অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ ପ୍ରାଣୀ ସମ୍ପଦ

ଆମ ପ୍ରାଣୀ ସମ୍ପଦ

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ

ମଣିଷ ଜୀବନ ଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ଵ ସହିତ ପ୍ରାଣୀଙ୍କ ଜୀବନ ରକ୍ଷାରେ ପ୍ରାଣୀ ଚିକିତ୍ସକଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ସକାଶେ ୨୦୦୦ ମସିହା ଠାରୁ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି ‘ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସତ୍ ।’ ସର୍ବପ୍ରଥମେ ବିଶ୍ଵ ପ୍ରାଣୀ ଚିକିତ୍ସକ ସଂଘ ଦ୍ଵାରା ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଆରମ୍ଭ ହୋଇଥିଲା  । ବିଶ୍ଵ ପ୍ରାଣୀ ଚିକିତ୍ସକ ସଂଘ ବିଶ୍ଵରେ ପ୍ରାଣୀ ଚିକିତ୍ସକମାନଙ୍କର ଏକ ସର୍ବବୃହତ ସଂଘ  । ସମଗ୍ର ବିଶ୍ଵରେ ୬ଟି ମହାଦେଶର ୯୫ଟି ପ୍ରାଣୀ ଚିକିତ୍ସକ ସଂଘର ୫ ଲକ୍ଷ୍ୟରୁ ଉର୍ଦ୍ଧ୍ଵ ପ୍ରାଣୀ ଚିକିତ୍ସକ ଏଥିରେ ସାମିଲ ହୋଇଛନ୍ତି  । ବିଶ୍ଵ ପ୍ରାଣୀ ଚିକିତ୍ସକ ସଂଘ ଦ୍ଵାରା ପ୍ରାଣୀ ଚିକିତ୍ସା ବୃତ୍ତିର ବାର୍ଷିକ ଉତ୍ସବ ଏପ୍ରିଲ ମାସ ଶେଷ ଶନିବାର ପାଳିତ ହେଉଅଛି  । ପ୍ରତିବର୍ଷ  ବିଶ୍ଵ ପ୍ରାଣୀ ଚିକିତ୍ସା ସଂଘ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ପାଇଁ ବିଶ୍ଵ ସଂଗଠନ ଓ.ଆଇ.ଇ.ର ମିଳିତ ଆନୁକୁଲ୍ୟରେ ପ୍ରାଣୀ ଚିକିତ୍ସା ଦିବସର ବିଭିନ୍ନ ବିଷୟବସ୍ତୁ ବା ବାର୍ତ୍ତା ନିର୍ଦ୍ଧାରିତ ହୋଇଥାଏ  । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି- ‘ଜୀବନ ଧାରଣ ପନ୍ଥାର ବିକାଶ ଧାରାରେ ଜୀବିକା ନିର୍ବାହ, ଖାଦ୍ୟ ସୁରକ୍ଷା ଓ ନିରାପତ୍ତାରେ ଉନ୍ନତି ଆଣିବା ନିମନ୍ତେ ପ୍ରାଣୀ ଚିକିତ୍ସା ବୃତ୍ତିର ଭୂମିକା  ।’ ତେବେ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା – ସାରା ବିଶ୍ଵରେ ପ୍ରାଣୀ ଚିକିତ୍ସକଙ୍କ ଦାରା କରାଯାଉଥିବା ପ୍ରାଣୀ ସମ୍ପଦ ବିକାଶଭିତ୍ତିକ ବହୁମୂଖୀ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତିକୁ ଆଲୋକପାତ କରାଯିବା ସହିତ ପ୍ରୋତ୍ସାହିତ କରିବା  । ଏଥିସହିତ ଜନ ସ୍ୱାସ୍ଥ୍ୟ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ସେବା ସହିତ ଜୀବ କଲ୍ୟାଣର ଉନ୍ନତି ଆଣିବାରେ ପ୍ରାଣୀ ଚିକିତ୍ସକଙ୍କର ଭୂମିକା ନେଇ ଜନ ସଚେତନତା ସୃଷ୍ଟି କରିବା  । ଗୋଟିଏ ସ୍ୱାସ୍ଥ୍ୟରକ୍ଷା ଲକ୍ଷ୍ୟ ନେଇ ବିଶ୍ଵ ପ୍ରାଣୀ ଚିକିତ୍ସକ ସଂଘ ପ୍ରାଣୀ ଚିକିତ୍ସକଙ୍କ ନାନାବିଧି ଅଉଅଧ, ଚିକିତ୍ସା ଗବେଷଣା ଆଦି କ୍ଷେତ୍ରରେ ସହାୟତାର ହାତ ବଢାଇ ଆସିଛନ୍ତି  । ଉଭୟ ମଣିଷ ଓ ପ୍ରାଣୀ ପ୍ରାକୃତିକ ସମ୍ବଳର ଉପଯୁକ୍ତ ବିନିଯୋଗ କରି ପରସ୍ପର ମଧ୍ୟରେ ଓ ସହିତ ସମନ୍ଵୟ ରକ୍ଷା କରିଆସିଛନ୍ତି  । ତେଣୁ ବିଶ୍ଵ ପ୍ରାଣୀ ଚିକିତ୍ସକ ସଂଘ ପ୍ରାଣୀ ଚିକିତ୍ସା ବୃତ୍ତି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବୃତ୍ତିର ସମନ୍ଵୟ ରକ୍ଷା କରାଯାଇ କିପରି ମନୁଷ୍ୟ, ପ୍ରାଣୀ ଓ ପରିବେଶ ମଧ୍ୟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରାଯାଇପାରିବ, ସେଥିଲାଗି ପ୍ରୟାସ ଜାରି ରଖିଛନ୍ତି  ।

ପ୍ରାଣୀ ସମ୍ପଦ

ଆମ ଦେଶ ତଥା ରାଜ୍ୟରେ ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି, ଯେଉଁଠାରେ ସେମାନଙ୍କର ଜୀବିକା ନିର୍ବାହ ଏବଂ ଖାଦ୍ୟ ଉପଲବ୍ଧ ନିମନ୍ତେ ପ୍ରାଣୀଙ୍କ ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ  । ଅନେକ ଚାଷୀ ଏସବୁ ଅଞ୍ଚଳରେ କୃଷି ସହିତ ପ୍ରାଣୀ ସମ୍ପଦ ଉପରେ ନିର୍ଭର କରି ରୋଜଗାରକ୍ଷମ ହୋଇଥାନ୍ତି  । ଯେତେବେଳେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଶସ୍ୟହାନି ଘଟେ, ସେତେବେଳେ କେବଳ ପ୍ରାଣୀ ପାଳନ ବଞ୍ଚିବାର ରାହା ସୃଷ୍ଟି କରିଥାଏ  ।

ଆଗାମୀ ୨୦୫୦ବର୍ଷ ଶେଷ ସୁଦ୍ଧା ବିଶ୍ଵର ଜନସଂଖ୍ୟା ୯.୭ ବିଲିୟନ ବା ୯୭୦କୋଟିକୁ ବୃଦ୍ଧି ହେବାର ଆଶଙ୍କା ରହିଛି  । ତଦନୁଯାୟୀ, ବିଭିନ୍ନ ପ୍ରାଣୀଜ ପୁଷ୍ଟିକର ଖାଦ୍ୟ ଏବଂ ପ୍ରାଣୀଜାତ ଦ୍ରବ୍ୟର ଆବଶ୍ୟକତା ମଧ୍ୟ ରହିଛି  ।ଏପରି ସ୍ଥଳେ ପ୍ରାଣୀଙ୍କ ରୋଗ ନିରାକରଣ ଓ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବାରୁ ଯଥେଷ୍ଟ ପରିମାଣର ନିରାପଦ ଉଚ୍ଚ ଗୁଣାତ୍ମକ ମାନର ଖାଦ୍ୟ ଉତ୍ପାଦନ, ଉଭୟ ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟରକ୍ଷା, ଜନହିତକର କାର୍ଯ୍ୟରେ ଉନ୍ନତି ଆଣିବା ନିମନ୍ତେ ସେମାନଙ୍କ ଅବଦାନ ଅତୁଳନୀୟ  । ପୁଣି ପ୍ରାଣୀ ଚିକିତ୍ସା ବୃତ୍ତିରେ ଫାର୍ମର ଉତ୍ପାଦନଠାରୁ ବ୍ୟବହାର ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ନିରାପଦ ଖାଦ୍ୟ ଯୋଗାଇଦେବା ନିମନ୍ତେ ଏସବୁ ନିୟନ୍ତ୍ରଣ ଓ ପ୍ରାଣିଜ ଉତ୍ପାଦ ପରିଦର୍ଶନ କ୍ଷେତ୍ରରେ ଏମାନେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ବହନ କରିଆସୁଥିବାବେଳେ ପ୍ରାଣୀପାଳନ ମାଧ୍ୟମରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟିରେ ପ୍ରାଣୀ ଚିକିତ୍ସକଙ୍କ ଅବଦାନ ମଧ୍ୟ କିଛି କମ୍ ନୁହେଁ  ।

ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧାନ ନିରିକ୍ଷକ

ସୂଚନାଯୋଗ୍ୟ ୨୦୧୬-୧୭ରେ ଆମ ରାଜ୍ୟରେ ୨୦୨ ହଜାର ମେଟ୍ରିକ ଟନ୍  ଦୁଗ୍ଧ, ୯୪ ହଜାର ମେଟ୍ରିକ ଟନ୍ ମାଂସ ଓ ୧୯୭୪ ନିୟୁତ ଅଣ୍ଡା ଉତ୍ପାଦିତ ହୋଇଅଛି  । ତଦନୁଯାୟୀ, ଆମ ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ଦୁଗ୍ଧ, ମାଂସ ଓ ଅଣ୍ଡାର ପରିମାଣ ହେଉଛି ଯଥାକ୍ରମେ – ଦୈନିକ ୧୨୦ ଗ୍ରାମ୍, ବାର୍ଷିକ ୨.୦୬ କି.ଗ୍ରା ଓ ବାର୍ଷିକ ୪୬ ଅଣ୍ଡା  । ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧାନ ନିରିକ୍ଷକମାନଙ୍କ ଉତ୍ସର୍ଗୀକୃତ ସେବା ଓ ନିଷ୍ଠାପର ଉଦ୍ୟମ ଯୋଗୁ ଉକ୍ତ ପ୍ରାଣିଜ ପଦାର୍ଥ ଉତ୍ପାଦନ ଓ ଉତ୍ପାଦନ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିଛି  । ବର୍ତ୍ତମାନ ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଭାଗରେ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସହିତ ସରକାର ଏବଂ ଡାକ୍ତର ତଥା କର୍ମଚାରୀଙ୍କ ମଧ୍ୟରେ ସହଯୋଗ ଓ ସମନ୍ଵୟର ସୁସ୍ଥ ବାତାବରଣ ରହିଲେ ଆମ ରାଜ୍ୟ ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବଶୀଳ ହୋଇପାରିବ  । ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆଉ ଏକ ପ୍ରାଣୀ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ସହିତ ପ୍ରାଣୀ ପ୍ରାଣୀ ଚିକିତ୍ସା ବିଜ୍ଞାନ ସ୍ଥାପନ କରାଯିବାର ଆବଶ୍ୟକତା ଓ ପ୍ରସ୍ତାବ ରହିଛି, ଯାହା କି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ  । କିନ୍ତୁ ଇତିମଧ୍ୟରେ ଅନେକ ମେଡିକାଲ ଓ ଇଞ୍ଜିନିୟରିଂ ମହାବିଦ୍ୟାଳୟ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ ହୋଇସାରିଲାଣି  ।

 

ସଂଗୃହୀତ – ଡା. ବୀରକିଶୋର ପରିଡା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate