅନ୍ତି ଭାରତରେ ପ୍ରଦାନ କରାଯାଉଥିବା ଶସ୍ୟଜନିତ ପ୍ରିମିୟମ ଆନ୍ତର୍ଜାତିକ ସ୍ତରରେ ନିର୍ଦ୍ଧାରିତ ମାନର ନୁହେଁ। ଆମେରିକାରେ ୧୨୦ ନିୟୁତ ହେକ୍ଟର ଚାଷଜମିକୁ ବୀମାଭୁକ୍ତ କରାଯାଇଛି ଏବଂ ୭୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି। ଚୀନରେ ୭୫ ନିୟୁତ ହେକ୍ଟର ଜମିକୁ ବୀମାଭୁକ୍ତ କରାଯାଇଥିବାବେଳେ ୮୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଭିନ୍ନ ଦିଗକୁ ବହୁଳ ପ୍ରତିଫଳିତ କରୁଛି ଏବଂ ସାମାଜିକ ଆବଶ୍ୟକତାଗୁଡ଼ିକୁ ପୂରଣ କରୁଛି । ଦୀର୍ଘକାଳୀନ ଭିତିରେ ଏହା କୃଷକଙ୍କ ପାଇଁ କଲ୍ୟାଣକାରୀ ସାଧିତ ହେବ ।

ଗୋଟିଏ ରାଷ୍ଟ୍ର-ଗୋଟିଏ ଯୋଜନା

ଗୋଟିଏ ରାଷ୍ଟ୍ର-ଗୋଟିଏ ଯୋଜନା ନୀତି ଅନୁସାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନେକ ସ୍ୱପ୍ନ ସାକାର କରିବ । ଏହି ବୀମା ଯୋଜନା ଜରିଆରେ କୃଷକମାନେ ଅନେକ ସୁବିଧା ପାଇପାରିବେ । ଆମ ଦେଶରେ ବିଭିନ୍ନ କାରଣରୁ ଫସଲ କ୍ଷତି ହୋଇଥାଏ ଏବଂ କୃଷକମାନେ କ୍ଷତିରେ ପଡ଼ିଥାନ୍ତି । କମ୍ ଉତ୍ପାଦନ ହେବା, ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନିକାଣ୍ଡ, ବଜ୍ରାଘାତ, ଝଡ଼, ବନ୍ୟା, ଭୂ - ସଖଳନ, ଘୂର୍ଣ୍ଣିବାତ୍ୟା, ମରୁଡି, କୀଟ, ଅନ୍ୟାନ୍ୟ ରୋଗ ଆଦି ଜନିତ ଫସଲ ହାନିକୁ ଏହି ଯୋଜନାରେ ସାମିଲ କରାଯାଇଛି । ଫଳରେ କୃଷକ ସମ୍ପୂର୍ଣ୍ଣ ନିରାପଦ ରହିପାରିବ ।

ପ୍ରତିକୂଳ ପାଗ

ଏପରିକି ପ୍ରତିକୂଳ ପାଗ ଯୋଗୁ କୃଷକମାନେ ଚାଷ କାମରେ ବୁଣାବୁଣି କରିପାରନ୍ତି ନାହିଁ । ତେଣୁ ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏକ୍ଷେତ୍ରରେ ମୋଟ ବୀମା ରାଶିର ୨୫ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ସେହିପରି ଫସଲ ଅମଳ ହେବାର ସର୍ବାଧିକ ୧୪ ଦିନ ମଧ୍ୟରେ ଯଦି ଫସଲ କ୍ଷତି ହୁଏ ତେବେ ବୀମାରାଶି ମିଳିବା ବ୍ୟବସ୍ଥା ରହିଛି । ଅନେକ ସମୟରେ ଝଡ଼ବାତ୍ୟା, ଜଳପ୍ଲାବନ, ଭୂ - ସଖଳନ ତଥା ଅନ୍ୟାନ୍ୟ କାରଣରୁ ପର୍ଯ୍ୟାପ୍ତ ଶସ୍ୟ ହାନି ହୋଇଥାଏ ଏବଂ କୃଷକ କ୍ଷତି ସହିଥାନ୍ତି । ତେଣୁ ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ କୃଷକମାନେ କ୍ଷତିପୂରଣ ପାଇବାର ବ୍ୟବସ୍ଥା ରହିଛି । ଅଧିକନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୌଣସି ସର୍ବୋଚ୍ଚ ସୀମା ନାହିଁ  । ଯଦିଓ ବାଲାନ୍ସ ପ୍ରିମିୟମ ୯୦ ପ୍ରତିଶତ ହୋଇଥାଏ ତଥାପି ଏହାକୁ ସରକାର ବହନ କରିବାର ବ୍ୟବସ୍ଥା ରହିଛି ।

ପ୍ରଯୁକ୍ତି ଓ ବିଜ୍ଞାନ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଉନ୍ନତ ପ୍ରଯୁକ୍ତି ଓ ବିଜ୍ଞାନର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଛି । କୃଷକମାନଙ୍କୁ ସେମାନଙ୍କ କ୍ଲେମ ପରିମାଣ ପ୍ରଦାନ କରିବା କ୍ଷେତ୍ରରେ ହେଉଥିବା ବିଳମ୍ବ ହ୍ରାସ କରିବା ପାଇଁ ସ୍ମାର୍ଟଫୋନର ବ୍ୟବହାର କରାଯିବ । ସେହିପରି ବିଭିନ୍ନ ଶସ୍ୟ କାଟିବା ବା ଅମଳ କରିବା ନେଇ ରିମୋଟ ସେନସିଂ ପଦ୍ଧତିର ବ୍ୟବହାର କରାଯିବ । ଫଳରେ କୃଷକମାନେ କ୍ଷତି ସହିବେ ନାହିଁ । 
ବୀମାକାରୀ, ବୀମାଭୁକ୍ତ ଉପଭୋକ୍ତା, ବିଶେଷଜ୍ଞ ଆଦି ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବାଧ୍ୟତାମୂଳକ କରାଯାଇଥିବା ଯୋଗୁ ଅଧିକ ସଂଖ୍ୟକ କୃଷକ ଏହି ଯୋଜନାରେ ସାମିଲ ହୋଇପାରିବେ। (ପିଆଇବି)

ସଂଗୃହତି - ନିରେନ୍ଦ୍ର ଦେବ, (ଓଡ଼ିଆ ପୁଅ)

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate