অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲଙ୍କା ଫସଲରେ ଅଷ୍ଟପଦୀ ପରିଚାଳନା

ପନିପରିବା ଉତ୍ପାଦନ

କୃଷି ଭିତ୍ତିକ ଅର୍ଥନୀତି ଉପରେ ପର୍ଯ୍ୟବେସିତ ଆମ ଦେଶ ଭାରତ ବର୍ଷ । ବିଶ୍ଵସ୍ତରରେ ଉଭୟ କୃଷି ଓ ଉଦ୍ୟାନ ଫସଲର ଉତ୍ପାଦନରେ ଏକ ସ୍ଵତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ପନିପରିବା ଫସଲରେ ସ୍ଵତନ୍ତ୍ରତା ବଜାୟ ରଖୁଥିବା ଭାରତରେ ପାଖାପାଖି ୯ ମିଲିୟନ ହେକ୍ଟରରେ ହାରାହାରି ୧୬.୩ ମିଲିୟନ ଟନ୍ ପନିପରିବା ଉତ୍ପାଦନ ହୁଏ । ବିଭିନ୍ନ ପନିପରିବା ମଧ୍ୟରୁ ଲଙ୍କା ଫସଲ ଏକ ପ୍ରମୁଖ ଫସଲ । ଏହି ଫସଲରେ ବାଧକ ସାଜୁଥିବା କାରଣଗୁଡିକ ମଧ୍ୟରୁ ଅଷ୍ଟପଦୀ ଜନିତ କ୍ଷତି ଅନ୍ୟତମ ।

ଫସଲରେ ବାଧକ ସାଜୁଥିବା ଅଷ୍ଟପଦୀ ଜନିତ କ୍ଷତି

ଅଷ୍ଟପଦୀ ଏକ କୀଟ ନୁହେଁ । ଏହାକୁ ଆମ ଚାଷୀ ଭାଇମାନେ ଅନେକ ସମୟରେ କୀଟର ଆଖ୍ୟା ଦେଇଥାଆନ୍ତି । ଏହା କୀଟ ପରି ଦେଖାଯାଉଥିବା ଓ ଆଠଟି ଗୋଡ଼ ଥିବା ଏକ ପ୍ରମୁଖ ଅଣକୀଟ ଶତ୍ରୁ । ଅନେକ ପ୍ରଜାତିର ଅଷ୍ଟପଦୀ ବା ମାଇଟ୍ ପନିପରିବା ଫସଲରେ ଦେଖାଯାଆନ୍ତି । ଏଥି ମଧ୍ୟରୁ ହଳଦୀ, ଅଷ୍ଟପଦୀ ବା ଯୋଜୋଲା ମାଇଟ୍ ବା ବ୍ରଡ୍ ମାଇଟ୍, ଲଙ୍କା ଫସଲର ପ୍ରମୁଖ ଶତ୍ରୁ ରୂପେ ପରିଗଣିତ ହୁଏ ।

ଏହାର ଆକାର ଗୋଲାକାର ଓ ଏହା ଧଳା ରଙ୍ଗର ହୋଇଥାଏ । ଲିଙ୍ଗଗତ ବିଭିନ୍ନତା ଏହି ମାଇଟ୍‌ରେ ଦେଖାଯାଏ । ସ୍ତ୍ରୀ ଅଷ୍ଟପଦୀଟି ପୁରୁଷ ଅଷ୍ଟପଦୀଠାରୁ ଆକାରରେ ବଡ଼ ହୋଇଥାଏ । ଚତୁର୍ଥ ଗୋଡ଼ରେ ସ୍ତ୍ରୀ ଅଷ୍ଟପଦୀଟିର ଏକ ଲାଞ୍ଜ ଆକୃତିର ଲମ୍ବା କେଶ ଭଳି ଜିନିଷ ରହିଥାଏ, ଯାହା ସ୍ତ୍ରୀ ଅଷ୍ଟପଦୀକୁ ଭିନ୍ନ ରୂପ ଦେଇଥାଏ । ଏହା ଏକ ଶୋଷକ ପ୍ରଜାତିର ଶତ୍ରୁ ଓ ଏହା ଗଛର କଅଁଳିଆ ପତ୍ର, କାଣ୍ଡ, ଫୁଲ ଓ ଅନ୍ୟାନ୍ୟ ଅଂଶରୁ ରସ ଶୋଷି ଖାଇଥାଏ । ପତ୍ରର ତଳଭାଗକୁ ଖାଉଥିବା ଏହି ଅଷ୍ଟପଦୀଙ୍କ ପ୍ରାଦୁର୍ଭାବରୁ ପତ୍ର ମୋଡ଼ି ମୋଡ଼ି ହୋଇଯାଏ ଓ ଫୁଲ ଏବଂ ଫଳ ଧାରଣ କ୍ଷମତା ହ୍ରାସ ପାଏ । ଲଙ୍କା ଗଛର ଏହି ପତ୍ର ମୋଡ଼ା ରୋଗକୁ ଆମ ଦେଶରେ ମୁର୍ଦ ରୋଗ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥାଏ । ନୂତନ ଅନୁସନ୍ଧାନରୁ ଜଣାଯାଇଛି ଯେ ଏହି ଅଷ୍ଟପଦୀର ଅଣ୍ଡା ଓ କ୍ଷତିକାରୀ ଅବସ୍ଥା ଗଛର ଉପରିଭାଗରେ ଥିବା ପତ୍ରରେ ଅଧିକ ଥାଏ ଓ ମଝି ଏବଂ ତଳ ଅଂଶର ପତ୍ରରେ କମ୍ ଥାଏ । ଅନ୍ୟ ଏକ ବିଶେଷତ୍ବ ହେଲା। ଏହି ମାଇଟ୍ କେବଳ ଲଙ୍କା ଫସଲକୁ ନୁହେଁ ଅନ୍ୟାନ୍ୟ ଅନେକ ପନିପରିବା ଫସଲକୁ ମଧ୍ୟ ଆକ୍ରମଣ କରିଥାଏ । ଏହି ଅଣକୀଟ ଶତ୍ରୁର ପରିଚାଳନା ପାଇଁ ଚାଷୀମାନେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏକ ସମନ୍ୱିତ ଦିଗ ଆଡ଼କୁ ଅଗ୍ରସର ହେବା ଜରୁରୀ । ଏବେ ଆସନ୍ତୁ ଏହି ଅଷ୍ଟପଦୀର ପରିଚାଳନା ସମ୍ବନ୍ଧରେ ସଂକ୍ଷେପରେ ଜାଣିବା । ଆମେ ପରିଚାଳନାକୁ ଦୁଇଭାଗରେ ବିଭକ୍ତ କରୁ । ଗୋଟିଏ ଅଣରାସାୟନିକ ପରିଚାଳନା ଏବଂ ଦ୍ଵିତୀୟଟି ରାସାୟନିକ ପରିଚାଳନା । ଅଣରାସାୟନିକ ଦିଗ ଉପରେ ନଜର ଦେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼େ । ଯଥା ଆକ୍ରମିତ ଗଛଗୁଡ଼ିକର ସଂକ୍ରମିତ ପତ୍ର ତଥା ଗଛର ନଷ୍ଟ ହୋଇଯାଇଥିବା ଅନ୍ୟାନ୍ୟ ଅଂଶ ବିଶେଷକୁ ନଷ୍ଟ କରିଦେବା ଆବଶ୍ୟକ । ଯାହାଫଳରେ ଅଷ୍ଟପଦୀ ଜନିତ କ୍ଷତିକୁ ରୋକାଯାଇପାରିବ । ଗୋଟିଏ ଜମିରେ ବାରମ୍ବାର ଲଙ୍କା ଫସଲ ନ କରି ଅନ୍ୟ ଫସଲ ମଧ୍ୟ କରିବା ଜରୁରୀ । ଫସଲ ପର୍ଯ୍ୟାୟ ତଥା ଫସଲ ଚକ୍ରର ପ୍ରବର୍ତ୍ତନ ଫଳରେ ଏହି ଅଷ୍ଟପଦୀକୁ ନିୟନ୍ତ୍ରଣ କରିହୁଏ । କିଆରିରେ ଥିବା ଅନାବନା ଘାସ ଯାହା ଅଷ୍ଟପଦୀଗୁଡ଼ିକର ପୋଷକ ଗଛ ଭାବେ କାର୍ଯ୍ୟ କରି ସେମାନଙ୍କ ବଂଶବିସ୍ତାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେଗୁଡ଼ିକୁ ଉପାଡ଼ି ସଫା କରିଦେବା ଦରକାର । ଅନୁସନ୍ଧାନ ଅନୁସାରେ କିଆରି ପାଖରେ ଥିବା ଦୁଦୁରାଗଛ ଏହି ଅଷ୍ଟପଦୀ ଗୁଡ଼ିକର ପ୍ରମୁଖ ବାସସ୍ଥଳ ରୂପେ କାର୍ଯ୍ୟ କରେ । ଏତଦ୍ ଭିନ୍ନ ଚାରରେ ପଣର ସମୟ ଉପରେ ମଧ୍ୟ ଅଷ୍ଟପଦୀ ପ୍ରାଦୁର୍ଭାବର ମାତ୍ରା ନିର୍ଭର କରେ ।

ଅନୁସନ୍ଧାନ କୁହେ ଯେ ଲଙ୍କା ଚାରରେ ପଣ କରିବାର ସମୟ ଜୁଲାଇ ୧୫ ପରେ ହେଲେ ଏହି ଅଷ୍ଟପଦୀର ପ୍ରାଦୁର୍ଭାବ କମିଥାଏ ଓ ଅମଳ ଭଲହୁଏ । ଲଙ୍କା ଫସଲ ସହିତ ଟମାଟୋ, ରସୁଣ ବା ଧନିଆ ଫସଲକୁ ମିଶ୍ରିତ ଭାବେ ଇଣ୍ଟରକ୍ରପ କରିବା ଦ୍ଵାରା ଏହି ଅଷ୍ଟପଦୀର ମାତ୍ରା ଓ ପ୍ରାଦୁର୍ଭାବ ବହୁଳ ଭାବରେ  ହ୍ରାସ ପାଏ । ପୁଷାଜ୍ଵାଳା କିସମର ଚାଷ ଆମ ଚାଷୀ ଭାଇଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ଏହି କ୍ଷତିକାରୀ ଅଷ୍ଟପଦୀର ଦମନ ପାଇଁ ଏହାର ଖାଦକ ଭାବରେ ବା ସଂକ୍ରମକ ଭାବରେ ମିତ୍ର ଅଷ୍ଟପଦୀ ଯଥା ଆନ୍ଦୋଲିସିଅସ୍ ଓ କବକ, ପସିଲେ ମାଇସିସ୍‌କୁ ଜୈବିକ ଦମନ ପ୍ରଣାଳୀର ଅନ୍ତର୍ଭୁକ୍ତ କରଯାଇପାରେ । ଏହା ବ୍ୟତୀତ ନିମ୍ବ ମଞ୍ଜିରୁ ପ୍ରସ୍ତୁତ ଏନ୍.ଏସ୍କେଇ ୫ ପ୍ରତିଶତ ବା ନିମଜାଲ ୧ ପ୍ରତିଶତକୁ ଚାର ରୋପଣର ଦ୍ଵିତୀୟ ପଞ୍ଚମ, ସପ୍ତମ ଓ ଏକାଦଶ ସପ୍ତାହରେ ସିଞ୍ଚନ କଲେ ଏହି ଅଷ୍ଟପଦୀ ଦାଉରୁ ରକ୍ଷା ମିଳିଥାଏ । ରସାୟନିକ ଦିଗ ପ୍ରତି ଦୃଷ୍ଟି ଦେବା । ଏହି ଅଷ୍ଟପଦୀ ଜନିତ କ୍ଷତିର ପରିମାଣ ମାତ୍ରାଧିକ ହେଲେ ଆବଶ୍ୟକ ଅନୁସାରେ ଅଷ୍ଟପଦୀ' ନାଶକ ଗୁଡ଼ିକ ବ୍ୟବହାର କରାଯାଏ ।

ଅଷ୍ଟପଦୀର ସଫଳ ଦମନ

କ୍ଲୋରଫେନାପିର୍ ୧୦ ପ୍ରତିଶତ ଏସସି (୧.୫ ମି.ଲି.ଲିଟର), ଡାଇଫେ ନ୍ଥୁରନ୍ ୫୦% (୮ ଗ୍ରା/୧୦ ଲିଟର), ଏଥିଅନ୍ ୫୦% ଇସି (୨ ମିଲି/ ଲିଟର), ଫେନାଜା କୁଇନ୍, ୧୦ ପ୍ରତିଶତ ଇସି (୨ ମିଲି.ଲିଟର), ଫେଡ୍ ପାଇରକ୍ସିମେଟ୍ ୫ ପ୍ରତିଶତ ଇସି (୧ ମିଲି.ଲିଟର), ଫସାଲୋନ୍ ୩୫ ପ୍ରତିଶତ ଇସି (୧.୩ ମିଲି.ଲିଟର)କୁ ବ୍ୟବହାର କରି ଏହି ଅଷ୍ଟପଦୀକୁ ଦମନ ସମ୍ଭବ । ଏହା ବ୍ୟତୀତ ସ୍ପାଇରୋମେସିଫେନ୍ (୧୨୦ ଗ୍ରା. ଏ.ଆଇ./ହେକ୍ଟର), ବୋପ୍ରାଫେଜିନ୍ ୨୫ ଏସ୍.ସି. (୭୫ ଓ ୧୫୦ ଗ୍ରା.ଏ.ଆଇ./ହେକ୍ଟର) ଓ ସ୍ପାଇରୋମେସିଫେନ୍  ୧୨୦ ଏସ୍.ସି. ଇମିଡାଜୋକ୍ଲୋପ୍ରିଡ୍ (୯୦ ଗ୍ରା. ଏ.ଆଇ./ହେକ୍ଟର) ଭଳି ନୂତନ ଅଷ୍ଟପଦୀ ନାଶକ ମଧ୍ୟ ଏହି କ୍ଷତିକାରୀ ଅଷ୍ଟପଦୀର ସଫଳ ଦମନରେ ସହାୟକ ହୁଏ ।

ସର୍ବ ଶେଷରେ ଚାଷୀ ଭାଇଙ୍କୁ ଅନୁରୋଧ ନିଜେ ନିଜର ସମସ୍ୟାର ସମାଧାନ ଦିଗ ନ ଭାବି କୃଷିବିଜ୍ଞାନ କେନ୍ଦ୍ର, ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ତଥା ଗବେଷଣା ସଂସ୍ଥାରେ ନିଯୁକ୍ତ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏକ ସମନ୍ୱିତ ନିୟନ୍ତ୍ରଣ ଆଡ଼କୁ ଅଗ୍ରସର ହୁଅନ୍ତୁ ଓ ପରିବେଶକୁ ସୁସ୍ଥ ରଖନ୍ତୁ ।

ଲେଖା ଏବଂ ପ୍ରାପ୍ତ - ଭୁବନାନନ୍ଦ ଅଧିକାରୀ, କୃଷି ମହାବିଦ୍ୟାଳୟ,  ଓୟୁଏଟି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate