অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନରେ ମାଟିଆଗୁଣ୍ଡି ପୋକ

ମାଟିଆ ଗୁଣ୍ଡି ପୋକ ।୧୯୭୦ ମସିହା ପର ଠାରୁ ଓଡ଼ିଶାରେ ଏକ କ୍ଷତିକାରକ ଯୋଜ ଭାବରେ ଦେଖାଯାଉଛି । ଖରିଫ ଋତୁରେ ଏହି ପୋକର ପ୍ରାଦୁର୍ଭାବ ଅଗଷ୍ଟ ମାସର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇଥାଏ । ଅକ୍ଟୋବର ଓ ନଭେମ୍ବର ବେଳକୁ ଏହା ବୃଦ୍ଧି ପାଇ ଧାନର ବିଶେଷ କ୍ଷତି ଘଟାଇଥାଏ । ବର୍ତ୍ତମାନ  ଚାଷୀଙ୍କ ଧାନ କିଆରିରେ ଏହି ରୋଗ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ମାଟିଆ ଗୁଣ୍ଡି ପୋକ ଆକ୍ରମଣରେ ଧାନ କିଆରିରେ ଗୋଲାକାର ହୋଇ ଅରା ଅରା ଗଛ ପୋଡ଼ିଗଲା ପରି ଦେଖାଯାଏ । ଯେଉଁ ଜମିରେ ଅଧିକ ପାଣି ଜମି ରହେ । ସେ ଜମିରେ ଏହାର ପ୍ରକୋପ ଅଧିକ ଦେଖାଯାଏ।

ପୋକ ଲାଗିବାର ଲକ୍ଷଣ

ଧାନରେ ମାଟିଆଗୁଣ୍ଡି ପୋକମାଟିଆ ଗୁଣ୍ଡି ପୋକ ଧାନ ଗଛ ପିଲା ଦେବା ଅବସ୍ଥାରୁ ଫୁଲ ଉଡେଇବା ପର୍ଯ୍ୟନ୍ତ ବିଶେଷ ଭାବରେ ଦେଖାଯାଏ । ଜଳ ପତ୍ତନ ଉପରେ ଧାନଗଛ କାଣ୍ଡର ଚାରିପାଖରେ ଓ ଗଛର ମୂଳ ଅଂଶରେ ମେଞ୍ଚା ମେଞ୍ଚା ହୋଇ ରହନ୍ତି । ଏଗୁଡିକ ଦେଖିବାକୁ ଆମ୍ବ ଡାହାଣୀ ପୋକ ପରି । ବୟସ୍କ ମାଟିଆ ଗୁଣ୍ଡି ପୋକର ରଙ୍ଗ ମାଟିଆ । ଏହି ମାଟିଆ ଗୁଣ୍ଡି ପୋକ ଦୁଇ ପ୍ରକାରର । ଗୋଟିଏର ପୁରା ଡେଣା ଥାଏ ଓ ଅନ୍ୟଟିର କ୍ଷୁଦ୍ର ଡେଣା ଥାଏ । କ୍ଷୁଦ୍ର ଡେଣା ଥିବା ପୋକ ବେଶୀ ଉଡି ନପାରି ଖାଦ୍ୟ ଓ ପ୍ରଜନନ ପାଇଁ ଧାନ ଗଛକୁ ଲାଗି ରହନ୍ତି । ମାତ୍ର ଡେଣା ଥିବା ବୟସ୍କ ପୋକ ବହୁତ ଦୂର ପର୍ଯ୍ୟନ୍ତ ଉଡିଯାଆନ୍ତି । ଏହି ପୁରା ଡେଣା ଥିବା ମାଟିଆ ଗୁଣ୍ଡି ପୋକ ଧାନ ବିଲରେ ଅଣ୍ଡା ଦେଇ  ବଂଶ ବଢାନ୍ତି । ମୁନିଆ ଶୁଣ୍ଢ ସାହାଯ୍ୟରେ ଗଛର କାଣ୍ଡକୁ ଶୋଷି ରକ୍ତ ଖାଇଯାଆନ୍ତି ।

ଶହ ଶହ ପୋକ ଗଛରୁ ରକ୍ତ ଶୋଷିବା ଫଳରେ ଗଛ ହଳଦିଆ ପଡିଯାଏ, ଭଲ ଭାବରେ ବଢିପାରେ ନାହିଁ । ପରେ ଗଛ ସବୁ ଚକଡା ଚକଡା ହୋଇ ପୋଡିଗଲା ପରି ଦେଖାଯାଏ ।

ପୋକ ନିୟନ୍ତ୍ରଣର ଉପାୟ

ଧାନ ରୋଇବା ବେଳେ ପାଖାପାଖି, ତଳି ରୋଇବା ଅନୁଚିତ୍ । ଧାଡିକୁ ୨୦ ସେମି ଓ ଗଛକୁ ୧୫ ସେମି ବ୍ୟବଧାନ ରଖନ୍ତୁ । ପ୍ରତି ଆଠ ଧାଡି ପରେ ଗୋଟିଏ ଧାଡି ଫାଙ୍କା ଛାଡି ଦିଅନ୍ତୁ। ମାଟିଆ ଗୁଣ୍ଡି ପୋକ ଆକ୍ରାନ୍ତ ବିଲକୁ ପ୍ରଥମେ ଠିଆପାଣି କାଟି ଦିଅନ୍ତୁ। ଦରକାର ହେଲେ ୩-୪ ଦିନ ପରେ  ପୁଣି ପାଣି ମଡାନ୍ତୁ ।

ଅନୁମୋଦିତ ପରିମାଣର ଯବକ୍ଷାରଯାନ, ପଟାସ ଓ ଫସଫରସ୍ ସାର ପ୍ରୟୋଗ କରନ୍ତୁ । ତେଣୁ ଯବକ୍ଷାରଯାନ ସାରକୁ ଭାଗ ଭାଗ କରି ପ୍ରୟୋଗ କରନ୍ତୁ। ବୁଢିଆଣି, ସରୁକଙ୍କି ଓ ବିରୁଡି ପୋକ ଆଦି ଉପକାରୀ କୀଟମାନେ  ମାଟିଆ ଗୁଣ୍ଡି ପୋକକୁ ଶିକାର କରି ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିଥାନ୍ତି । ତେଣୁ ଅବିଚାରିତ ଭାବେ କୀଟନାଶକ ପ୍ରୟୋଗ କରି ଏଗୁଡିକୁ ମାରନ୍ତୁ ନାହିଁ । ନିମ୍ବ ତେଲ ସିଞ୍ଚନ କଲେ ମାଟିଆ ଗୁଣ୍ଡି ପୋକର ଜୀବନଚକ୍ର ବ୍ୟାହତ ହୁଏ ।

ଧାନ ଜମିକୁ ପ୍ରଥମେ ନୀରିକ୍ଷଣ କରନ୍ତୁ । ଧାନ ରୂଆ ହେବା ଠାରୁ ଆରମ୍ଭ କରି ପିଲା ଦେବା ପର୍ଯ୍ୟନ୍ତ ବୁଦା ପ୍ରତି ୧୦ରୁ ୧୫ଟି ପିଲ ଦେବା ଠାରୁ ଧୋଡ ହେବା ପର୍ଯ୍ୟନ୍ତ ୧୫ ରୁ ୨୦ଟି ଏବଂ ଫୁଲ ଉଡେଇବା ଅବସ୍ଥା ପରେ ୨୫ରୁ ୩୦ଟି ପର୍ଯ୍ୟନ୍ତ ମାଟିଆ ଗୁଣ୍ଡି ପୋକ ଦେଖାଦେଲେ ରାସାୟନିକ ବିଷ ପ୍ରୟୋଗ କରନ୍ତୁ । ଏକର ପିଛା ୫୦୦ ମିଲି ମନୋକ୍ରୋଟେଫସ୍ କିମ୍ବା ୮୦୦ ଗ୍ରାମ୍ କାର୍ବୋସଲଫାନ୍ କିମ୍ବା ୧୦୦୦ ମିଲି କ୍ଲୋରୋପାଇରିଫସ୍ ୨୦୦ ମିଲି ପାଣିରେ ଗୋଳାଇ ସ୍ପ୍ରେ କରନ୍ତୁ । ମାଟିଆ ଗୁଣ୍ଡି ପୋକ ଗଛ ମୂଳରେ ରହୁଥିବା ଯୋଗୁ ଔଷଧ ସ୍ପ୍ରେ କଲା ବେଳେ ସ୍ପ୍ରେୟର୍ ନୋଜାଲ ଗଛ ମୂଳ ଆଡକୁ ଦେଖାଇବା ଦରକାର । କୀଟନାଶକ ସ୍ପ୍ରେ କରିବା ପୂର୍ବରୁ କୃଷି ବୈଜ୍ଞାନିକଙ୍କ ସହ ପରାମର୍ଶ କରନ୍ତୁ । ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ନିୟନ୍ତ୍ରଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ବୈଜ୍ଞାନିକ ଡ. ଦାମୋଦର ପରିଡାଙ୍କ ସହ ଯୋଗାଯୋଗ କରନ୍ତୁ ।

ସଂଗୃହିତ - ଡ. ଦାମୋଦର ପରିଡା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate