ଛେଳି ଓ ମେଣ୍ଢା ପାଳନ ଏଣ୍ଡାରୋଟକ୍ସେମିଆ ଓ ପିପିଆର ରୋଗର ଟିକା ଛେଳି ଓ ମେଣ୍ଢାମାନଙ୍କୁ ପଶୁଡାକ୍ତରଙ୍କୁ ଯୋଗାଯୋଗ କରି ନିଶ୍ଚିତ ଭାବେ ଦିଅନ୍ତୁ । ଛେଳି ଓ ମେଣ୍ଢାମାନଙ୍କୁ ସକାଳ ୬ଘଟିକା ଠାରୁ ୧୦ଘଟିକା ଓ ଅପରାହ୍ନ ୪ଘଟିକା ଠାରୁ ୬ଘଟିକା ପର୍ଯ୍ୟନ୍ତ ଚରିବାକୁ ବାହାରକୁ ଛାଡନ୍ତୁ । ଗୁହାଳରେ ଯଥେଷ୍ଟ ପରିମାଣରେ ଥଣ୍ଡା ପାଣି ରଖନ୍ତୁ । ଛେଳି ଓ ମେଣ୍ଢାମାନଙ୍କୁ ନିକଟସ୍ଥ ପଶୁଡାକ୍ତରଙ୍କ ପରାମର୍ଶରେ କୃମିନାଶକ ଔଷଧ ଦିଅନ୍ତୁ । ଏହି ମାସରେ ଛେଳି ଓ ମେଣ୍ଢାମାନେ ଚରିଲେ ମଧ୍ୟ ଯଥେଷ୍ଟ ଘାସ ପାଇ ନ ଥାନ୍ତି । ତେଣୁ ଛେଳି ମେଣ୍ଢା ପିଛା ୧୦୦ଗ୍ରାମ ଦାନା ଖାଇବାକୁ ଦିଅନ୍ତୁ । କୁକୁଡା ଓ ବତକ ପାଳନ କୁକୁଡା ଓ ବତକଙ୍କ କକସିଡିଆ ବା ନାଳରକ୍ତ ଝାଡ଼ାର ପ୍ରତିକାର ପାଇଁ କକସିଡିଆ ନିରୋଧୀ ଔଷଧ ଦାନା ବା ପାଣିରେ ନିୟମିତ ପ୍ରୟୋଗ କରନ୍ତୁ । ପ୍ରବଳ ଖରାତାପରୁ କୁକୁଡାମାନଙ୍କୁ ରକ୍ଷା କରିବା ପାଇଁ କୁକୁଡା ଘରର ଟିଣଛାତ କିମ୍ବା ଆଜବେଷ୍ଟସ ଛାତ ଉପରେ ନଡା ଛାଉଣି କରନ୍ତୁ । ମାଟିହାଣ୍ଡିରେ ପାଣି ରଖି ଥଣ୍ଡା ପାଣିକୁ କୁକୁଡାଙ୍କୁ ପିଇବାକୁ ଦିଅନ୍ତୁ । ଅଧିକ ଗରମ ବେଳେ ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ କୁକୁଡାଙ୍କୁ ଦାନା ଖାଇବାକୁ ଦିଅନ୍ତୁ ନାହିଁ । ଦୁଇମାସରୁ ଅଧିକ ବୟସର କୁକୁଡାଙ୍କୁ ଘୁମାରୋଗ ନହେବା ପାଇଁ ପଶୁ ଡାକ୍ତରଙ୍କ ସହାୟତାରେ ଆର ଟୁ ବି ଟୀକା ଦିଅନ୍ତୁ । ମାଛ ଚାଷ ଏକ ହେକ୍ଟର ବିଶିଷ୍ଟ ମାଛ ପୋଖରୀରେ ପ୍ରତ୍ୟେକ ଦିନ ସମପରିମାଣର କୃତ୍ରିମ ଖାଦ୍ୟ ମିଶ୍ରଣ (ଚିନାବାଦାମ ପିଡିଆ ଓ କାଣ୍ଡିଆ କୁଣ୍ଡା ) ପ୍ରତ୍ୟେକରୁ ୮କିଲୋ ୭୫୦ ଗ୍ରାମ ଲେଖାଏଁ ସମୁଦାୟ ୧୭କିଲୋ ୫୦୦ଗ୍ରାମ ପ୍ରୟୋଗ କରିବା ଆବଶ୍ୟକ । ମହୁଚାଷ ମହୁବାକ୍ସଗୁଡିକ ଗଛ ତଳେ ଛାଇ ଜାଗାରେ ରଖନ୍ତୁ କିମ୍ବା ବାକ୍ସଗୁଡିକ ଉପରେ ନଡା କିମ୍ବା ଅଖାଦେଇ ଛାଇ କରିବା ଉଚିତ । ପ୍ରତ୍ୟେକ ଦିନ ସକାଳ ୧୦ଘଟିକାଠାରୁ ଅଖାକୁ ପାଣିରେ ବୁଡାଇ ବାକ୍ସ ଉପରେ ରଖିବା ଉଚିତ । ଏହି ସମୟରେ ମହୁଫେଣାକୁ ବିରୁଡି, ମହମ ସଲଭ ,ଝିଟିପିଟି ପ୍ରଭୃତି ଆକ୍ରମଣ କରିଥାନ୍ତି । ତେଣୁ ନିୟମିତ ପରିଦର୍ଶନ କରି ଆବଶ୍ୟକ ସ୍ଥଳେ ବାକ୍ସଗୁଡିକୁ ପରିଷ୍କାର କରିବା ଆବଶ୍ୟକ । ଗ୍ରୀଷ୍ମ ଋତୁରେ ଖାଦ୍ୟାଭାବ ଦେଖାଦେଇଥାଏ । ତେଣୁ ଏ ସମୟରେ ଚିନିପାଣି (୧:୧ ଅନୁପାତରେ) କିଛିଦିନ ଅନ୍ତରରେ ଦେବା ଆବଶ୍ୟକ । ଆଧାର : କୃଷି ବୈଷୟିକ ସୂଚନା କେନ୍ଦ୍ର , ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି , ଭୁବନେଶ୍ଵର -୩