অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଳ୍ପ ଖର୍ଚ୍ଚରେ ପିଆଜ ସାଇତା ଗୃହ

ପିଆଜ ଏକ ଅର୍ଥକାରୀ ଫସଲ । ଏହି ଫସଲକୁ ବର୍ଷସାରା ଚାଷ କରାଯାଉଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ଚାଷୀମାନେ ଏହାକୁ କେବଳ ଶୀତଦିନରେ ହିଁ ଚାଷ କରିଥାନ୍ତି ଏବଂ ଏହାର ଅମଳ ମାର୍ଚ୍ଚ - ଏପ୍ରିଲ ମାସରେ ହୋଇଥାଏ । ଏ ସମୟରେ ବହୁ ପରିମାଣରେ ପିଆଜ, ଉତ୍ପାଦନ ହେଉଥିବାରୁ ଅଧିକ ଅମଳ ଆଶାରେ ମାସେ ଦୁଇମାସ ମଧ୍ୟରେ ଚାଷୀମାନେ ପିଆଜକୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି ।

କାରଣ ବେଶିଦିନ ରଖିଲେ ପିଆଜ ପଚିଯିବା ଭୟ ଥାଏ ଏବଂ ପିଆଜକୁ ଉତ୍ତମଭାବେ କିପରି ବେଶିଦିନ ରଖାଯାଇପାରିବ ତା’ର ପଦ୍ଧତି ଅନେକଙ୍କୁ ଜଣା ନ ଥାଏ । ଏହିସବୁ ସୁବିଧା ତଥା ଚାଷୀମାନଙ୍କ ଲାଭକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଖର୍ଚ୍ଚରେ ଏବଂ ବୈଜ୍ଞାନିକ ପଦ୍ଧତିରେ ପିଆଜ ସାଇତା ଗୃହ ତିଆରି କରିବା ପାଇଁ ଗୁରୁତ୍ଵ ଦିଆଯାଉଛି । ଏହି ପ୍ରକ୍ରିୟାରେ କୌଣସି ଅତ୍ୟଧିକ ଦାମର ଜିନିଷ ଯନ୍ତ୍ରପାତି ବା ଉପକରଣ ବ୍ୟବହାର ନ କରି ନିଜ ଆଖପାଖରେ ମିଳୁଥିବା ଜିନିଷକୁ ବ୍ୟବହାର କରି ଭଲଭାବେ ବାୟୁ ଚଳାଚଳ କରୁଥିବା ଗୃହରେ ପିଆଜକୁ ରଖିଲେ ଏହାକୁ ପ୍ରାୟ ୬-୮ ମାସ ପର୍ଯ୍ୟନ୍ତ ସାଇତି ରଖିହେବ ।

ପିଆଜକୁ ସାଇତା ରଖିବା ପୂର୍ବରୁ କେତୋଟି ବିଷୟପ୍ରତି ଧ୍ୟାନ ଦେବା ଆବଶ୍ୟକ

  1. ପିଆଜ ତଳି ରୋଇବାର ୭୫ ଦିନ ପରେ ୧ ଲିଟର ପାଣିରେ ୨-୨.୫ ମିଲି ମାଲିକ ହାଇଡ୍ରାଜାଇଡ (ଗଐ) ପକାଇ ଫସଲ ଉପରେ ଛିଞ୍ଚିବା ଆବଶ୍ୟକ ।
  2. ପିଆଜ ଅମଳ କରିବାର ୧୫ ଦିନ ପୂର୍ବରୁ ପାଣିଦେବା ବନ୍ଦ କରିଦେବା ଦରକାର ।
  3. ୫୦% ରୁ ଉର୍ଦ୍ଧ୍ଵର୍ ଗଛ ବେକ ଭାଙ୍ଗିପଡିବାର ୭ଦିନ ପରେ ପିଆଜ ଖୋଳାଯିବା ଉଚିତ ।
  4. ପିଆଜ ଖୋଳିସାରିବା ପରେ ବା ଅମଳ କରିସାରିବା ପରେ ବିଲରେ ଅଥବା । ଅଗଣାରେ ଖରା ଏବଂ କାକର ଖାଇବା ଉଦ୍ଦେଶ୍ୟରେ ପିଆଜକୁ ୩ ଦିନ ପାଇଁ ପକାଇ ରଖାଯାଏ ।
  5. ଏହାପରେ ପିଆଜକୁ ଛାଇ ଜାଗାରେ ୭ଦିନ ପାଇଁ ଖୋଲାରେ ଥିବା ପ୍ରୟୋଜନ ।
  6. ପିଆଜ ଗଛପୂରା ଶୁଖିଗଲା ପରେ ୧ ଇଞ୍ଚ ନାଡ ରଖି ବାକିତକ କାଟିଦିଆଯିବା ଉଚିତ ଏବଂ ସେଥିରେ ଲାଗିଥିବା ଚେର ଓ ମାଟିକୁ ସଫା କରିଦେବା ଆବଶ୍ୟକ ।
  7. ଖଣ୍ଡିଆ ହୋଇଯାଇଥିବା କିମ୍ବା ପଚି ଯାଇଥିବା ପିଆଜକୁ ବାଛି ଅଲଗା କରିଦେବା ଆବଶ୍ୟକ ।
  8. ସାନ, ମଝିଆ ଏବଂ ବଡ ଆକାରର ପିଆଜକୁ ବାଛି ଅଲଗା ଅଲଗା କରିଦେବା ଉଚିତ ।

ଏସବୁ କରିସାରିବା ପରେ ପିଆଜକୁ ସାଇତା ଗୃହରେ ରଖାଯାଇଥାଏ ।

ସାଇତା ଗୃହ ପ୍ରସ୍ତୁତି

  1. ସାଇତା ଗୃହ ଭିତର ଦେଇ ଭଲଭାବେ ପବନ ଚଳାଚଳ କରୁଥିବା ଆବଶ୍ୟକ । ତେଣୁ ଗୃହକୁ ଉଚ୍ଚା ଭାଡି ବା ପ୍ଲାଟଫର୍ମ ଉପରେ ତିଆରି କରାଯାଏ ।
  2. ଘରଟିକୁ ବାଉଁଶରେ ତିଆରି କରାଯାଇପାରେ ।
  3. ଛାତ ବା ଛପର ପାଇଁ ଟିଣ ବଦଳରେ ନଡା ବା ସିମେଣ୍ଟ ଆଜବେଷ୍ଟସ ବ୍ୟବହାର କରିବା ଆବଶ୍ୟକ ।
  4. ଘର ଭିତରକୁ ସିଧାସଳଖ ସୂର୍ଯ୍ୟକିରଣ ଏବଂ ବର୍ଷାପାଣି ଯେପରି ନ ପଶେ । ସେଥିପାଇଁ ଧ୍ୟାନ ଦେବା ଦରକାର ।
  5. ସାଇତା ଗୃହର ଥାକଗୁଡିକର ଉଚ୍ଚତା ୪ ଫୁଟ ଏବଂ ଓସାର ୩-୪ ପୁଟ ହେଲେ ଭଲ।
  6. ସାଇତା ଗୃହ ଏବଂ ତା’ର ଚାରିପଟ ଯେପରି ସ୍ୱଚ୍ଛ ରହେ । ସେଥିପତି ଧ୍ୟାନ ଦେବା ଆବଶ୍ୟକ ।

ସାଇତି ଗୃହ ପ୍ରସ୍ତୁତି ସମୟରେ ବିଶେଷ ଦୃଷ୍ଟି

ସାଇତା ଗୃହର ଉଚ୍ଚତା ତଳୁ ଅତିକମରେ ୨ ଫୁଟ ହେବା ଉଚିତ ।

  1. ଗୃହ ଭିତରର ତାପମାତ୍ରା ୨୫-୩୦ ଡିଗ୍ରୀ ସେଲସିୟସ ଏବଂ ଆପେକ୍ଷିକ ଆର୍ଦ୍ରତା  ୬୦-୭୦% ଭିତରେ ରହିବା ଉଚିତ । ଏହାଦ୍ଵାରା ପିଆଜ, ଗଜା ହୁଏ ନାହିଁ ।
  2. ପିଆଜ ସାଇତା ଗୃହ ମଧ୍ୟଦେଇ ମୁକ୍ତ ବାୟୁ ଭଲଭାବେ ଚଳପ୍ରଚଳ କରିପାରୁଥିବା ଆବଶ୍ୟକ  ।
  3. ସାଇତା ଗୃହ ପାର୍ଶ୍ଵରେ ଉଚ୍ଚା ଜିନିଷ ରହିବା ଉଚିତ ନୁହେଁ ପବନ ଚଳାଚଳରେ ବାଧା ସୃଷ୍ଟି କରିବ ।
  4. ସିଧାସଳଖ ସୂର୍ଯ୍ୟକିରଣ ଏବଂ ବର୍ଷା ଛିଟାରୁ ରକ୍ଷା ପାଇଁ ଛପର/ଛତାକୁ ଟିକେ  ଗଡାଣିଆ କରିବା ଉଚିତ ।
  5. ଏହିପରି ଏକ ପିଆଜ ସାଇତା ଗୃହ ପାଇଁ ୧୫୦୦୦-୧୬୦୦୦ ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ୨୦ କ୍ଲିଣ୍ଟାଲ ପିଆଜକୁ ସାଇତି ରଖି ହେବ । ରାଷ୍ଟ୍ରୀୟ କୃଷି ବିକାଶ  ଯୋଜନା ମାଧ୍ୟମରେ ପିଆଜ ସାଇତା ଗୃହ ତିଆରି କରିବା ପାଇଁ ରିହାତି ଯୋଗାଇ ଦିଆଯାଉଛି । ଏଥିସହିତ ଚାଷୀଙ୍କୁ ପିଆଜ ଅମଳ କରିସାରିବା ପରେ ଶୁଖାଇବା, ବଛା ବଛି କରିବା ଏବଂ ସାଇତି ରଖିବା ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ୨୦ କ୍ଲିଣ୍ଟାଲ ପର୍ଯ୍ୟନ୍ତ ପିଆଜ। ସାଇତି ରଖିପାରିବା ଭଳି ବ୍ୟବସ୍ଥା ରହିଛି ।  ଫଳରେ ଚାଷୀମାନେ  ପିଆଜକୁ ଅମଳ ସମୟଠାରୁ ୬-୮ ମାସ ପର୍ଯ୍ୟନ୍ତ ସାଇତି ରଖି ପରେ ଅଧିକା ଦାମରେ ବିକ୍ରି ଲାଭବାନ ହୋଇପାରିବେ ।

ସଂଗୃହିତ - ଚକ୍ରଧର ପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ଓୟୁଏଟି

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate