କୃଷି କ୍ଷେତ୍ରରେ ଅଧିକ ରାସାୟନିକ ପଦାର୍ଥ ବ୍ୟବହାର ମଣିଷ ଶରୀର ପାଇଁ ହାନି କାରକ, ସାବ୍ୟସ୍ତ ହେଉଛି । ଏ ନେଇ କୃଷିରେ ରାସାୟନିକ ବିଷ ବ୍ୟବହାରକୁ କମ୍ କରିବା ପାଇଁ ଜୈବିକ କୃଷିର ପ୍ରଚାର ପ୍ରସାର କରାଯାଉଛି । ଜୈବିକ ପଦ୍ଧତି କେବଳ କୃଷିରେ ନୁହେଁ କୁକୁଡା ଚାଷରେ ମଧ୍ୟ କାର୍ଯ୍ୟ କାରୀ କରିବା ଦରକାର । କାରଣ କୁକୁଡାମାନଙ୍କୁ ଅଧିକ ଔଷଧ ଓ ଆଣ୍ଟିବାୟୋଟିକ୍ ପ୍ରୟୋଗ କରାଯିବା ଦ୍ଵାରା ଏହା ମଣିଷ ଶରୀର ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ଜୈବିକ ଉପାୟରେ କିଭଳି କୁକୁଡା ଚାଷ କରାଯାଇପାରିବ ସେଥିପ୍ରତି ଚାଷୀମାନେ ସଚେତନ ହେବା ଜରୁରୀ । ଜୈବିକ କୁକୁଡା ଚାଷର ଉପକାରିତା ଜୈବିକ କୁକୁଡ଼ା ମାଂସରେ ଆଣ୍ଟିବାୟୋଟିକ୍ ଅବଶେଷ ନଥାଏ । ଯାହା ସ୍ଵାସ୍ଥ୍ୟ ପାଇଁ ହିତକର । ଏହା କମ୍ ଚର୍ବି ଯୁକ୍ତ ଏବଂ ଉତ୍ତମ ପ୍ରୋଟିନ୍ (ପୁଷ୍ଟିସାର)ରେ ପରିପୂର୍ଣ୍ଣ । ଜୈବିକ କୁକୁଡ଼ା ଅଣ୍ଡାରେ ୨ ଗୁଣ ଅଧିକ ଓମେଗା-୩ ଏସିଡ ଥିବା ବେଳେ, ସାଧାରଣ ଅଣ୍ଡାଠାରୁ ୨/୩ ଭାଗ ଅଧିକ ଭିଟାମିନ୍ ଏ, ସାତ ଭାଗ ଅଧିକ ବିଟା କାରୋଟିନ୍, ତିନି ଭାଗ ଅଧିକ ଭିଟାମିନ୍ (ଇ) ରହିଥାଏ । ଜୈବିକ କୁକୁଡ଼ା ଅଣ୍ଡା, ମାଂସ କର୍କଟ, ହୃଦରୋଗକୁ ରୋକିବାରେ ସହାୟକ ହୋଇଥାଏ । ଜୈବିକ କୁକୁଡା ଚାଷର ଚାହିଦା ବିଶ୍ଵର ୧୩୦ ଗୋଟି ଦେଶ ଏହି ଜୈବିକ କୁକୁଡା ଚାଷକୁ ଆଦରି ନେଉଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ଆର୍ଜେଣ୍ଟିନା, ବ୍ରାଜିଲ, ମେକ୍ସିକୋ ଅନ୍ୟତମ । କେଉଁ ପ୍ରକାରର ପ୍ରଜାତି ପାଇଁ ପରିବେଶକୁ ଖାପଖୁଆଇ ପାରୁଥିବା କୁକୁଡା ପ୍ରଜାତି ଆପଣାଇବା ଦରକାର । ଏମାନଙ୍କ ମଧ୍ୟରେ ନିକୋବରୀ, ଆସିଲ, ଗିରି ରାଜା, ବନରାଜା, ଗ୍ରାମପ୍ରିୟା ଇତ୍ୟାଦି ଅନ୍ୟତମ । ଏହି କୁକୁଡ଼ାମାନଙ୍କ ପ୍ରଜନନ ପ୍ରାକୃତିକ ଉପାୟରେ ହେବା ଉଚିତ । ହରମୋନ୍ର ପ୍ରୟୋଗ ଏଥିପାଇଁ ବନ୍ଦ କରିବା ଉଚିତ । ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ଖାଦ୍ୟ ଉପାଦାନ ମଧ୍ୟରେ ମକା, ତନ୍ତୁ ଜାତୀୟ ଖାଦ୍ୟ ପଦାର୍ଥ ମଟର, ସୋୟାବିନ୍, ରାଇ ସୋରିଷ ବ୍ୟବହୃତ ହୋଇଥାଏ । ମଟର ୨୫୦- ୩୦୦ ଗ୍ରାମ ପ୍ରତି ୧ କେଜି ଖାଦ୍ୟ ଦାନା ମାଂସ ଉତ୍ପାଦନ କରୁଥିବା କୁକୁଡ଼ା ପାଇଁ ଏବଂ ୧୫୦ ଗ୍ରାମ୍ - ୨୦୦ ଗ୍ରାମ୍ ପ୍ରତି ୧ କେଜି ଖାଦ୍ୟ ଦାନା ଅଣ୍ଡା ଦେଉଥବା କୁକୁଡ଼ା ପାଇଁ ବ୍ୟବହାର କରାଯାଇଥାଏ । ମାଛ ତେଲ ମଧୁ ଖାଦ୍ଯ ଦାନା ଜୋର ବ୍ୟବହାର ହୋଇଥାଏ । ତାହା ଛଡ଼ା ଡାଲି ଜାତୀୟ ଖାଦ୍ୟ ପଦାର୍ଥ ଗୁଣ୍ଡ କରି ଖାଦ୍ୟ ଦାନାରେ ମିଶାଯାଇ ଥାଏ ଯାହା କୃତିମ ଆମିନୋ ଏସିଡ୍ ବ୍ୟବହାରକୁ ପୁରଣ କରିଥାଏ । କଲିଚୂନ ଏବଂ ଫସଫେଟ୍ ଖାଦ୍ୟ ଦାନାରେ ମଧ୍ୟ ମିଶାଯାଇଥାଏ । ତାହାଛଡ଼ା ଗୁଣ୍ଡ ଦୁଧ, ଆଳୁ ଚୋପା କେତେକ ଅଂଶରେ ଖାଦ୍ୟ ଦାନାରେ ମଧ୍ୟ ମିଶାଯାଇଥାଏ । ପାନୀୟ ଜଳରେ କୌଣସି ପ୍ରକାର ଔଷଧ କିମ୍ବା ଆଣ୍ଟି ବାୟୋଟିକ୍ ବ୍ୟବହୃତ ହୋଇନଥାଏ । ସଂଗୃହିତ - ଡା, ରାଜେଶ କୁମାର ସାହୁ