ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / କୀଟ ନିୟନ୍ତ୍ରଣ ପାଇଁ ନିମ୍ବର ବ୍ୟବହାର
ସେଆର କରନ୍ତୁ

କୀଟ ନିୟନ୍ତ୍ରଣ ପାଇଁ ନିମ୍ବର ବ୍ୟବହାର

କୀଟ ନିୟନ୍ତ୍ରଣ ପାଇଁ ନିମ୍ବର ବ୍ୟବହାର କରି ଫସଲ ସଂରକ୍ଷଣ କରିବେ ସେ ବିଷୟରେ ସୂଚନା ।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଖାଦ୍ୟ ନିରାପତ୍ତା ପାଇଁ କୃଷି ଉତ୍ପାଦନ ବୃଦ୍ଧି ଅପରିହାର୍ଯ୍ୟ। କୃଷି ଉତ୍ପାଦନ ବୃଦ୍ଧି ଲାଗି ଚାଷୀମାନେ ମଧ୍ୟ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରୁଛନ୍ତି। କିନ୍ତୁ ଫସଲରେ ରୋଗ, ପୋକ ଆକ୍ରମଣ କୃଷି ଉତ୍ପାଦନ ବୃଦ୍ଧିରେ ମୁଖ୍ୟ ବାଧକ ରୋଗ, ପୋକଙ୍କୁ ଦମନ କରିବା ପାଇଁ ଚାଷୀମାନେ ମଧ୍ୟ ଫସଲରେ ରାସାୟନିକ କୀଟନାଶକ ଭଳି କେତେକ ବିଷାକ୍ତ ପଦାର୍ଥ ପ୍ରୟୋଗ କରିଥାଆନ୍ତି, କିନ୍ତୁ ଏଗୁଡ଼ିକର ଭୁଲ୍ ଏବଂ ବାରମ୍ବାର ପ୍ରୟୋଗ ଫଳରେ ନିମ୍ନଲିଖିତ ଅସୁବିଧାଗୁଡ଼ିକ ପରିଲକ୍ଷିତ ହୋଇଥାଏ । ଯଥା –

  • ବାୟୁ, ପାଣି, ମାଟି ସହିତ ଆମର ପରିବେଶ ପ୍ରଦୂଷିତ ହୋଇଥାଏ।
  • ପରିବେଶର ଜୈବ ବିବିଧତା ନଷ୍ଟ ହୋଇଥାଏ।
  • ବିଷାକ୍ତ ପଦାର୍ଥଗୁଡ଼ିକର ଅବଶିଷ୍ଠାଂଶ ଖାଦ୍ୟ ପଦାର୍ଥରେ ରହି ମନୁଷ୍ୟ ତଥା ଗୃହପାଳିତ ଏବଂ ଉପକାରୀ ଜୀବମାନଙ୍କର ସ୍ଵାସ୍ଥ୍ୟରେ କ୍ଷତି ପହଞ୍ଚାଇଥାଏ।
  • ପ୍ରାକୃତିକ ପରିବେଶରେ ବଢୁଥିବା ଉପକାରୀ କୀଟପତଙ୍ଗଗୁଡ଼ିକ ନଷ୍ଟ ହେବା ଦ୍ଵାରା ପ୍ରାକୃତିକ ଉପାୟରେ ଜୈବ ନିୟନ୍ତ୍ରଣ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ।
  • କୀଟନାଶକ ପ୍ରତି କୀଟମାନଙ୍କର ସହଣୀଶକ୍ତି ବୃଦ୍ଧି ହୋଇଥାଏ।
  • କୀଟନାଶକଗୁଡ଼ିକ ବ୍ୟୟବହୁଳ ହୋଇଥିବାରୁ ଚାଷର ଉତ୍ପାଦନ ଖର୍ଚ୍ଚ ବା କଷ୍ଟ ଅଫ୍ କଲଟିଭେଶନ୍ ମଧ୍ୟ ବୃଦ୍ଧି ପାଇଥାଏ।
  • ଚାଷୀମାନେ କୀଟନାଶକ ଭଳି ରାସାୟନିକ ବିଷାକ୍ତ ପଦାର୍ଥ ସହିତ ଜଡ଼ିତ ରହୁଥିବାରୁ ବିପଦର ସମ୍ଭାବନା ମଧ୍ୟ ଥାଏ।
  • ଉପଯୁକ୍ତ ଜ୍ଞାନକୌଶଳ ଅଭାବରୁ କୀଟନାଶକ ପ୍ରୟୋଗ କରି ମଧ୍ୟ ବେଳେବେଳେ ଚାଷୀମାନେ ସୁଫଳ ପାଇପାରି ନ ଥାଆନ୍ତି । ତେଣୁ ଚାଷୀମାନେ କେବଳ ରାସାୟନିକ କୀଟନାଶକ ଉପରେ ନିର୍ଭର ନ କରି ଆମର ପାରିପାର୍ଶ୍ଵକରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାର ବୃକ୍ଷଲତାର ବିଭିନ୍ନ ଅଂଶକୁ ଜୈବ କୀଟନାଶକ / କୀଟ ନିୟନ୍ତ୍ରକ ହିସାବରେ । ବ୍ୟବହାର କରି ବିନା ଖର୍ଚ୍ଚରେ ବା କମ୍ ଖର୍ଚ୍ଚରେ, ନିରାପଦରେ, ସୁବିଧାରେ, ଉପଯୁକ୍ତ ଭାବରେ ଫସଲ ସଂରକ୍ଷଣ କରି କୃଷି ଉତ୍ପାଦନକୁ ବୃଦ୍ଧି କରାଇବା ସହିତ ରାସାୟନିକ କୀଟନାଶକଜନିତ ସମ୍ଭାବ୍ୟ ପରିବେଶ ପ୍ରଦୂଷଣକୁ ରୋକାଯିବା ସହିତ ପରିବେଶ ଜୈବ ବିବିଧତାକୁ ମଧ୍ୟ ଅକ୍ଷୁର୍ଣ୍ଣ ରଖିପାରିବେ । ବୃକ୍ଷଲତାଙ୍କ ମଧ୍ୟରେ ନିମ୍ବର ସ୍ଥାନ ସ୍ୱତନ୍ତ୍ର । ନିମ୍ବ ଏକ ଅବ୍ୟର୍ଥ ପରିବେଶ ଉପଯୋଗୀ କୀଟ ନିୟନ୍ତ୍ରକ । ନିମ୍ବରେ ଥିବା ପ୍ରାକୃତିକ ବିଷ ଆଜାଡିରାକ୍ଟୀନ୍ କୀଟ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ତେଣୁ ଆମ ରାଜ୍ୟର ଅଗଣିତ ବୁଦ୍ଧିଜୀବୀ, ଜନସାଧାରଣ ତଥା ଚାଷୀମାନଙ୍କ ଅବଗତି ନିମନ୍ତେ ନିମ୍ବ ବିଷୟରେ ନିମ୍ନରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଗଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଜୈବ କୀଟନାଶକ / କୀଟ ନିୟନ୍ତ୍ରକ ଉଦ୍ଭିଦ ବିଷୟରେ ଆଲୋକପାତ କରାଯିବ।

ନିମ୍ବର କାର୍ଯ୍ୟଶୈଳୀ ବା ମୋଡ୍ ଅଫ୍ ଆକ୍ସନ୍

ନିମ୍ବରେ ଥିବା ପ୍ରାକୃତିକ ବିଷ ଆଜାଡିରାକ୍ଟିନ୍ ଯୋଗୁ ଏହାର ଯେକୌଣସି ଅଂଶ ଫସଲରେ ଯେମିତି ଭାବରେ  ପ୍ରୟୋଗ କଲେ ମଧ୍ୟ ଏହାର ନିମ୍ନଲିଖିତ ବିଭିନ୍ନ କାର୍ଯ୍ୟଶୈଳୀ ଉପଲବ୍ଧ ହୋଇଥାଏ। ଯଥା:

  • ଫସଲ ପିତା ହୋଇଯିବା ଯୋଗୁ କୀଟମାନଙ୍କ ପାଇଁ ଏହାର ଅଭକ୍ଷ ହୋଇଥାଏ (ଆଣ୍ଟିଫିଡାଣ୍ଟ)।
  • ଏହାର ଏକ ପ୍ରକାର ଗନ୍ଧ ବା ବାସନା ଯୋଗୁ କୀଟି କ୍ଷେତରୁ ଆପେ ଆପେ ଘଉଡ଼େଇ ହୋଇଯାଏ।
  • ନିମ୍ବ ପ୍ରୟୋଗ ହୋଇଥିବା କ୍ଷେତ୍ରରେ ପୋକ ଫସଲ ଖାଇଲେ ଅଣ୍ଡିରା ବା ପୁରୁଷ କୀଟ ନଂପୁସକ ହୋଇଥାଏ ଏବଂ ମାଈ ବା ସ୍ତ୍ରୀ କୀଟ ବନ୍ଧ୍ୟା ହୋଇଥାଏ । ଏଣୁ କୀଟମାନଙ୍କର ବଂଶ ବିସ୍ତାର ହୋଇପାରେ ନାହିଁ ।
  • କୀଟମାନଙ୍କର ଅଣ୍ଡା ବା ଏଗ୍ରରୁ ଶୂକ ବା ଲାର୍ଭା ନିର୍ଗତ ହୋଇପାରେ ନାହିଁ।
  • କୀଟମାନଙ୍କର ବୃଦ୍ଧି ବା ଗ୍ରୋଥ ଠିକ୍ ଭାବରେ ହୋଇପାରେ ନାହିଁ ।
  • କୀଟମାନଙ୍କର ଜାତି ବା କ୍ୟୁଟିକିଲ ସୃଷ୍ଟିରେ ପ୍ରତିବନ୍ଧକ ଦେଖାଦିଏ । ଏହିସବୁ କାରଣ ଯୋଗୁ ନିମ୍ବ କୀଟନାଶକ ନ ହେଲେ ମଧ୍ୟ ଏକ ଅବ୍ୟର୍ଥ କୀଟ ନିୟନ୍ତ୍ରକ ହିସାବରେ କାର୍ଯ୍ୟ କରିଥାଏ। କୀଟ ନିୟନ୍ତ୍ରଣ ପାଇଁ ନିମ୍ବକୁ ଉଭୟ ପ୍ରତିଷେଧକ ଏବଂ ପ୍ରତିକାର ବ୍ୟବସ୍ଥା ସ୍ଵରୁପ ବ୍ୟବହାର କରାଯାଇପାରେ।

ନିମ୍ବର ବ୍ୟବହାର ବିଧି

ନିମ୍ବତେଲ

ସାଧାରଣତଃ ୧୦୦ କେ.ଜି ନିମ୍ବ ମଞ୍ଜି ପେଡ଼ାଇଲେ ୧୦ କେ.ଜି. ନିମ୍ବତେଲ ବାହାରେ । ୧ ଲିଟର ପାଣି ସହିତ ୩ ମି.ଲି ନିମ୍ବତେଲ ଏବଂ ୧ଗ୍ରାମ ଲୁଗାସଫା ପାଉଡର ବା ଡିଟରଜେଣ୍ଟ ପାଉଡ଼ର ମିଶାଇ ଏହି ଅନୁପାତରେ ନିମ୍ବତେଲ ଦ୍ରବଣ ସିଞ୍ଚନ କଲେ ଧାନର ପତ୍ରପୋଡ଼ା ପୋକ, ପତ୍ରଡିଆଁ, ଗଛଡ଼ିଆଁ, କାହାଳିଆ, ଗନ୍ଧିପୋକ, ମାଟିଆଗୁଣ୍ଡି ପୋକ, ହଳଦୀଗୁଣ୍ଡି ପୋକ, ଉକୁଣିଆ ପୋକ, ଅଷ୍ଟପଦୀ ପୋକକୁ ଦମନ କରାଯାଇପାରେ । ଚିନାବାଦାମର ଜଉପୋକ, ପତ୍ରଡିଆଁ ପୋକ, ପନିପରିବାର ଡାଳ ଓ ଫଳବିନ୍ଧା ପୋକ, ବନ୍ଧାକୋବି, ବିନ୍ଧାପୋକ, ଠିକିରିଆ ପୋକ, କରତିଆ ମାଛି, ସୋରିଷର ଜଉପୋକ, ବାଇଗଣର ଫଳବିନ୍ଧା ପୋକ, ଭେଣ୍ଡିର ଧଳାମାଛି, ବୁଟର ଫଳବିନ୍ଧା, କପାର ଜଉପୋକ, ଧଳା ମାଛି, ଆମ୍ବର ଆମ୍ବଡାଆଣୀ ପୋକଙ୍କୁ ନିମ୍ବତେଲ ଦ୍ଵାରା ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଡାଲିଜାତୀୟ ଫସଲ ଏବଂ ଚିନାବାଦାମର ସୂତ୍ରକୃମିଜନିତ ଚେର ଗଣ୍ଠି ରୋଗ ତେଲ ଦ୍ଵାରା ମଧ୍ୟ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ବାଇଗଣ ଓ ଟମୋଟୋ ଗଛର ଚାରାକୁ୩% ନିମ୍ବତେଲରେ ୩୦ ମିନିଟ୍ ବୁଡାଇ ଲଗାଇଲେ ଏବଂ ୩୦ ଦିନରେ ପତ୍ରସିଞ୍ଚନ କଲେ ସେଥିରେ ଜଉପୋକ ଏବଂ ଫଳବିନ୍ଧା ପୋକ ପ୍ରାୟ ଲାଗନ୍ତି ନାହିଁ ।

ନିମ୍ବପତ୍ର

ନିମ୍ବପତ୍ରରୁ ରସ ବାହାର କରି ଏହାକୁ ସିଞ୍ଚନ କଲେ ପନିପରିବାର ଜଉପୋକ ନିୟନ୍ତ୍ରଣ ହୋଇଥାଏ । ପ୍ରାୟତଃ ପ୍ରତି ଲିଟର ପାଣି ପ୍ରତି ୫ ମି.ଲି. ନିମ୍ବପତ୍ର ରସ ଦରକାର ପଡ଼େ। ନିମ୍ବପତ୍ରକୁ ଶୁଖାଇ, ଗୁଣ୍ଡକର ଏକର ପ୍ରତି ୧୦ କେ.ଜି. ନିମ୍ବପତ୍ର ଗୁଣ୍ଡ ଶେଷ ଓଡ଼ ଚାଷ ସମୟରେ ଜମିରେ ପ୍ରୟୋଗ କରି ମଇ ମାରିଲେ ମାଟି ବିଶୋଧନ ହୋଇ ରୋଗ, ପୋକ କମ୍ ହୋଇଥାଏ ।

ନିମ୍ବପିଡ଼ିଆ (ନିମ୍ବ କେକ)

ଶେଷଓଡ଼ା ଚାଷ ସମୟରେ ଏକର ପ୍ରତି ୧୦୦ କେ.ଜି, ନିମ୍ବପିଡ଼ିଆ ଜମିରେ ପ୍ରୟୋଗ । କରି ମଇ ମାରିଲେ ଚିନାବାଦାମ ଏବଂ ଅନ୍ୟାନ୍ୟ ଫସଲରେ ଲାଗୁଥିବା ଉଇକୁ ଦମନ କରିହେବ । ନିମ୍ବପିଡ଼ିଆ ପ୍ରୟୋଗ କଲେ ସୂତ୍ର କୃମି ନିୟନ୍ତ୍ରଣ ମଧ୍ୟ ହୋଇଥାଏ।

ନିମ୍ କରନେଲ ଏକ୍ସଟ୍ରାକ୍ଟ ବା ନିମ୍ବମଞ୍ଜି ନିର୍ଯାସ

ନିମ୍ବରୁ ଜଳ ନିଃସାରଣ କରିବାକୁ ହେଲେ ପ୍ରଥମେ ସଦ୍ୟ କଞ୍ଚା ନିମ୍ବ ମଞ୍ଜିକୁ ଛେଚିବା ପରେ ଗୁଣ୍ଡକୁ ଗୋଟିଏ କନା ମୁଣିରେ ବାନ୍ଧି ବାଟି ବା ଏକ ଡ୍ରମ ପାଣିରେ ରାତିସାରା ଝୁଲାଇ ରଖାଯାଏ । ଏଥିରୁ ବାହାରିଥିବା କଞ୍ଚା ରସକୁ ସିଧାସଳଖ ଫସଲରେ ସିଞ୍ଚନ କରାଯାଇ କୀଟ ନିୟନ୍ତ୍ରଣ କରାଯାଇଥାଏ । ପ୍ରାୟ । ୧୦ ଲିଟର ପାଣିରେ ୫୦୦ ଗ୍ରାମ୍ କଞ୍ଚା ନିମ୍ବମଞ୍ଜି ଗୁଣ୍ଡ କରି ଭିଜାଯାଏ।

ନିମ୍ବପିଡ଼ିଆ ବତୁରା ପାଣି

୧୦୦ ଗ୍ରାମ୍ ନିମ୍ବ ପିଡ଼ିଆକୁ ଗୋଟିଏ ପତଳା କନାରେ ୧ ଲିଟର ପାଣିରେ ରାତିସାରା ଭିଜାନ୍ତୁ । ସକାଳେ ଏହାକୁ ଛାଣି ୧ ଲିଟର ପାଣି ପ୍ରତି ଏହି ରସ ୧୦ ମି.ଲି, ହିସାବରେ ମିଶାଇ ସିଞ୍ଚନ କରନ୍ତୁ  । ସବିଶେଷ ବିବରଣୀ ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ ।

ସଂଗୃହିତ – ଲକ୍ଷ୍ମୀନାରାୟଣ ଦାଶ, କୃଷି ଜିଲ୍ଲା ଅଧିକାରୀ, ଦଶପଲ୍ଲା

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top