অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋ ଖାଦ୍ୟ ଫସଲ

ସୁଷମ ଖାଦ୍ୟ ବା ଦାନା ଦେଲେ କ୍ଷୀର ଉତ୍ପାଦାନରେ ବୃଦ୍ଧି

ଚାରଣ ଭୂମିର ଅଭାବ ଓ ଶ୍ରମିକ ସମସ୍ୟା ବର୍ତ୍ତମାନ ଚାଷୀଙ୍କ ପାଇଁ ଏକ ଚିନ୍ତାର ବିଷୟବସ୍ତୁ ହୋଇଉଠିଛି । ପଶୁପାଳନ କ୍ଷେତ୍ରରେ ମନୋନିବେଶ କରିଥିବା ଚାଷୀମାନେ ପାରମ୍ପରିକ ଭାବରେ ଦେଶୀ ଗାଈ ପାଳନ କରିବା ସହ ଅନେକ ଚାଷୀ ଦୁଧିଆଳୀ ଜର୍ସି ଗାଈ ମଧ୍ୟ ପାଳନ କରୁଛନ୍ତି । ଦେଶୀ ଗାଈ ପାଳନ ପାଇଁ ଅଳ୍ପ ଖର୍ଚ୍ଚ ହେଉଥିବା ବେଳେ ବିଧିବଦ୍ଧ ଭାବେ ଦୁଗ୍ଧ ଉତ୍ପାଦନ ପାଇଁ ପାଳନ କରାଯାଉଥିବା ଜର୍ସି ବା ହଲଷ୍ଟିନ ତଥା ଅନ୍ୟ ଦୁଧିଆଳୀ ଗାଈଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ । ଦୁଗ୍ଧ ଉତ୍ପାଦନର ମାତ୍ରା ସହ ଗାଈ ମଧ୍ୟ ଖାଦ୍ୟାଭାବ ଜନିତ କାରଣ ଯୋଗୁଁ ଦୁଗ୍ଧ ଉତ୍ପାଦନ କମେଇ ଦେବା ସହ ବିହିନ୍ନ ପ୍ରକାର ଆନୁସଙ୍ଗିକ ସମସ୍ୟାକୁ ବାରଣ କରିଥାଏ । ଯଥା :-

  • ଠିକ ସମୟରେ ଗାଈ ଗରମକୁ ଆସେ ନାହିଁ
  • ଛୁଆ ଜନ୍ମ କରିବାର ସମୟ ବ୍ୟବଧାନ ବଢିଯାଏ
  • ଗର୍ଭସ୍ଥ ଛୁଆ ଦୁର୍ବଳ ହୋଇଯାଏ ଇତ୍ୟାଦି

ଅନେକଙ୍କ ଧାରଣା ଯେ, ଗାଈଙ୍କୁ କେବଳ ସୁଷମ ଖାଦ୍ୟ ବା ଦାନା ଦେଲେ ହିଁ କ୍ଷୀର ଉତ୍ପାଦାନରେ ବୃଦ୍ଧି ଘଟିଥାଏ । ଏହା କିନ୍ତୁ ସବୁବେଳେ ଠିକ ନୁହେଁ । ବର୍ତ୍ତମାନ ସମୟରେ ସୁଷମ ଖାଦ୍ୟର ଦର ଯାହା ହେଲାଣି, ତାକୁ କିଣି ଦୁଗଧ ଉତ୍ପାଦାନ କରି ବ୍ୟବସାୟ କରିବାର ମନୋବୃତ୍ତି ରଖିଲେ ଖୁବ ଅଳ୍ପ ଆୟ ହେବାର ସମ୍ଭାବନା ରହିଛି । ଦୁଗଧ ଉତ୍ପାଦନ ଦ୍ଵାରା ଆୟ ବୃଦ୍ଧିକୁ ସହଜ ଭାବରେ ନିଜ ବାଡିରେ ଘାସ ଚାଷ କରି ହାସଲ କରାଯାଇପାରିବ ।

ଦାନା ବନାମ ଘାସ

ଦୁଧିଆଳୀ ଗାଈକୁ କେବଳ ଦାନା ଦେଇ ଯେପରି ଭାବେ ପାଳନ ଲାଭଦାୟକ ନୁହେଁ । ଦେଖାଯାଏ ଯେ, ଗାଁଗହଳିରେ କେବଳ ଦାନା ଓ ଶୁଖିଲା ନଡା ଖୁଆଇ ଆବଶ୍ୟକୀୟ ପରିମାଣର କ୍ଷୀର ଉତ୍ପାଦନ କରିବା ପାଇଁ ଚାଷୀମାନେ ଯୋଜନା ରଖିଥାନ୍ତି ଫଳରେ ଗାଈ ପାଇଁ ଦରକାର ହେଉଥିବା ଦାନାର ପରିମାଣ ବଢିଯିବା ଫଳରେ ଲିଟର ପିଛା କ୍ଷୀର ଉତ୍ପାଦାନର ମୂଲ୍ୟ ବଢିଯାଏ । ଏଥିସହ ସବୁଜ ଘାସରେ ଉପଲବ୍ଧ ଖାଦ୍ୟପ୍ରାଣ ତଥା ଅନ୍ୟାନ୍ୟ ପଦାର୍ଥର ଅଭାବ ଦେଖାଯାଉଥିବାରୁ ଗାଈ ଠିକ ସମୟରେ ଗରମକୁ ଆସେ ନାହିଁ ଏବଂ ତତଜନିତ ନାନା ପ୍ରକାର ରୋଗର ଶିକାର ହୋଇଥାଏ । ମୋଟାମୋଟି ଭାବରେ ଚାଷୀଟି ଲାଭବାନ ହୋଇପାରେ ନାହିଁ । ଏହି ଭଳି ପରିସ୍ଥିତିରେ ଘାସର ଆବଶ୍ୟକତା ବେଶୀ ରହିଥାଏ । ଏହି ଘାସକୁ ଗାଈର ଖାଦ୍ୟ ଭାବରେ ବ୍ୟବହାର କଲେ ସହଜରେ ଲିଟର ପିଛା କ୍ଷୀର ଉତ୍ପାଦନ ମୂଲ୍ୟକୁ ହ୍ରାସ କରାଯାଇପାରିବ ।

କ୍ଷୀର ଉତ୍ପାଦାନ ଓ ଖାଦ୍ୟ ଖର୍ଚ୍ଚ : ଏକ ଅନୁଶୀଳନ

  • ଦାନାଯୁକ୍ତ ଖାଦ୍ୟ ଦେବା ଦ୍ଵାରା ଚାଷୀଟି , ପ୍ରତି ଟଙ୍କାର ଦୁଗ୍ଧ ଉତ୍ପାଦନରୁ , କେବଳ ୨୫ ପଇସା ପାଇଥାଏ । ଅବଶିଷ୍ଟ ୭୫ପଇସା ଦାନା କିଣା ଖର୍ଚ୍ଚରେ ବ୍ୟୟ ହୋଇଥାଏ ।
  • ସବୁଜ ଘାସଯୁକ୍ତ ଖାଦ୍ୟ ଦେବା ଦ୍ଵାରା , ଦୁଗ୍ଧ ଉତ୍ପାଦାନରୁ ପ୍ରତି ଟଙ୍କା ପିଛା ୫୦ ପଇସା ପାଇଥାଏ । ଏଥିରେ ଖାଦ୍ୟ ବାବଦକୁ ମାତ୍ର ୫୦ ପଇସା ଖର୍ଚ୍ଚ ହୋଇଥାଏ ।
  • ଦାନାର ସ୍ରୋତ ସବୁବେଳେ ଗୁଣାତ୍ମକ ମାନ ଓ ମୂଲ୍ୟ ଦୃଷ୍ଟିରୁ ନିର୍ଭରଯୋଗ୍ୟ ସ୍ରୋତ ନୁହେଁ ।
  • ଘାସ ଏକ ନିର୍ଭରଯୋଗ୍ୟ ସ୍ରୋତ କାରଣ ଏହା ଚାଷୀଟି ନିଜେ ଚାଷ କରିପାରିବ ।
  • ପ୍ରତି ୪କିଗ୍ରା ସବୁଜ ଘାସ ଦେଇ ଏକ କିଗ୍ରା ନଡା କମାଇ ଦେଇହେବ ।
  • ପ୍ରତି ୧୦-୧୨ କିଗ୍ରା ସବୁଜ ଘାସ ଦେଇ ଏକ କିଗ୍ରା ଦାନା କମାଇ ଦିଆଯାଇପାରିବ ।
  • ୫ରୁ ୬ ଲିଟର ଦୁଗ୍ଧ ଦେଉଥିବା ଗାଈକୁ ଦାନା ନଦେଇ କେବଳ ସବୁଜ ଗୋଖାଦ୍ୟ ଦେଇ ପରିପାଳନ କରାଯାଇପାରିବ । ବର୍ତ୍ତମାନର ଅବସ୍ଥାରେ ଚାଷୀଙ୍କ ପାଖରେ ଉପଲବ୍ଧ ଖାଦ୍ୟପଦାର୍ଥକୁ ବିଚାର କଲେ, ଜଣେ ଚାଷୀ କେବଳ : -
    1. ପଡିଆ ଶଙ୍କର ଗାଈ
    2. ବଳଦ
    3. ଦେଶୀ ଗାଈ ପାଳନ କରାଯାଇପାରିବ କିନ୍ତୁ ଦୁଧିଆଳୀ ଶଙ୍କର ଗାଈ ପାଳନ କରି ଉକ୍ତ ଦୁଗଧ ଉତ୍ପାଦନରୁ ଲାଭ ପାଇବା ସହଜ ନୁହେଁ ।

ଘାସ ଚାଷ ପାଇଁ ଆବଶ୍ୟକୀୟ ପଦକ୍ଷେପ

ଦୁଗଧ ଉତ୍ପାଦନ ମାଧ୍ୟମରେ ଲାଭାନ୍ଵିତ ହେବାକୁ ହେଲେ ସବୁଜ ଘାସ ଚାଷର ଆବଶ୍ୟକତା ରହିଥାଏ । ଦୁଧିଆଳୀ ଗାଈ ରଖି ଆବଶ୍ୟକୀୟ ପରିମାଣର ଲାଭ ଆଶା କରୁଥିଲେ ଚାଷୀମାନେ ଘାସ ଚାଷ ସମ୍ବନ୍ଧୀୟ ନିମ୍ନଲିଖିତ କେତୋଟି ବିଷୟ ବସ୍ତୁ ପ୍ରତି ଧ୍ୟାନ ଦେବାକୁ ପଡିବ ।

  • ଦୈନିକ ୩୦ କିଗ୍ରା ସନ୍ତୁଳିତ ସବୁଜ ଗୋଖାଦ୍ୟ ଦେଇ ୫-୬ ଲିଟର କ୍ଷୀର ଦେଉଥିବା ଗୋଟିଏ ଶଙ୍କର ଗାଈକୁ ପାଳନ କରାଯାଇପାରିବ । ସନ୍ତୁଳିତ ସବୁଜ ଆହାର ପ୍ରସ୍ତୁତ କରିବା ପାଇଁ ମୋଟ ସବୁଜ ଗୋଖାଦ୍ୟର ତିନି ଭାଗରୁ ଦୁଇ ଭାଗ ଶସ୍ୟ ଜାତୀୟ (ମକା, ଶଙ୍କର ନେପିଅର, ଓଟ) ଓ ଗୋଟିଏ ଭାଗ ଛୁଇଁ ଜାତୀୟ (ବରଗୁଡି, ଡଙ୍ଗରରାଣୀ ବା ବର୍ଷିମ) ଘାସକୁ ମିଶ୍ରଣ କରାଯାଇଥାଏ ।
  • କେତୋଟି ଗଛର ପତ୍ରକୁ ମଧ୍ୟ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ ଯଥା ସୁବାବୁଲ, ଗ୍ଲାରିସିଡିଆ , ହେଜ, ଲୁସର୍ଣ୍ଣ ଇତ୍ୟାଦି । ଏହା ଗୋରୁର ଦୈନିକ ଗୋଖାଦ୍ୟର ଆବଶ୍ୟକତାର ଏକତୃତୀୟାଂଶରୁ ଅଧିକ ହେବା ଉଚିତ ନୁହେଁ ।
  • ୫-୬ ଲିଟର ଦୁଗ୍ଧ ଉତ୍ପାଦନକ୍ଷମ ଦୁଇଗୋଟି ଗାଈ ପାଇଁ ୧୬ ଡେସିମିଲ ଜଳସେଚିତ ଜମି ଯଥେଷ୍ଟ ଅଟେ ।
  • ଅଧିକାଂଶ ଗୋଖାଦ୍ୟ ଉପଯୋଗୀ ଫସଲ ଯଥା ସଙ୍କର ନେପିଅର , ମକା, ଜୋଆର ଜାତୀୟ ବାଜରା, ବରଗୁଡି, ଡଙ୍ଗରରାଣୀ ଇତ୍ୟାଦି ଫସଲ ଉଚ୍ଚା ନିଗିଡା ଜମିରେ ହୋଇଥାଏ । ଖାଲୁଆ ଜମିରେ କେବଳ ପାରା ଘାସ ଚାଷ କରାଯାଇପାରିବ ।
  • ଶୀତ ଦିନିଆ ଗୋଖାଦ୍ୟ ଫସଲ ଭାବେ ବର୍ଷିମ ଓ ଓଟ (ଯବଧାନ)କୁ ଚାଷ କରାଯାଇପାରିବ ।

ଫସଲ ଅବଶିଷ୍ଟାନ୍ସର ବ୍ୟବହାର

ଜମିରେ ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରକାର ଚାଷର ଫସଲ ଅବଶିଷ୍ଟାନ୍ସକୁ ଚାଷୀମାନେ ଗୋରୁଗାଈଙ୍କ ଖାଦ୍ୟ ରୂପେ ବ୍ୟବହାର କରି ଆସୁଛନ୍ତି । ଏଇ ଫସଲ ଅବଶିଷ୍ଟାନ୍ସକୁ ଘାସକଟା ଯନ୍ତ୍ର ଦ୍ଵାରା ଏକ ଇଞ୍ଚରୁ ଦୁଇ ଇଞ୍ଚ ଲେଖାଏଁ ଖଣ୍ଡ ଖଣ୍ଡ କରିବା ସହ ତାକୁ ପାଣିରେ ବତୁରାଇ ଗାଈକୁ ଖୁଆଇଲେ ପାଚନ ପ୍ରକ୍ରିୟାରେ ସହଜ ହୋଇଥାଏ ।

ଏହାକୁ ବିଭିନ୍ନ ପ୍ରକାର ଉପଚାର କରି ୟୁରିୟା , ୟୁରିୟା ସହ ରାବଗୁଡ ଓ ପିଡିଆ ମିଶ୍ରଣର ଉପଚାର ଦ୍ଵାରା ଖାଦ୍ୟଗୁଣ ବୃଦ୍ଧି କରାଯାଇଥାଏ ।

ବଳକା ଗୋଖାଦ୍ୟ ଫସଲର ବ୍ୟବହାର

  • ଖାଦ୍ୟଗୁଣକୁ ବଜାୟ ରଖିବା ପାଇଁ ଗୋଖାଦ୍ୟ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାକୁ ପଡିଥାଏ । ସାଧାରଣତଃ ଏଇ ଫସଲ ଅମଳର ଉପଯୁକ୍ତ ସମୟ ହେଲା ବୋଲି ସେତେବେଳେ ବିଚାର କରାଯାଏ ଯେତେବେଳେ ଫସଲରେ ତନ୍ତୁର ପରିମାଣ ବୃଦ୍ଧି ଘଟିନଥାଏ, ସୁପଚ୍ୟ ଖାଦ୍ୟସାର ସର୍ବାଧିକ ଥାଏ ଏବଂ ଖାଦ୍ୟର ଅପଗୁଣର ହ୍ରାସ ପାଇଥାଏ ।
  • ଏହି ସମୟ ଶସ୍ୟ ଜାତୀୟ ଗୋଖାଦ୍ୟ ଫସଲର ଫୁଲ ଫୁଟିବା ସମୟ ଏବଂ ଛୁଇଁ ଜାତୀୟ ଫସଲରେ କଷି ଧରିବା ସମୟକୁ ବୁଝାଏ ।
  • ସାଧାରଣତଃ ବର୍ଷାରୁତୁରେ ଗୋଖାଦ୍ୟ ଫସଲର ଅମଳ ଅଧିକ ହୋଇଥାଏ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ , ଏହା ସଠିକ ସମୟରେ ସମ୍ପୁର୍ଣ୍ଣ ରୂପେ ବ୍ୟବହାର ନହୋଇ କିଛି ବଳକା ରହିଯାଏ । ଏହି ବଳକା ଖାଦ୍ୟକୁ ବିଭିନ୍ନ ଉପାଯରେ ସଂରକ୍ଷଣ କରି ତା’ର ଖାଦ୍ୟଗୁଣ ବଜାୟ ରଖି ଗୋଖାଦ୍ୟର ଅଭାବ ସମୟରେ ସହଜରେ ବ୍ୟବହାର କରାଯାଇପାରିବ ।
  • ବଳକା ଗୋଖାଦ୍ୟକୁ “ଘାସ ଆଚାର” (ସାଇଲେଜ) କରି ରଖିହେବ । ସରୁ କେଣ୍ଡା ଯୁକ୍ତ ଶସ୍ୟ ଜାତୀୟ ଫସଲ ଯଥା ଯବଧାନ ଓ ଅନ୍ୟାନ୍ୟ ଘାସକୁ “ଶୁଖା ଘାସ” (ହେ) ଭାବେ ସାଇତା ଯାଇପାରିବ ।

ଉପସଂହାର

ଅନ୍ୟାନ୍ୟ ଶସ୍ୟ ଭଳି ଘାସ ଚାଷ ମଧ୍ୟ ଏକ ଅର୍ଥ ଉପାର୍ଜନକାରୀ ଫସଲ ଅଟେ । ଆମ ଦେଶର ଅନେକ ସ୍ଥାନରେ ଲୋକେ ଘାସ ଚାଷକୁ ଅର୍ଥ ଉପାର୍ଜନକାରୀ ଚାଷ ଭାବରେ ବିଚାର କରୁଛନ୍ତି । ଦେଖାଯାଏ ଯେ ଭୂମିହୀନ ଚାଷୀମାନେ ଗୋପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏଇ ଭୂମିହୀନ ଚାଷୀମାନେ ଗୋପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏଇ ଭୂମିହୀନ ଚାଷୀମାନେ ଗୋପାଳନକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥାନ୍ତି ତେଣୁ ଏଇ ଚାଷିମାନଙ୍କୁ ଘାସ ବିକ୍ରି କରି ଅର୍ଥ ଉପାର୍ଜନ କରାଯାଇପାରିବ । ଏଥି ସହ ନିଜ ଗାଈକୁ ମଧ୍ୟ ସବୁଜ ଗୋଖାଦ୍ୟ ଖୁଆଇ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଜର ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଇ ପାରିବ ।

ଯୋଗାଯୋଗ

ଘାସ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଏବଂ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଆବଶ୍ୟକୀୟ ସୂଚନା ବା ସରକାରୀ ସାହାଯ୍ୟ ନିମନ୍ତେ ନିମ୍ନଲିଖିତ ଅଫିସ/ଅଫିସରଙ୍କୁ ଯୋଗାଯୋଗ କରାଯାଇପାରିବ ।

  • ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର
  • ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତୃଣ ଉନ୍ନୟନ ଅଧିକାରୀ ଉପନିର୍ଦ୍ଦେଶକ (ତୃଣ ଉନ୍ନୟନ), ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ମଙ୍ଗଳାବାଗ, କଟକ - ୧ ଦୂରଭାଷ:୦୬୭୧-୨୪୩୦୪୬୦

ଆଧାର - ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate