କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଓ ସୁଷମ ରାସାୟନିକ ସାର ସହିତ ଜୈବିକ ଖତ ବ୍ୟବହାର କରିବା ଆବଶ୍ୟକ । ଏଣୁ ରାଜ୍ୟ ସାର ବ୍ୟବହାର ବୃଦ୍ଧି କରିବା ପାଇଁ ବହୁ ସୁଯୋଗ ରହିଛି । ବର୍ତ୍ତମାନ ହେକ୍ଟର ପ୍ରତି ସାର ବ୍ୟବହାର ଜାତୀୟ ସ୍ତରରେ ୧୪୦ କି.ଗ୍ରା.ରୁ ଅଧିକ ଥିବା ବେଳେ ରାଜ୍ୟରେ ଏହା ୬୩ କି.ଗ୍ରା. ରହିଛି । ରାଜ୍ୟରେ ସାର ବ୍ୟବହାର ବୃଦ୍ଧି କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ବେଳେ “ସୁଷମ ସାର” ଉପରେ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ । ଫସଲ ଆବଶ୍ୟକ କରୁଥିବା ଏବଂ ମାଟିରେ ଥିବା ଖାଦ୍ୟସାର ପରିମାଣ ଅନୁଯାୟୀ ପ୍ରୟୋଗ କରାଯାଥିବା ସାରକୁ ସୁଷମ ସାର ବୋଲି କୁହାଯାଏ ।
ଧାରାବାହିକ ଫସଲ ଉତ୍ପାଦନ ପାଇଁ ସୁଷମ ଖାଦ୍ୟସାର ବ୍ୟବହାର ପରିପ୍ରେକ୍ଷିରେ ସମନ୍ୱିତ ଖାଦ୍ୟସାର ପରିଚାଳନା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ସମନ୍ୱିତ ଖାଦ୍ୟସାର ପରିଚାଳନାର ଲକ୍ଷ୍ୟ ହେଉଛି ମାଟିର ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ କୃଷି ଉତ୍ପାଦକତାର ବୃଦ୍ଧି ପାଇଁ ଉଦ୍ଭିଦ ଖାଦ୍ୟସାରର ସମସ୍ତ ପ୍ରାକୃତିକ ଓ କୃତ୍ରିମ ଉତ୍ସଗୁଡ଼ିକୁ ସମନ୍ୱିତ କରିବା । ଉପଯୁକ୍ତ କାର୍ଯ୍ୟକ୍ରମ ଓ ପ୍ରୋତ୍ସାହନ ମାଧ୍ୟମରେ ଆମ ରାଜ୍ୟ ବ୍ୟାପକ ଭାବେ ସମନ୍ୱିତ ଖାଦ୍ୟସାର ପରିଚାଳନା ପାଇଁ ପ୍ରଚେଷ୍ଟା କରିବ ।
ବହୁ ବର୍ଷ ଧରି ମାଟିରେ ରାସାୟନିକ ଦ୍ରବ୍ୟର ବହୁଳ ବ୍ୟବହାର ଯୋଗୁଁ ମାଟିର ସ୍ୱାସ୍ଥ୍ୟ ହାନୀ, ମଣିଷ ସ୍ୱାସ୍ଥ୍ୟ ପ୍ରତି ବିପଦ ଓ ପରିବେଶ ପ୍ରଦୂଷଣ ଆଦି ସଂଘଟିତ ହେଉଛି । କୃଷିରେ ପରିବେଶଗତ ସୁରକ୍ଷା ପ୍ରଦାନ କରୁଥିବା ଖାଦ୍ୟସାର ଯୋଗାଣର ବିକଳ୍ପ ଉତ୍ସ ପ୍ରତି ଅଗ୍ରସର ହେବା ଆବଶ୍ୟକ । ରାଜ୍ୟ ଉପଯୁକ୍ତ ପ୍ରୋତ୍ସାହନ ଓ ଫଳପ୍ରଦ ସଂପ୍ରସାରଣ ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବେ ଜୈବସାର, ବ୍ୟବହାରକୁ ଉତ୍ସାହିତ କରିବ ।
ଆବଶ୍ୟକୀୟ ଭିତ୍ତିଭୂମି ସ୍ଥାପନ ପୂର୍ବକ ସିଧାସଳଖ କୃଷକଙ୍କୁ ସାର ରିହାତି ହସ୍ତାନ୍ତର ପାଇଁ ରାଜ୍ୟ ପଦକ୍ଷେପ ଗ୍ରହଣ କରିବ । ସୂଚନା ପ୍ରଯୁକ୍ତି ବିଦ୍ୟା ସହାୟତାରେ ସାର ବିକ୍ରୟର ସନ୍ନିରୀକ୍ଷଣ କରାଯିବ । କୌଣସି ଅବୈଧ ଉଦ୍ଦେଶ୍ୟ ରେ ସାର ବିନିଯୋଗ ନ ହେବାକୁ ଏହା ସୁନିଶ୍ଚିତ କରିବ । ଏକ ସ୍ୱଚ୍ଛ ଉପାୟରେ କୃଷକମାନେ ସାର ବିକ୍ରେତାଙ୍କ ସାର ମହଜୁଦ୍ ସ୍ଥିତି ଜାଣିାରିବେ ।
କୃଷି ଉତ୍ପାଦନରେ କୃଷି ଯାନ୍ତ୍ରିକୀକରଣ ବହୁ ଆଖିଦୃଶିଆ ପ୍ରଗତି ଆଣିଥାଏ । ଆବଶ୍ୟକୀୟ ଅମଳ ପାଇବା ପାଇଁ ଚାଷରେ ସମୟୋଚିତ କାର୍ଯ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି କୃଷି ଯାନ୍ତ୍ରିକୀକରଣ ଦ୍ୱାରା ସମ୍ଭବ ହୋଇଥାଏ । ଦ୍ୱିତୀୟରେ ଅଧିକ ଅମଳ ପାଇବା ପାଇଁ କାର୍ଯ୍ୟର ଗୁଣାତ୍ମକ ମାନ ଓ ସୂକ୍ଷ୍ମତା ସମଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ । କୃଷି ସାମଗ୍ରୀର ଦକ୍ଷତା ବୃଦ୍ଧି ଏବଂ କ୍ଷୟକ୍ଷତି ହ୍ରାସ କରିବା ପାଇଁ ଜମି ସମତୁଲ, ଜଳସେଚନ, ଫସଲ ବୁଣିବା, ଫସଲ ଲଗାଇବା, ସାର ବ୍ୟବହାର, ଫସଲ ସୁରକ୍ଷା, ଅମଳ ଆଦି ନିର୍ଦ୍ଧିଷ୍ଟ ସୂକ୍ଷ୍ମତା ଆବଶ୍ୟକ କରେ । କୃଷି ଯାନ୍ତ୍ରିକୀକରଣ ଦ୍ୱାରା କଠିନ ଓ ବିରକ୍ତିକର କାର୍ଯ୍ୟକୁ ସହଜ କରାଯାଇଥାଏ । ଯାନ୍ତ୍ରିକୀକରଣ ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ଲାଭ ବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ରହିଛି ।
ଆମ ରାଜ୍ୟରେ ଯାନ୍ତ୍ରିକୀକରଣ ସ୍ତର ଖୁବ୍ ନିମ୍ନରେ ରହିଛି । ଅଧିକ ରିହାତି ବ୍ୟବସ୍ଥାରେ କୃଷି ଯନ୍ତ୍ରପାତି ଉପଲବ୍ଧ କରାଇ କୃଷି ଯାନ୍ତ୍ରିକୀକରଣକୁ ବିଶେଷ ଭାବେ ପ୍ରୋତ୍ସାହିତ କରାଯିବ । ବିଭିନ୍ନ କୃଷି ଯନ୍ତ୍ରପାତି ଓ ଉପକରଣର ରିହାତି ସମ୍ପର୍କିତ ତଥ୍ୟ ପରିଶିଷ୍ଟ-୧ରେ ପ୍ରଦତ୍ତ କରାଯାଇଛି ।
ଆଧାର - କୃଷି ବିଭାଗ , ଓଡିଶା ସରକାର
Last Modified : 1/28/2020