অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ ଉପାୟରେ ପୋକ ଦମନ

ଜୈବ ବିବିଧତାରେ ଅସନ୍ତୁଳିତ

ବର୍ତ୍ତମାନ ପରିସ୍ଥିତିରେ ପୃଥିବୀର ଅନେକ ରାଷ୍ଟ୍ର ଜୈବିକ କୃଷି ପ୍ରତି ଗୁରୁତ୍ଵାରୋପ କରୁଛନ୍ତି । ଏହା ସହିତ ବିଶ୍ଵରେ ଉଷ୍ମତା ବୃଦ୍ଧି ଚାଷ କାର୍ଯ୍ୟରେ ଅନେକ ବାଧାବିଘ୍ନ ସୃଷ୍ଟି କରୁଛି । ଏହା ଯୋଗୁ ମେରୁ ଅଞ୍ଚଳରେ ବରଫ ତରଳିବା, ସମୁଦ୍ରରେ ଜଳପତ୍ତନ ବୃଦ୍ଧି ପାଇବା, ବାତ୍ୟା ଓ ମହାବାତ୍ୟା କାରଣରୁ ଫସଲ ନଷ୍ଟ ହେବା ଆଶଙ୍କାକୁ ପରିବେଶବିତ୍ ମାନେ ସତର୍କର ସୂଚନା ଦେଉଛନ୍ତି । ବିଗତବର୍ଷଗୁଡ଼ିକରେ ବିଭିନ୍ନ ଫସଲର ଉତ୍ପାଦିକା ଶକ୍ତି ଓ ଏମାନଙ୍କର ଉତ୍ପାଦନରେ ବୃଦ୍ଧି କରିବା ପାଇଁ ପ୍ରଚୁର ପରିମାଣର ସାର ଓ କଟୁ କୀଟନାଶକ ବ୍ୟବହାର କରାଗଲା । ଭାରତରେ ପ୍ରଥମ ସବୁଜ ବିପ୍ଳବକୁ ଅଗ୍ରାଧିକାର ଦିଆଯାଇ ଏହିସବୁ ଦ୍ରବ୍ୟକୁ ଜଳସେଚିତ ଚାଷଜମିରେ ଅଳ୍ପଦିନରେ ଅମଳ ହେଉଥିବା ଫସଲରେ ପ୍ରୟୋଗ କରାଗଲା । ଏହା ଫଳରେ ଫସଲର ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ବୃଦ୍ଧି ପାଇଲା । କିନ୍ତୁ କ୍ରମଶଃ ବାୟୁମଣ୍ଡଳ ଦୂଷିତ ହେଲା । ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷିତ ହେଲା । ମୃତ୍ତିକାରେ ରହିଥିବା ଜିଆଙ୍କ ସଂଖ୍ୟା ହ୍ରାସ ପାଇଲା । ଅନେକ ଉପକାରୀ ପରାଶ୍ରୟ ଓ ପରାଙ୍ଗଭେଜି କୀଟ ଯେଉଁମାନେ ଫସଲକୁ ଆକ୍ରମଣ କରୁଥିବା ପୋକଙ୍କୁ ଖାଉଥିଲେ ସେମାନଙ୍କର ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଲା ।

ଏହିପରି ଘଟଣାମାନ ୟୁରୋପ ମହାଦେଶରେ ମଧ୍ୟ ଘଟିଲା । ପରିବେଶରେ ଜୈବ ବିବିଧତାରେ ଅସନ୍ତୁଳିତ ଅବସ୍ଥା ପରିଲକ୍ଷିତ ହେଲା । ୧୯୬୨ ରେ ଆମେରିକାର ସାମ୍ବାଦିକା । ରାଚେଲ କାର୍ସନ ସାଇଲେଣ୍ଟ ସ୍ପିଙ୍ଗ୍ ନାମକ ଏକ ପୁସ୍ତକ ରଚନା କରି ସେଥିରେ କୀଟନାଶକର କୁପ୍ରଭାବ ବିଷୟରେ ୟୁରୋପର ବିଭିନ୍ନ ରାଷ୍ଟର ନାଗରିକଙ୍କୁ ଜଣାଇଲେ । ଫଳରେ ୧୯୭୨ରେ ଡିଡିଟିକୁ କୃଷି କାର୍ଯ୍ୟରେ ବିନିଯୋଗ କରିବାକୁ ଆମେରିକା ନିଷେଧାଦେଶ ଜାରି କଲା । ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଲା । ତେଣୁ ଭାରତ ସରକାରଙ୍କର କୃଷି ବିଭାଗରେ ଜୈବିକ ଚାଷ ପ୍ରତି ଗୁରୁତ୍ଵାରୋପ କରାଗଲା । ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି । ଏହି ପଦ୍ଧତି ବାୟୁମଣ୍ଡଳର ମୃତ୍ତିକା, ଜଳ ଓ ବାୟୁକୁ ପ୍ରଦୂଷଣ କରେ ନାହିଁ । ଫସଲ କିଆରିରେ ଉପଲବ୍ଧ ହେଉଥିବା ଅନ୍ୟାନ୍ୟ ଜୀବଜନ୍ତୁ ପ୍ରତି ମଧ୍ୟ ନିରାପଦ । ଖାଦ୍ୟଶସ୍ୟ ଓ ସେମାନଙ୍କଠାରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ, ଫଳ, ପନିପରିବା ଓ ଫସଲରେ ପରାଗସଂଗମ ସୃଷ୍ଟି କରୁଥିବା କୀଟଙ୍କ ପ୍ରତି ମଧ୍ୟ ନିରାପଦ ।

କୀଟ ବା ପୋକ କରୁଥିବା କ୍ଷତି ଓ ଚିହ୍ନଟ

ପୃଥିବୀରେ ପ୍ରାୟ ୧୪ ଲକ୍ଷ ପ୍ରଜାତିର କୀଟ ବା ପୋକ ରହିଛନ୍ତି । ତନ୍ମଧ୍ୟରୁ ୧ଲକ୍ଷ ପ୍ରଜାତିର ପୋକ ଫସଲର ବିଭିନ୍ନ ଅବସ୍ଥାର ଭିନ୍ନ ଭିନ୍ନ ଅଂଶ ଯଥା ପତ୍ର, ଫୁଲ, ଫଳ, କଢ଼ି, ବୃନ୍ତ, ପାଖୁଡ଼ା, ମଞ୍ଜି, ମୂଳ, ଚେର, ଶାଖା, ପ୍ରଶାଖା, ଗଣ୍ଠି, କାଣ୍ଡ ପବ, ମୁକୁଳ ଛେଲି ଓ ମଞ୍ଜି ଆଦିକୁ ଖାଇ ବଞ୍ଚିରହନ୍ତି ଏବଂ ଫସଲରେ ପ୍ରଚୁର ପରିମାଣର କ୍ଷତି ଘଟାନ୍ତି । ଫସଲ ଅମଳ ପୂର୍ବରୁ ରୋଗରେ ପୋକ ଓ ବିଭିନ୍ନ ଘାସ ଯୋଗୁ ଫସଲରେ ୨୦ରୁ ୩୫ ପ୍ରତିଶତ କ୍ଷତି ଘଟୁଛି ।

ଭାରତର ପ୍ରାଣୀବିଜ୍ଞାନ ସନ୍ଦର୍ଭାନୁଯାୟୀ ଉପଲବ୍ଧ ହେଉଥିବା ପୋକଙ୍କ ମଧ୍ୟରୁ ୬୨ ହଜାରରୁ ୮୦ ହଜାର ପ୍ରଜାତିର ପୋକଙ୍କୁ ଚିହ୍ନଟ କରାଯାଇଛି । ସେହି ଚିହ୍ନିତ ପୋକଙ୍କୁ ବିନାଶ କରିବା ପାଇଁ ଅନେକ ଜୀବ ପ୍ରକୃତି ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୮ ହଜାର ୮୩୪ ପ୍ରଜାତିର ପରାଙ୍ଗଭେଜି ବୁଢ଼ିଆଣୀ ପୃଥିବୀରେ ରହିଛନ୍ତି । ସେହିପରି ଅନେକ ପ୍ରଜାତିର ଭଅଁର ମଧ୍ୟ ରହିଛନ୍ତି । ବିଭିନ୍ନ ପ୍ରଜାତିର ପରାଶ୍ରୟ କୀଟ, ବତକ, ବଣି, ହଂସ, ବେଙ୍ଗ ଓ ବଗ ଆଦି ରହିଛନ୍ତି । ଯେହେତୁ ଏମାନେ ବିଭିନ୍ନ ଫସଲକୁ ଆକ୍ରମଣ କରୁଥିବା ପୋକଙ୍କୁ ଖାଆନ୍ତି, ତେଣୁ ଏମାନଙ୍କୁ କୃଷକର ବନ୍ଧୁ କୁହାଯାଏ । ଏହା ବ୍ୟତୀତ ଅନେକ ପ୍ରଜାତିର ଫିମ୍ପି, ଜୀବାଣୁ, ଭୂତାଣୁ, ସୂତ୍ର ଜୀବ, ରିକ୍ଟେସିଆ ଓ ମାଇକ୍ରୋପ୍ଲାଜ୍‌ମା ମଧ୍ୟ କ୍ଷତିକାରକ ପୋକଙ୍କୁ ଆକ୍ରମଣ କରି ବିନାଶ କରନ୍ତି । ପ୍ରାୟ ୩୦୦୦ ପ୍ରଜାତିର ଉପର ବର୍ଣ୍ଣିତ ସୂକ୍ଷ୍ମାତି ସୂକ୍ଷ୍ମ ଜୀବ ଫସଲର ପୋକଙ୍କ ଶରୀରରେ ରୋଗ ସୃଷ୍ଟିକରି ସେମାନଙ୍କୁ ବିନାଶ କରନ୍ତି । ଏକ ଆକଳନରୁ ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ଏହି ସୂକ୍ଷ୍ମାତି ସୂକ୍ଷ୍ମ ଜୀବଙ୍କ ସଂଖ୍ୟା ଫସଲକୁ ଆକ୍ରମଣ କରୁଥିବା ପୋକଙ୍କ ସଂଖ୍ୟାଠାରୁ ଅଧିକ । କିନ୍ତୁ ସେମାନଙ୍କୁ ଅଦ୍ୟାବଧ ଚିହ୍ନଟ କରାଯାଇନାହିଁ ।

ଜୈବିକ ଉପାୟରେ କାଟ ଦମନ ପ୍ରକ୍ରିୟାରେ ସଫଳତା

ବିଭିନ୍ନ ଫସଲରେ ଜୈବିକ ଉପାୟରେ କାଟ ଦମନ ପ୍ରକ୍ରିୟାରେ ମିଳିଥିବା ସଫଳତା ଉକ୍ତ ନିବନ୍ଧରେ ବର୍ଣ୍ଣନା କରାଯାଉଛି । ମାଘ  ଓ ଫାଲ୍‌ଗୁନ ମାସରେ ଓଡ଼ିଶାର ଚାଷୀମାନେ ଆଖୁଚାଷ କରିବେ । ଏହା ଏକ ଅର୍ଥକରୀ ଫସଲ । ଚିନିକଳ ନିକଟରେ ଥିବା ଚାଷୀମାନେ ଏହି ଚାଷକୁ ବହୁଳ ପରିମାଣରେ କରନ୍ତି ଏବଂ ଚିନିକଳକୁ ଆଖୁ ଯୋଗାଇ ପ୍ରଚୁର ପରିମାଣର ଅର୍ଥ ରୋଜଗାର କରନ୍ତି । କିନ୍ତୁ ଏହି ଫସଲକୁ ସଅଳ କାଣ୍ଡବିନ୍ଧା, ପବବିନ୍ଧା ଏବଂ ଅଗବିନ୍ଧା ପୋକମାନେ ଆକ୍ରମଣ କରନ୍ତି ଏବଂ ପ୍ରଚୁର ପରିମାଣର ଆଖୁ ଓ ଚିନି ଅମଳରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ସଅଳ କାଣ୍ଡବିନ୍ଧା ଯୋଗୁ ଆଖୁ ଫସଲରେ ମଞ୍ଜକିଳା ଓ ପବବିନ୍ଧା ପୋକ ଯୋଗୁ ଆଖୁଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ । ପବ ଓ ଗଣ୍ଠିରେ 'କଣାମାନ ସୃଷ୍ଟି ହୁଏ ଯାହା ଯୋଗୁ ଆଖୁ ଫସଲରେ ନାଲି ଶଢ଼ା ରୋଗ ବ୍ୟାପିଯାଏ । ଫଳରେ ଚିନିର ପରିମାଣ ଓ ଏହାର ମାନ ହ୍ରାସ ପାଏ । ଅଗବିନ୍ଧା ପୋକ ଯୋଗୁ ଆଖୁ ଗଛ ଛୋଟ ଛୋଟ ହେବା ଯୋଗୁ ଆଖୁଗଛର ଶୀର୍ଷ ସ୍ଥାନରେ ପବ ଗୁଳ୍ମ ସୃଷ୍ଟି ହୁଏ । ଏହି ଚାରୋଟି ପୋକକୁ ବିନାଶ କରିବା ପାଇଁ ଟ୍ରାଇକୋଗ୍ରାମା ଚିଲୋନିଶ୍ ଏକ ହେକ୍ଟର ଆଖୁ ଫସଲରେ ୫୦,୦୦୦ ପୋକ ସନ୍ଧ୍ୟା ସମୟରେ ଛଡାଯାଏ । ଏହି ଉପକାରୀ ପରାଶ୍ରୟ କୀଟ ସୂର୍ଯ୍ୟ ଉତ୍ତାପ ସହ୍ୟ କରି ପାରନ୍ତି ନାହିଁ । ଏହି ପୋକଗୁଡିକ ଟ୍ରାଇକୋକାଡ ମାଧ୍ୟମରେ ମିଳୁ ଅଛି । ଆଖୁ ଲଗାଇଥିବାର ଏକମାସ ମଧ୍ୟରେ ଆଖୁ କିଆରିରେ ଗଜାମାନ ସମ୍ପୂର୍ଣ୍ଣ ଦେଖାଯାଏ । ଆଖୁ ଗଜାରେ ମଞ୍ଜକିଳା ସୃଷ୍ଟି ହେବା ଦୃଶ୍ୟମାନ ହେଲେ ଏହି ପରାଶ୍ରୟ ପୋକ ଙ୍କୁ ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ଥର ପ୍ରୟୋଗ କରନ୍ତୁ । ସେହିପରି ପବ ଓ ଅଗ ବିନ୍ଧା ପୋକକୁ ଦମନ ପାଇଁ ସମ ପରିମାଣର ଟ୍ରାଇକୋଗ୍ରାମା ଚିଲୋନିଶ୍ ସେହି ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ ଥର ପ୍ରୟୋଗ କରନ୍ତୁ । ଏହି ଉପକାରୀ ପରାଶ୍ରୟ କୀଟର ସଂଖ୍ୟା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧୀନରେ ଭୁବନେଶ୍ଵର, ଟାଙ୍ଗୀ, ଜଗତସିଂହପୁର, ଛତ୍ରପୁର ଏବଂ ନୟାଗଡ଼ଠାରେ ଜୈବ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନ କୀଟ ତତ୍ତ୍ଵ ବିଭାଗରେ ମଧ୍ୟ ଏହି ପରାଶ୍ରୟ କୀଟ ଉପଲବ୍ଧ ହେଉଛି । ଆମ ରାଜ୍ୟର ଚାଷୀମାନେ ଏହିସବୁ ଉତ୍ପାଦନ କେନ୍ଦ୍ରରୁ ସ୍ଵଳ୍ପ ମୁଦ୍ରା ଦେଇ ଟ୍ରାଇକୋକାଡ କିଣିପାରିବେ । ଆଖୁ ଫସଲକୁ ଜାହାଜ ପୋକ ଆଶ୍ୱିନ ଓ କାର୍ତିକ ମାସ ମଧ୍ୟରେ ଆଖୁଗଛର ପତ୍ରରୁ ରସ ଶୋଷି ଦିଅନ୍ତି । ଏହା ଫଳରେ ଆଖୁଗଛ ଆଶାନୁରୂପେ ବୃଦ୍ଧି ପାଏ ନାହିଁ । ଫସଲରେ ଏହି ପୋକ ସମୟେ ସମୟେ ଭୟଙ୍କର ପରିସ୍ଥିତି ସୃଷ୍ଟି କରନ୍ତି । ଆଖୁଗଛର ପତ୍ର ପ୍ରତି ୩ ରୁ ୫ଟି ପୋକ ଦେଖାଦେଲେ ଅବିଳମ୍ବେ ଏପିରିକାନିଆ ମେଲାନୋବ୍ଲ୍ୟୁକା ନାମକ ପରାଶ୍ରୟ କୀଟର ୪୦୦୦ରୁ-୫୦୦୦ କୋଷା ସଂଗ୍ରହକରି ଏକ ହେକ୍ଟର ଆଖୁ ଫସଲରେ ଛାଡନ୍ତୁ । କୋଷା ପରିବର୍ତ୍ତେ ୪ ରୁ ୫ ଲକ୍ଷ ଅଣ୍ଡା ମଧ୍ୟ ଏକ ହେକ୍ଟର ଆଖୁ ଫସଲରେ ପ୍ରୟୋଗ କରାଯାଇପାରିବ । ଏହି ପରାଶ୍ରୟ କୀଟର ଅଣ୍ଡା ଏବଂ କୋଷା କୀଟ ଉତ୍ପାଦନଶାଳାରେ ଉତ୍ପାଦନ ହୋଇପାରେ ନାହିଁ । ଆଖୁ କିଆରିରେ ଉପଲବ୍ଧ ହେଉଥିବା ସ୍ଥାନରୁ ଏଗୁଡିକୁ ସଂଗ୍ରହକରି ଜାହାଜ ପୋକ ଉପଦ୍ରୁତ ଅଞ୍ଚଳରେ ପ୍ରୟୋଗ କରନ୍ତୁ । ଏଗୁଡିକ ଆଶ୍ୱିନ ମାସର ପ୍ରଥମାର୍ଦ୍ଧରେ ଆଖୁ କିଆରିରେ ଛାଡନ୍ତୁ । ନଡିଆ, ଫସଲରେ କାଳିମୁଣି ପୋକର ଶୂକ ନଡିଆ ଗଛର ପତ୍ରରୁ ସବୁଜ, କଣା କୋରିକରି ଖାଏ ଏବଂ ପତ୍ରରେ ପ୍ରଚୁର ପରିମାଣରେ ମଳତ୍ୟାଗ କରେ। ପତ୍ରରେ ଜାଲି ମଧ୍ୟ ସୃଷ୍ଟି କରେ ।

ଏହା ଯୋଗୁ ନଡିଆଗଛ ଭଲଭାବେ ବୃଦ୍ଧି ପାଏନି । ଗଛରେ ଫଳ ଧରିବା ଶକ୍ତି ହ୍ରାସ  ପାଏ । ପୋକ ଦ୍ଵାରା କ୍ଷତିଗ୍ରସ୍ଥ ନଡିଆଗଛ  ପ୍ରତି ୫୦ଟି ବ୍ରାକନ୍, ହିବେଟର କିମ୍ବା ବ୍ରାକନ୍ ବ୍ରେଭିକର ନିଶ୍ କିମ୍ବା ଗୋନିଓଜସ୍ ନିଫାଣ୍ଟିଡିଜ୍ ସନ୍ଧ୍ୟାବେଳେ ନଡିଆ ଗଛରେ ଚଢ଼ି ବାହୁଙ୍ଗାରେ ବାନ୍ଧିବାକୁ ପଡେ । ଏକ ସମୟରେ ସମୟ ଆକ୍ରମିତ ଗଛରେ ଏମାନଙ୍କୁ ପ୍ରୟୋଗ କଲେ ନଡିଆ, ଫସଲ କାଳିମୁଣ୍ଡି ପୋକର ବିଭୀଷିକାରୁ ରକ୍ଷା ପାଏ ।

ମୁଗ, ବିରି, ଶିମ୍ବ, ମକା ଆଦି ଫସଲକୁ ଜଉପୋକ ଛୁଇଁ ଏବଂ ଅଗ୍ରମୁକୁଳରୁ ରସ ଶୋଷି ଦିଅନ୍ତୁ ଓ ଫସଲକୁ ନଷ୍ଟ କରିଦିଅନ୍ତି । ଏହି ହାନିକାରକ ପୋକକୁ ଦମନ କରିବା ପାଇଁ ବିଭିନ୍ନ ପ୍ରଜାତିର ଇନ୍ଦ୍ରଗୋପୀ ଭୃଙ୍ଗ, ସିରିପିଡ୍ ମାଛି ଓ ଗ୍ରାନ୍‌ଲେଶ, ଉଇଙ୍ଗ ନାମକ ପରାଙ୍ଗଭେଜି କୀଟଙ୍କୁ ଏକ ଏକର ଫସଲ କିଆରିରେ ୧୦୦୦ଟି କରି ପ୍ରୟୋଗ କରାଯାଉଛି । ଏହି ଉପକାରୀ ପୋକମାନେ ଜଉପୋକ ସହିତ ଫସଲକୁ ଆକ୍ରମଣ କରୁଥିବା ଅନ୍ୟାନ୍ୟ କ୍ଷତିକାରକ ପୋକ ଯଥା ପତ୍ର ଉକୁଣି, ଧଳାମାଛି ଏବଂ ଧବଳ ଚୂର୍ଣ୍ଣ ପୋକଙ୍କୁ ମଧ୍ୟ ଖାଇ ବିନାଶ କରନ୍ତି ।

ଉପକାରୀ କୀଟମାନେ କିଆରିରେ ରହିଥିବା ଜଣାପଡିଲେ ସେମାନଙ୍କୁ ମାରିବା ଉଚିତ ନୁହେଁ । ବରଂ ସେମାନଙ୍କର ବଂଶବୃଦ୍ଧି କିପରି କରିହେବ ତାହାର ପଦକ୍ଷେପ ନିତାନ୍ତ ଜରୁରୀ । ସେଥିଯାଇଁ ଫସଲରେ କୀଟନାଶକ ଦ୍ରବ୍ୟ ପ୍ରୟୋଗ ନ କରି ତା' ପରିବର୍ତ୍ତେ ସମନ୍ୱିତ ପ୍ରଣାଳୀ ଅବଲମ୍ବନ କରି ଅନିଷ୍ଟକାରୀ ପୋକଙ୍କୁ ଦମନ କରିବାର ବ୍ୟବସ୍ଥା ଫସଲର ଆରମ୍ଭରୁ କରନ୍ତୁ । ତେଣୁ ରୋଗରେ ପୋକ ନିରୋଧକ ବିହନର ପ୍ରଚଳନ, ସାର ଏବଂ ଜଳସେଚନ ର ସୁପରିଚାଳନା, ଉପଯୁକ୍ତ ସମୟରେ ଫସଲ ଚାଷ କରିବା ଏବଂ ଅମଳ କରିବାର ସମୟ ପରାଶ୍ରୟ କୀଟଙ୍କ ପ୍ରୟୋଗ ଉପରେ ଗୁରୁତ୍ଵ ଦେବାକୁ ପଡ଼େ । ବାୟୁମଣ୍ଡଳ ଏବଂ ଉପକାରୀ କୀଟଙ୍କ ପ୍ରତି ନିରାପଦ କୀଟନାଶକ ଯଥା ନିମଜାତ ପଦାର୍ଥ (ନିସିସିଡନ, ଗଣ୍ଟୋରେଜ ଅଚ୍ୟୁକ, ନିମୋନୁଲ, ମାଟେର୍ଗାସାଇଡ୍ ଓ କେ ଏବଂ ମାର୍କୋସାଇଡ୍ ସିକୋ ଇତ୍ୟାଦି) ଜୀବାଣୁଜାତ ଦ୍ରବ୍ୟ (ଡାଇବେପଲ, ଥୁରିସାଇଡ୍, ଡେଲଫିନ୍ ଓ ହଲ୍ଟ ଇତ୍ୟାଦି) ଏବଂ ଭୂତାଣୁ ଜନିତ କୀଟନାଶକ (ହେଲିସାଇଡ, ଲିଟୁ ସାଇଡ୍) ଆଦି ବ୍ୟବହାର କରାଯାଏ ।

ଆଧାର - ଡ. ବିଷ୍ଣୁ ଚରଣ ଜେନା ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କାଟଚତ୍ନ ବିଭାଗ, କୃଷି ମହାବିଦ୍ୟାଳୟ ଓ ୟୁଏଟି,

Last Modified : 7/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate