অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅମଳ ଶସ୍ୟ ସଂରକ୍ଷଣ

ଅଧିକ ଫସଲ ଉତ୍ପାଦନ ଲାଗି ପ୍ରୟାସ

କ୍ରମବର୍ଦ୍ଧିଷ୍ଣୁ  ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମର କୃଷକମାନେ ଅହରହ  ଅକ୍ଲାନ୍ତ ପରିଶ୍ରମ କରି ସୀମିତ ଚାଷ ଜମିରୁ ଅଧିକ ଫସଲ ଉତ୍ପାଦନ ଲାଗି ପ୍ରୟାସ କରୁଛନ୍ତି  । କିନ୍ତୁ ଅମଳ କରୁଥିବା ଖାଦ୍ୟଶସ୍ୟର ଉପଯୁକ୍ତ ସଂରକ୍ଷଣ ଅଭାବରୁ ପ୍ରାୟ ଶତକଡା ୯.୩୩ ଭାଗ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଥାଏ  କିମ୍ବା ଖାଦ୍ୟ ସକାଶେ ଅନୁପଯୁକ୍ତ ହୋଇଥାଏ  ।

ତେବେ ଚାଷୀମାନେ ବିଭିନ୍ନ ପାରମ୍ପରିକ ପଦ୍ଧତିରେ ଉପଯୁକ୍ତ ସାଇତା ପ୍ରଣାଳୀ ଅବଲମ୍ବନ କଲେ ସାଇତା ଖାଦ୍ୟଶସ୍ୟର ସମ୍ଭାବ୍ୟ କ୍ଷୟକ୍ଷତିକୁ ସୁବିଧାରେ, ନିରାପଦରେ ଏବଂ କମ୍ ଖର୍ଚ୍ଚରେ ରୋକାଯାଇପାରିବ  ।

ପାରମ୍ପରିକ ପଦ୍ଧତିରେ ଅମଳ ଶସ୍ୟର ସାଇତା

ଆମ ରାଜ୍ୟର ଚାଷୀମାନଙ୍କ ଅବଗତି ନିମନ୍ତେ ପାରମ୍ପରିକ ପଦ୍ଧତିରେ ଅମଳ ଶସ୍ୟର ସାଇତା ନିମ୍ନରେ ପ୍ରଦାନ କରାଯାଇଛି –

ନିମ୍ବ ମଞ୍ଜି :

୫୦୦ ଗ୍ରାମ ନିମ୍ବ ମଞ୍ଜି ଗୁଣ୍ଡକୁ ଏକ ଲିଟର ପାଣିରେ ମିଶାଇ ଭଲ ଭାବରେ ଘାଣ୍ଟନ୍ତୁ  । ସେହି ଦ୍ରବଣକୁ ପ୍ରାୟ ୧୨ ଘଣ୍ଟା ଛାଡି ଦିଅନ୍ତୁ  । ପରେ ଏହି ଦ୍ରବଣକୁ ପ୍ରତି ଏକ କେ.ଜି. ବିହନ ପିଛା ୫ ମି.ଲି. ହିସାବରେ ଗୋଳାଇ ଛାଇ ଜାଗାରେ ଭଲ ଭାବରେ ଶୁଖାଇ ଦିଅନ୍ତୁ  । ଧାନର ଭମା ପୋକ, ମୁଗ, ବିରି, ହରଡ ପ୍ରଭୃତି ଡାଲି ଶସ୍ୟର ଭୃଙ୍ଗପୋକ ଇତ୍ୟାଦିକୁ ଏହାଦ୍ଵାରା ସାଇତା ସମୟରେ ଠିକ ଭାବରେ ନିୟନ୍ତ୍ରଣ କରାଯାଇପାରିବ  । ନିମ୍ବ ମଞ୍ଜି ଗୁଣ୍ଡକୁ  ମଧ୍ୟ ସିଧାସଳଖ ଶସ୍ୟ ସହିତ ଶତକଡା ୧ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ନିୟନ୍ତ୍ରଣ ହୋଇଥାଏ  ।

ନିମ୍ବ ପତ୍ର :

ଏହାକୁ ଶୁଖାଇ ଗୁଣ୍ଡକରି ପ୍ରତି ଏକ କେ.ଜି. ବିହନରେ ୫୦ ଗ୍ରାମ ହିସାବରେ ମିଶାଇ ରଖିଲେ ମୁଗ, ବିରି ଇତ୍ୟାଦି ଡାଲି ଜାତୀୟ ବିହନରେ ପ୍ରାୟ ପୋକ ଲାଗନ୍ତି ନାହିଁ  । ଏହି ବିହନଗୁଡିକୁ ପରବର୍ତ୍ତୀ ଅବସ୍ଥାରେ ପୁଣିଥରେ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ  ।

ନିମ୍ବ ତେଲ :

ଡାଲି ଦାନାରେ ୦.୫ ପ୍ରତିଶତ ନିମ୍ବ ତେଲ ମିଶାଇଲେ କୀଟ ନିୟନ୍ତ୍ରଣ ହୋଇଥାଏ  ।

ଲଙ୍କା ମରିଚ :

ଶୁଖିଲା ଗୋଟା ଲଙ୍କାକୁ ଶସ୍ୟ ସହିତ ସାଇତି ରଖିଲେ ସାଇତା ଶସ୍ୟରେ ଲାଗୁଥିବା ପୋକ ବିଶେଷକରି ଚାଉଳ ଘୁଣି ପୋକ ଇତ୍ୟାଦି ଦମନ କରିହୁଏ  । ଲଙ୍କା ଗୁଣ୍ଡକୁ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ ।

କରଞ୍ଜ ପତ୍ର :

କରଞ୍ଜ ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ  ।

ବେଲ ଓ କରଡାପତ୍ର :

ବେଲ କିମ୍ବା କରଡା ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶତକଡା ୧ ଭାଗ ଅନୁପାତରେ ଶସ୍ୟ ସହିତ ଭଲ ଭାବରେ ମିଶାଇ ସାଇତି ରଖିଲେ ପୋକ ଆକ୍ରମଣରୁ ରକ୍ଷା ମିଳିଥାଏ  ।

ବେଗୁନିଆ, ପୋକଶୁଙ୍ଘା ଓ ଦୁଦୁରାପତ୍ର :

୧ କେ.ଜି. ମୁଗ, ବିରି କିମ୍ବା ହରଡ ବିହନରେ ୫୦ ଗ୍ରାମ ବେଗୁନିଆ, ପୋକଶୁଙ୍ଘା କିମ୍ବା ଦୁଦୁରାପତ୍ରର ଗୁଣ୍ଡକୁ ମିଶାଇ ସାଇତି ରଖିଲେ କୌଣସି କୀଟ ଲାଗନ୍ତି ନାହିଁ  ।

କନିଅର, କୋଚିଲା ଓ ଦୁଦୁରା ମଞ୍ଜି

କନିଅର, କୋଚିଲା ଓ ଦୁଦୁରା ମଞ୍ଜିକୁ ଭଲ ଭାବରେ ଖରାରେ ଶୁଖାଇ ଗୁଣ୍ଡ କରନ୍ତୁ   । ସେଥିରୁ ୫୦ ଗ୍ରାମ ନେଇ ଏକ ଲିଟର ପାଣି ମିଶାନ୍ତୁ   । ପ୍ରତି ୧ କେ.ଜି. ବିହନ ପିଛା ଉପରୋକ୍ତ ମିଶ୍ରଣକୁ ୩ ମି.ଲି.ହିସାବରେ ଗୋଳାଇ ଛାଇରେ ଶୁଖାଇ ରଖିଲେ ସେଥିରେ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ କୌଣସି ପୋକ ଲାଗନ୍ତି  ନାହିଁ  ।

ଲଙ୍କା ମରିଚ

ଶୁଖିଲା ଗୋଟା ଲଙ୍କାକୁ ଶସ୍ୟ ସହିତ ସାଇତି ରଖିଲେ ସାଇତା ଶସ୍ୟରେ ଲାଗୁଥିବା ପୋକ ବିଶେଷକରି ଚାଉଳ ଘୁଣି ପୋକ ଇତ୍ୟାଦି ଦମନ କରିହୁଏ  । ଲଙ୍କା ଗୁଣ୍ଡକୁ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ ।

ରସୁଣ

ରସୁଣ ଅର୍କକୁ ଶସ୍ୟ ଜାତୀୟ ମଞ୍ଜି, ଚାଉଳ ଇତ୍ୟାଦିରେ ମିଶାଇ ରଖିଲେ ବିଶେଷତଃ ଖପରା ପୋକ ପ୍ରାୟ ନିୟନ୍ତ୍ରଣ ହୋଇଥାଏ

ହଳଦୀ

ଚାଉଳ ସହିତ ଶତକଡା ୧ ଭାଗ ଅନୁପାତରେ ହଳଦୀଗୁଣ୍ଡ ମିଶାଇ ରଖିଲେ ଚାଉଳରେ ଶୁଣ୍ଢାପୋକ ଲାଗନ୍ତି ନାହିଁ  ।

ଖାଇବା ତେଲ

ନଡିଆ, ରାଶି, ସୋରିଷ, ଜଡା, ସୂର୍ଯ୍ୟମୁଖୀ, ଚିନାବାଦାମ, ପେଷୁ, ଟୋଲ, ଅଳସୀ, ବନସ୍ପତି, ପାମ ତେଲ, ରିଫାଇନ ତେଲ ଇତ୍ୟାଦି ଖାଇବା ତେଲ ଡାଲିଦାନାରେ ୦.୩ ପ୍ରତିଶତ ଗୋଳାଇ ରଖିଲେ କୀଟ ନିୟନ୍ତ୍ରଣ ହୋଇଥାଏ  ।

ଆତ ବା ସୀତାଫଳ ପତ୍ର

ଏହି ଗଛର ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ  ସହିତ ଶତକଡା ଏକ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ  ।

ଆତ ତେଲ, ପୋଲାଙ୍ଗ ତେଲ, କରଞ୍ଜ ତେଲ, କପା ତେଲ

ଏସବୁ ତେଲ ଇତ୍ୟାଦି ଡାଲି ଦାନାରେ ୦.୫ ପ୍ରତିଶତ ମିଶାଇଲେ କୀଟ ନିୟନ୍ତ୍ରଣ ହୋଇଥାଏ  ।

ଗୋଲମରିଚ

ଚାଉଳରେ ଶତକଡା ୧ ଭାଗ ଅନୁପାତରେ ଗୋଲମରିଚ ଗୁଣ୍ଡ ମିଶାଇ ରଖିଲେ ଶୁଣ୍ଢାପୋକର ଆକ୍ରମଣ ପ୍ରାୟ ହୋଇ ନ ଥାଏ  ।

ବଚ

ଏକ କେ.ଜି.ମଞ୍ଜି ପ୍ରତି ୧୦ ଗ୍ରାମ ବଚ ଗୁଣ୍ଡ ମିଶାଇ ରଖିଲେ ଖାଦ୍ୟଶସ୍ୟକୁ ଅନେକ ଦିନ ପର୍ଯ୍ୟନ୍ତ ପୋକ ଆକ୍ରମଣରୁ ରକ୍ଷା କରାଯାଇପାରିବ  ।

ପୋଲାଙ୍ଗ ପତ୍ର

ପୋଲାଙ୍ଗ ପତ୍ରକୁ ଭଲ ଭାବରେ ଶୁଖାଇ ଗୁଣ୍ଡକରି ଶସ୍ୟ ସହିତ ଶତକଡା ୧ ଭାଗ ଅନୁପାତରେ ମିଶାଇ ସାଇତି ରଖିଲେ କୀଟ ପ୍ରାୟ ଲାଗନ୍ତି ନାହିଁ  ।

ଲିଗ୍ ନାଇଟ କୋଇଲା ପାଉଁଶ

ଏହି ପାଉଁଶକୁ ଧାନ ଏବଂ ଡାଲି ଜାତୀୟ ଶସ୍ୟରେ ଲାଗୁଥିବା ଭମା ପୋକ, ନାଲିପୋକ, ଖପରା ପୋକ ଇତ୍ୟାଦିର ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରିବ  ।

ନିମ୍ବ ବା କରଞ୍ଜ ଛେଲି

ନିମ୍ବ କିମ୍ବା କରଞ୍ଜ ଛେଲିକୁ ବା ବକଳାକୁ ଗୁଣ୍ଡକରି ମୁଗ, ବିରି ଇତ୍ୟାଦି ଡାଲି ଜାତୀୟ ବିହନରେ ଗୋଳାଇ ରଖିଲେ ସେଥିରେ ପ୍ରାୟ କୌଣସି କୀଟ ଲାଗନ୍ତି ନାହିଁ  ।

  • ଏକ କୁଇଣ୍ଟାଲ ଧାନ ବସ୍ତା ଭିତରେ ୨୫ କେଜିର ମୁଗ ବସ୍ତାଟିଏ ରଖିଲେ ବହୁଦିନ ପର୍ଯ୍ୟନ୍ତ ମୁଗରେ ପୋକ ଲାଗନ୍ତି ନାହିଁ   । କାରଣ ମୁଗରେ ଲାଗୁଥିବା ପୋକ ଧାନକୁ ଭେଦକରି ମୁଗପାଖରେ ପହଞ୍ଚି ପାରେ ନାହିଁ  । ଏହି ଉପାୟରେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ମୁଗକୁ ସାଇତି ରଖାଯାଇପାରିବ  ।
  • ଶସ୍ୟକୁ ଖରାରେ ଭଲ ଭାବରେ ଶୁଖାଇ ଜଳୀୟ ଅଂଶକୁ ୧୦ ପ୍ରତିଶତରୁ କମାଇଲେ ନିରାପଦ ଭାବରେ ଏହାକୁ ସାଇତି ରଖିହୁଏ  ।
  • ପକ୍କା କୋଠି ବା ଧାତବ କୋଠରି ଶସ୍ୟ ଦାନାକୁ ନିରାପଦରେ ସାଇତି ରଖାଯାଇପାରେ  ।
  • ଶସ୍ୟ ଦାନା ଓ ଡାଲି ଜାତୀୟ ଦାନାରେ ପାଉଁଶ, ନାଲି କିମ୍ବା ଖଳି ମାଟି ମିଶାଇଲେ ଦାନାକୁ ସୁରକ୍ଷା ଯୋଗାଇଥାଏ  । କାରଣ ଏହି ଜଡ ବସ୍ତୁ କୀଟଙ୍କର ଉପଚର୍ମକୁ ବିଦାରିବା ଯୋଗୁ କୀଟ ଶରୀର ଶୁଷ୍କ ହୋଇ ମୃତ୍ୟୁବରଣ କରେ । ଏ ପ୍ରକାର ସାଇତା ଶସ୍ୟକୁ ଖାଇବା ପୂର୍ବରୁ ଭଲ ଭାବରେ ସଫା କରିବା ଆବଶ୍ୟକ  । ସବିଶେଷ ବିବରଣୀ ଲାଗି ନିକଟସ୍ଥ କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ  ।
ସଂଗୃହିତ – ଲକ୍ଷ୍ମୀନାରାୟଣ ଦାଶ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate