ବର୍ତ୍ତମାନ ଆମ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ସହିତ ଜଳବାୟୁର ଆଦ୍ରତା ବୃଦ୍ଧି ଓ ପାନୀୟ ଜଳର ଉତ୍କଟ ଅଭାବ ଯୋଗୁଁ ଉଭୟ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଜୀବନ ବିପର୍ଜ୍ୟସ୍ତ ହୋଇପଡିଛି । ସାରା ରାଜ୍ୟରେ ସୂର୍ଯ୍ୟରଶ୍ମୀ ପ୍ରଖର ହେବା ଯୋଗୁଁ ଅଗ୍ନିବର୍ଷା ପରି ପରିସ୍ଥିତି ସୃଷ୍ଟି ହୋଇଛି । ଦିନ ୧୦ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣର ସେହି ଡହଡହ ଖରା ସମଗ୍ର ଜୀବ ଜଗତକୁ ଅଧା ସିଝା ଅବସ୍ଥାରେ ଅସ୍ତବ୍ୟସ୍ତ କରି ପକାଇଲାଣି । ବର୍ତ୍ତମାନ ଆମ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜଳବାୟୁର ଉତ୍ତାପ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ରୁ ଊର୍ଦ୍ଧ୍ଵ ରହିଥିବା ବେଳେ ବଲାଙ୍ଗିର , ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ, କଟକ ଆଦି ସ୍ଥାନରେ ଏବେଠୁ ୪୨ ରୁ ୪୫ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ବୃଦ୍ଧି ପାଇଛି । ସୋମବାର ଦିନ ଭୁବନେଶ୍ଵର ପାରଦ ସ୍ତମ୍ବ ୪୫.୮ ଡିଗ୍ରୀ ସେଣ୍ଟିଗ୍ରେଡକୁ ଛୁଇଁ ଜନସମାଜ ମଧ୍ୟରେ ଏକ କୋକୁଆ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଉତ୍ତାପ ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଂଶୁଘାତରେ ଲୋକ ମୃତ୍ୟୁ ବାରାଁ କରିବାର ସୂଚନା ମିଳିଲାଣି । ଆମ ରାଜ୍ୟରେ ୧୯୯୮ ମସିହା ପରଠାରୁ ଏହି ଉତ୍ତାପ ବୃଦ୍ଧି ଜନିତ ଅଂଶୁଘାତ ଯୋଗୁଁ ଉଭୟ ମନୁଷ୍ୟ ଓ ପଶୁପକ୍ଷୀ ବା ପ୍ରାଣୀ ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ବିଭିନ୍ନ ପ୍ରଜାତି ଓ ବର୍ଣ୍ଣର ପ୍ରଭେଦ ଅନୁସାରେ ଗୋରୁ , ମଇଁଷି , ଛେଳିମେଣ୍ଢା ଓ କୁକୁଡା ଜାତୀୟ ପକ୍ଷୀମାନେ ଅଂଶୁଘାତର ଶିକାର ହୋଇଥାନ୍ତି । ଗୁଣସୁତ୍ରର ପ୍ରଭାବ ଅନୁଯାୟୀ ହଲଷ୍ଟିନ ପ୍ରଜାତିର ଗୋରୁ ଅଂଶୁଘାତ ସହିବା ଶକ୍ତି ୫୦% ନିହିତ ଥିବାବେଳେ ଜର୍ସି ପ୍ରଜାତିର ଗୋରୁ ୭୫% ବ୍ରାଉନ ସୁଇସ ଗାଈ ଗୋରୁଠାରେ ୧୦୦% ଅଂଶୁଘାତ ସହନଶୀଳ ଶକ୍ତି ଦେଖିବାକୁ ମିଳେ । କଳାରଙ୍ଗର ଗାଈଗୋରୁ ଓ ମଇଁଷିଙ୍କ ଅପେକ୍ଷା ଧଳା ରଙ୍ଗର ଗୋରୁ ଯଥା – ଥାର ପାକର ,ସାହିୱାଲ, ଦେଶୀ ଗୋରୁ ଅତ୍ୟଧିକ ବାହ୍ୟ ଉତ୍ତାପକୁ ସହିବାରେ ବେଶ ସକ୍ଷମ ହୁଅନ୍ତି । ଦେଶୀ କୁକୁଡା ଅପେକ୍ଷା ବ୍ରଏଲର ପ୍ରଜାତିର କୁକୁଡା ଅଂଶୁଘାତରେ ପୀଡିତ ହେବାର ବେଶୀ ଦେଖାଯାଏ । ତେଣୁ ଗ୍ରୀଷ୍ମଦିନେ ପଶୁପକ୍ଷୀଙ୍କୁ ଅଂଶୁଘାତରୁ ସୁରକ୍ଷା ପ୍ରଦାନ କରିବା ସହିତ ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
ପଶୁପକ୍ଷୀମାନେ ବହୁ ସମୟ ଧରି ବାହ୍ୟ ଜଳବାୟୁର ଅତ୍ୟଧିକ ଉତ୍ତାପ ସଂସ୍ପର୍ସରେ ଆସିଲେ ମସ୍ତିସ୍କର ହାଇପୋଥାଲାମସରେ ଥିବା ଟାପ ନିୟନ୍ତ୍ରଣ କେନ୍ଦ୍ରରେ କ୍ଷତ ସୃଷ୍ଟି ହେବା ଯୋଗୁ ଶରୀରରେ ତାପ ନିୟନ୍ତ୍ରଣ ଶକ୍ତି ହରାଇବସନ୍ତି । ଫଳରେ ଶରୀରର ଉତ୍ତାପ କମିବା ପରିବର୍ତ୍ତେ ବୃଦ୍ଧି ପାଇଥାଏ । ତେଣୁ ପଶୁପକ୍ଷୀ ଏବଂ ମନୁଷ୍ୟ ଅଂଶୁଘାତର ଶିକାର ହୋଇଥାନ୍ତି ।
ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ । କ୍ଷୀଣ,ଦୁର୍ବଳ, ବା ଅବସାନ୍ନ ଦେଖାଯାନ୍ତି । ଶ୍ଵାସକ୍ରିୟା ଓ ନାଡିର ବେଗ ବୃଦ୍ଧିପାଏ । ପାଟିବାଟେ ନିଃଶ୍ଵାସ ନେବା ସହିତ ଧକେଇ ହୁଅନ୍ତି । ସମୟେ ସମୟେ ଜିଭ ପଦାକୁ ବାହାରିଆସେ । ପାଟିରୁ ଓ ନାକପୁଡାରୁ ଫେଣ ପରି ଲାଳ ନିର୍ଗତ ହୁଏ । ଆଖିର ସେଷ୍ମାଝିଲ୍ଲୀ ଲାଲ ପରି ଦିଶେ । ଫୁସଫୁସର ଗତି ବଦଳିଯାଏ , ଶରୀରର ଉତ୍ତାପ ୧୦୬ରୁ ୧୧୦ ଡିଗ୍ରୀ ଫାରେନହାଇଟକୁ ବୃଦ୍ଧି ପାଇ ସ୍ଥିର ରୁହେ । ଶ୍ଵାସକେନ୍ଦ୍ର ଓ ସ୍ନାୟୁରେ ପକ୍ଷାଘାତ ବା ପାରାଲିସିସ ସୃଷ୍ଟି ହୁଏ । ଶେଷଆଡକୁ ଶରୀରରେ ଉତ୍ତାପ କମିଯାଏ ଏବଂ ପ୍ରାଣୀମାନେ ମୃତ୍ୟୁବରଣ କରନ୍ତି । ମୃତ୍ୟୁ ପୂର୍ବରୁ ପ୍ରାଣୀମାନେ ଚେତାଶୂନ୍ୟ ଅବସ୍ଥାରେ ନିସ୍ତେଜ ହୋଇ ପଡି ରୁହନ୍ତି । ଶରୀରରେ କମ୍ପ ସୃଷ୍ଟି ସହିତ ଢଳ ଢଳ ହୁଅନ୍ତି । କୁକୁଡା ଫାର୍ମ ବିଶେଷ କରି ବ୍ରଏଲର କୁକୁଡା ଫାର୍ମରେ ଅଂଶୁଘାତ ଯୋଗୁଁ ଥଣ୍ଟ ମେଲା କରି ଶ୍ଵାସକ୍ରିୟା ସଂପାଦାନ କରିବା ସହିତ କୁକୁଡାଙ୍କ ମୁକୁଟ ଶ୍ଵେତାପଡିଲା ଭଳି ଦେଖାଯାଏ । ପକ୍ଷାଘାତ ଯୋଗୁଁ ଏକସଙ୍ଗରେ ଅନେକ କୁକୁଡା ମରି ପଡିଥିବାର ଦେଖାଯାଏ । ଗୋରୁଙ୍କ ଭଳି ଛେଳି ମେଣ୍ଢା ମାନେ ଅଂଶୁଘାତରେ ପୀଡିତ ହେବାର ଆଶଙ୍କା ରହିଛି । ସାଧାରଣତଃ ଦେଶୀ ଗାଈଗୋରୁଙ୍କୁ ଶଙ୍କର ଗାଈ ଗୋରୁ ତୁଳନାରେ ଅଂଶୁଘାତ ହେବାର ଆଶଙ୍କା କମ ଥାଏ ।
ଗାଈଗୋରୁ ବା ମଇଁଷିକୁ ଅଂଶୁଘାତ ଦେଖାଦେଲେ ତୁରନ୍ତ ଥଣ୍ଡାଛାଇ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ । ମୁଣ୍ଡରେ ବରଫ ଥଳି କିମ୍ବା ଥଣ୍ଡା ପାଣି ଭିଜା କପଡା ପକାଇ ରଖନ୍ତୁ ଏବଂ ଓଦା କପଡାରେ ଶରୀରକୁ ପୋଛି ଆଣନ୍ତୁ । ଫ୍ୟାନ ବା ପଙ୍ଖାର ସୁବିଧା ଥିଲେ ଚାଲୁ କରନ୍ତୁ । ପ୍ରଚୁର ଥଣ୍ଡା ପିଇବା ପାଣି ପ୍ରଦାନ କରନ୍ତୁ । ପ୍ରାଣିର ଚେତା ଫେରି ଆସିଲେ ସେ ନିଜେ ଆପେ ଆପେ ପାଣି ପିଇବ । ତେଣୁ ସୋଇଥିବା ଅବସ୍ଥାରେ ବଳ ପ୍ରୟୋଗ ପୂର୍ବକ ପାଣି ପିଆନ୍ତୁ ନାହିଁ । ନଚେତ ପାଣି ପିଆଇବା ସମୟରେ ହୁଏତ ପାଣି ଶ୍ଵାସନଳୀ ଗଳାରେ ପଶି ଜୀବନ ହାନି ଘଟାଇ ପାରେ । ତାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କୁ ଜଣାଇ ଏହାର ଆଶୁ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରାତଃ ସକାଳ ସନ୍ଧ୍ୟା ଓ ରାତ୍ରର ଥଣ୍ଡା ପ୍ରହରରେ ପୁଷ୍ଟିକର ଦାନା ଜାତୀୟ ସୁଷମ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଦିନବେଳେ ସବୁଜ ଘାସ ,ଆଜୋଲା, ପେଜ,ତୋରାଣି,ରୋଷେଇ ଘରର ପାରିବା ଚୋପା ଶାଗ କେଣ୍ଡା ,କାକୁଡି ,ତରଭୁଜଚୋପା, ତାଳପତ୍ର ,କଟା ନଡା (ପାଣିରେ ୩/୪ ଘଣ୍ଟା ଭିଯାଇ ଓ ସୁଖାଇବା ପରେ) ମକା ଗଛ କାଣ୍ଡ ଆଦି ଗୋରୁଙ୍କୁ ଖାଇବାକୁ ଦେବା ଭଲ । ସେହିପରି ଗୋରୁଙ୍କ ଖାଦ୍ୟରେ ଧାତବ ଲବଣ ମିଶ୍ରିତ ଭିଟାମିନ ଗୁଣ୍ଡ ୪ ରୁ ୬ ଚାମଚ ସହିତ ୫୦ଗ୍ରାମ ବା ମୁଠାଏ ଲୁଣ ଖାଇବାକୁ ଦେବା ଆବଶ୍ୟକ । ଦୈନିକ ଗୋରୁଙ୍କୁ ଦିନକୁ ଥରେ କିମ୍ବା ଆବଶ୍ୟକ ସ୍ଥଳେ ୨/୩ ଥର ଗାଧୋଇ ଦିଅନ୍ତୁ । କୁକୁଡାଙ୍କ ଠାରେ ଅଂଶୁଘାତ ଦେଖାଦେଲେ ତୁରନ୍ତ ପାଣି ସିଂଚନ କରିବା ସହିତ ଗ୍ଳୁକୋଜ ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଥଣ୍ଡା ପାଣି ଦିଅନ୍ତୁ ।
ଆଧାର:- ଉପନିର୍ଦ୍ଦେଶକ, ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା, କଟକ
Last Modified : 1/2/2020