অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନିଆ ପନିପରିବା ଫସଲ କୀଟ ନିୟନ୍ତ୍ରଣ

ଖରାଦିନିଆ ପନିପରିବା ଫସଲ

ଓଡ଼ିଶାରେ ଖରାଦିନିଆ ଫସଲ ଭାବେ ମୁଖ୍ୟତଃ ବାଇଗଣ, ଲଙ୍କା, ପୋଟଳ, କଖାରୁ, କଲରା, କାକୁଡି, ଜହ୍ନି ଆଦି କଖାରୁ ଜାତୀୟ ପନିପରିବା, ବରଗୁଡି, ବିନ୍ (ଲଟା ଓ ଗୁଚ୍ଛ ଜାତୀୟ) ପନିପରିବା, ବିଲାତିବାଇଗଣ, ଭେଣ୍ଡି ଓ ଶାଗ ଜାତୀୟ ପନିପରିବା ଇତ୍ୟାଦି ଚାଷ କରାଯାଏ ।

ପନିପରିବାରେ କେଉଁ କେଉଁ ପୋକର ଆକ୍ରମଣ

ଏହି ଦିନେ ଚାଷ କରାଯାଉଥିବା ବାଇଗଣକୁ ଡାଳ ଓ ଫଳ ବିନ୍ଧା ପୋକ, କାଙ୍କେଡିଆ ପୋକ, ପତ୍ରଡିଆଁ ପୋକ, ଲାଲ ଅଷ୍ଟପଦୀ, ଲଙ୍କାକୁ ଉକୁଣିଆ ଓ ଲାଲ ଅଷ୍ଟପଦୀ, କଖାରୁ ଜାତୀୟ ପନିପରିବାକୁ ଫଳମାଛି, କାଙ୍କେଡିଆ, ଲାଲଭୃଙ୍ଗକୀଟ, ବିନ୍‌ଜାତୀୟ ପନିପରିବାକୁ ପତ୍ରଡିଆଁ ପୋକ, ଉକୁଣିଆ ଓ ଫଳ ବିନ୍ଧା ପୋକ ଏବଂ ଭେଣ୍ଡିକୁ ଡାଳ ଓ ଫଳ ବିନ୍ଧା ପୋକ ଆକ୍ରମଣ କରିଥାନ୍ତି । ଉପରୋକ୍ତ କୀଟଙ୍କୁ ନିୟନ୍ତ୍ରଣ କରିବା ଲାଗି ଆମ ଚାଷୀ ଭାଇମାନେ ମୁଖ୍ୟତଃ ରାସାୟନିକ ବିଷ ବ୍ୟବହାର କରିଥାନ୍ତି ।

ଏହାର ଅବିଚାରିତ ବ୍ୟବହାର ଫଳରେ କୀଟର ବିଷ ବିପକ୍ଷରେ ନିରୋଧକ ଶକ୍ତିର ବିକାଶ, ଗୌଣକୀଟର ମୁଖ୍ୟ କୀଟ ରୂପେ ପ୍ରାଧାନ୍ୟ ହାସଲ, ଅନିଷ୍ଟକାରୀ କୀଟଙ୍କୁ ନିୟନ୍ତ୍ରଣ କରୁଥିବା ପରଭୋଜୀ ଓ ପରାଶ୍ରୟୀ କୀଟ ଏବଂ ଅଣୁଜୀବଙ୍କ ମୃତ୍ୟୁ ଯୋଗୁ ଜୈବ ବିବିଧତାର ବିନାଶ, ବାୟୁ ଓ ଜଳ ପ୍ରଦୂଷଣ, ସିଧାସଳଖ ଓ ଅଳ୍ପ ସିଝାଯାଇ ଖିଆଯାଉଥିବା ପନିପରିବାରେ ଅବଶେଷାୟ ବିଷାକ୍ତତା ରହିଯାଉଥିବା ଯୋଗୁ ମନୁଷ୍ୟ ଓ ପ୍ରାଣୀଙ୍କର ଶାରୀରିକ ଅସୁସ୍ଥତା ଆଉ ସ୍ଥଳବିଶେଷରେ ମୃତ୍ୟୁ ହୋଇଥାଏ ।

ଜୈବ ଭିତ୍ତିକ ପ୍ରଣାଳୀ ଦ୍ଵାରା ନିୟନ୍ତ୍ରଣ

ଏହିସବୁ ଅସୁବିଧାକୁ ଦୂର କରିବା ସକାଶେ ବିଭିନ୍ନ ଜୈବ ଭିତ୍ତିକ ନିୟନ୍ତ୍ରଣ ପ୍ରଣାଳୀଗୁଡିକ ବ୍ୟବହାର କରିବା ଆବଶ୍ୟକ । ଏହି ଜୈବ ଭିତ୍ତିକ ଉପାୟରେ ମୁଖ୍ୟତଃ ବିଭିନ୍ନ ପ୍ରକାର ବୃକ୍ଷ ଓ ବୃକ୍ଷଜାତ ପଦାର୍ଥର ବ୍ୟବହାର, ପରଭେଜୀ ଓ ପରାଶ୍ରୟୀ ଆଦି ଜୈବ ନିୟନ୍ତ୍ରକ, ବୀଜାଣୁ, ଭୂତାଣୁ, କବକ ଆଦି ରୋଗ । ସୃଷ୍ଟିକାରୀ ଅଣୁଜୀବ, ଜୈବ ରାସାୟନିକ ପଦାର୍ଥ ବ୍ୟବହାରରେ ଫେରୋମୋନ ବା ସଙ୍ଗ ଆକର୍ଷକ ଯନ୍ତା ଓ ବି.ଟି. ବୀଜାଣୁ ପ୍ରବେଶ ଦ୍ଵାରା ସୃଷ୍ଟି ପ୍ରତିରୋଧକାରୀ ବୃକ୍ଷର ବ୍ୟବହାର ପ୍ରଧାନ । ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ ପାଇଁ ବ୍ୟବହୃତ ବୃକ୍ଷ ଓ ବୃକ୍ଷଜାତ ପଦାର୍ଥଗୁଡିକ ହେଲା ନିମ, ଧୂଆଁ ପତ୍ର, କରଞ୍ଜ, ଅରଖ, ବେଗୁନିଆ, ବାସଙ୍ଗ, ପୋଲାଙ୍ଗ, ରସୁଣ, ଲଙ୍କା, ଅଦା ଓ ହଳଦୀ ଆଦି ପ୍ରଧାନ ଏବଂ ଏହା ମଧ୍ୟରୁ ନିମ ଓ ଧୂଆଁ ପତ୍ର ସର୍ବପ୍ରଧାନ । ଏହିସବୁ ବୃକ୍ଷଙ୍କର ସାଧାରଣତଃ ପତ୍ର, ମଞ୍ଜି ଓ ଫଳର ଉପରିଭାଗ ଏବଂ ଛାଲି ଆଦିକୁ ବ୍ୟବହାର କରି କୀଟ ନିୟନ୍ତ୍ରଣ କରାଯାଇଥାଏ ।

ନିମ ମଞ୍ଜି ଉଦ୍ଧୃତାଂଶରୁ ପ୍ରସ୍ତୁତ ଔଷଧ

ଏହା ମଧ୍ୟରୁ ନିମ ମଞ୍ଜି ଉଦ୍ଧୃତାଂଶରୁ ପ୍ରସ୍ତୁତ ଔଷଧ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ଔଷଧ ପ୍ରସ୍ତୁତ କରିବାର ପ୍ରଣାଳୀଟି ହେଲା-୫୦୦ ଗ୍ରାମ ତଟକା ନିମମଞ୍ଜିକୁ ଅଳ୍ପଛେଚି ୧ ଲିଟର ପାଣିରେ ଗୋଟିଏ ରାତି ବତୁରାଇବେ । ତା'ପରେ ଏହାକୁ ଚିପୁଡି ସେଥିରେ, ପାଣି ମିଶାଇ ୧୦ ଲିଟର କରିବେ । ପ୍ରାୟ ୨୦ ଗ୍ରାମ ସୂର୍ଯ୍ୟକୁ ୧/୨ ଲିଟର ପାଣିରେ ଗୋଳାଇ ଉକ୍ତ ଦ୍ରବଣରେ ମିଶାନ୍ତୁ । ଏହିପରି ପ୍ରସ୍ତୁତ ୧୦୦ ଲିଟର ଦ୍ରବଣ ୧ ଏକର ଜମି ପାଇଁ ଆବଶ୍ୟକ ହୋଇଥାଏ ।

ଆଜିକାଲି ବଜାରରେ ନିମରୁ ପ୍ରସ୍ତୁତ ଅନେକ କୀଟନାଶକ ଯଥା ଅନ୍ତି ନିମ, ମଲ୍ଲିନିମ, ଓଜୋନିମ୍. ନିମାଜଲ, ଆଚୁକ, ରକ୍ଷକ, ଇକୋନିମ୍, ରିପେଲିନ, ନିମନାଥ, ନିର୍ମାରିନ, ଫର୍ତ୍ତନ ଇତ୍ୟାଦି ନାମରେ ଉପଲବ୍ଧ ହେଉଅଛି ।

କୀଟର ନିୟନ୍ତ୍ରଣ ଲାଗି ପରଭୋଜୀ ଓ ପରାଶ୍ରୟୀ କୀଟର ବ୍ୟବହାର

ଏସବୁ ଛଡା ଉପରୋକ୍ତ ପନିପରିବାକୁ ଆକ୍ରମଣ କରୁଥିବା ଅନେକ ପ୍ରକାର କୀଟର ନିୟନ୍ତ୍ରଣ ଲାଗି ପରଭୋଜୀ ଓ ପରାଶ୍ରୟୀ କୀଟଙ୍କୁ ମଧ୍ୟ ବ୍ୟବହାର କରାଯାଇଥାଏ । ପତ୍ରଡିଆଁ, ଉକୁଣିଆ, ଦହିଆ ଓ ଅଷ୍ଟପଦୀ ଆଦି ଶୋଷକ ଅନିଷ୍ଟକାରୀଙ୍କୁ ନିୟନ୍ତ୍ରଣ ପାଇଁ ବ୍ୟବହୃତ ପରଭୋଜୀ କୀଟଗୁଡିକ ହେଲା ଚେଇଲୋମେନେସ୍, ଇନ୍ଦ୍ରଗୋପୀ ଭୃଙ୍ଗ(କକ୍‌ସିନେଲା), ଚିଲୋକାରୋସ୍, କୋରୁଲସ୍ ଏକର ପ୍ରତି ୫୦୦ଟି ୨-୩ଥର ଓ କ୍ଲାଇସୋପର୍ଲ ୫୦,୦୦୦ ପ୍ରଥମ ପିଢି ଶୂକ ବ୍ୟବହାର କରାଯାଇପାରିବ । ସେହିପରି ଟ୍ରାଇକୋଗ୍ରାମା ଚିଲୋନିସ ପରାଶ୍ରୟୀ କୀଟକୁ ହେକ୍ଟର ପିଛା ୫୦,୦୦୦ ହିସାବରେ ୬ ଥର ବ୍ୟବହାର କରି ବାଇଗଣ ଓ ଭେଣ୍ଡିର ଡାଳ ଏବଂ ଫଳବିନ୍ଧା କୀଟ, ଟମାଟୋ ଓ ବିନ, ଜାତୀୟ ଫସଲର ଫଳବିନ୍ଧା ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ଅଣୁଜୀବଙ୍କ ଦ୍ଵାରା ଜୈବିକ ପଦ୍ଧତିରେ କୀଟ ନିୟନ୍ତ୍ରଣ

ବିଭିନ୍ନ ପ୍ରକାରର ଅଣୁଜୀବଙ୍କ ଦ୍ଵାରା ମଧ୍ୟ ଜୈବିକ ପଦ୍ଧତିରେ କୀଟ ନିୟନ୍ତ୍ରଣ କରାଯାଇଥାଏ । ଯେପରି କି ବାସିଲସ ଥୁରିନଜିଏନ୍ସିସ୍(ବି.ଟି.)ରୁ ପ୍ରସ୍ତୁତ ଡିପେଲ, ଡେଲଫିନ, ବ୍ୟାକ୍ଟ୍ରିନ, ବାୟୋଟେକ ଓ ସରଟାନ ଆଦି ବୀଜାଣୁ ଜାତୀୟ କୀଟନାଶକ ଏକର ପିଛା ୪୦୦ ଗ୍ରାମକୁ ୨୦୦ ଲି. ପାଣିରେ ମିଶାଇ ସିଞ୍ଚନ କରି ବିଭିନ୍ନ ଫସଲର ଡାଳ ଓ ଫଳବିନ୍ଧା କୀଟ ନିୟନ୍ତ୍ରଣ କରାଯାଇପାରୁଛି ।

ଭୂତାଣୁରୁ ପ୍ରସ୍ତୁତ ଏଚ୍ଏଏନପିଭି ଦ୍ଵାରା ପୋକ ନିୟନ୍ତ୍ରଣ

ସେହିପରି ଏନ.ପି.ଭି. ଭୂତାଣୁରୁ ପ୍ରସ୍ତୁତ ଏଚ୍ଏଏନପିଭି(ବଜାରରେ ମିଳୁଥିବା ହେଲଓସେଲ, ହେଲିସାଇଡ, ବାୟୋଭାଇରସ-ଏଚ୍), ଏସ୍.ଏ.ଏନପିଭି(ବଜାରରେ ପ୍ରାପ୍ତ ସ୍ପୋଡୋସାଇଡ, ବାୟୋଭାଇରସ-ଏସ) ୨୫୦ ଶୂକ ତତ୍ତୁଲ୍ୟ (୧ ମି.ଲି. କୁ ୧ ଲି. ପାଣିରେ) ଗୋଳାଇ ସିଞ୍ଚନ କରି ଯଥାକ୍ରମେ ଛୁଇଁ ଜାତୀୟ ଫସଲ ଓ ଭେଣ୍ଡିକୁ ଆକ୍ରମଣ କରୁଥିବା ଫଳବିନ୍ଧା ପୋକ ଏବଂ ବିଭିନ୍ନ ଫସଲକୁ ଆକ୍ରମଣ କରୁଥିବା ପତ୍ରଖିଆ ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ସେହିପରି କବକ ଜାତୀୟ ଅଙ୍କୁଶ, ବାୟୋରିନ, ବ୍ୟୁଭେରିଆ, ଲାର୍ଭୋସେଲ ଏକର ପିଛା ୧ କି.ଗ୍ରା.କୁ ୨୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କରି ବିଭିନ୍ନ ପ୍ରକାର ଶୋଷକ ଓ ପତ୍ରଖିଆ ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ଜୈବ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ପୋକ ନିୟନ୍ତ୍ରଣ

ଆହୁରି ମଧ୍ୟ ଜୈବ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ଫେରୋମୋନ ଯନ୍ତା ହେକ୍ଟର ପିଛା ୬ରୁ ୮ ଓ ୫୦ଟି ବ୍ୟବହାର କରି ଯଥାକ୍ରମେ ଏହାର ଆଗମନ ଓ ସମୂହ ବିନାଶ କରାଯାଇପାରିବ । ସାଧାରଣତଃ ଏକ ନିର୍ଦ୍ଦିଷ୍ଟ କୀଟ ପାଇଁ ନିର୍ଦ୍ଦିଷ୍ଟ ଫେରୋମୋନ  ଲିୟୋର (ବଟିକା) ବ୍ୟବହାର କରାଯାଇଥାଏ ଓ ଏହାକୁ ପ୍ରତି ୧୫ ଦିନ ଅନ୍ତରରେ ବଦଳାଇବା ଆବଶ୍ୟକ ।

ଦେଶୀୟ ପଦ୍ଧତିରେ କୀଟ ନିୟନ୍ତ୍ରଣ

ଏସବୁ ବ୍ୟତୀତ ଦେଶୀୟ ପଦ୍ଧତିରେ ମଧ୍ୟ ଅନେକ କୀଟ ନିୟନ୍ତ୍ରଣ କରାଯାଇପାରିବ । ୧୦୦ ଗ୍ରାମ ହଳଦୀଗୁଣ୍ଡ ସହିତ ୧୦-୨୦ ଗ୍ରାମ ଚୂନ ମିଶାଇ ଏହାକୁ ୧୦ ଲିଟର ପାଣିରେ ଗୋଳାଇ, ୫ କି.ଗ୍ରା. ନିମପତ୍ରକୁ ଛୋଟି ୫୦୦ ମି.ଲି. ଗୋମୂତ୍ର ଓ ୨ କି.ଗ୍ରା. ଗୋବର ମିଶାଇ ୨-୪ ଦିନ ପଚାଇବା ପରେ ୨୦୦ ଲି. ପାଣିରେ ଗୋଳାଇ ସିଞ୍ଚନ କଲେ, ୨୦ ଗ୍ରାମ ହଳଦୀଗୁଣ୍ଡକୁ ୨୦୦ ମି.ଲି. ଗୋମୂତ୍ରରେ ମିଶାଇ ସିଞ୍ଚନ କଲେ ପତ୍ରଡିଆଁ, ଜଉ, ମହୁଆ, ଉକୁଣିଆ ଆଦି ଶୋଷକ କୀଟକୁ ନିୟନ୍ତ୍ରଣ କରାଯାଇପାରିବ । ସେହିପରି ଭେଣ୍ଡି, ବାଇଗଣ, ବିଲାତିବାଇଗଣ ଓ ଛୁଇଁ ଜାତୀୟ ପନିପରିବାର ଡାଳ ଓ ଫଳ ବିନ୍ଧା ପୋକ ଏବଂ ବିଭିନ୍ନ ଫସଲର ପତ୍ରଖିଆପୋକଙ୍କ ନିୟନ୍ତ୍ରଣ ଲାଗି ୫୦ ଗ୍ରାମ ରସୁଣ, ୨୫ ଗ୍ରାମ କଞ୍ଚାଲଙ୍କା ଓ ୨୫ ଗ୍ରାମ ଅଦାଖଣ୍ଡକୁ ଅଲଗା ଅଲଗା ବାଟଣା କରି ୬ ଲି. ପାଣିରେ ଗୋଳାଇ ସିଞ୍ଚନ କରିପାରିବେ ।

ନଚେତ୍ ୫ କି.ଗ୍ରା ନିମପତ୍ର, ୧ କି.ଗ୍ରା. ଅମରି, ୫୦୦ ଗ୍ରାମ କଞ୍ଚାଲଙ୍କା, ୫୦୦ ଗ୍ରାମ ରସୁଣକୁ ଅଲଗା ଅଲଗା ଭଲ ଭାବରେ ଛେଚି ୧୦ ଲି ଗୋମୂତ୍ରରେ ମିଶାଇ ସିଝାଇ ଏହାର ନିର୍ଯ୍ୟାସକୁ ୧୦୦ ଲି. ପାଣିରେ ଗୋଳାଇ ସିଞ୍ଚନ କରାଯାଇପାରିବ । କଖାରୁ ଜାତୀୟ ପନିପରିବାର ଫଳମାଛି ଓ ବିଲାତିବାଇଗଣର ପତ୍ରଖନକ କୀଟର ନିୟନ୍ତ୍ରଣ ପାଇଁ କୋଚିଳା ଗଛର ଛେଲିଗୁଣ୍ଡ ୧୦୦ ଗ୍ରାମ ସହିତ ୧୦ ଗ୍ରାମ ଗୁଡ, ୧ ଲି. ପାଣିରେ ମିଶାଇ ଫୁଟାଇ ୯ ଲି. ପାଣିରେ ଗୋଳାଇ ତା’ ସହିତ ୧୦-୧୨ ଗ୍ରାମ ରସୁଣ ବାଟଣ ମିଶାଇ ସିଞ୍ଚନ କରାଯାଇପାରିବ । କଖାରୁ ଜାତୀୟ ଫସଲର ଫଳମାଛିର ନିୟନ୍ତ୍ରଣ ପାଇଁ ନୂତନ ରୂପେ ଆବିଷ୍କୃତ ଥୋପ ପ୍ରୟୋଗ ପ୍ରଣାଳୀରେ ୨୫ ଗ୍ରାମ ଗୁଡ, ୨.୫ ଗ୍ରାମ ମାଲାଥିଅନ (ଡିଡିଭିପି) ଡେଲଟାମେଥ୍ରିନ ୧ ଲିଟର ପାଣିରେ ଗୋଳାଇ ଏକର ପିଛା ୨୦-୨୫ ଜାଗାରେ ଛୋଟ ସରାରେ ରଖି ଏହି କୀଟର ନିୟନ୍ତ୍ରଣ କରାଯାଇପାରିବ । ଏହା ବ୍ୟତୀତ ପ୍ଲାଷ୍ଟିକ ନିର୍ମିତ ବୋତଲରେ ଯନ୍ତା ତିଆରି କରି ଫଳମାଛିକୁ ଧରି ସମୂହ ନଷ୍ଟ କରାଯାଇପାରେ ।

ଏଥିପାଇଁ ଇଥାନଲ ପ୍ଲସ ମାଲାଥିଅନ (ଡିଡିଭିପି ପ୍ଲସ କ୍ୟୁଲିଓର (୬:୧:୨) ଦ୍ରବଣକୁ ପ୍ଲାଇ କାଠରେ ତିଆରି କରି (ପ୍ଲାଇଉଡ୍ ଚୁକ) ଏକର ପିଛା ୧୦୧୨ଟି ରଖାଯାଇ ଫଳ ମାଛି ନିୟନ୍ତ୍ରଣ କରାଯାଇପାରିବ । ବର୍ତ୍ତମାନ କେତେକ ଜୈବିକ ନୂତନ ପିଢି କୀଟନାଶକ ବ୍ୟବହାର କରି ଯଥା ସାକାରୋନେସ୍ଫାରା ନଷ୍ଟାଇନୋଶା ନାମକ ଆକ୍ସିନୋମାଇସିନ୍ସ ଅଣୁ ଜୀବରୁ ପ୍ରସ୍ତୁତ ସ୍ପଇନୋସିଡ, ଷ୍ଟ୍ରେପଟୋମାଇସେସ ଆଭରମେକ୍ଟିନସରୁ ପ୍ରସ୍ତୁତ ଆଭରମେକ୍ଟିନସ ଓ ସମୁଦ୍ରଜାତ ଲୁମ୍ବ୍ରିକନେରିସରୁ ପ୍ରସ୍ତୁତ କାରଟାପ ହାଇଡ୍ରୋକ୍ଲୋରାଇଡ ବ୍ୟବହାର କରି ବିଭିନ୍ନ ଫସଲର ଡାଳ ଓ ଫଳ ବିନ୍ଧା ପୋକ ଏବଂ ଶୋଷକ କୀଟଙ୍କର ନିୟନ୍ତ୍ରଣ କରାଯାଇପାରିବ ।

ଲେଖା ଏବଂ ପ୍ରାପ୍ତ  - ଡ. ଦେବବ୍ରତ ପାଣିଗ୍ରାହୀ ସହଯୋଗୀ ଗବେଷଣା ନିର୍ଦ୍ଦେଶକ, ଆଞ୍ଚଳିକ ଗବେଷଣା ଓ ବୈଷୟିକ ଜ୍ଞାନ କୌଶଳ ସମ୍ପ୍ରସାରଣ କେନ୍ଦ୍ର(ଓ.ୟୁ.ଏ.ଟି.), ମହିଷାପାଟ, ମୋ :୯୪୩୭୨୭୨୦୦୯



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate