ଖରାଦିନେ ଚାରଣ ଭୂମିରେ ଘାସର ମୂଳ ଓ ପତ୍ର ତନ୍ତୁ ଯୁକ୍ତ ହେବା ସହିତ ଶୁଖିଯିବା ଯୋଗୁ ସବୁଜ ଘାସର ଘୋର ଅଭାବ ଦେଖା ଦେଇଥାଏ । ତେଣୁ ତୃଣଭୋଜି ପ୍ରାଣୀ ଯଥା - ଗୋରୁ, ମଇଁଷି, ଛେଳି ମେଣ୍ଢାଙ୍କର ସବୁଜ ଘାସ ଅଭାବ ସହିତ ଏଥିରେ ଖାଦ୍ୟସାର ଅଭାବ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
୧୯୯୮ ମସିହା ପରଠାରୁ ଆମ ରାଜ୍ୟ ତଥା ଦେଶରେ ଗ୍ରୀଷ୍ମଦିନେ ପ୍ରଚଣ୍ଡ ରୌଦ୍ରତାପ ସହ ପାନୀୟଜଳର ଉତ୍କଟ ଅଭାବ କ୍ରମାଗତ ଭାବେ ଲାଗି ରହିଛି । ଯାହାଫଳରେ ଆମର ଜନଜୀବନ ବିପର୍ଯ୍ୟସ୍ତ ହେବା ସହିତ ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଛି । ସାଧାରଣତଃ ଖରାଦିନେ ଚାରଣ ଭୂମିରେ ଘାସର ମୂଳ ଓ ପତ୍ର ତନ୍ତୁ ଯୁକ୍ତ ହେବା ସହିତ ଶୁଖିଯିବା ଯୋଗୁ ସବୁଜ ଘାସର ଘୋର ଅଭାବ ଦେଖା ଦେଇଥାଏ । ତେଣୁ ତୃଣଭୋଜି ପ୍ରାଣୀ ଯଥା :- ଗୋରୁ, ମଇଁଷି, ଛେଳି, ମେଣ୍ଢାଙ୍କର ସବୁଜ ଘାସ, ଅଭାବ ସହିତ ଏଥିରେ ଖାଦ୍ୟସାର ଅଭାବ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥିସହିତ ଜଳବାୟୁର ଉତ୍ତାପ ବୃଦ୍ଧି ଓ ଉତ୍କଟ ପାନୀୟ ଜଳର ଅଭାବ ଏହି ଅବସ୍ଥାକୁ ଦ୍ଵିଗୁଣିତ କରିଦିଏ । ଏହି ଉତ୍ତାପ ବୃଦ୍ଧି ଜନିତ ଚାପ ଯୋଗୁ ଅଧିକ ଉତ୍ପାଦନକ୍ଷମା ଦୁଧିଆଳୀ ଗାଈଙ୍କ ଦୁଗ୍ଧ ଉତ୍ପାଦନ, ପ୍ରଜନନ ଦକ୍ଷତା, କ୍ଷୁଧାଶକ୍ତି ଆଦି କମିଯାଏ । ଖରାଦିନେ ଗାଈ ଖାଦ୍ୟ କମ୍ ଖାଇବା ଦ୍ଵାରା ଦୁଗ୍ଧ କମାଇ ଦେବା ସ୍ଵାଭାବିକ । ଜଳବାୟୁର ଉତ୍ତାପ ବୃଦ୍ଧି, ସୂର୍ଯ୍ୟରଶ୍ମିର ବିକିରଣ ଓ ଆର୍ଦ୍ରତା ବୃଦ୍ଧି ଆଦି କାରଣ ନେଇ ଦିନବେଳେ ପ୍ରାଣୀମାନେ ହିଟ୍ ଷ୍ଟ୍ରେସ୍ ବା ଉତ୍ତାପ ଚାପର ସମ୍ମୁଖୀନ ହୁଅନ୍ତି । ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପରି ଦୁଧିଆଳୀ ଗାଈଙ୍କ ବଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ଉତ୍ତାପର କମ୍ପର୍ଟ ଜୋନ୍ ବା ଆରାମଦାୟକ ପରିବେଶ ଆବଶ୍ୟକ । ଯେଉଁଥିରେ ସେମାନଙ୍କର ବିପାକ, ପ୍ରକ୍ରିୟାରେ ବିଶେଷ ପରିବର୍ତ୍ତନ ନ ଘଟିବା ଫଳରେ ଦୁଗ୍ଧ ଉତ୍ପାଦନ ସ୍ଥିର ରୁହେଁ ବା ବୃଦ୍ଧି ଘଟେ । ରକ୍ତ ସଂଚାଳନ, ବହଳ ଅନ୍ତରଣ ଓ ଆଚରଣରେ ପରିବର୍ତ୍ତନ ନେଇ ଗାଈର ଦୁଗ୍ଧ ଦେବା ଉପରେ ପ୍ରଭାବ ପଡ଼ିଥାଏ । ସର୍ବାଧିକ ଜଟିଳ ସ୍ତରଠାରୁ ଜଳବାୟୁର ଉତ୍ତାପ ବୃଦ୍ଧି ପାଇଲେ ଗାଈ ନିଜକୁ ସୁରକ୍ଷିତ ତଥା ଆରାମରେ ରହିବା ନିମନ୍ତେ ବିପାକ ପ୍ରକ୍ରିୟା ଓ ଶାରୀରିକ କ୍ଷେତ୍ରରେ ପରିବର୍ତ୍ତନ ଘଟିଥାଏ । ଯଦି ଗାଈଙ୍କର ଶାରୀରିକ ଉତ୍ତାପ ୧୦୨ ଡିଗ୍ରୀ ଫାରେନହାଇଟ୍ରୁ ଊର୍ଦ୍ଧ୍ଵରେ ରହେ, ତେବେ ସେମାନେ ଖାଦ୍ୟ ଖାଇବା କମାଇ ଦିଅନ୍ତି । ଯାହାଫଳରେ ସେମାନଙ୍କ ଶରୀରରେ ଉତ୍ତାପ ବୃଦ୍ଧି କମିଯାଏ । କମ୍ ଖାଦ୍ୟ ଖାଇବା ଯୋଗୁ ପାକସ୍ଥଳୀର ଅଣୁଜୀବ ଗୁଡିକ ନିଷ୍କ୍ରିୟ ହୋଇଯାଆନ୍ତି । ଫଳରେ ପାକସ୍ଥଳୀର ଗତି କମିଯାଏ ଏବଂ ଅଧିକ ପାଣି ପିଇବା ଯୋଗୁ ପାକସ୍ଥଳୀ ପୂର୍ଣ୍ଣ ହୋଇଯାଏ । ସାଧାରଣତଃ ଉଭୟ ଗାଈ ଓ ପରିବେଶ ମଧ୍ୟରେ ଉତ୍ତାପ ବିନିମୟ ବା ପରିବର୍ତ୍ତନ ଚାରିଗୋଟି କାର୍ଯ୍ୟ ମାଧ୍ୟମରେ ସଂଗଠିତ ହୋଇଥାଏ । ସେଗୁଡିକ ହେଲା- ବିକିରଣ, ଘନୀଭୂତ କରଣ, ପରିଚଳନ ଓ ବାଷ୍ପୀକରଣ । ଯେତେବେଳେ ଜଳବାୟୁର ଉତ୍ତାପ ଗାଈଙ୍କ ଶରୀରର ଉତ୍ତାପଠାରୁ ପାଖାପାଖି ବା ଊର୍ଦ୍ଧ୍ଵରେ ରହେ, ସେତେବେଳେ ବାଷ୍ପୀକରଣ ପ୍ରକ୍ରିୟାରେ ଗାଈର ଶାରୀରିକ ଉତ୍ତାପ ଚର୍ମ ଓ ଶ୍ଵାସକ୍ରିୟା ମାଧ୍ୟମରେ ନିୟନ୍ଵିତ ହୋଇଥାଏ । ପ୍ରାଣୀଙ୍କ ଅଂଶୁଘାତ କେବଳ ଯେ ଦିନରେ ତାପମାତ୍ରା ବୃଦ୍ଧିରେ ସଂଘଠିତ ହୋଇଥାଏ ତାହା ନୁହେଁ, ଏହା ରାତ୍ରିର ସର୍ବନିମ୍ନ ଉତ୍ତାପ ଉପରେ ହିଁ ନିର୍ଭର କରିଥାଏ । ଯେତେବେଳେ ଦିନବେଳର ତାପମାତ୍ରା ଅଧିକ ହୋଇଥାଏ, ସେତେବେଳେ ପ୍ରାଣୀମାନଙ୍କଠାରେ ଥଣ୍ଡା ପବନରେ ବିକିରଣ ମାଧ୍ୟମରେ ଶାରୀରିକ ଉତ୍ତାପ ହ୍ରାସ ପାଇ ଉତ୍ତାପ ଚାପରୁ ମୁଢ଼ି ପାଇଥାନ୍ତି । ଜଳବାୟୁର ଉତ୍ତାପ ବୃଦ୍ଧି ଅପେକ୍ଷା ପ୍ରାଣୀଙ୍କଠାରେ ଆର୍ଦ୍ରତା ଅଂଶୁଘାତ ପାଇଁ ବିଶେଷ ଦାୟୀ । ମଣିଷଠାରେ ଅଂଶୁଘାତ ପାଇଁ ଉଭୟ ଉତ୍ତାପ ଓ ଆର୍ଦ୍ରତା ବୃଦ୍ଧି ଅଧାଅଧି ଭାବେ ଦାୟୀ ଥିଲାବେଳେ ପ୍ରାଣୀଙ୍କ କ୍ଷେତ୍ରରେ ଜଳବାୟୁର ଆର୍ଦ୍ରତା ଦୁଇ ତୃତୀୟାଂଶ ଦାୟୀ ଥିବା ବେଳ ଉତ୍ତାପ ଏକ ତୃତୀୟାଂଶ ଅଂଶୁଘାତର କାରକ ସାଜିଥାନ୍ତି ।
ଗୋରୁ, ମଇଁଷି, ଛେଳିମେଣ୍ଢା ଆଦି ପ୍ରାଣୀଙ୍କୁ ସକାଳେ କିମ୍ବା ବିଳମ୍ବା ଅପରାହରେ ବାହାରକୁ ଚରେଇବାକୁ ଛାଡ଼ନ୍ତୁ । ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାଣୀଙ୍କୁ ବାହାରକୁ ନ ଛାଡ଼ି ଥଣ୍ଡା ଛାଇ ସ୍ଥାନ ବା ଗୁହାଳର ଥଣ୍ଡା ପରିବେଶରେ ରଖନ୍ତୁ ।
ଏଥିସହିତ ଶରୀରର ଉତ୍ତାପକୁ ହଠାତ୍ କମାଇବା ପାଇଁ ଆଣ୍ଟି ପାଇରେଟିକ୍ ଇଞ୍ଜେକ୍ସନ ଏବଂ ସେରିବ୍ରାଲ୍ ଏଡିମା ଓ ସକ୍ରୁ ରକ୍ଷା ପାଇବା ଲାଗି ଷ୍ଟିରଏଡ୍ ଇଞ୍ଜେକ୍ସନ ସାହାଯ୍ୟ ନିଆଯାଇପାରେ । ସେହିପରି ଗୋରୁଙ୍କ ଅସ୍ଥିରତା ରୋକିବା ସକାଶେ ଟ୍ରାଙ୍ଗୁଲାଇଜର୍ ଏବଂ ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ମଧ୍ୟ ଦିଆଯାଏ । ଗୋରୁଙ୍କୁ ଯଥେଷ୍ଟ ଥଣ୍ଡା ପିଇବା ପାଣି ଦେବା ଜରୁରୀ ।
ସଂଗୃହିତ -ଡା. ବୀର କିଶୋର ପରିଡ଼ା ଉପନିର୍ଦ୍ଦେଶକ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା, କଟକ