অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଜୁବାଦାମ ଫସଲରେ ଚା’ ମଶକ କୀଟ ଦମନ

କାଜୁବାଦାମ ଚାଷ ଏକ ଅର୍ଥକରୀ ଫସଲ । କାଜୁବାଦାମ ବାଦାମ ଭାରତରୁ ବିଦେଶକୁ ରପ୍ତାନି କରାଯାଏ ଓ ଏହାଦ୍ଵାରା ଭାରତ ସରକାର ବିଦେଶରୁ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି । ଚାଷୀମାନେ ମଧ୍ୟ ଏହି ଫସଲରୁ ପ୍ରଚୁର ଅର୍ଥ ପାଇ ନିଜର ପରିବାରର ଆର୍ଥିକ ବୋଝରୁ ଉପଶମ ପାଆନ୍ତି । ଷୋଡ଼ଶ ଶତାବ୍ଦୀରେ ପର୍ତ୍ତୁଗୀଜମାନେ ଏହାକୁ ବ୍ରାଜିଲରୁ ଭାରତକୁ ଆଣିଥିଲେ ମୃତ୍ତିକା କ୍ଷୟ ରୋକିବା ପାଇଁ । ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ସୃଷ୍ଟି କରିବା ଏବଂ ଚାଷୋପଯୋଗୀ ବିହନ ଜମିର ସଦୁପଯୋଗ କରିବା ସକାଶେ କାଜୁବାଦାମ ବାଦାମ ଚାଷ ପ୍ରତି ଧ୍ୟାନ ଦିଆଯାଉଥିଲା । ୧୯୬୦ ମସିହାଠାରୁ ଏହି ଫସଲକୁ ବ୍ୟବସାୟିକ ରୂପେ ଚାଷ କରାଯାଉଛି । ପୃଥିବୀରେ ଭାରତ ବର୍ତ୍ତମାନ କାଜୁବାଦାମ ବାଦାମ ଚାଷରେ, କାଜୁବାଦାମ ବାଦାମରୁ ଭିନ୍ନଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିବାରେ ଏବଂ ଏଗୁଡିକୁ ବିଦେଶକୁ ରପ୍ତାନି କରିବାରେ ପ୍ରଥମ ସ୍ଥାନ ଅଧକାର କରିବାର ଗୌରବ ହାସଲ କରିପାରିଛି । ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ଏହି ଚାଷ ବ୍ୟାପକ ରୂପେ କରାଯାଉଛି । କାଜୁବାଦାମ ବାଦାମ ଚାଷ ମଧ୍ୟ ଆମ ଓଡ଼ିଶାରେ ବ୍ୟାପକ ରୂପେ ଜଙ୍ଗଲ ଅଞ୍ଚଳ, ଅନାବାଦୀ ଓ ଗୋଚର ଜମିରେ ଚାଷ ହେଉଛି । ପ୍ରତ୍ୟେକ ବର୍ଷ ଭାରତ ସରକାର ବିଦେଶକୁ ପ୍ରାୟ ୧.୨୦ ଲକ୍ଷ ଟନ୍ କାଜୁ ମଞ୍ଜି ରପ୍ତାନି କରୁଛନ୍ତି ।

କାଜୁବାଦାମ ଚାଷ କରିବା ସମୟରେ ଚାଷୀମାନେ କେତେକ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି । ଆଶାନୁରୂପ ଅମଳ ପାଇପାରନ୍ତି ନାହିଁ । ଫସଲକୁ ଆକ୍ରମଣ କରୁଥିବା ପୋକ ଫସଲ ଅମଳ ଅଭିବୃଦ୍ଧିରେ ବ୍ୟାପକ ପରିମାଣରେ ହ୍ରାସ ଘଟାନ୍ତି । ପ୍ରାୟ ୫୦ରୁ ଉର୍ଦ୍ଧ ପ୍ରଜାତିର ପୋକ ଫସଲକୁ ବିଭିନ୍ନ ଅବସ୍ଥାରେ ଆକ୍ରମଣ କରି ଅମଳରେ ବିଶେଷ କ୍ଷତି ଘଟାନ୍ତି । ସେମାନଙ୍କ ମଧ୍ୟରୁ ଚା ମଶକ ଅତି ଭୟଙ୍କର କୀଟ । ଏହି କୀଟର ଆବିର୍ଭାବ ପ୍ରଥମେ ଚା’ ବଗିଚାରେ ହୋଇଥିବାରୁ ଏହାକୁ ଚା’ ମଶକ କୁହାଯାଏ । ଏହା ଏକ ଶୋଷକ ଜାତୀୟ କୀଟ । ଏହି କୀଟ ଭାରତର ଉପକୂଳବର୍ତ୍ତୀ ରାଜ୍ୟରେ ଥିବା କାଜୁବାଦାମ ବାଦାମ ବଗିଚା ଗୁଡିକରେ ଆତଙ୍କ ସୃଷ୍ଟି କରେ ।

କାଜୁବାଦାମ ଫସଲରେ କ୍ଷତିର ଲକ୍ଷଣ

ଉକ୍ତ କୀଟର ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା କାଜୁବାଦାମ ବାଦାମ ଗଛର କଅଁଳିଆ ଅଗ୍ରଭାଗ, ପତ୍ର, ବଉଳ, କୋମଳ କାଜୁବାଦାମ ବାଦାମ ଏବଂ କାଜୁବାଦାମ ବାଦାମ ଫଳରୁ ରସ ଶୋଷି ଦିଅନ୍ତି । ଏକ ଆକଳନ ଅନୁଯାୟୀ ଚା ମଶକ କୀଟ ଦ୍ଵାରା କାଜୁବାଦାମ ବାଦାମ ଉତ୍ପାଦନରେ ୩୦% ହ୍ରାସ ଘଟେ । ଛୋଟଛୋଟ କାଜୁବାଦାମ ଗଛ ବହୁଳ ଭାବେ ଆକ୍ରାନ୍ତ ହୁଏ । ମଞ୍ଜିରୁ ଉତ୍ପନ୍ନ ଗଛଗୁଡିକ ପୋକ ଦାଉରୁ ରକ୍ଷା ପାଆନ୍ତି । କିନ୍ତୁ କଲମୀ ଗଛଗୁଡିକୁ ପୋକ ଆକ୍ରମଣ କରନ୍ତି । କାଜୁ ଗଛର କଅଁଳିଆ ପ୍ରଶାଖା ଧାରଣ କରୁଥିବା ଅଗ୍ରଭାଗ ଆକ୍ରମିତ ହେବା ସ୍ଥାନରୁ ଏକ ପ୍ରକାର ଅଠାଳିଆ ପଦାର୍ଥ ନିର୍ଗତ ହୁଏ । ଏହା ବାୟୁ ସଂସ୍ପର୍ଶରେ ଆସି କଠିନ ହୁଏ । ପୋକଟି ରସ ଶୋଷୁଥିବା ସ୍ଥାନର ଚତୁଃପାର୍ଶ୍ଵରେ ଛୋଟଛୋଟ କଳା ଦାଗମାନ ଦେଖାଯାଏ । ବଉଳ ଏବଂ ତରୁଣ ଅଗ୍ର ଭାଗରେ ଥିବା କଅଁଳିଆ କାଣ୍ଡରେ ଘନ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ । ଆକ୍ରମିତ କଅଁଳିଆ ପତ୍ରଗୁଡିକ ମୋଡିମୋଡି ହୋଇଥାଏ । ଆକ୍ରାନ୍ତ କାଣ୍ଡର ଅଗ୍ରଭାଗଗୁଡିକ ଲମ୍ବା ଲମ୍ବା କଳା ଦାଗ ଧାରଣ କରନ୍ତି । ଛୋଟ ଛୋଟ ଫଳଗୁଡିକ ପୋକ ଦ୍ଵାରା ଆକ୍ରମିତ ଗଛରୁ ତଳକୁ ଝଡିପଡନ୍ତି । ପୋକଙ୍କ ଆକ୍ରମଣ ଭୟଙ୍କର ରୂପ ଧାରଣ କଲେ ଗଛଗୁଡିକ ଦୂରକୁ ପୋଡିଗଲା ପରି ପ୍ରତୀୟମାନ ହୁଏ । କାଜୁବାଦାମ ଗଛର ଶାଖା ପ୍ରଶାଖା ଧାରଣ କରୁଥିବା ଅଗ୍ରମୁକୁଳରେ ପୋକର କ୍ଷତି ପରିମାଣ ବୃଦ୍ଧି ପାଇଲେ ଏକ ପ୍ରକାର ଫିମ୍ପି ଅଗ୍ର ମୁକୁଳଗୁଡିକୁ ଆକ୍ରମଣ କରନ୍ତି ଓ ଅଗ୍ର ମୁକୁଳଗୁଡିକ ମରିମରି ଆସେ । ପ୍ରତ୍ୟେକ ଅର୍ଭକ କିମ୍ବା ପୂର୍ଣ୍ଣାଙ୍ଗପ୍ରାୟ କୀଟ ସେମାନଙ୍କର ବଞ୍ଚିବା ସମୟ ମଧ୍ୟ ଅତିକମ୍ ରେ ୩ଟି କଅଁଳ ଅଗ୍ରଭାଗ ନଷ୍ଟ କରନ୍ତି।

ଅନ୍ୟାନ୍ୟ ପୋଷକ ବୃକ୍ଷ

ନିମ୍ବ, ପିଜୁଳି, କପା, ସେଓ, ସଜନା, ଗୋଲମରିଚ ଏବଂ ଜାମୁକୋଳି ଗଛକୁ ମଧ୍ୟ ଚା’ ମଶକ କୀଟ ଆକ୍ରମଣ କରେ ।

ପୋକର ବଂଶ ବୃଦ୍ଧିର ଅନୁକୂଳ ପରିବେଶ

ଛୋଟ କାଜୁବାଦାମ ଗଛଗୁଡିକ ଅତି ରସାଳ ହେବା ଯୋଗୁ ଚା ମଶକ, କୀଟ ଅତ୍ୟନ୍ତ ଆକର୍ଷିତ ହୁଅନ୍ତି । କାଜୁବାଦାମ ବାଦାମ ଗଛରେ ବଉଳ ହେବା ସମୟରେ ଚା, ମଶକ କୀଟର ସଂଖ୍ୟା ବୃଦ୍ଧି ହେବାକୁ ଲାଗେ । ଫସଲରେ ଫୁଲ ଆସିବା ଏବଂ ଫଳ ଧାରଣ ସମୟରେ ପୋକ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇ ଫ୍ରେବୃୟାରୀରୁ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ଦେଖାଯାଏ । ଏହି ସମୟରେ କୀଟ ଆକ୍ରମଣ ଏବଂ ଫିମ୍ପି ବୃଦ୍ଧି ଯୋଗୁ କାଜୁବାଦାମ ବାଦାମ, ଫସଲରେ ବଉଳ ପୋଡି ରୋଗ ଭୟଙ୍କର ରୂପ ଧାରଣ କରେ । ଚାଷୀମାନେ ଏପରି ପରିସ୍ଥିତି ଦେଖି ହତାଶ ହୁଅନ୍ତି । ଫସଲକୁ ରୋଗ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ଉକ୍ତ ନିବନ୍ଧରେ କେତେକ ପଦକ୍ଷେପ ସମ୍ବନ୍ଧରେ ବର୍ଣ୍ଣନା କରାଯାଉଛି ।

ରାସାୟନିକ କୀଟନାଶକ ବ୍ୟବହାର

କାଜୁ ବଗିଚାରେ ବଉଳ ଆସିବା ପୂର୍ବରୁ ଅର୍ଥାତ୍ ଜାନୁୟାରୀରେ ୧ ଲିଟର ପାଣିରେ ୨ ମିଲି ଲିଟର ମନୋକ୍ରୋଟୋଫସ ମିଶାଇ କାଜୁ ବଗିଚାରେ ଥିବା ସମସ୍ତ ଗଛକୁ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ । ଗଛ ସଂଖ୍ୟା ଏବଂ ସେମାନଙ୍କର ବୃଦ୍ଧି ଅନୁସାରେ ସିଞ୍ଚନ ଦ୍ରବଣର ଆବଶ୍ୟକତା ନିର୍ଭର କରେ । ଫ୍ରେବୃୟାରୀ ଏବଂ ମାର୍ଚ୍ଚ ମାସରେ ସେହିପରି । ୧ ଲିଟର ପାଣିରେ ଡିମେଥୋଏଟ ୦୨ ମିଲି ଲିଟର ଓ ସାଇପରମେଥିନ ଏକ ଲିଟର ପାଣିରେ ୧ ମିଲିଲିଟର ମିଶାଇ ଯଥାକ୍ରମେ ଫସଲକୁ ସିଞ୍ଚନ କରନ୍ତୁ । କୌଣସି ସମୟରେ ଏହି ତିନିଗୋଟି କୀଟନାଶକକୁ ପୁନର୍ବାର ସିଞ୍ଚନ କରିବା ଉଚିତ ନୁହେଁ  । କୀଟ ନାଶକ ଗୁଡିକୁ ସକାଳ ୯ଟା ପୂର୍ବରୁ ଏବଂ ଅପରାହ୍ନ ୪ଘଟିକା ପରେ ଫସଲରେ ସିଞ୍ଚନ କରିବା ବିଧେୟ । କାରଣ ପରାଗ ସଙ୍ଗମକାରୀ କୀଟଙ୍କୁ କୀଟନାଶକର ବିପଦରୁ ରକ୍ଷା କରବା ପାଇଁ ଏହି ପ୍ରକାର ସମୟ ନିର୍ଣ୍ଣୟ କରାଯାଇଛି ।

ଆଧାର – ଡ. ବିଷ୍ଣୁଚରଣ ଜେନା,ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟ ତତ୍ତ୍ଵ ବିଭାଗ, ଓୟୁଏଟି ଭୁବନେଶ୍ଵର, ମୋ : ୯୬୬୬୪୦୪୪୦୬



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate