অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ

ବର୍ତ୍ତମାନ ଧାନ ଫସଲରେ କାଣ୍ଡବିନ୍ଧା ପୋକ ଏକ ମୁଖ୍ୟ କ୍ଷତିକାରକ, ପୋକ ଭାବରେ ପରିଗଣିତ । ତେବେ ପାଞ୍ଚ ପ୍ରକାରର କାଣ୍ଡବିନ୍ଧା ପୋକ ମଧ୍ୟରୁ ହଳଦିଆ କାଣ୍ଡବିନ୍ଧା ପୋକ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାର ଖାଲୁଆ ଓ ଆଭ୍ୟନ୍ତରୀଣ ଜିଲାର ଜଳସେଚିତ ଖାଲ ଜମିରେ ବହୁଳ ଭାବରେ ଦେଖାଯାଏ ।

କିପରି ଚିହ୍ନଟ କରିବେ

ପୂର୍ଣ୍ଣାଙ୍ଗ ପୋକଟି ଈଷତ୍ ହଳଦିଆ କିମ୍ବା ମାଟିଆ ରଙ୍ଗର ଗୋଟିଏ ଛୋଟ ମଥ ଭଳି । ସ୍ତ୍ରୀ ପୋକଟି ପୁରୁଷ ପୋକଠାରୁ ଆକାରରେ ବଡ଼ ଓ ଏହାର ଆଗଡେଣାର ମଧ୍ୟ ଭାଗରେ ସୁସ୍ପଷ୍ଟ କଳା ରଙ୍ଗର ଏକ ଚିହ୍ନ ଥାଏ । ମା' ପୋକ କଅଁଳ ଧାନପତ୍ରର ଅଗ୍ର ଭାଗରେ ମେଞ୍ଚା କରି ଅଣ୍ଡା ଦେଇଥାଏ । ଗୋଟିଏ ମେଞ୍ଚାରେ ଶତାଧିକ ଅଣ୍ଡା ଥାଏ । ମା' ପୋକଟି ଅଣ୍ଡାଗୁଡ଼ିକୁ ଖରା ଓ ବର୍ଷରୁ ରକ୍ଷା କରିବା ପାଇଁ ନିଜ ଶରୀରରୁ ପୁଚ୍ଛ ବାହାର କରି ବାଦାମୀ ବର୍ଣ୍ଣର କେଶଗୁଚ୍ଛ ଦ୍ଵାରା ଅଣ୍ଡାକୁ ଆବୃତ୍ତ କରି ରଖେ । ୫ ରୁ ୮ ଦିନ ମଧ୍ୟରେ ଅଣ୍ଡା ଫୁଟି ଶୂକ ବାହାରନ୍ତି । ଏହି କୀଟର ଶୁକ୍ଳ ଦେଖିବାକୁ ହଳଦୀମିଶା ଧବଳ ବର୍ଣ୍ଣର ଓ ମୁଣ୍ଡ କମଳା ବର୍ଣ୍ଣର । ସଦ୍ୟଜାତ ଶୁକ କାଣ୍ଡ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରେ। ଏବଂ ବେଳେବେଳେ ରେଶମୀ ସୂତା ଦ୍ଵାରା ଗଛରୁ ଝୁଲି ରହିଥାଏ ।

ପବନର ଗତିରେ ଗୋଟିଏ ଗଛରୁ ଅନ୍ୟ ଗଛକୁ ସ୍ଥାନାନ୍ତରିତ ହୁଏ । ଧାନ ପିଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ନବଜାତ ଶୁକ ଦିନେ ଦୁଇ ଦିନ ଧାନପତ୍ର ଉପରେ ଚଲାବୁଲ କରି ପତ୍ରର ସବୁଜ ଅଂଶ କୋରି ଖାଆନ୍ତି । ଏହାପରେ ଗଣ୍ଠି ନିକଟରୁ ଛିଦ୍ର କରି କାଣ୍ଡ ଭିତରକୁ ପ୍ରବେଶ କରେ ଏବଂ କାଣ୍ଡ ଭିତରେ ଥିବା ନରମ ତନ୍ତୁ ଖାଇ ନଷ୍ଟ କରିଦିଏ । ଏହା ଫଳରେ କାଣ୍ଡ ଭିତର ପୋଲା ହୋଇଯାଏ ଏବଂ କାଣ୍ଡ ମଧ୍ୟ ଦେଇ ଜଳ ଓ ପୋଷକ ପରିବହନ ବାଧାପ୍ରାପ୍ତ ହୁଏ । ଫଳରେ ଧାନ ବୁଦାର ମଝି କନ୍ଦା ଶୁଖି ମରିଯାଏ । ଏହାକୁ ‘ମଞ୍ଜକିଳା' ବା ‘ମଲମଞ୍ଜ' କୁହାଯାଏ । ହାତରେ ଟାଣିଲେ ମଲାମଞ୍ଜ ପତ୍ର ସହଜରେ ବାହାରି ଆସେ ଏବଂ କେଣ୍ଡା ଅବସ୍ଥାରେ ଏହି ପୋକ ଆକ୍ରମଣ ଯୋଗୁ କେଣ୍ଡାଟି ଶୁଖି ଧଳା ଦେଖାଯାଏ । ଏହି କେଣ୍ଡାର ଧାନ ସବୁ ଅଗାଡ଼ି ହୋଇଯାଏ । ଏହାକୁ ‘ଧଳାକୋଣ୍ଡା' ବା ‘ବଗପକ୍ଷିଆ' କେଣ୍ଡା କୁହାଯାଏ ।

ଆର୍ଥିକ ଦେହଳୀ ସୀମା

ସଅଳ ରୂଆ ଅବସ୍ଥା ୫% ମଲାମଞ୍ଜ ବା ଏକ ବର୍ଗମିଟର ପ୍ରତି ଗୋଟିଏ ଅଣ୍ଡା ପୁଞ୍ଜ । ମଧ୍ୟମ ପିଲ ଅବସ୍ଥା-୫% ମଲାମଞ୍ଜ । କେଣ୍ଡା ଅବସ୍ଥା- ବର୍ଗ ମିଟର ପ୍ରତି ଗୋଟିଏ ଶଲଭ ।

ପରିଚାଳନା

ଏହି ଦଫାରେ ପ୍ରୟୋଗ କରିବା ପୋକର ଶୁକ ଓ କୋଷା ନଡ଼ାମୂଳି ମଧ୍ୟରେ ବହୁଦିନ ପର୍ଯ୍ୟନ୍ତ ନିଷ୍କ୍ରିୟ ଅବସ୍ଥାରେ ରହିଥାନ୍ତି । ସେଥିଯାଇଁ  ଅମଳବେଳେ ଧାନ ଗଛକୁ ଭୂମି – ପତନରେ କାଟନ୍ତୁ ଏବଂ ନଡାମୂଳିକୁ ଚାଷକରି କିମ୍ବା ନିଆଁ ଲଗାଇ ନଷ୍ଟ କରିଦିଅନ୍ତୁ ।

  • ସଅଳ ଅମଳ ହେଉଥିବା ।  ଧାନ କିସମ ବ୍ୟବହାର କଲେ ଫସଲରେ ପୋକର ଏକାଧିକ ପିଢି କାଣ୍ଡବିନ୍ଧା ପୋକ ଦେଖାଯାଏ ନାହିଁ ।
  • ଅଧିକ ପରିମାଣର ଯବକ୍ଷାରଜାନ ସାର ପ୍ରୟୋଗ ପରିବର୍ତ୍ତେ ଆବଶ୍ୟକ ପରିମାଣର ସାର  ଆବଶ୍ୟକ ।
  • ଏକର ପ୍ରତି ୫ଟି ଲେଖାଏଁ ସଙ୍ଗ ଆକର୍ଷଣ ଯନ୍ତା (ଫେରୋମନ୍ ଟ୍ରାପ୍) ସ୍ଥାପନ କରନ୍ତୁ, ଯଦ୍ଵାରା  ପୋକର ଗତିବିଧିକୁ ନିରୀକ୍ଷଣ କରିହେବ ।
  • ଆବଶ୍ୟକ ସ୍ଥଳେ ହେକ୍ଟର ପ୍ରତି ୧,୦୦,୦୦୦ ଟ୍ରାଇକୋଗ୍ରାମା ପରାଶ୍ରୟୀ (ଅଣ୍ଡା ନାଶୀ) କୀଟ ଧାନରୁଆର ୧ ମାସ ପରଠାରୁ ସାପ୍ତାହିକ ବ୍ୟବଧାନରେ ଛଅଥର କ୍ଷେତରେ ଛାଡ଼ିଲେ, କାଣ୍ଡବିନ୍ଧା ପୋକ ବଂଶବୃଦ୍ଧି କରିପାରନ୍ତି ନାହିଁ ।
  • ସଦ୍ୟଜାତ ଶୁକର ନିୟନ୍ତ୍ରଣ ସକାଶେ ବୀଜାଣୁ ଜାତୀୟ ବିଷ ଯଥା ‘ବାସିଲସ ଥୁରିଞ୍ଜିଏନ୍‌ସିସ” ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ମିଶାଇ ଫସଲରେ ସିଞ୍ଚନ କରିପାରିବେ ।
  • ଯଦିର ପୋକର ପ୍ରାଦୁର୍ଭାବ ବଢ଼ିଛି ଓ ମଲାମଞ୍ଜ ୫% ରୁ ଅଧିକ ଦେଖାଯାଉଛି, ତେବେ ନିମ୍ନଲିଖତ କୀଟନାଶକ ଦ୍ରବ୍ୟ ୫୦୦ ଲିଟର ପାଣି ସହ ମିଶାଇ ଫସଲରେ ସିଞ୍ଚନ କରନ୍ତୁ ।

କୀଟନାଶକ ଦ୍ରବ୍ୟର ନାମ

  1. କାର୍ବୋଫ୍ୟୁରାନ୍ ୩% ଜି – ୩୩,୦୦୦
  2. ଫୋରେଟ୍ ୧୦% ଜି. -  ୧୦,୦୦୦
  3. ଫିପ୍ରୋନିଲ୍ ୦.୩% ଜି. – ୨୫,୦୦୦
  4. କ୍ଳୋରାନ୍ଟ୍ରାନିଲିପ୍ରୋଲ୍ ୧୮.୫% ଏସ.ସି. -୧୫୦
  5. ଫିପ୍ରୋନିଲ୍ ୫% ଏସ୍.ସି.-  ୧୦୦୦
  6. ଲାମ୍ବଡ଼ା-ସାଇହାଲୋଥ୍ରିନ୍ ୫% ଇ.ସି.- ୫୦୦
  7. କ୍ରିନାଲଫୋସ୍ ୨୫% ଇ.ସି. – ୧୦୦୦
  8. ଟ୍ରାୟାଜୋଫସ୍ ୨୦% ଇ.ସି.  -  ୧୫୦୦
  9. ଫ୍ଲୁବେଣ୍ଡିଆମାଇଡ୍ ୨୦% ଡବ୍ଡ, ଜି. - ୧୨୫

ମିଶ୍ରିତ କୀଟନାଶକ

କ୍ଵିନାଲଫୋସ୍ ୨୦% ଇ.ସି. +  ସାଇପରମେଥ୍ରିନ୍  ୩%  ଇ.ସି. କିମ୍ବା ଟ୍ରାୟାଜୋଫାସ୍ ୩୫% ଇ.ସି + ଡେଲ୍‌ଟାମେଥ୍ରିନ୍ ୧% ଇ.ସି. ହେକ୍ଟର ପ୍ରତି ୧ ଲିଟର ହିସାବରେ ୫୦୦ ଲିଟର ପାଣି ସହ ମିଶାଇ ଫସଲରେ ସିଞ୍ଚନ କରନ୍ତୁ । ଏହି ମିଶ୍ରିତ କୀଟନାଶକକୁ ମାଟିଆ ଗୁଣ୍ଡିପୋକ ଦେଖାଯାଉଥିବା ଅଞ୍ଚଳରେ ବ୍ୟବହାର କରନ୍ତୁ ନାହିଁ  । ଗୋଟିଏ ପ୍ରକାର କୀଟନାଶକକୁ ବାରମ୍ବାର ବ୍ୟବହାର ନ କରି ବିଭିନ୍ନ ପ୍ରକାର କୀଟନାଶକକୁ ଅଦଳବଦଳ କରି ବ୍ୟବହାର କରନ୍ତୁ, ଯଦ୍ଵାରା ପୋକର କୀଟନାଶକ ସହନଶୀଳ କ୍ଷମତା ବୃଦ୍ଧି ପାଏନାହିଁ ।

ଆଧାର -

  1. ଶୁଭଶ୍ରୀ ଦାଶ, କୀଟତତ୍ତ୍ଵ ବିଭାଗ
  2. ସୁମିତା ଦାସ, ବୀଜ ବିଜ୍ଞାନ ପ୍ରଯୁକ୍ତି ବିଭାଗ,କୃଷି ମହାବିଦ୍ୟାଳୟ ଓ ୟୁଏଟି, ମୋ – ୭୮୭୩୪୪୫୨୬୦


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate