অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଣୀଙ୍କ ଉପରେ ଜଳବାଯୁ ପରିବର୍ତ୍ତନର ପ୍ରଭାବ ଓ ପ୍ରତିକାର

ପ୍ରାଣୀଙ୍କ ସ୍ୱାସ୍ଥ୍ୟ ରକ୍ଷା

 

ସାଧାରଣତଃ ଜଳବାୟୁ ପରିବର୍ତ୍ତନ ବା ବିଶ୍ଵ ଉତ୍ତାପ ବୃଦ୍ଧି ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ସେଗୁଡିକ ହେଲା – (୧) ଜଳ ଉତ୍ପତ୍ତିସ୍ଥଳ ହ୍ରାସ (୨)ଖାଦ୍ୟରେ ପରିବର୍ତ୍ତନ (୩) ଚାରଣ ଭୂମିର କ୍ଷତି (୪) ଜୈବ ବିବିଧତା ଉପରେ ପ୍ରଭାବ ବା ପ୍ରାଣୀ ପ୍ରଜାତିର ବିଲୁପ୍ତ ଆଶଙ୍କା (୫) କୀଟପତଙ୍ଗ-ଟିଙ୍କ, ଉକୁଣି, ଫ୍ଲି, ମାଇଟସ, ମଶା ଓ ଡାଆଁଶଙ୍କ ସଂଖ୍ୟା ବୃଦ୍ଧି (୬) ନୂତନ ରୋଗର ଆବିର୍ଭାବ (୭) ପରିଚାଳନାରେ ପରିବର୍ତ୍ତନ (୮) ମୃତ୍ତିକା କ୍ଷୟ ବୃଦ୍ଧି (୯) ବନ୍ୟ ପ୍ରାଣୀଙ୍କ ବାସସ୍ଥଳୀ ହ୍ରାସ (୧୦)ବାୟୁ ମଣ୍ଡଳ ପ୍ରଦୂଷଣ (୧୧) ଜଙ୍ଗଲ ଜାତ ଦ୍ରବ୍ୟ ହ୍ରାସ ।

ଗୋରୁଙ୍କ ଉପରେ ବିଶ୍ଵବ୍ୟାପୀ ଉତ୍ତାପ ବୃଦ୍ଧିର ପ୍ରଭାବ

ଯେତେବେଳେ ପାରିପାର୍ଶିକ ଉତ୍ତାପ ବୃଦ୍ଧି ଘଟେ,ସେତେବେଳେ ପ୍ରାଣୀମାନେ ଶାରୀରିକ ଉତ୍ତାପ ନିୟନ୍ତ୍ରଣାଧୀନ ରଖିବା ପାଇଁ ଶାରୀରିକ କ୍ରିୟା ଓ ବିପାକ ପ୍ରକ୍ରିୟାରେ ଏକାନ୍ତର ପରିବର୍ତ୍ତନ ଘଟାଇଥାନ୍ତି । ଉପରୋକ୍ତ ପ୍ରକ୍ରିୟା ଦ୍ଵୟରେ ପରିବର୍ତ୍ତନ ଘଟିବା ଯୋଗୁଁ ପ୍ରାଣୀଙ୍କ ବ୍ୟାବହାରିକତା ,ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସମ୍ପାଦନରେ ତାରତମ୍ୟ ବା ବିଚଳନ ଦେଖା ଦେଇଥାଏ । ଉତ୍ତାପ ବୃଦ୍ଧି ପ୍ରାଣୀଙ୍କ ସ୍ୱାସ୍ଥ୍ୟ,ପ୍ରଜନନ, ପୁଷ୍ଟି ଆଦି ଉପରେ ପ୍ରଭାବ ଯୋଗୁଁ ଉତ୍ପାଦନ ପ୍ରଣାଳୀରେ ବାଧା ସୃଷ୍ଟି କରିଥାଏ । ଯାହାକି ଦୁର୍ବଳ କାର୍ଯ୍ୟଦକ୍ଷତା ,ନିମ୍ନମାନର ପ୍ରାଣିଜ ଦ୍ରବ୍ୟ, ନୂତନ ରୋଗର ଆବିର୍ଭାବ ଓ ପ୍ରାଦୁର୍ଭାବର ପରିସ୍ଥିତି ସୃଷ୍ଟି କରିଥାଏ । ଅଧିକ ଉତ୍ପାଦନକ୍ଷମ ଗାଈଙ୍କଠାରେ ଉଚ୍ଚ ବିପାକ ପ୍ରକ୍ରିୟା ହାର ଓ ଅଧିକ ଉତ୍ତାପ ସୃଷ୍ଟି ସହିତ ବୃକକ,ପାକସ୍ଥଳୀ,ଆନ୍ତ୍ରିକ ଅଂଶରେ ଜଳଧାରଣ ରହିତ କ୍ଷମତା କମ ଥିବା ହେତୁ ଅନ୍ୟାନ୍ୟ ରୋମନ୍ଥନ ପ୍ରାଣୀଙ୍କ ଅପେକ୍ଷା ଉତ୍ତାପ ସହନଶୀଳ ଶକ୍ତି କମ ଦେଖାଯାଏ । ସେହିପରି ଗର୍ଭଣୀ ଗାଈ ,ପ୍ରସବିତ ଗାଈ ଓ ଦୁଗ୍ଧ ଦେଉଥିବା ଗାଈଙ୍କ ଉପରେ ବାହ୍ୟ ଉତ୍ତାପର ପ୍ରଭାବ ବିଶେଷ ଦେଖାଯାଇଥାଏ । ପ୍ରାଣିଜ ବିଭିନ୍ନ ପଦାର୍ଥ ଉତ୍ପାଦନ ତଥା ବିଭିନ୍ନ ପ୍ରଜାତିର ଉତ୍ପାଦନ ଦକ୍ଷତା ,ପୂର୍ବ ଅଭିଜ୍ଞତା ଅନୁଯାୟୀ ଶରୀର ଉପରେ ଉତ୍ତାପ ବୃଦ୍ଧିର ପ୍ରଭାବ ଫରକ ବା କମ ବେଶି ହୋଇଥାଏ । ଆମ ଦେଶ ତଥା ରାଜ୍ୟରେ ଦେଶୀ ବା ଜେବୁ ପ୍ରଜାତି(ବସ ଇଣ୍ଡିକସ)ର ଗୋରୁଙ୍କ ଉତ୍ତାପ ସହନଶୀଳ ଗୁଣସୁତ୍ର ଶକ୍ତି ଅଧିକ ନିହିତ ଥିବା ଯୋଗୁଁ ଶଙ୍କର ଗାଈଗୋରୁ (ବସ ଟରସ) ପ୍ରଜାତି ଅପେକ୍ଷା ଏମାନେ ଜଳବାୟୁ ପରିବର୍ତ୍ତନ ଓ ବାହ୍ୟ ଉତ୍ତାପ ବୃଦ୍ଧି ହେଲେ ମଧ୍ୟ ପରିବେଶ ସହିତ ଖାପ ଖୁଆଇ ବେସ ଚଳିପାରନ୍ତି । ଜଳବାୟୁ ପରିବର୍ତ୍ତନ ବା ବାହ୍ୟ ଉତ୍ତାପ ବୃଦ୍ଧି ବିଭିନ୍ନ ପ୍ରାଣୀଙ୍କ ଉପରେ ପଡୁଥିବା ପ୍ରଭାବ ଏବଂ ତାର ପ୍ରତିକାର ନିମ୍ନରେ ପ୍ରଦାନ କରାଗଲା ।

ଶୁଷ୍କ ଖାଦ୍ୟଖାଇବା ଉପରେ ବାହ୍ୟ ଉତ୍ତାପ ବୃଦ୍ଧି ବା ଜଳବାୟୁ ପରିବର୍ତ୍ତନର ପ୍ରଭାବ

ପ୍ରାଣୀମାନଙ୍କ ଉତ୍ତାପ ନିୟନ୍ତ୍ରଣ ଜନିତ ଶାରୀରିକ ପ୍ରୟାସ କ୍ଷୁଧା ଶକ୍ତି କମାଇବାର ଏକ କୌଶଳ ବା ମାଧ୍ୟମ ହୋଇଥାଏ । ଜଦ୍ଦ୍ଵାରା ବିକାଶ ପ୍ରକ୍ରିୟାର ହାର କମିଯିବା ସହିତ ଶରୀରର ପୃଷ୍ଟିସାଧାନ ଉତ୍ପାଦନର ରାସାୟନିକ ପ୍ରକ୍ରିୟା ଦ୍ଵାରା ଜାତ ଉତ୍ତାପ ଶକ୍ତି ହ୍ରାସ ପାଇଥାଏ । ତେଣୁ ପ୍ରାଣୀମାନେ କମ ଶୁଷ୍କ ଖାଦ୍ୟ ବା ନଡା କୁଟା ଦାନା ଆଦି ଖାଇବା ଦ୍ଵାରା ସେମାନଙ୍କର ପାକସ୍ଥଳୀରେ ହଜମ ପ୍ରକ୍ରିୟା ଓ ପୁଷ୍ଟି ବିକାଶ କ୍ରିୟା ହ୍ରାସ ପାଇବା ଫଳରେ ପ୍ରକାରାନ୍ତରେ କମ ଶାରୀରିକ ଉତ୍ତାପ ସୃଷ୍ଟି ହେବା ଯୋଗୁଁ ଶାରୀରିକ ଉତ୍ତାପର ଭାରସାମ୍ୟ ରକ୍ଷା ହୋଇଥାଏ । ଯେତେବେଳେ ବାୟୁମଣ୍ଡଳରେ ଉତ୍ତାପ ୨୫ ରୁ ୨୭ ଡ଼ିଗ୍ରୀ ସେଣ୍ଟିଗ୍ରେଡରୁ ଉର୍ଦ୍ଧ୍ଵରେ ରହେ ,ସେତେବେଳେ ପ୍ରାଣୀଙ୍କ ଖାଦ୍ୟ ଖାଇବା ଇଚ୍ଛାଶକ୍ତି ୧୦ ରୁ ୩୫ ପ୍ରତିଶତ କମିଯାଏ । ବୈଜ୍ଞାନିକ ମାନେ ଗବେଷଣା କରି ଦେଖିଛନ୍ତି ଯେ –ଯେଉଁ ଗାଈଗୋରୁ ଖରାଦିନେ ରୌଦ୍ରତାପ ସମୟରେ ଦିନତମାମ ବାହାରେ ରହନ୍ତି , ସେମାନଙ୍କର ୫୬ପ୍ରତିଶତ କ୍ଷୁଧା ବା ଭୋକ କମିଯାଏ । ରାତ୍ରର ଥଣ୍ଡା ପ୍ରହରରେ ଏହି ଖାଇବାର ଇଚ୍ଛାଶକ୍ତି ୧୯ପ୍ରତିଶତକୁ ବୃଦ୍ଧି ପାଇଥାଏ । ତେଣୁ ମୋଟ ଉପରେ କହିବାକୁ ଗଲେ ,ଦିନବେଳେ ବାହ୍ୟ ଉତ୍ତାପ ବୃଦ୍ଧି ସମୟରେ ଗୁହାଳରେ ରହିଥିବା ପ୍ରାଣୀ ବା ଶଙ୍କର ଜାତୀୟ ଗୋରୁଙ୍କ ଅପେକ୍ଷା ବାହାରେ ରହିଥିବା ଗୋରୁଙ୍କ କ୍ଷୁଧାଶକ୍ତି ୧୩ ପ୍ରତିଶତ ହ୍ରାସ ପାଇଥାଏ । ଦାନା ଅପେକ୍ଷା ଶୁଷ୍କ ଜାତୀୟ ତନ୍ତୁଯୁକ୍ତ ଖାଦ୍ୟ କମ ଖାଇବା ଗୋରୁଙ୍କ ଠାରେ ପରିଲକ୍ଷିତ ହୁଏ । ଏତଦବ୍ୟତୀତ ଅତ୍ୟଧିକ ଖରା ସମୟରେ ପାକସ୍ଥଳୀର ଗତିଶୀଳ ପ୍ରକ୍ରିୟା କମିଯିବା ସହିତ ପ୍ରାଣୀମାନେ ଅଧିକ ପାଣି ପିଇବା ଯୋଗୁଁ ପାକସ୍ଥଳୀ ଭରପୁର ରହିବା ଫଳରେ ମଧ୍ୟ ଶୁଷ୍କ ଜାତୀୟ ଖାଦ୍ୟ ଖାଇବା ଶକ୍ତି କମିଯାଏ । ଏହି ଉତ୍ତାପ ଚାପ ପ୍ରାଣୀମାନଙ୍କର ମସ୍ତିସ୍କରେ ଥିବା ହାଇପୋଥାଲାମସସ୍ଥିତ ଆପେଟାଇଟ ସେଣ୍ଟରରେ ସିଧାସଳଖ ଭାବେ ପଡିବା ଯୋଗୁଁ ଶୁଷ୍କ ବା ଦାନା ଜାତୀୟ ଖାଦ୍ୟ ଖାଇବା ପ୍ରତି ଆଗ୍ରହ ଗାଈଗୋରୁଙ୍କର କମିଯାଏ ।

ତେଣୁ ଜଳବାୟୁର ଉପରୋକ୍ତ ପ୍ରଭାବରୁ ଗାଈଗୋରୁମାନଙ୍କୁ ସୁରକ୍ଷା ଦେବାକୁ ହେଲେ ଖରାଦିନେ ଦିନବେଳେ ବାହାରକୁ ନାଛାଡିବା ସହିତ ଗୁହାଳେ ବା ଥଣ୍ଡା ଛାଇ ସ୍ଥାନରେ ରଖି ରୋଷେଇଘରର ପନିପରିବା ଚୋପା,ଶାଗଖଣ୍ଡ,ପେଜ,ତୋରାଣି,କାକୁଡି,ତରଭୁଜ ଚୋପା ଆଦି ସହିତ ସବୁଜ ଘାସ, ସାଇଲେଜ ଘାସ, ଆଜୋଲା,ଗଛଲତା ଡାଳପତ୍ର ଖାଇବାକୁ ବା ଦାନା ସହିତ ଲୁଣ ୫୦ଗ୍ରାମ ଓ ଧାତବ ଲବଣ ମିଶ୍ରିତ ଗୁଣ୍ଡ ପାଉଡର ୪ ରୁ ୬ ଚାମଚ ଦୈନିକ ଗୋଟିଏ ପ୍ରାପ୍ତବୟସ୍କ ଗୋରୁଙ୍କୁ ଖାଇବାକୁ ଦେବା ଉଚିତ । ଏହି ତିରୋଟ ସମୟରେ ଆଜୋଲା ଚାଷକରି ଆବଶ୍ୟକତା ଅନୁଯାୟୀ ଦାନାର ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଖାଇବାକୁ ଦେବା ଉଚିତ । କାରଣ ଏହି ଆଜୋଲାରେ ୯୦ ରୁ ୯୨ ପ୍ରତିଶତ ଜଳୀୟ ଅଂଶ ବା ଜଳ ଥିବା ବେଳେ ୧୦ ରୁ ୧୨ ପ୍ରତିଶତ ଜୈବ-କର୍ମଠ ପଦାର୍ଥ ନିହିତ ଥାଏ । ଏଥିରେ ଶର୍କରା ଜାତୀୟ ଉପାଦାନ କମ ଏବଂ ପୃଷ୍ଟିସାର ଜାତୀୟ ଉପାଦାନ ଅଧିକ ପରିମାଣରେ ଥାଏ । ତେଣୁ ଏହା ଗାଇଙ୍କୁ ଖାଇବାକୁ ଦେବା ଦ୍ଵାରା ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥାଏ ଏବଂ ବାହ୍ୟ ଉତ୍ତାପ ବୃଦ୍ଧିର ପ୍ରଭାବ ଏମାନଙ୍କ ଉପରେ ପଡିନଥାଏ । ତେଣୁ ଗୁହାଳକୁ ଖରାଦିନେ ଥଣ୍ଡା ପରିବେଶରେ ରଖିବାକୁ ହେଲେ ଗୁହାଳ ଚତୁଃପାର୍ଶ୍ଵରେ ଝଙ୍କାଳିଆ ପତ୍ରାବହୁଳ ଗଛ ଲଗାଇବା ଉଚିତ । ଖରାଦିନେ ଗାଈଗୋରୁଙ୍କୁ ଦିନକୁ ଥରେ ଏବଂ ଆବଶ୍ୟକସ୍ଥଳେ ୨ ରୁ ୩ ଥର ଗାଧୋଇଦେବା ଉଚିତ ।

ଆଧାର : ଡକ୍ଟର ବୀରକିଶୋର ପରିଡା, ଉପନିର୍ଦେଶକ,ପ୍ରାଣୀଧନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate