অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏମୁ ପକ୍ଷୀ ଚାଷ

ଏମୁ ପକ୍ଷୀ ବିଶ୍ଵର ଦ୍ଵିତୀୟ ବୃହତ ଉଚ୍ଚତା ବିଶିଷ୍ଟ ପକ୍ଷୀ। ଏହି ପକ୍ଷୀର ଅଣ୍ଡା, ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିପାଇଁ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଏହାକୁ ସଫଳତାର ସହ ଚାଷ  କରି ବେଶ୍  ଲାଭବାନ୍ ହୋଇଥିବା ଦୃଷ୍ଟାନ୍ତ ମଧ୍ୟ ରହିଛି।

ଅଷ୍ଟ୍ରେଲିଆରୁ ଜାତ ଏହି ପକ୍ଷୀଟି ଦୌଡିପାରୁଥିବା ବେଳେ ଉଡିପାରେ ନାହିଁ । ଏମୁର ମାଂସ ସ୍ଵାସ୍ଥ୍ୟ ପ୍ରତି ହିତକର ଏବଂ ସ୍ଵାଦଯୁକ୍ତ । ଏହାର ଚର୍ବିରେ କୋଲେଷ୍ଟରଲ, କମ୍ ଥିବା ବେଳେ ପ୍ରୋଟିନ୍ ଅଧିକ ଥାଏ । ଏମୁର ଅଣ୍ଡା, ଚମଡା ଏବଂ ତୈଳରେ ଓଷଧୀୟ ଗୁଣ ଭରି ରହିଛି । ଏମୁ ପକ୍ଷୀ କମ୍ ଖାଦ୍ୟ ଗ୍ରହଣ କରିଥାଏ । ଏହାର ବୟସ ସୀମା ୩୦-ରୁ ୩୫ ବର୍ଷ । ଏହାର ଉଚ୍ଚତା ୫-୬ ଫୁଟ ଏବଂ ଓଜନ ୪୫-୬୦ କେଜି । ମାଇ ଏମୁ ପକ୍ଷୀ ୨୦-୨୫ ବର୍ଷ ଜୀବନ କାଳ ଭିତରେ ଅଣ୍ଡା ଦେବାରେ ସକ୍ଷମ ହୋଇଥାଏ । ଏମୁ ଅଣ୍ଡାର ଓଜନ ୪୭୫-୬୫୦ ଗ୍ରାମ୍ ହୋଇଥାଏ ଏବଂ ରଙ୍ଗ ସବୁଜ, ଧୁଷୁରିଆ । ମାଈ ଏମୁ ପକ୍ଷୀ ଅକ୍ଟୋବରରୁ ଫେବ୍ରୁଆରୀ ମାସ ମଧ୍ୟରେ ଅଣ୍ଡା ଦେଇଥାଏ । ମାଇ ଏମୁ ବର୍ଷକୁ ପ୍ରାୟ ୨୫ଟି ଅଣ୍ଡା ଦେଇଥାଏ । ଓଡିଶାର ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ଚାଷୀ ଏହାକୁ ବ୍ୟାବସାୟିକ ଭିତ୍ତିରେ ଚାଷ କରୁଥିବା ନଜିର ରହିଛି ।

ବ୍ୟାବସାୟିକ ଭିତ୍ତିରେ ଏମୁ ଚାଷ

ଏମୁ ପକ୍ଷୀର ଗୋଡ, ମାଂସ ଚର୍ବରୁ ଜାତ ତେଲର ଚାହିଦା ବଜାରରେ ବହୁତ ଅଧିକ । ଏମୁ ଚର୍ବି ତେଲ ମଣିଷର ଚର୍ବିଜାତୀୟ ରୋଗର ଉପଚାର ପାଇଁ ବ୍ୟବହୃତ ହୁଏ । ଏମୁ ତେଲ ଖାଇଲେ କଫ, ଆଲର୍ଜି ଏବଂ ଚର୍ବି କମିଥାଏ । ଏହାର ତେଲକୁ ଗଣ୍ଠିବାତ, ବ୍ୟଥା ଏବଂ ଦେହର କୌଣସି ଅଂଶ ଫୁଲିଥୁଲେ ଲଗାଇଲେ ଉପଶମ ମିଳିଥାଏ । ଏହି ତେଲ ବ୍ୟବହାର କଲେ ଚର୍ମରୋଗ ତଥା ତ୍ଵଚାର ଶୁଷ୍କତା ଦୂର ହୋଇଥାଏ ।

ଏମୁ ପାଇଁ ସ୍ଥାନ ନୀରିକ୍ଷଣ

ଏମୁ ପକ୍ଷୀ ସବୁ ପ୍ରକାର ଜଳବାୟୁ ସହିତ ଖାପଖୁଆଇ ରହିପାରେ । ସେଥିପାଇଁ ଯେଉଁ ସ୍ଥାନରେ ପକ୍ଷୀମାନଙ୍କ ରହିବା ବ୍ୟବସ୍ଥା କରାଯିବ ସେହି ସ୍ଥାନରେ ପାନୀୟ ଜଳ, ଉତ୍କୃଷ୍ଟ ଚରାଣ ଭୂମି, ସ୍ଥାନାନ୍ତରଣ ବ୍ୟବସ୍ଥା ରହିବା ଆବଶ୍ୟକ । ୨୦ଟି ଏମୁ ପକ୍ଷୀ ପାଇଁ ୧୦୦X୫୦ ଫୁଟ ଜାଗା ଓ ଲୁହା ଜାଲି ଆବଶ୍ୟକ । ତାହାଛଡା ଚଟାଣ ମୋରମରେ ତିଆରି କରିବା  ଦରକାର । ଏତଦ୍ ବ୍ୟତୀତ ୧୦୦ ଫୁଟ X ୧୦ ଫୁଟ୍ ବିଶିଷ୍ଟ ମୁକ୍ତ ଭୂମି ଚାରଣ ପାଇଁ ଆବଶ୍ୟକ ।

ପ୍ରଜନନ ସମୟରେ ସତର୍କତା

ଏମୁ ପକ୍ଷୀ ୧୮-୨୪ ମାସ ମଧ୍ୟରେ କ୍ଷମତାଶୀଳ ହୋଇଥାଏ । ଏମୁ ପକ୍ଷୀର ପ୍ରଜନନ ମାଇ ଏବଂ ଅଣ୍ଡିରାର ଆନ୍ତର ୧:୧ ହେବା ଉଚିତ । ପ୍ରଜନନ ସମୟରେ ୧୦୦X୨୫ ଜାଗା ରଖାଯିବା ଆବଶ୍ୟକ । ସାଧାରଣତଃ ପ୍ରଜନନ ଋତୁରେ ୩-୪ ସପ୍ତାହ ପୂର୍ବରୁ ଉତ୍ତମ ଖାଦ୍ୟସାରଯୁକ୍ତ ଦାନା ଖାଇବାକୁ ଦେବା ଉଚିତ । ଯାହା ଦ୍ଵାରା ଅଣ୍ଡାରୁ ଉତ୍ତମ ଶିଶୁ ଜନ୍ମ ହେବାରେ ସହାୟକ ହୋଇଥାଏ ।

ଖାଦ୍ୟ ଦାନା

ଏମୁ ଖାଦ୍ୟରେ ମକା, ସୋୟାବିନ୍, ସୁର୍ଯ୍ୟମୁଖୀ, କ୍ୟାଲସିୟମ୍, ଫସଫେଟ୍, କ୍ୟାଲସିୟମ୍ ପାଉଡର, ଲବଣ, ମିନେରାଲ୍ ଓ ଭିଟାମିନ୍ ସଠିକ୍ ଅନୁପାତରେ ରହିବା ଆବଶ୍ୟକ । ଗୋଟିଏ ଏମୁ ପକ୍ଷୀ ଛୁଆ ୬୦୦-୮୦୦ ଗ୍ରାମ୍ ଖାଦ୍ୟ ଦାନା ଦିନକୁ ଖାଇଥାଏ ।

ସ୍ଵାସ୍ଥ୍ୟଗତ ବିଷୟ

ଏମୁ ପକ୍ଷୀର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନଙ୍କ ମୃତ୍ଯୁହାର ବହୁତ କମ୍ । କେତେକାଶଂରେ ବା ଜାଣୁ ଜନିତ ଏବଂ କୃମିଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କୃମିଜାତୀୟ ରୋଗରୁ ରକ୍ଷା କରିବା ପାଇଁ ଆଇଭରମେକ୍ସିନ୍ ୧ ମାସ ବୟସରେ ଆରମ୍ଭ କରି ପ୍ରତି ମାସ ଦେବା ଉଚିତ । ରାଣୀକ୍ଷେତ ରୋଗରୁ ରକ୍ଷା କରିବା ପାଇଁ ଲାସୋଟା ପ୍ରତିଷେଧକ ଟୀକା ଦେବା ଆବଶ୍ୟକ ।

ଆବଶ୍ୟକୀୟ ତଥ୍ୟ

ଏମୁ ପକ୍ଷୀ ନିଜର ଅଣ୍ଡାରୁ ପିଲା ଜନ୍ମ କରାଇବାରେ ଅକ୍ଷମ ଥାଏ । ତେଣୁ ଏମୁ ଚାଷୀ । ଯାନ୍ଧିକ ଉପାୟରେ ଚିଆଁ ସୃଷ୍ଟି କରିବା ଆବଶ୍ୟକ । ଏମୁ ଅଣ୍ଡାରୁ ପିଲା ଜନ୍ମ ହେବାର ବ୍ୟବଧାନ ୫୨ ଦିନ । ତେଣୁ ଅଣ୍ଡା ସଂଗ୍ରହ କରି ଇନକ୍ୟୁବେଟର୍ ୪୮ ଦିନ ପର୍ଯ୍ୟନ୍ତ ଅଣ୍ଡାର ପ୍ରତି ଭାଗକୁ ଚୂଲାଇବା ଆବଶ୍ୟକ । ଯାହା ଦ୍ଵାରା ଅଣ୍ଡାର ଖୋଳପା ସଠିକ୍ ଭାବରେ ଗଠିତ ହୋଇଥାଏ । ପ୍ରଜନନ ସମୟରେ ପ୍ରତ୍ୟେକ ଦିନ ଅଣ୍ଡା ସଂଗ୍ରହ କରିବା ଉଚିତ୍ । ଅଣ୍ଡାରେ ଯେପରି କାନ୍ଦୁଆ କିମ୍ବା ମାଟି ନଲାଗେ ସେଥିପ୍ରତି ଧାନ ଦେବା ଉଚିତ । ତାହାଛଡା ଅଣ୍ଡାକୁ ୩-୪ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ନରଖୁ ଇନକ୍ୟୁବେଟରରେ ରଖିବାଉଚିତ୍।

ଏମୁ ଚାଷ ପାଇଁ ନାବାର୍ଡ ତରଫରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ୧୦ଟି ଏମୁ ପକ୍ଷୀ ଚାଷ ପାଇଁ ପ୍ରାୟତଃ ୨ ରୁ ଅଢ଼େଇ ଲକ୍ଷ ଖର୍ଚ୍ଚ ହୋଇପାରେ । ଚାଷର ବର୍ଷକ ପରେ ଖର୍ଚ୍ଚର ଦୁଇଗୁଣା ଲାଭ ଚାଷୀ ଉଠାଇପାରିବେ ।  ଏମୁ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକ ଡ. ରାଜେଶ ସାହୁଙ୍କ ସହ ଯୋଗାଯୋଗ କରିପାରିବେ ।

ସଂଗୃହିତ - ପ୍ରାଣୀ ଚିକିତ୍ସକ ଡ. ରାଜେଶ ସାହୁ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate