অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫାଟୁଆ ରୋଗ ଉନ୍ମୁଳନ

ଫାଟୁଆ ରୋଗ ଉନ୍ମୁଳନ

ଫାଟୁଆ ରୋଗ

ଫାଟୁଆ ଏକ ମାରାତ୍ମକ ଭୂତାଣୁଜନିତ ରୋଗ, ଯାହାକି ପ୍ରାୟ ସମସ୍ତ ଦ୍ଵିଖୁରା ବିଶିଷ୍ଟ ପ୍ରାଣୀ ଯଥା ଗୋରୁ, ମଇଁଷି, ଛେଳି, ମେଣ୍ଢା ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କୁ ହୋଇଥାଏ । ଏ ରୋଗରେ ମୁଖ୍ୟତଃ ପ୍ରାଣୀଙ୍କ ପାଟି ଓ ଗୋଡ଼ ସନ୍ଧିରେ ଘା' ହୋଇଥାଏ । ଫଳରେ ସେମାନେ ଖାଇବା ଓ ଚଲାବୁଲା କରିପାରନ୍ତି ନାହିଁ । ଛୋଟ ବାଛୁରୀ ଓ ସଙ୍କର ଜାତୀୟ ବାଛୁରୀଙ୍କଠାରେ ଏ ରୋଗର ଲକ୍ଷଣ ଦେଖାନ ଯାଇ ମଧ୍ୟ ମରିଯାଇଥାନ୍ତି । ଏଣ୍ଟେରୋଭାଇରସ୍ ନାମକ ଭୂତାଣୁ ଯୋଗୁ ଏ ରୋଗ ହିଁ ହୋଇଥାଏ ।

ଏ ଭୂତାଣୁ ମୁଖ୍ୟତଃ ୭ ପ୍ରକାର ଯଥା ଓ. ଏ. ସି. ଏସିଆ ୧ ଓ ସାଉଥ ଆଫ୍ରିକାନ୍ ଟାଇପ୍ ୧, ୨ ଓ ୩ । ତେବେ ଏହି ୭ ପ୍ରକାରର ଭୂତାଣୁଙ୍କର ଆହୁରି  ଅନେକ   ଉପଜାତି ଅଛନ୍ତି । ତେଣୁ ଗୋଟିଏ ଶ୍ରେଣୀର ଭୂତାଣୁକୁ ନେଇ ପ୍ରତିଷେଧକ  ଟୀକା ତିଆରି କଲେ ତାହା ଅନ୍ୟ ଉପଜାତି ଦ୍ଵାରା ରୋଗ।

ସଂଘଟିତ ହେଲେ ତାକୁ ପ୍ରତିରୋଧ କରିପାରି ନଥାଏ ।  ଏହି   ଭୂତାଣୁ ସଂକ୍ରମିତ ଗୁହାଳରେ ଉପଯୁକ୍ତ ପରିବେଶ ପାଇଲେ ବର୍ଷାଧିକ କାଳ ବଞ୍ଚି ରହିପାରନ୍ତି । ଫଳରେ ରୋଗର ଉତ୍ସ ହୋଇ ରହିଥାନ୍ତି । ଭୂତାଣୁ ଖାଦ୍ୟ, ଜଳ, ପବନ ଏପରିକି ସଂସ୍ପର୍ଶ ଦ୍ଵାରା ପ୍ରାଣୀ ଶରୀରକୁ ପ୍ରବେଶ କରିଥାନ୍ତି ଓ ପ୍ରବେଶର ୭-୮ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ କରିଥାନ୍ତି । ଭୂତାଣୁ ଆକ୍ରାନ୍ତ ପ୍ରାଣୀର ଲାଳ, ଝାଡ଼ା, ପରିସ୍ରା ଓ ଶୁକ୍ରରେ ମଧ୍ୟ ରହିଥାନ୍ତି  ଏବଂ ସଂକ୍ରମଣର ଉତ୍ସ ପାଲଟିଥାନ୍ତି । ରୋଗଣା ପ୍ରାଣୀଙ୍କଠାରୁ ଭୂତାଣୁ ଗୋଟିଏ ସ୍ଥାନତୁ  ଅନ୍ୟ ସ୍ଥାନକୁ ଯାଇଥାନ୍ତି ।

ଲକ୍ଷଣ

ଭୂତାଣୁ ୭-୮ ଦିନ ପରେ ପ୍ରାଣୀଙ୍କୁ ୧୦୪-୧୦୬ ଡିଗ୍ରୀ ଯାଏ  ଜ୍ଵର ହୁଏ । ପ୍ରାଣୀ ଖାଇବା ପିଇବା ବନ୍ଦ କରିଦିଏ । ଏହାପରେ  ପାଟି ଭିତରେ ଓ ଖୁରା ସନ୍ଧିରେ ଘା’ ହୁଏ । ପାଟିରୁ ଲାଳ ଗଡେ। ଜିଭରେ ପ୍ରଥମେ ଫୋଟକା ସୃଷ୍ଟି ହୁଏ ଓ ପରେ ତାହା ଫାଟିଯାଏ । ଫଳରେ ବେଳେବେଳେ ଜିଭର ଉପର ଚମ ଉତୁରିଯାଏ । ଦାନ୍ତମୂଳ, ମାଢିରେ ମଧ୍ୟ ଘା’ ହୁଏ । ଖୁରାସନ୍ଧିର ଘା’ରେ ମାଛି ବସିବା ଫଳରେ ପୋକ ହୋଇଯାନ୍ତି ଓ ଘା’କୁ ଆହୁରି ବଢାଇ ଦିଅନ୍ତି ।

ବେଳେବେଳେ ଚିର ଓ ପହ୍ନାରେ  ମଧ୍ୟ ଘା’ ହୋଇଥାଏ । ସୁତରାଂ ଏହାଦ୍ଵାରା ଥନହରା ରୋଗ ମଧ୍ୟ ହୋଇପାରେ । ଗର୍ଭବତୀ ପ୍ରାଣୀଙ୍କ ଗର୍ଭପାତ ମଧ୍ୟ ହୋଇଯାଏ । ରୋଗଣା ପ୍ରାଣୀଙ୍କଠାରୁ ଗୁହାଳ, ଖାଦ୍ୟ ଓ ଜଳପାତ୍ର, ଚାରଣଭୂମି, ନଡ଼ା ପାଳ ଘାସ, ଦାନା ଇତ୍ୟାଦିରେ ଭୂତାଣୁ ରହି ଅନ୍ୟ ପ୍ରାଣୀଙ୍କୁ ରୋଗ ସଂକ୍ରମିତ କରିଥାନ୍ତି ।

କ'ଣ କରିବେ

ଗୁହାଳ ଓ ଚଟାଣକୁ ୨% ସୋଡ଼ାପାଣି ବା ୧% ଫର୍ମାଳନରେ ବିଶୋଧନ କରନ୍ତୁ  । ଫାଟୁଆ ରୋଗ ହେଲେ ଚାଷା ବହୁ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ସଙ୍କର ଜର୍ସ, ହଲଷ୍ଟିନ ଇତ୍ୟାଦି, ଗାଈ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାନ୍ତି । ମୃତ୍ୟୁ ନ ହେଲେ ମଧ୍ୟ ଉତ୍ପାଦନ ଖୁବ୍ ହ୍ରାସ ପାଏ । ଚିକିତ୍ସା ବ୍ୟୟବହୁଳ ଓ ଶ୍ରମସାପେକ୍ଷ ।

ରୋଗର ପ୍ରତିରୋଧ ପାଇଁ ପ୍ରତିବର୍ଷ ନିୟମିତ ଟିକା ଦେବା ଜରୁରୀ । ଅନେକ କ୍ଷେତ୍ରରେ ଗାଈ କିମ୍ବା ଗୋଠରେ ଫାଟୁଆ ରୋଗ ହେଲେ ଲୋକେ ଟିକା ଦେବା ଚିନ୍ତା କରିଥାନ୍ତି, ମାତ୍ର ଟିକାକୁ ସମ୍ପୂର୍ଣ୍ଣ ଫଳପ୍ରଦ ହେବାକୁ ୧୫-୨୦ ଦିନ ଲାଗିଯାଏ । ତେଣୁ ଏହା ରୋଗ ପ୍ରତିରୋଧ କରିବାକୁ ସକ୍ଷମ ହୋଇ ନ ଥାଏ । ଏବେ ରାଜ୍ୟ ସରକାର ଫାଟୁଆ ରୋଗକୁ ରାଜ୍ୟରୁ ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ବ୍ୟାପକ ଟିକାଦାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଫଳରେ ଚାଷାଙ୍କ ସମସ୍ତ ଗୋରୁ, ମଇଁଷି, ଛେଳି, ମେଣ୍ଢା,  ଘୁଷୁରିଙ୍କୁ ବର୍ଷକୁ ଅନ୍ତତଃ ଥରେ ଟିକା ଦିଆଯିବା ଦରକାର । ତେଣୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀଙ୍କୁ ଜନସାଧାରଣ ସହଯୋଗ କରି ଗ୍ରାମର ସମସ୍ତ ଦ୍ଵିଖୁରା ବିଶିଷ୍ଟ ଗୃହପାଳିତ ପ୍ରାଣୀଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଇବା ଆବଶ୍ୟକ ।

ଆଧାର – ଡ଼ା.ପ୍ରତାପ କିଶୋର ଖମାରୀ ମୋ -୯୪୩୮୮୩୭୦୧୦, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସମ୍ବଲପୁର



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate