অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଆଜ ରୋଗ ନିୟନ୍ତ୍ରଣରେ ସତର୍କତା

ପିଆଜ ରୋଗ ନିୟନ୍ତ୍ରଣରେ ସତର୍କତା

ପ୍ରତି ପରିବାରର ରୋଷେଇ ଘରେ ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ମାତ୍ର ଓଡ଼ିଶାରେ ଯେତିକି ପରିମାଣର ପିଆଜ ଉତ୍ପାଦନ ହେଉଛି, ତାହା ଯଥେଷ୍ଟ ନୁହେଁ । ପିଆଜ ଚାହିଦା ମେଣ୍ଟାଇବାକୁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଚାହିଁଲେ ଆମେ ଉନ୍ନତ ପ୍ରଣାଳୀରେ ପିଆଜ ଚାଷ କରି ଉତ୍ପାଦନକୁ ବୃଦ୍ଧି କରିପାରିବା । ଅନେକ ସମୟରେ ବିଭିନ୍ନ ରୋଗରେ ପାକ କାରଣରୁ ଚାଷୀକୁ କ୍ଷତି ସହିବାକୁ ପଡିଥାଏ । ଏନେଇ କେତେକ ବିଶେଷ ସତର୍କତା ଅବଲମ୍ବନ କଲେ ପିଆଜରୁ ରୋଗପୋକ ସମସ୍ୟାକୁ ରୋକାଯାଇପାରିବ ।

ମୂଳ ସଢା ରୋଗ

ଏହା ଏକ କବକ ଜନିତ ରୋଗ । ସାଧାରଣତଃ ଦୁଇ ପ୍ରକାର ମୂଳ ସଢା ପିଆଜରେ ଦେଖାଯାଏ । ଗୋଟିଏ ପିଆଜର ମୂଳ ସଢା ଅଙ୍କୁରୋଦଗମ ପୂର୍ବରୁ ଯାହା ଦ୍ଵାରା ବିହନ ଏବଂ ଅଙ୍କୁରିତ ବିହନ ଉଭୟ ସଢିଯାଇ ନଷ୍ଟ ହୋଇଯାଏ ।

ଅନ୍ୟ ମୂଳ ସଢାଟି ଅଙ୍କୁରୋଦ୍‌ଗମ ପରେ ହୋଇଥାଏ, ଯେଉଁଥିରେ ମାଟିକୁ ଲାଗିଥିବା ପିଆଜର କାଣ୍ଡ ଅଂଶଟି ସଢିଯାଏ ଏବଂ ଗଛଗୁଡିକ ପଢିଯାଏ । ଅଧିକ ଆକ୍ରାନ୍ତ ଗଛଗୁଡିକ ମରି ଯାଆନ୍ତି । ସାଧାରଣତଃ ଖରିଫ ଋତୁରେ ଅଧିକ ଉଷ୍ଣତା ଓ ଆର୍ଦ୍ରତା ପାଇଁ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହୋଇଥାଏ ଏବଂ ଏହା ୬୦-୭୫% କ୍ଷତି କରିଥାଏ ।

ପରିଚାଳନା :

ପ୍ରତି କିଲୋଗ୍ରାମ୍ ମଞ୍ଜି ପିଛା ୨ ଗ୍ରାମ୍ ଥିରାମ ଦେଇ ବିହନ  ବିଶୋଧନ କରନ୍ତୁ । ଗୋଟିଏ ସ୍ଥାନରେ ବାରମ୍ବାର ଚାରା ଉତ୍ପାଦନ କରନ୍ତୁ ନାହିଁ । ବିହନ ବୁଣିବାର ୧୦ ଦିନ ପୂର୍ବରୁ ମାଟି ଉପରେ ଧଳା ପଲିଥିନ୍ ଘୋଡାଇ ମୃତ୍ତିକା ବିଶୋଧନ କରନ୍ତୁ । ହେକ୍ଟର ପ୍ରତି  ୨.୫ କିଗ୍ରା ଟ୍ରାଇକୋଡର୍ମ ମିଶାଇ ମୃତ୍ତିକା ବିଶୋଧନ କରନ୍ତୁ । ରୋଗାକ୍ରାନ୍ତ ହେଲେ ଲିଟର ପିଛା ୧ ଗ୍ରାମ୍ ରିଡୋମିଲ୍ ମିଶାଇ ଗଛର ମୂଳ ଅଂଶରେ ସ୍ପ୍ରେ କରନ୍ତୁ ।

ପରପଲ୍ ବ୍ଲୋଚ୍

ଏହା ପିଆଜକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଉଥିବା ରୋଗ । ଉଭୟ ପିଆଜ ପତ୍ରରେ ଏବଂ ଫୁଲ କଢ କାଣ୍ଡରେ ଧଳା ରଙ୍ଗର ଖାଲୁଆ ଛଉ ଦେଖାଯାଏ । ଯାହାର କେନ୍ଦ୍ର ଅଂଶରେ ବାଇଗଣୀ ରଙ୍ଗର ଚିହ୍ନ ଥାଏ । ଏହି କବକର ସଂକ୍ରମଣ ବୃଦ୍ଧି ପାଇ ପତ୍ରଗୁଡିକରେ ଏକ ଚିହ୍ନ କ୍ରମଶଃ ଅଗ୍ରସର ହୋଇ ପତ୍ରଗୁଡିକ ପଚିଯାଏ । ଏହି ରୋଗରେ ଆକ୍ରାନ୍ତ ଗଛଗୁଡିକରେ ପିଆଜ କନ୍ଦା ସୃଷ୍ଟି ହୋଇପାରେ ନାହିଁ । ସାଧାରଣତଃ ବାୟୁମଣ୍ଡଳର ତାପମାତ୍ରା କ୍ରମଶଃ ବୃଦ୍ଧିପାଇ ୨୦-୩୦ ଡିଗ୍ରୀ ସେଣ୍ଟିଗେଡ ହୋଇ ଗଲେ ଏହି ରୋଗର ପ୍ରାଦୁର୍ଭାବ ଦେଖାଯାଇଥାଏ ।

ପରିଚାଳନା :

ପିଆଜ ଶୀଘ୍ର ଅମଳ ପାଇଁ ନଭେମ୍ବର ମାସର ଦ୍ଵିତୀୟ ସପ୍ତାହ, ଶୁଦ୍ଧା ପିଆଜ ଲଗାନ୍ତୁ ।

  • ୧ ଲିଟର ପାଣିରେ ମାନକୋଜେବ କିମ୍ବା କାର୍ବେଣ୍ଡୋଜିମ୍ ୩ ଗ୍ରାମ୍ ମିଶାଇ ଚାରା ବିଶୋଧନ କରନ୍ତୁ । ଶୁଖିଲା ଏବଂ ଆକ୍ରାନ୍ତ ପତ୍ର ଗୁଡିକୁ ସଂଗ୍ରହ କରି ନଷ୍ଟ କରନ୍ତୁ ।
  • ୧ ଲିଟର ପାଣିରେ ୨.୫ ଗ୍ରାମ୍ ଇଣୋଫିଲ୍ ଏମ୍-୪୫ ଏବଂ ଅଠା ମିଶାଇ ୧୫ ଦିନ ବ୍ୟବଧାନରେ ସିଞ୍ଚନ କରନ୍ତୁ ।
  • ଟିବ୍ୟୁକୋନାଜୋଲ୍ ଔଷଧକୁ ୧ ଲିଟର ପାଣିରେ ୧ ମି.ଲି ଔଷଧ ପକାଇ ସିଞ୍ଚନ କରନ୍ତୁ ।

ଉକୁଣିଆ ପୋକ

ପିଆଜ ଫସଲର ପ୍ରଧାନ ଶତ୍ରୁ ଭାବେ ଉକୁଣିଆ ପୋକକୁ ଗଣନା କରାଯାଏ । ଏହାର ଆକ୍ରମଣ ଫଳରେ ସାଧାରଣ ଭାବେ ଫସଲ ନଷ୍ଟ ହେବା ସଙ୍ଗେ ସଙ୍ଗେ ଏହା ପରପଲ ବ୍ଳାଚ୍ ରୋଗ ପାଇଁ ମଧ୍ୟ ସମ୍ଭାବନା ସୃଷ୍ଟି କରିଥାଏ ।

ଉକୁଣିଆ ପୋକର ଉଭୟ ପ୍ରାପ୍ତ ବୟଷ୍କ ଓ ଶୁକଗୁଡିକ ପତ୍ରସନ୍ଧିରେ ରହି ପତ୍ରର ରସ ଶୋଷି ନିଅନ୍ତି । ସେହି ସ୍ଥାନରେ ଧଳା ରଙ୍ଗର ଛଉ ସୃଷ୍ଟି ହୁଏ । ଅତ୍ୟଧିକ ରୋଗାକ୍ରାନ୍ତ ସ୍ଥିତିରେ ଏହା ରୂପା ରଙ୍ଗର ଛଉ ଭଳି ଦେଖାଯାଏ  ଏବଂ ଚାରା ଗଛଟି ମରିଯାଏ।

ପରିଚାଳନା :

ଚାରା ଲଗାଇବା ସମୟରେ ୧ ମିଲି ଇମିଡାକ୍ଲୋପିଡ୍ / ୩ ଲିଟର ଜଳରେ ୫-୧୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ବିଶୋଧନ କରନ୍ତୁ ।

  • ଏହାର ପ୍ରାଦୁର୍ଭବ କମ୍ କରିବା ପାଇଁ ହେକ୍ଟର ପ୍ରତି ୧୦-୧୨ ନୀଳ ଅଠାଳିଆ ଯନ୍ତା ରଖନ୍ତୁ ।
  • ଖାଲି ଟିଣ ଡବାରେ ଗ୍ରୀସ, ଭେସଲିନ୍ କିମ୍ବା ଜଡା ତେଲକୁ ବାହ୍ୟ ଆବରଣ ଦେଇ ଯନ୍ତା ଭାବରେ ବ୍ୟବହାର କରିପାରିବେ ।
  • ‘ଜମ୍ପ' ଔଷଧକୁ ୧୦ ଲିଟର ପାଣିରେ ୨ଗ୍ରାମ୍ ପାଣିରେ ପକାଇ ସିଞ୍ଚନ କଲେ। ଉକୁଣିଆ ପୋକ ଦାଉରୁ ରକ୍ଷା ମିଳିଥାଏ।

ସଂଗୃହିତ - ସ୍ପର୍ଣ୍ଣସାରିକା ବେହେରା, ବୈଜ୍ଞାନିକ ଅଧିକାରୀ ୱାଲ୍ଡ ,ଭେଜିଟେବୁଲ ସେଣ୍ଟର

 

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate