ମହିଳାମାନଙ୍କ ମଧ୍ୟରେ ଦେଶୀ ପିଆଜର ଆଦର ଅଧିକ, ତେଣୁ ପୋଷଣ ବଗିଚାରେ କୃଷିଜୀବୀ ମହିଳାମାନେ ଅଳ୍ପ ଖର୍ଚ୍ଚ ଏବଂ ଅନ୍ଧ ପରିଶ୍ରମରେ ଏହି ପିଆଜ, ଉତ୍ପାଦନ କରିପାରିବେ । ପିଆଜ, ଫସଲ ଲଗାଇବା ପାଇଁ ବ୍ୟବହୃତ ବିହନର ପ୍ରାୟ ୫ ରୁ ୮ ଗୁଣ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହାର ଗୋଟିଏ ବୁଦାରେ ପ୍ରାୟ ୧୦ ରୁ ୧୫ଟି ପିଆଜ ଥାଏ । ଏହା ଖାଇବା ପାଇଁ ସ୍ଵାଦିଷ୍ଟ ଏବଂ ବଜାର ଚାହିଦା ମଧ୍ୟ ଅଧିକ ।
ଦେଶୀ ପିଆଜ ଚାଷର ବିଧି
- ଦେଶୀ ପିଆଜ ଚାଷ ପାଇଁ ଜମି ପ୍ରସ୍ତୁତି ଭଲ ଭାବେ କରିବା ଦରକାର । ଏଥୁ ପାଇଁ ବହୁତ ଅମ୍ଳୀୟ କିମ୍ବା କ୍ଷାରୀୟ ମାଟି ନ ହୋଇ ସାଧାରଣ ନିଗିଡ଼ା ମାଟି ହେଲେ ଭଲ । ମାଟିରେ ଯଥେଷ୍ଟ ପରିମାଣରେ ଶଢ଼ାଖତ ମିଶାନ୍ତୁ । ଶୀତଦିନ ଏହି ଚାଷ ପାଇଁ ଉପଯୁକ୍ତ ଅଟେ । ସେପ୍ଟେମ୍ବର ମାସ ଶେଷ କିମ୍ବା ଅକ୍ଟୋବର ମାସ ଆରମ୍ଭରେ ବିହନ ଲଗାଇବା ବ୍ୟବସ୍ଥା କରନ୍ତୁ ।
- ଦେଶୀ ପିଆଜର ସହଣି ଶକ୍ତି ଅଧିକ । ତେଣୁ ଘରବାଡ଼ିର ପୋଷଣ ବଗିଚା ପାଇଁ ଏହା ଅଧିକ ଉପଯୁକ୍ତ । ମାଟିରେ ଲଗାଇବା ପାଇଁ ବୁଦାର ସବୁଠାରୁ ବଡ଼ ପିଆଜ ଗୁଡ଼ିକୁ ବ୍ୟବହାର କଲେ ଭଲ । ଏହାଦ୍ଵାରା ବୁଦାରେ ପିଆଜ ସଂଖ୍ୟା ଅଧିକ ହୁଏ । ଛୋଟ ପିଆଜ ବ୍ୟବହାର କଲେ ବୁଦାରେ ଗୋଟିଏ ପିଆଜ ହୁଏ।
- ବିହନ ଲଗାଇବା ପାଇଁ ପିଆଜର ଚେରପଟ ମାଟିର ତଳକୁ ଏବଂ କାଣ୍ଡପଟ ମାଟିର ଉପରପଟକୁ ରଖି ଲଗାନ୍ତୁ । ଗଛରୁ ଗଛି ମଧ୍ୟରେ ବ୍ୟବଧ୍ୟାନ ୨୦ ସେ.ମି. ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ବ୍ୟବଧ୍ୟାନ ୩୦ ସେ.ମି. ରଖନ୍ତୁ । ବିହନ ପ୍ରାୟ ୩ ରୁ ୪ ସେ.ମି. ଗଭୀରରେ ପୋତନ୍ତୁ । ପ୍ରତି ୪ ଧାଡ଼ି ପରେ ପ୍ରାୟ ୫୦ ସେ.ମି. ଜାଗା ଛାଡ଼ନ୍ତୁ । ଅନ୍ତଃ ଚାଷ ପାଇଁ ଏହା ଜରୁରୀ ।
- ପିଆଜ ଗଛ ଭଲଭାବେ ବାହାରି ଗଲାପରେ ଅନ୍ତଃ ଚାଷ କରନ୍ତୁ । ଧ୍ୟାନ ରଖନ୍ତୁ, ଯେପରି ଗଛର ମୂଳଭାଗ ଅଧିକ କ୍ଷତିଗ୍ରସ୍ତ ନ ହୁଏ । ଏହାଦ୍ଵାରା ଅମଳ ଉପରେ ପ୍ରଭାବ ପଡ଼ିବ । ପିଆଜ ଶଣ୍ଢା ବାହାରି ଆସିଲେ ତାକୁ କାଟି ଦିଅନ୍ତୁ ।
- ପିଆଜ ଗଛର ପତ୍ର ମରିବା ଆରମ୍ଭ କଲେ ପାଣି ମଡ଼େଇବା ବନ୍ଦ କରନ୍ତୁ । ପ୍ରାୟ ତିନି ଚତୁର୍ଥଦଂଶ ପତ୍ର ଶୁଖୁଗଲେ ପିଆଜକୁ ଅମଳ କରିବା ବ୍ୟବସ୍ଥା କରିବା ଦରକାର । ଅଧିକ କଞ୍ଚାଥିବା ଗଛକୁ ଆଉ ଏକ ସପ୍ତାହ ସମୟ ଦେଲେ ଭଲ । ଏହି ଗଛରୁ ଅମଳ ହୋଇଥିବା ପିଆଜ ଗୁଡ଼ିକୁ ବିହନ ରୂପେ ବ୍ୟବହାର କରନ୍ତୁ ନାହିଁ ।
- ପିଆଜ ଅମଳ ପରେ ଅତ୍ୟଧୁକ ମାଟି ଝାଡ଼ି ସିଧା ଠିଆକରି ଶୁଖିବାକୁ ଛାଡ଼ି ଦିଅନ୍ତୁ। ପିଆଜର ଶୁଖିଲା ପତ୍ର ଛିଡ଼େଇବାକୁ ଏବଂ ପୂରା ମାଟି ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ।
ଦେଶୀ ପିଆଜର ବିହନ ପାଇଁ ପ୍ରସ୍ତୁତି ବା କିଓରିଙ୍ଗ
- ଅମଳ ହୋଇଥିବା ପିଆଜକୁ ବିହନ ରୂପେ ବ୍ୟବହାର କରିବା ପାଇଁ ତାକୁ ଠିକ ଭାବରେ ପ୍ରସ୍ତୁତ କରନ୍ତୁ । ଏହା ଦ୍ଵାରା ତାର ସହଣି ଶକ୍ତି ବୃଦ୍ଧି ପାଇବ ଏବଂ ବିନ୍ଦନ ଆଗାମୀ ଋତୁ ପର୍ଯ୍ୟନ୍ତ ଠିକ ଭାବରେ ସାଇତି ରଖାଯାଇ ପାରିବ ।
- ପିଆଜ କିଓରିଙ୍ଗ କରିବା ପାଇଁ କାଠର ଥାକ, ବାଉଁଶ କାଲି କିମ୍ବା ତାର ଜାଲିରେ ତିଆରି ହୋଇଥିବା ଥାକରେ ପ୍ରାୟ ୧ ରୁ ୨ ମାସ ପର୍ଯ୍ୟନ୍ତ ଖେଳେଇ ରଖନ୍ତୁ । ସାଇତି ରଖିବା ଜାଗାଟି ଶୁଖିଲା ଏବଂ ଉଷୁମ ହେଲେ ଭଲ ।
- ଉତ୍ତମ ବାୟୁ ଚଳାଚଳ ହେଉଥିବା ଜାଗାକୁ ବାଛନ୍ତୁ, ନଚେତ ପିଆଜ ଶଢ଼ିଯିବ । ସେହି ଜାଗାରେ ଖରା ନ ପଡ଼ୁଥିବା ଦରକାର ।
- ଜାଲି ବା ଥାକ ଉପରେ ରଖିଲାବେଳେ ପିଆଜକୁ ପତଳା କରି ଖେଳେଇବେ, ଯେମିତି ତଳପାଖକୁ ଚେର ଏବଂ ପତ୍ର ଉପରକୁ ରହିବ ।
- ମଝିରେ ମଝିରେ ପିଆଜକୁ ନିରୀକ୍ଷଣ କରୁଥିବେ ଏବଂ ପଚା ପିଆଜ ଦେଖାଲେ ତାକୁ କାଢ଼ି ଫୋପାଡ଼ିଦେବେ । ପିଆଜକୁ ବେଶୀ ଘଣ୍ଟାଘଣ୍ଟି ନ କଲେ ଭଲ । ଏହାଦ୍ଵାରା ତାର ଚୋପା ବାହାରି ଆସିବ ଏବଂ ବିହନର କ୍ଷତି କରିବ । ପିଆଜ ଠିକ ଭାବରେ ଶୁଖିଗଲା ପରେ ତାକୁ ବୁଦାରୁ ଅଲଗା କରି ଉପର ପତ୍ରକୁ ପିଆଜଠାରୁ ପ୍ରାୟ ୧ ଇଞ୍ଚ ଛାଡ଼ି କାଟିଦେବେ ।
- ଭଲଭାବେ କିଓରିଙ୍ଗ ହୋଇଥିବା ପିଆଜକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବା ଏବଂ ଆଗାମୀ ଋତୁରେ ବିହନ ରୂପେ ବ୍ୟବହାର କରିପାରିବା ।
- ବିହନ ପାଇଁ ପ୍ରସ୍ତୁତ ହୋଇଥିବା ପିଆଜକୁ ସାଇତି ରଖିବା ପାଇଁ ବିହନ କିଓରିଙ୍ଗ ବେଳେ ବ୍ୟବହାର କରାଯାଉଥିବା କାଠର ଥାକ କିମ୍ବା ତାର ବା ବାଉଁଶ ଜାଲିର ଥାକ ବ୍ୟବହାର କରାଯାଇପାରିବ । ଏହି ସମୟରେ ନିହାତି ଧ୍ୟାନ ଦେବା ଦରକାର ଯେ ସାଇତି ରଖିବା ଜାଗାଟି ଥଣ୍ଡା, ଶୁଖିଲା ଏବଂ ବାୟୁ ଚଳାଚଳ ଯୁକ୍ତ ହେବା ଦରକାର । ପିଆଜକୁ ପତଳା କରି ଖେଳେଇ ରଖିଲେ ଭଲ । ମଝି ମଝିରେ ନିରୀକ୍ଷଣ କରି ପଚାଶଡ଼ା କିମ୍ବା ଖରାପ ପିଆଜକୁ ଅଲଗା କରି ଫୋପାଡ଼ି ଦେବା ଦରକାର ।
- ଏହିପରି ଭାବରେ ସାଇତି ରଖିଥିବା ପିଆଜ ଆଗାମୀ ଋତୁରେ ବିହନ ରୂପେ ବ୍ୟବହାର କରାଯାଇପାରିବ ।
- ଦେଶୀ ପିଆଜର ବିନ୍ଧନ ସଂରକ୍ଷଣ ଅତ୍ୟନ୍ତ ସହଜ ଏବଂ ଘରବାଡ଼ିରେ ଥିବା ପୋଷଣ ବଗିଚା ପାଇଁ ଏହା ଏକ ଉପାଦେୟ ଫସଲ ।
ସଂଗୃହିତ - ଲକ୍ଷ୍ମୀପ୍ରିୟା ସାହୁ, ଚକ୍ରଧର ପାତ୍ର କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ଵର
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.