ବଜବଜିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର
ବାଛୁରୀଙ୍କୁ ଏହି ରୋଗ ହେବାର କାରଣ
ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ । ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ । ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ । ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ । ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :-
ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ ବୃଦ୍ଧି ପାଇବା ।
- ଅତ୍ୟଧିକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଖାଇ ଜୀର୍ଣ୍ଣ ନହେବା ।
- ମାତ୍ରାଧିକ ଶାରୀରିକ ପରିଶ୍ରମ ଯୋଗୁଁ କ୍ଳାନ୍ତ ଅନୁଭବ କରିବା ।
- ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ପାଇବା ।
- ସୁସ୍ଥ ସବଳ ବାଛୁରୀର ଶରୀରରେ କ୍ଷତ ସୃଷ୍ଟି ହେବା ।
- ସଂକ୍ରମିତ ଗୋଚରରେ ବାଛୁରୀଙ୍କୁ ଚରିବାକୁ ଛାଡ଼ିବା ।
- ମୃତ ବାଛୁରୀଙ୍କୁ ଏଣେ ତେଣେ ଫିଙ୍ଗିବା ଦ୍ୱାରା ମାଟି ସଂକ୍ରମିତ ହେବା ଇତ୍ୟାଦି ।
ରୋଗର ମୁଖ୍ୟ ଲକ୍ଷଣ
ବାଛୁରୀ ଶରୀରର ଉତ୍ତାପ ୧୦୩ ଡିଗ୍ରୀରୁ ୧୦୪ ଡିଗ୍ରୀ ଫରେନହାଇଟକୁ ବୃଦ୍ଧି ପାଇଥାଏ ।
- ଶରୀରରେ ରୋଗ ବୃଦ୍ଧି ପାଇଲେ ବାଛୁରୀ କିଛି ନଖାଇ ପଡ଼ିରୁହେ ।
- ଆଗ ଗୋଡ଼ ଉପରର କାନ୍ଧ ଅଂଶ କିମ୍ବା ପଛ ଗୋଡ଼ର ଚଟୁଆ ଅଂଶ ଫୁଲିଯାଏ ଏବଂ ଫୁଲା ସ୍ଥାନରେ ଗ୍ୟାସ ସୃଷ୍ଟି ହେବା ଯୋଗୁଁ ହାତରେ ଚିପିଲେ କଡ଼ କଡ଼ ଶବ୍ଦ ହୁଏ ।
- ବାଛୁରୀର ପଛ ଗୋଡ଼ ଆକ୍ରାନ୍ତ ହେଲେ ବାଛୁରୀ ଛୋଟାଇଥାଏ ଏବଂ ଆଗ ଗୋଡ଼ ସଂକ୍ରମିତ ହେଲେ ବାଛୁରୀ ଛିଡ଼ା ନହୋଇପାରି ଚିତ୍ପଟାଙ୍ଗ ଅବସ୍ଥାରେ ପଡ଼ିରୁହେ ।
- ବାଛୁରୀ ଥରିବା ସହିତ ଆକ୍ରାନ୍ତ ମାଂସପେଶୀଗୁଡ଼ିକ ଘନ ଘନ ସଂକୋଚନ ପ୍ରସାରଣ ହୋଇଥାଏ ।
- ଚିକିତ୍ସା ଅବହେଳା କଲେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ବାଛୁରୀର ମୃତ୍ୟୁ ହୋଇଥାଏ ।
ଏଥିପାଇଁ ଆକ୍ରାନ୍ତ ବାଛୁରୀର ସଂକ୍ରମିତ ମାଂସ ଟ୍ୱିସ୍ୟୁର ମୁଦ୍ରିତକରଣ ସ୍ମିଅର୍ (Impression Smear), କ୍ଷତ ସ୍ଥାନରୁ ନିର୍ଗତ ତରଳ ପଦାର୍ଥ (Exudate) ଓ ସଂକ୍ରମିତ ମାଂସର କ୍ଷୁଦ୍ରାଂଶକୁ ବରଫ ସାହାଯ୍ୟରେ ପରୀକ୍ଷା ପାଇଁ ପଠାଇବାକୁ ହୋଇଥାଏ ।
ରୋଗର ନିୟନ୍ତ୍ରଣ
- ବର୍ଷକୁ ଦୁଇଥର ୬ମାସରୁ ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍ୱଳ୍ପ ବୟସ୍କ ବାଛୁରୀଙ୍କୁ ବର୍ଷା ଏବଂ ଶୀତଦିନ ଆରମ୍ଭ ବେଳକୁ ଟୀକା ପ୍ରଦାନ କରିବା ଆବଶ୍ୟକ ।
- ମୃତ ବାଛୁରୀଙ୍କୁ ଗଭୀର ଗାତ କରି ପୋତିବା ପରେ ଚୂନ ବା କଷ୍ଟିକ ସୋଢ଼ା ପକାଇବା ଦରକାର ।
- ସୁସ୍ଥ ସବଳ ବାଛୁରୀଙ୍କୁ ରୋଗାକ୍ରାନ୍ତ ବାଛୁରୀଙ୍କଠାରୁ ଦୂରେଇ ରଖିବାକୁ ପଡେ଼ ।
- ସାଧାରଣତଃ ମାଟିରୁ ଏହି ଜୀବାଣୁ ବାଛୁରୀଙ୍କୁ ସଂକ୍ରମିତ କରିଥାନ୍ତି । ତେଣୁ ଉକ୍ତ ସ୍ଥାନ ଚିହ୍ନଟ କରି ବାଛୁରୀକୁ ସେଠି ଚରିବାକୁ ନଛାଡ଼ିଲେ ଭଲ ।
- ରୋଗ ଆରମ୍ଭ ହେବା ମାତ୍ରେ ସେଙ୍ଗ ସେଙ୍ଗ ପଶୁଚିକିତ୍ସଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବା ଉଚିତ୍ ।
- ଗୁହାଳ ତଥା ବାଛୁରୀଙ୍କ ଖାଦ୍ୟ ଏବଂ ପାନୀୟକୁ ନିୟମିତ ଭାବେ ପରିଷ୍କାର ଓ ବିଶୋଧନ କରିବା ଆବଶ୍ୟକ ।
- ଗୁହାଳରେ ଆବଶ୍ୟକ ମୁତାବକ ଗୋରୁ ରଖିବା ସହିତ ମୁକ୍ତ ବାୟୁ ଓ ସୂର୍ଯ୍ୟାଲୋକ ପ୍ରବେଶ ପାଇଁ ବ୍ୟବସ୍ଥା କରିବା ନିହାତି ଜରୁରୀ ।
ପ୍ରତିଷେଧକ ଟିକା (ଓ.ବି.ପି.ଆଇ.)
ବି.କ୍ୟୁ.ଭ୍ୟାକ୍ସିନ୍ (ବାଇଭାଲାଣ୍ଟ) – ୫ ମି.ଲି. ଚମାଡ଼ା ତଳେ ଏବଂ ବୁଷ୍ଟର ଡୋଜ୍ ୧୦ମ ଦିନ – ୫ ମି.ଲି. ଚମଡ଼ାତଳେ ଦିଆଯାଇଥାଏ । ଏହି ଟିକା କେବଳ ୬ ମାସରୁ ୨ ବର୍ଷର ବାଛୁରୀଙ୍କୁ ଦେବା ଉଚିତ୍ ।
ଆଧାର - "ସଂକଳ୍ପ ଓଡ଼ିଶା"
Last Modified : 7/5/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.