অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋ – ଖାଦ୍ୟ ଫସଲ କଣ

ଉପକ୍ରମ

ଆମ ଦେଶରେ କୃଷି ଓ ଜିପି ପାଳନ ପରସ୍ପର ପରିପୂରକ  । ସବୁଜ ବିପ୍ଲବ ଦ୍ଵାରା ବର୍ଦ୍ଧିଷ୍ଣୁ ଜନତାର ମୁଖରେ ମୁଠାଏ ଆହାର ଯୋଗାଇବା ସଙ୍ଗେ ସଙ୍ଗେ ଫସଲ ଉପଜାତ ପଦାର୍ଥ ରାଜ୍ୟରେ ଥିବା କୋଟି ଗୋରୁଗାଈ, ମଇଁଷି, ଛେଳି, ମେଣ୍ଢା, ଘୁଷୁରି ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କର ଖାଦ୍ୟ ରୂପେ ବ୍ୟବହାର ହୋଇପାରିଛି  । ଦେଶର ଅଗଣିତ କୃଷକ ଚାଷ କାର୍ଯ୍ୟ, ଗୋବର ଖତ, ଦୁଗ୍ଧ ଜାତ ପଦାର୍ଥ ପାଇଁ ଗୋପାଳନ କରିଆସୁଥିଲେ  । କିନ୍ତୁ ଆଜି ଯୁଗ ବଦଳି ଯାଇଛି  । ଜନସଂଖ୍ୟାର ଅତ୍ୟନ୍ତ ବୃଦ୍ଧି ଏବଂ ବାସଗୃହ ନିମିତ୍ତ ଚାଷ ଜମି ବ୍ୟବହାର ହୋଇଯାଉଥିବାରୁ ରାଜ୍ୟରେ ମୁଣ୍ଡ ପିଛା ଚାଷ କମି କମି ଯାଉଛି  । ଆଜି ଆମ ରାଜ୍ୟର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଲୋକମାନଙ୍କ ଜୀବିକା କୃଷି  । କିନ୍ତୁ ଅଧିକାଂଶ କୃଷକ ଜମିହୀନ, ନାମମାତ୍ର ଓ ଛୋଟ  ଚାଷି  । ଚାଷ ଜମି କମିଯିବା ଫଳରେ କୃଷି କ୍ଷେତ୍ରରୁ ହେଉଥିବା ଆୟ ଅଧିକାଂଶ ପରିବାର ଭରଣ ପୋଷଣ ପାଇଁ ଯଥେଷ୍ଟ ହେଉନାହିଁ  । ଏହି କ୍ଷେତ୍ରରେ ଚାଷ ସାଙ୍ଗକୁ ଦୁଧିଆଳି ଗାଈ ପାଳନ କରିବା ବା ଅନ୍ୟାନ୍ୟ ପଶୁ ପାଳନ କରିବା ଅଥବା କୁକୁଡା ଫାର୍ମ କରିବା ଅପରିହାର୍ଯ୍ୟ ହୋଇପଡିଛି  । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କୃଶକ ଆଉ ବେଶୀ ଗାଈ ପାଳନ ଉପରେ ମନ ନ ବଳାଇ ଶଙ୍କର ଗାଈ ଯଥା ଜର୍ସି, ହଲଷ୍ଟିନ, ବ୍ରାଉନ, ସୁଇସ୍ ଓ ଗାରାନିସ୍ ଇତ୍ୟାଦି ଦୁଧିଆଳୀ ଗାଈ ପାଳନ କରି ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଅତ୍ୟନ୍ତ ଆଗ୍ରହୀ  ।

ପଶୁସୁମାରି ଅନୁଧ୍ୟାନ

୧୯୯୧ ମସିହା ପଶୁସୁମାରି ଅନୁଧ୍ୟାନ ତଥ୍ୟରୁ ଜଣାଜାଏ ଯେ ଆମ ରାଜ୍ୟରେ ଥିବା ଗାଈ ଗୋରୁଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷରୁ କିଛି ଅଧିକ ଶଙ୍କର ଜାତୀୟ ଦୁଧିଆଳୀ ଗାଈ ଅଛନ୍ତି  । କିନ୍ତୁ ସେମାନଙ୍କ ପାଇଁ ଉପଯୁକ୍ତ ପରିମାଣର ଗୋଖାଦ୍ୟ ଘାସ ମିଳୁ ନଥିବାରୁ ଦୁଗ୍ଧ ଉତ୍ପାଦନ ଦିନ କୁ ହ୍ରାସ ପାଉଛି  । ଉପଯୁକ୍ତ ପରିମାଣର ଚରାଫସଲ ଚାଷ ହେଉନଥିବାରୁ ସବୁଜ ଗୋଖାଦ୍ୟର ଉତ୍କଟ ଅଭାବ ପରିଲିକ୍ଷିତ ହେଉଛି  । ଏଣୁ ଚରା ଫସଲ ଚାଷ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି  । କଥାରେ ଅଛି “ଗାଈ ମୁଖରେ କ୍ଷୀର”  । ଯଦି ଆମରାଜ୍ୟରେ ଗାଈ ମାନଙ୍କୁ ଉପଯୁକ୍ତ ପରିମାଣର ସୁଷମ ଖାଦ୍ୟ ଦିଆଯାଇ ପାରିବ ତେବେ ପଞ୍ଜାବ ପରି ଏଠାରେ ମଧ୍ୟ ଗାଈ ପିଛା ବାର୍ଷିକ ୨୦୦୦ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଉତ୍ପାଦନ ସମ୍ଭବ  ।

ରାଜ୍ୟରୁ ବେକାର ଓ ବେ-ରୋଜଗାର  ସୁଧାର ଏବଂ ଚାଷୀମାନଙ୍କର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି କରିବା ନିମିତ୍ତ ଯୋଜନା ବଦ୍ଧ ଭାବେ ଆମ ରାଜ୍ୟ, ବିଦେଶରୁ ନାନା ଜାତିର ଶଙ୍କର ଦୁଧିଆଳୀ ଗାଈ ଯଥା – ଜର୍ସି, ହଲିଷ୍ଟନ ଇତ୍ୟାଦି ଆଣିଛନ୍ତି  । ଏତଦ୍ ବ୍ୟତୀତ ବ୍ରାଉନସୁଇସ୍, ଗରେନସି ଉନ୍ନତ ମାନ ଷଣ୍ଢର ଶୁକ୍ର ଶୀତଳୀ କରଣ ପ୍ରକ୍ରିୟାରେ କୃତ୍ରିମ ପ୍ରଜନନ ଯୋଜନା ଆମରାଜ୍ୟରେ କାର୍ଯ୍ୟକାରୀ ହେଉଅଛି   । ରାଜ୍ୟରେ ବିଭିନ୍ନ ଶଙ୍କର ଦୁଧିଆଳୀ ଗାଈ ଫାର୍ମ ଓ ଛଡା ପାଳନ ଫାର୍ମ ସ୍ଥାପିତ  ହେଉଅଛି  । ଏହି ଫାର୍ମ ମାନଙ୍କ ଜରିଆରେ ସରକାର ଆଗ୍ରହୀ ଚାଷୀ ମାନଙ୍କ ସୁଲଭ ମୂଲ୍ୟରେ ଉନ୍ନତ କିସମର ଦୁଧିଆଳୀ ଗାଈ, ବାଛୁରୀ ଯୋଗାଇ ଦେଉଛନ୍ତି । ଦୁଗ୍ଧରେ ସୁବଣ୍ଟନ ନିମିତ୍ତ ରାଜ୍ୟରେ ଓମ୍ଫେଡ ସଂସ୍ଥା ସ୍ଥାପନ କରାଯାଇଛି  । ଦୁଗ୍ଧ ବନ୍ୟାଯୋଜନାକୁ ସଫଳ କରିବା ପାଇଁ କୃତ୍ରିମ ପ୍ରଜନନ ଓ ଚରା ଫସଲ ଚାଷକୁ ପ୍ରାଧାନ୍ୟ ଦିଆଯାଉଛି  ।

ଗାଈଙ୍କ ପାଇଁ ଚାଷ

ଚାଷୀ ମାନେ ଅଧିକ କ୍ଷୀର ଉତ୍ପାଦନ ଚିନ୍ତା କରିବା ପୂର୍ବରୁ ନିଜର ଗାଈଙ୍କ ପାଇଁ ଚାଷ କରିବା ଯୋଜନା ମଧ୍ୟ ସ୍ଵତଃ  ଆସିବା ସ୍ଵାଭାବିକ  । କାରଣ ଘାସ ଚାଷ ବିନା ଅଧିକ ଦୁଗ୍ଧ ଉତ୍ପାଦନ ଅସମ୍ଭବ  । ଏକ ପରି ସଂଖ୍ୟାନରୁ ଜଣାଯାଏଯେ ଭାରତର ଗୋରୁ ଗାଈ ସଂଖ୍ୟା ପୃଥିବୀର ଏକ ଚତୁର୍ଥାଂଶ  । କିନ୍ତୁ ଭାରତରେ ଶତକଡା ୪.୪ ଚାଷ ଜମିରେ ଚରା ଫସଲ ଚାଷ କରାଯାଇଥାଏ  । ଏହି ସ୍ୱଳ୍ପ ଘାସ ଫସଲ ସମୁଦ୍ରକୁ ଶଙ୍ଖେ ପାଣି ପରି  । ଗୋ ପାଳନକୁ ଏକ ଲାଭଜନକ ବ୍ୟବସାୟ ରୂପେ ପରିଗଣିତ କରିବାକୁ ହେଲେ ଆମରାଜ୍ୟରେ ଚରା ଫସଲ ଚାଷ ଗୋ ସମ୍ପଦକୁ ଚାହିଁ ବୃଦ୍ଧି କରିବାକୁ ହେବ  । ପରୀକ୍ଷାରୁ ଜଣାଯାଇଛି ଯଦି ଗୋଟିଏ ଦୁଧିଆଳୀ ଗାଈର ଓଜନ ୩୫୦ କି.ଗ୍ରା ଏବଂ ଦୈନିକ ୩-୬ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଏ ଓ ସେହି ଦୁଗ୍ଧରେ ଶତକଡା ୫ ଭାଗ ଲହୁଣୀ ରହେ ତେବେ ସେହି ଦୁଧିଆଳୀ ଗାଈପାଇଁ ଦୈନିକ ୫୩୩ ଗ୍ରାମ ଜିର୍ଣ୍ଣୋ ଉପଯୋଗୀ ପ୍ରାକୃତିକ ପୃଷ୍ଟିସାର ଓ ୪.୮୮ କି.ଗ୍ରା ମୋଟା ଜିର୍ଣ୍ଣ ଉପଯୋଗୀ ଶ୍ଵେତସାର ଥିବା ଖାଦ୍ୟ ଦେବା ଦରକାର  । ଏହା ୪.୭୫୦ କି.ଗ୍ରା ସୁଷମ ମିଶ୍ରିତ ଦାନା ଓ ଗାଈର ଚାହିଦା ମୁତାବକ ନଡାରୁ ମିଳିଥାଏ  । ଦାନା ଓ ନଡା ବାବଦକୁ ଯାହା ଖର୍ଚ୍ଚ ହୁଏ ତାହାର  ଅଧା ଖର୍ଚ୍ଚରେ ମିଶ୍ରିତ ଘାସ ଅର୍ଥାତ୍ ଶସ୍ୟ ଜାତୀୟ ଘାସ ଓ ଛୁଇଁ ଜାତୀୟ ଘାସ ୧.୧ ଅନୁପାତରେ ୪୦ କି.ଗ୍ରା କିମ୍ବା ଶଙ୍କର ଜାତୀୟ ଘାସ ୩୨ କି.ଗ୍ରା ସହ ୫୦୦ ଗ୍ରାମ ବାଦାମ, ପିଡିଆ ଓ ଧାତବ ଲବଣ ଗାଈକୁ ଦେଲେ ଚାଷୀ କମ ଖର୍ଚ୍ଚରେ ସେହି ପରିମାଣର କ୍ଷୀର ପାଇ ପାରିବ  । ପରୀକ୍ଷା କରି ଦେଖାଯାଇଛି ଯେ ଦାନା ବଦଳରେ ଗାଈକୁ ଘାସ ଖାଇବାକୁ ଦେଲେ ଦୁଗ୍ଧ ଉତ୍ପାଦନରେ କୌଣସି ପରିବର୍ତ୍ତନ ନହୋଇ ବରଂ ଉତ୍ପାଦନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କ୍ଷୀରର ମାନ ଉତ୍କୃଷ୍ଟ ହୋଇଥାଏ  । ଏଣୁ ରାଜ୍ୟ ସରକାର ଅଳ୍ପଖର୍ଚ୍ଚରେ ସଫଳ ଗୋପାଳନ କରି ଦୁଗ୍ଧ ବନ୍ୟା ଯୋଜନାକୁ ସଫଳ କରିବା ନିମନ୍ତେ, ଘାସ ଚାଷ ସଂପ୍ରସାରଣ ନିମିତ୍ତ ଆଗାମୀ ଯୋଜନା କାର୍ଯ୍ୟକ୍ରମରେ ବିଶେଷ ସ୍ଥାନ ଦେଇଛନ୍ତି  ।

ସବୁଜ ଘାସରେ ଖାଦ୍ୟପ୍ରାଣ, ଶ୍ଵେତସାର, ପୃଷ୍ଟିସାର, ଧାତବଲବଣ ଏପରିକି ସ୍ନେହସାର ମଧ୍ୟ ଥାଏ  । ଦୁଧିଆଳୀ ଗାଈମାନଙ୍କୁ ଆବଶ୍ୟକ ପରିମାଣର ଘାସ ଖାଇବାକୁ ଦେଲେ ସେମାନଙ୍କର ରୋଗ ହେବା ସମ୍ଭାବନା ଖୁବ୍ କମ୍ ହୁଏ  । ଆବଶ୍ୟକ ପରିମାଣର ଘାସ ଖାଇବାକୁ ଦେଲେ ଗାଈ ସ୍ୱାସ୍ଥ୍ୟବାନ ବାଛୁରୀ ଜନ୍ମ କରିଥାଏ  ।

ଗବେଷଣାରୁ ଜଣାଯାଇଛି ଯେ ଶସ୍ୟ ଜାତୀୟ ଘାସ ସହ ଛୁଇଁ ଜାତୀୟ ଘାସ ବର୍ଷସାର ଦେଇ ଗୋପାଳନ କରିବା ସମ୍ଭବ  । ଶୀତ ଦିନେ ଓଟ ସବୁଜ ଘାସ ସହ ବରସିମ୍ ବା ଲୁସର୍ଣ୍ଣ ଏବଂ ଖରାଦିନେ ମକା ସବୁଜ ଘାସ ସହ ବାରୁଗୁଡି ବା ଲୁସର୍ଣ୍ଣ ମିଶାଇ ଖାଇବାକୁ ଦେଲେ ଗାଈ ଅଧିକ ଦୁଗ୍ଧ ଦେଇଥାଏ  । ବର୍ତ୍ତମାନ ଚରା ଫସଲ ଚାଷ କରି ଦୁଧିଆଳୀ ଗାଈ ମାନଙ୍କୁ ସୁଷମ ସବୁଜ ଗୋଖାଦ୍ୟ ଅଳ୍ପ ଖର୍ଚ୍ଚରେ ଯୋଗାଇ ରାଜ୍ୟ ଦୁଗ୍ଧବନ୍ୟା ଯୋଜନାରେ ସହଯୋଗୀ ହେବାର ଏକ ସୁଅବସର ଆସି ପହଞ୍ଚିଛି  । ଗୋଟିଏରୁ ଦୁଇଗୋଟି ଦୁଧିଆଳୀ ଗାଈ ସବୁଦିନ ସବୁଜ ଘାସ ପାଇବା ନିମିତ୍ତ ନିଜ ବାଡିରେ ବା ଜମିରେ ଅନ୍ତତଃ ପକ୍ଷେ ୨୫୦ଟି ନେପିୟର ହାୟବିଡ ଘାସ ମୂଳ ଲଗାଇଲେ ଯଥେଷ୍ଟ ସବୁଜ ଘାସ ମିଳିପାରିବ  ।

ଆମ ରାଜ୍ୟରେ ୧୯୬୯ ଠାରୁ ଘାସ ଚାଷର ସଂପ୍ରସାରଣ ନିମିତ୍ତ ବିଶେଷ କାର୍ଯ୍ୟକ୍ରମ ଯୋଜନା ବିଧିବଦ୍ଧ ଭାବେ ହେଉଅଛି  । ୪ର୍ଥ ଯୋଜନା କାଳରେ ଚିପିଲିମା ଏବଂ ଅନୁଗୁଳର ପଞ୍ଚମହଲରେ ଘାସ ମଞ୍ଜି ଉତ୍ପାଦନ ଫାଏମ ପ୍ରତିଷ୍ଠା କରାଯାଇଅଛି  । ପଞ୍ଚମ ବାର୍ଷିକ ଯୋଜନା କାଳରେ ରାଜ୍ୟରେ ୧୦ଟି ସ୍ଥାନରେ ଘାସ ଚାଷ ପଦର୍ଶନୀ ଫାର୍ମ ମାନ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ ଚିପିଲିମା ଠାରେ ଗୋଟିଏ ଘାସ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି  । ଏହା ଛଡା କେନ୍ଦୁଝରର ଶାଳ ପଦା ଠାରେ ଆଉ ଗୋଟିଏ ଘାସ ମଞ୍ଜିଉତ୍ପାଦନ ଫାର୍ମ ପ୍ରତିଷ୍ଠା କରାଯାଇଅଛି  ।

ଷଷ୍ଠ ପଞ୍ଚବାର୍ଷିକ ଯୋଜନା

ଷଷ୍ଠ ପଞ୍ଚବାର୍ଷିକ ଯୋଜନାରେ ୩ଟି ଘାସ ମଞ୍ଜି ଉତ୍ପାଦନ ଫାର୍ମକୁ ଅଧିକ ସୁଦୃଢ ଓ କାର୍ଯ୍ୟଦକ୍ଷ କରିବା ସଙ୍ଗେ ସଙ୍ଗେ ଘର ବାଡିରେ ଚାଷୀ ମାନଙ୍କୁ ଘାସ ଚାଷ କରିବା ନିମିତ୍ତ ମିନିକିଟ୍ ବଣ୍ଟନ ଓ ଘାସ ମୂଳ ଯୋଗାଇ ଦିଆଯାଉଥିଲା  । ସପ୍ତମ ଯୋଜନା କାଳରେ ରଣ୍ଡାପାଲ୍ଲୀ, କାଠପାଳ ଓ ତାରବୋଚ ଠାରେ ଆଉ ୩ଟି ନୂତନ ଘାସ ମଞ୍ଜି ଉତ୍ପାଦନ ଫାର୍ମ ପ୍ରତିଷ୍ଠା କରାଯାଇପାରିଛି  । ୧୯୯୦-୯୧ ମସିହାରେ ଭୁବନେଶ୍ଵରଠାରେ ରାଜ୍ୟର ସପ୍ତମ ଘାସ ଚାଷ ଫାର୍ମ ପ୍ରତିଷ୍ଠା କରାଯାଇଅଛି  । ଏହି ସବୁ ସରକାରୀ ଫାର୍ମ ମାନଙ୍କରେ ପ୍ରତିବର୍ଷ ପ୍ରାୟ ୭୦୦ କୁଇଣ୍ଟାଲ ଘାସ ଜମି ଉତ୍ପାଦନ ହେଉଅଛି  । ଅଷ୍ଟମ ଯୋଜନାରେ ଏହି ସବୁ ଫାର୍ମରୁ ୧୦୦୦ କୁଇଣ୍ଟାଲ ଘାସ ମଞ୍ଜି ଉତ୍ପାଦନ ପାଇଁ ବ୍ୟବସ୍ଥା କରାଯାଇଛି  । ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଘାସ ମଞ୍ଜି, ମିନିକିଟ୍ ଯୋଗାଣ ସଙ୍ଗେ ସଙ୍ଗେ ଚରା ଫସଲ ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଅଛି  ।

ଆମ ରାଜ୍ୟରେ ଢିପ ଓ ମଧ୍ୟମ କିସମର ଜମିରେ ଘାସ ଚାଷ ହୋଇପାରିବ  । ଏଥିପାଇଁ ସାଧାରଣତଃ ନିଗିଡା, ବାଲି ଦୋରସା ବା ପଟୁ ଦୋରସା ମୃତ୍ତିକା ଉପଯୁକ୍ତ  । କିନ୍ତୁ ଘାସ ଅନ୍ୟାନ୍ୟ ସବୁ ପ୍ରକାର ମୃତ୍ତିକାରେ ଚାଷ ହୋଇ ପାରିବ  । ବର୍ଷାଧାରା ଢିପ ଜମିରେ ମକା ଓ ବରୁଗୁଡି, ଟିଓସିଣ୍ଟା ଓ ବରୁଗୁଡି, ମିଶ୍ରିତ ଚଣା ଫସଲ ଚାଷ କରାଯାଇପାରିବ  । ଜଳସେଚନ ସୁବିଧା ଥିବା ଜାଗା ମାନଙ୍କରେ ଗିନୀ ଘାସ, ହାତିଆ ଘାସ ଓ ଶଙ୍କର ନେପିୟର ଘାସ ଚାଷ ବର୍ଷସାର କରାଯାଇପାରିବ  । ଓଡିଶାରେ ଚାଷୀମାନେ ବର୍ତ୍ତମାନ ବର୍ଷାଧାରା ଢିପଜମିରେ ବର୍ଷାଦିନେ ସାଧାରଣତଃ ସଅଳ କିସମ ଧାନ, ମାଣ୍ଡିଆ, ରାଶି, ଚିନା ବାଦାମ ଓ ହରଡ ଇତ୍ୟାଦି ଚାଷ କରିଥାନ୍ତି  । ଏହି ସବୁ ଫସଲ ପ୍ରାୟ ଭାଦ୍ରବ, ଆଶ୍ଵିନମାସ ଶେଷ ବେଳକୁ ଅମଳ ହୋଇଯାଇଥାଏ  । ଏହାପରେ ସେହି ସବୁ ଜମିରେ ଥିବା ଆଦ୍ରତାକୁ ଦେଖି ଚରା ଫସଲ ଯଥା- ବରୁଗୁଡି ଓ ସେହି ସବୁ ଜମିରେ ଥିବା ଆଦ୍ରତାକୁ  ଦେଖି ଚରା ଫସଲ ଯଥା – ବରୁଗୁଡି ଓ ବାଜରା ମିଶିତ ଫସଲ କରିପାରିବେ  । ଏହାଛଡା ବର୍ଷାଦିନେ ଜମିହାବୁଡାରେ ଫସଲ ରୂପେ ବାଜରା, ବରୁଗୁଡି ଚାଷ କରାଯାଇ ପାରିବ  । ଧାଡ ହିଡରେ ମକା, ଟିଓସିଣ୍ଟା ବୁଣା ଯାଇପାରିବ  । ଫଳରେ ଧାନ ଅମଳ ପୂର୍ବରୁ ଘାସ କରାଯାଇ ପାରିବ  । ଚିନାବାଦାମ ଫସଲରେ ମଧ୍ୟ ଜମି ହୁଡାକୁ ଘାସ ଚାଷ ପାଇଁ ଲଗାଯାଇ ପାରିବ  । ଢିପ ଓ ମଧ୍ୟମ ଜମିରେ ଧାନ ରୋଇବା ପୂର୍ବରୁ ବରୁଗୁଡି ଚାଷ କରାଯାଇ ପାରିବ ଜଳସେଚିତ ମଧ୍ୟମ ଓ ଢିପ ଜମିରେ ଏନ୍ – ବି – ୨୧ ଓ କୋ-୧ କିସମ ଘାସ ବରୁଗୁଡି ମିଶ୍ରିତ ଚରା ଫସଲ ଚାଷ କରାଯାଇପାରିବ  । ଏହା ପରେ ଶୀତ ଋତୁରେ ବରସିମ୍ ଓ ଏନ୍-ବି ୨୧ ମିଶ୍ରିତ ଚରା ଫସଲ କରାଯାଇ ପାରିବ  । ବର୍ଷାଧାର କିସମ ଜମିରେ ସଅଳ କିସମ ଅଧିକ ଅମଳ କ୍ଷମା ଧାନ ଚାଷ ପରେ ଜମିର ବତରକୁ ଦେଖି ଚରା ଫସଲ ରୂପେ ବରୁଗୁଡି ସହ ବାଜରା ମିଶ୍ରିତ ଫସଲ କରିହେବ  । ଖାଲି ଜମିରେ ପାରା ଘାସ ଲଗାଇଲେ ଭଲ ହେବ  ।

ଭାତ ଓ ଡାଲି ଆମର ଯେପରି ମୁଖ୍ୟ ଖାଦ୍ୟ ସେହିପରି ଶସ୍ୟ ଜାତୀୟ ଘାସ ସହ ଡାଲି ଜାତୀୟ ଘାସ ମିଶ୍ରିତ କରାଯାଇ ଗାଈ ମାନଙ୍କୁ ସୁଷମ ଖାଦ୍ୟ ରୂପେ ଦିଆଯାଇ ପାରିବ  । ଏତଦ୍ ଦ୍ଵାରା ସେମାନଙ୍କର ଶ୍ଵେତସାର, ପୃଷ୍ଟିସାର, ଖଣିଜଲବଣ ଓ ଖାଦ୍ୟ ପ୍ରାଣର ଯଥେଷ୍ଟ ଚାହିଦା ମେଣ୍ଟିଥାଏ  । ଏହାକୁ ଲକ୍ଷକରି ଓଡିଶାରେ ଦୁଇଶ୍ରେଣୀର ଘାସ ଚାଷ କରାଯାଉଅଛି  । ଯଥା (୧) ଶସ୍ୟ ଜାତୀୟ ଚାରା ଫସଲ ଚାଷ (୨) ଛୁଇଁ ଜାତୀୟ ଚାରା ଫସଲ ଚାଷ  । ଶସ୍ୟ ଜାତୀୟ ଚାରା ଫସଲ ପାରା, ନେପିୟର, ଗିନି ଇତ୍ୟାଦି ବର୍ଷସାରା ହୁଏ  । ବରୁଗୁଡି, ବରସିମ୍, ଗୁଆଁର ଓ ଲୁସର୍ଣ୍ଣ ଇତ୍ୟାଦି ଛୁଇଁ ଜାତୀୟ ଚାରା ଫସଲର ଅନ୍ତର୍ଭୁକ୍ତ  ।

ଋତୁକାଳୀନ ଶସ୍ୟ ଜାତୀୟ ଚାରା ଫସଲ

ଓଟ, ମକା, ଜୁଆର, ବାଜରା ଇତ୍ୟାଦି ଚାଷ ହେଉଥିବା ବେଳେ, ଲୁସର୍ଣ୍ଣ ଓ ଷ୍ଟାଇଲୋ ଛୁଇଁ ଜାତୀୟ ଚାରା ଫସଲ ବର୍ଷ ସାରା ଚାଷ ହୋଇପାରୁଅଛି  ।

ଶସ୍ୟ ଜାତୀୟ ଘାସ ସହ ଛୁଇଁ ଜାତୀୟ ଘାସ ମିଶ୍ରିତ ଘାସ ଚାଷ ଫସଲ ରୂପେ ଚାଷ କରି ଗାଈ ମାନଙ୍କୁ ୧:୧ ଅନୁପାତରେ ଖାଇବାକୁ ଦେଲେ ଗାଈ ଅଧିକ ଦୁଗ୍ଧ ଦେଇଥାଏ  । ଓଡିଶାରେ ପାରା, ଗିନି, ଶଙ୍କର ନେପିୟର NB-21 ବରସିମ୍, ବରୁଗୁଡି, ଲୁସର୍ଣ୍ଣ, ଶଙ୍କର ଜୁଆର ଏବଂ ବାଜରା ଚରା ଫସଲ ସଫଳତାର ସହ କରାଯାଇ ପାରୁଅଛି  । ପ୍ରାଣୀ ମାନଙ୍କର ଖାଦ୍ୟ ଆବଶ୍ୟକତାକୁ  ମେଣ୍ଟାଇବା ପାଇଁ ଓ ଦୁଗ୍ଧ  ବିପ୍ଲବକୁ ସଫଳ ରୂପାଯନ ଦେବା ନିମିତ୍ତ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଦେଶର ଚାଷୀ ମାନେ ଆଗ୍ରହ ପ୍ରକାଶ କରିବା ଉଚିତ  ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate