অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗପୋକ ଆକ୍ରମଣ ବେଳ ହୁଁ ସାବଧାନ

ରୋଗପୋକ ଆକ୍ରମଣ ବେଳ ହୁଁ ସାବଧାନ

ସାରା ରାଜ୍ୟରେ ଚକଡ଼ା ପୋକ ଆକ୍ରମଣକୁ ନେଇ ଚିନ୍ତାରେ ଚାଷୀ । ସରକାରୀ ପଦକ୍ଷେପ ସତ୍ତେ ଚାଷୀର ଭରଷା ପାଉନି, ସେ ଚକଡ଼ା ପ୍ରଭାବିତ କ୍ଷେତରେ ନିଆଁ ଲଗାଇ ଦେଉଛି । ତେବେ ଏହା ସମସ୍ୟାର ସମାଧାନ ନୁହେଁ । ଖରିଫ ପରେ ଏବେ ଆରମ୍ଭ ହେବ । ଡାଳୁଆ ଧାନ ଚାଷ । ଚାଷୀ ଭାଇମାନେ ନିଜ ସ୍ତରରେ କିଭଳି ରୋଗରେ ପାକ  ଫସଲକୁ ଆକ୍ରମଣ ନ କରିବେ ସେଥୁପାଇ ଯୁଗ୍ମବାନ ହେବା ଜରୁରୀ। ଚାଷୀମାନେ ଆଗୁଆ ସଚେତନ ହୋଇ ଯଦି ସତର୍କତାମୂଳକ ପଦକ୍ଷେପ ନେବେ ତେବେ ଡାଳୁଆ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିବ ନାହିଁ । ଓଡ଼ିଶା ଭଳି ରାଜ୍ୟରେ ପ୍ରତ୍ୟେକ ବର୍ଷ ଫସଲରେ ଅନେକଗୁଡ଼ିଏ ଅନିଷ୍ଟକାରୀ ପୋକ ଆକ୍ରମଣ ଯୋଗୁ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଚଳିତ ଖରିଫ ଋତୁରେ ଚାଷୀମାନଙ୍କର ଅନେକ ପ୍ରଚେଷ୍ଟା ସତ୍ତେ ଓଡ଼ିଶାର ୯ଟି ଜିଲ୍ଲାରେ ୧ଲକ୍ଷ ୧୨ହଜାର ହେକ୍ଟର ଜମିରେ ଚକଡ଼ା ପୋକ (ମାଟିଆ ଗୁଣ୍ଡି)ର ପ୍ରାଦୁର୍ଭାବ ଯୋଗୁ ବ୍ୟାପକ ଫସଲ ହାନି ଘଟିଛି । ମାତ୍ର  ଚାଷୀମାନେ ମନବଳ ଦୃଢ ରଖି ଡାଳୁଆ ଧାନ ଚାଷରେ ରୋଗ ପୋକ ଆକ୍ରମଣର ମୁକାବିଲା କରିବାକୁ ବେଳ ହୁଁ ସାବଧାନ ହୁଅନ୍ତୁ ।

ରାଜ୍ୟରେ ପ୍ରତ୍ୟେକ ବର୍ଷ ଫସଲରେ ଅନେକଗୁଡ଼ିଏ ଅନିଷ୍ଟକାରୀ ପୋକ ଯଥା, କାଣ୍ଡବିନ୍ଧା ପୋକ, ବଙ୍ଗୀପୋକ, ବିରିହା ପୋକ, ପତ୍ରଡ଼ିଆଁ ପୋକ, ଲେଡ଼ା ପୋକ, କେଣ୍ଡା କଟା ପୋକ, ଗନ୍ଧି ପୋକ ଇତ୍ୟାଦିର ଆକ୍ରମଣ ଯୋଗୁ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି ।

ପୋକ ସଂକ୍ରମଣର କାରଣ

ଧାନ ଫସଲରେ ବହୁଳ କୀଟ ଓ ରୋଗ ସଂକ୍ରମଣ ମୁଖ୍ୟ କାରଣ ହେଲା ସହଣା ଶକ୍ତି ନଥିବା ଧାନ ବିହନର ବ୍ୟବହାର । ଉଦାହରଣ ସ୍ଵରୂପ ସ୍ଵର୍ଣ୍ଣ ବିହନ କିସମ । ଏହି କିସମର ଅମଳ ଶକ୍ତି ଅଧିକ ହେଲେ ମଧ୍ୟ ଏହା ବହୁ ବର୍ଷ ହେଲା ଚାଷ ହେଉଥିବା ଯୋଗୁଁ ରୋଗପେକ ସହଣୀ ଶକ୍ତି ନାହିଁ । ତେଣୁ ରୋଗ ପୋକ ସଂକ୍ରମଣ ହେଲେ ବିପର୍ଯ୍ୟାୟ ରୂପ ନେଇଥାଏ ।

  • ଚାଷୀମାନେ ପ୍ରତି ୩ ବର୍ଷରେ ଥରେ ବିହନ ବଦଳ କରିବା ପରିବର୍ତ୍ତେ ଏକା କିସମର ବିହନକୁ ବାରମ୍ବାର ଚାଷ କରୁଛନ୍ତି । ଯାହା ଫଳରେ କି ପର୍ଯ୍ୟାୟକ୍ରମେ ଗୋଟିଏ ଫସଲରୁ ଅନ୍ୟ ଫସଲକୁ ରୋଗରେ ପାକ, ସହଜରେ ସଂକ୍ରମଣ ହୋଇଯାଉଛି ।
  • ଜମିରେ ମାଟି ପରୀକ୍ଷା କରି ସୁଷମ ସାର ପ୍ରୟୋଗ କରିବା ପରିବର୍ତ୍ତେ ଅଧିକ ପରିମାଣର ଯବକ୍ଷାରଯାନ ସାର ପ୍ରୟୋଗ କରୁଛନ୍ତି ଯାହା ପୋକ ସଂକ୍ରମଣ ବଢ଼ାଇବାରେ ସାହାଯ୍ୟ କରୁଛି।
  • ଜଳସେଚିତ ଅଞ୍ଚଳରେ ଧାନ ପରେ ଧାନ ଫସଲ ଚକ୍ର ଅବଲମ୍ବନ କରାଯାଉଛି । ଫଳରେ ଗୋଟିଏ ଫସଲରେ ଲାଗିଥିବା ରୋଗପେକ ପରବର୍ତ୍ତୀ ଫସଲକୁ ସଂକ୍ରମଣ କରିବାରେ ସହାୟକ ହେଉଛି ।
  • ରୋଗପେକ ନିୟନ୍ତ୍ରଣ ପାଇଁ ନିମ୍ନମାନର କୀଟନାଶକ ବହୁଳ ଭାବରେ ବାରମ୍ବାର ଫସଲରେ ପ୍ରୟୋଗ ହେଉଥିବା ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହିତ ରୋଗ ଓ ପୋକମାନଙ୍କ କୀଟ ସହଣୀଶକ୍ତି ବୃଦ୍ଧି ପାଉଛି । ଫଳରେ ସେହି ସମାନ କୀଟନାଶକ ପରବର୍ତ୍ତୀ ସମୟରେ ବ୍ୟବହାର କଲେ କୌଣସି ସୁଫଳ ମିଳୁ ନାହିଁ ।
  • କୀଟନାଶକର ବହୁଳ ବ୍ୟବହାର ଯୋଗୁ ପରଭୋଜୀ ଓ ପରଶ୍ରୟୀ ଉପକାରୀ କୀଟମାନଙ୍କର ବିନାଶ ଘଟି ବଂଶ ଲୋପପାଉଛି । ତେଣୁ ପ୍ରକୃତିରେ ଅପକାରୀ କୀଟମାନଙ୍କର ବଂଶ ବୃଦ୍ଧିକୁ ରୋକିବା ପାଇଁ ଉପକାରୀ ପୋକମାନଙ୍କର ଅଭାବ ପରିଲକ୍ଷିତ ହେଉଛି । ତେଣୁ ଥରେ ସଂକ୍ରମଣ ଆରମ୍ଭ ହେଲେ: ତାହା ବଢି ଚାଲି ବିପର୍ଯ୍ୟାୟର ରୂପ ଧାରଣ କରୁଛି ।

ସମନ୍ୱିତ କୀଟ ନିୟନ୍ତ୍ରଣ

ସମ୍ବନିତ କାଟ ନିୟନ୍ତ୍ରଣ ଏପରି ଏକ ପଦ୍ଧତି ଯେଉଁଥୁରେ ବିଭିନ୍ନ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ବା ଚାଷ ପ୍ରଣାଳୀ ବ୍ୟବହାର କରାଯାଇ ଅନିଷ୍ଟକାରୀ କୀଟମାନଙ୍କର ସଂଖ୍ୟାକୁ କମାଇ ଦିଆଯାଇଥାଏ ।

ରୋଗ ସହାଣୀ ଥିବା ବିହନ ବ୍ୟବହାର :

ନିଜ ଅଞ୍ଚଳ, ଜଳବାୟୁକୁ ଦୃଷ୍ଟିରେ ରଖି ରୋଗ ପୋକ ସହଣା ଥିବା ଧାନ ବିହନ କିସମ ବ୍ୟବହାର କଲେ ରୋଗ ପୋକ ସଂକ୍ରମଣ ସମ୍ଭାବନା କମିଯାଏ । ଏଥିପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ବୈଜ୍ଞାନିକଙ୍କ ପରାମର୍ଶ ନିଅନ୍ତୁ ।

ଖରାଟିଆ ଚାଷ :

ଫସଲ ଅମଳ ପରେ ଜମିକୁ ଚାଷ କରି ଖରା ଖାଇବାକୁ ଛାଡ଼ି ଦେଲେ ଧାନ ମୂଳରେ ଲୁଚି ରହିଥିବା ଶୁକ ଓ ପୋଜ ଗୁଡ଼ିକ ନଷ୍ଟ ହୋଇଯାଆନ୍ତି । ପକ୍ଷୀମାନେ ଏହି ପୋକ ଓ କୋଷାକୁ ଖାଇ ନଷ୍ଟ କରି ଦିଅନ୍ତି ।

ତଳି କିଆରୀରେ କୀଟନାଶକ ପ୍ରୟୋଗ :

ଯେଉଁ ଅଞ୍ଚଳରେ କାଣ୍ଡ ବିନ୍ଧା ପୋକ, ବଙ୍ଗି ପୋକର ସମସ୍ୟା ରହିଛି ସେହି ଅଞ୍ଚଳରେ ଧାନ ରୋଇବାର ୫ ଦିନ ପୂର୍ବରୁ ତଳି ଘେରାରେ ଦାନାଦାର ପ୍ରୟୋଗ କଲେ ତାହା ଏକ ମାସରୁ ଦେଢ଼ ମାସ ପର୍ଯ୍ୟନ୍ତ ରୂଆ ଯାଇଥିବା ତଳିକୁ ସଂକ୍ରମଣରୁ ରକ୍ଷା କରିଥାଏ । ଡାଳୁଆ ଧାନକୁ ଜାନୁଆରୀ ମାସ ଶେଷ ସୁଦ୍ଧା ରୋଇଲେ କାଣ୍ଡବିନ୍ଧା ଓ ବଙ୍ଗୀ ପୋକ ଆକ୍ରମର କମ୍ ହୋଇଥାଏ ।

ତଳି ରୋଇବାର ବ୍ୟବଧାନ :

ଧାନ ତଳି ପାଖକୁ ପାଖ ଲଗାଇ ରୋଇଲେ ଗଛ ଘଞ୍ଚ ହୋଇ ବଢିଯାଏ ଏବଂ ପୋକ ସଂକ୍ରମଣ ବଢ଼ିଥାଏ । ତେଣୁ କିସମ ଅନୁସାରେ ଧାଡ଼ି କରି ଧାଡ଼ିକୁ ଧାଡ଼ି, ୨୦ ସେମି ଓ ଗଛକୁ ଗଛ ୧୦ ସେମି ବ୍ୟବଧାନ ରଖି ତଳି ରୁଅନ୍ତୁ ।

ସୁଷମ ସାର ପ୍ରୟୋଗ :

ଜମିର ମାଟି ପରୀକ୍ଷା କରି କିସମ ଅନୁସାରେ ଯବକ୍ଷାରଯାନ, ଫସଫରସ୍ ଓ ପଟାସ୍ ସାର ବ୍ୟବହାର କରନ୍ତୁ । ଏହା ଥରକେ ସାର ପ୍ରୟୋଗ ନକରି ଅନୁମୋଦିତ ପ୍ରଣାଳୀରେ ପ୍ରୟୋଗ କରନ୍ତୁ । ଚକଡ଼ା ପୋକ ସମସ୍ୟା ଦେଖା ଦେଉଥିବା ଅଞ୍ଚଳରେ ଯବକ୍ଷାରଯାନ ସାର କମ୍। ପରିମାଣରେ ବ୍ୟବହାର କରନ୍ତୁ । ଧାନ ବିଲରେ ସବୁବେଳେ ପାଣି ଭର୍ତ୍ତି କରି ନ ରଖି ଜମିକୁ ପାଣି ଶୁଖେଇବାକୁ ଦେଇ ପୁଣି ଭର୍ତ୍ତି କରନ୍ତୁ ।

କୀଟ ସର୍ବେକ୍ଷଣ :

କୀଟ ସମସ୍ୟା ବହୁଳ ଅଞ୍ଚଳରେ ଜମିକୁ ନିୟମିତ ସର୍ବେକ୍ଷଣ କରନ୍ତୁ । ସରକାର ଇ-କୀଟ ନୀରିକ୍ଷଣ ପଦ୍ଧତି ଦ୍ଵାରା ବିଭିନ୍ନ ସମୟରେ ସୂଚନା ଦେଉଛନ୍ତି । ଏହା ଉପରେ ଆଧାର କରି ଆବଶ୍ୟକତା ମୁତାବକ କୀଟନାଶକ ପ୍ରୟୋଗ କରନ୍ତୁ ।

କୀଟନାଶକ ପ୍ରୟୋଗ:

କୀଟ ସର୍ବେକ୍ଷଣ ପରେ ଯଦି କାଟ ସଂକ୍ରମଣ ଆର୍ଥିକ ଦେହଳୀ ସୀମା ଅତିକ୍ରମ କରେ। ତା ହେଲେ କୃଷି ବିଶେଷଜ୍ଞଙ୍କୁ ପରାମର୍ଶ କରି ସଠିକ୍ ପରିମାଣରେ ବ୍ୟବହାର କରନ୍ତୁ ।

ଜୈବ ନିୟନ୍ତ୍ରଣ :

ଫସଲର କ୍ଷତି କରୁଥିବା ଅନିଷ୍ଟକାରୀ କୀଟମାନଙ୍କୁ ଦମନ କରୁଥିବା ପରଭୋଜୀ ପୋକ ଯଥା, ବୁଢ଼ିଆଣୀ, ଇନ୍ଦ୍ର ଯୋଗୀଭୃଙ୍ଗ, ସରୁ କଙ୍କି ଆଦି ଜୀବମାନଙ୍କର ସଂରକ୍ଷଣ କରିବା ଦରକାର । ଏହା ସହିତ ଆବଶ୍ୟକ ମୁଳେ ପରାଶ୍ରୟୀ ପୋକ ଟ୍ରାଇକୋଗାମୀ ଜାପୋନିକମ, ଟ୍ରାଇକୋଗାମା ଚିଲେନିସ୍ ଜମିରେ ପ୍ରୟୋଗ କରିପାରିବେ ।  ବୋଲି କୃଷି ବିଶେଷଜ୍ଞ ଡ. ଦାମୋଦର ପରିଡ଼ା ପ୍ରକାଶ କରିଛନ୍ତି ।

ସଂଗୃହିତ - କୃଷି ବିଶେଷଜ୍ଞ ଡ. ଦାମୋଦର ପରିଡ଼ା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate