ସମସ୍ତ ପ୍ରକାରର ଖାଦ୍ୟ ମଧ୍ୟରୁ ଫଳକୁ ଦେବଯୋଗ୍ୟ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ନଡିଆକୁ ଶ୍ରୀ ଫଳ ବୋଲି କୁହାଯାଏ । ସୃଷ୍ଟିର ଆରମ୍ଭରେ ଆଡାମ ସ୍ଵର୍ଗର ଫଳ ସେଓକୁ ଖାଇବା ଦ୍ଵାରା ମାନବ ସମାଜ ଜାତ ବୋଲି ବାଇବେଲରେ କିମ୍ବଦନ୍ତୀ ଅଛି । ଆଦିମ ମାନବ ପ୍ରଥମେ ପ୍ରଥମେ ଫଳଭୋଗୀ ପ୍ରାଣୀଭାବରେ ଜଙ୍ଗଲରେ ବାସ କରୁଥିଲା । ଗଛ ଲଗାଇଲେ ବିଭିନ୍ନ ଗ୍ରହଦୋଷରୁ ମୁକ୍ତି ମିଳିବା ସହ ପୁନର୍ଜନ୍ମରୁ ମୁକ୍ତି ମିଳେ ବୋଲି ପୌରଣିକ ମତବାଦ ମଧ୍ୟରେ ରହିଅଛି । ଅଙ୍ଗୁର, ଖଜୁରୀ, ଡିମିରି, ଓ ଡାଳିମ୍ବକୁ କୋରାନରେ ଇଶ୍ଵରଙ୍କ ପ୍ରଦତ୍ତ ଫଳ ବୋଲି ବିଶ୍ଵାସ କରାଯାଏ । ଏଣୁ ଖାଦ୍ୟ ମଧ୍ୟରେ ଫଳର ଶ୍ରେଷ୍ଠତ୍ଵ ଆମ ସାମାଜିକ ଚିନ୍ତାଧାରା ସହ ସଂଶ୍ଳିଷ୍ଟ ।
ଫଳ ଖାଦ୍ୟସାର ଓ ଭିଟାମିନରେ ଭରପୂର । ରୋଗୀମାନଙ୍କ ପାଇଁ ଏହା ସହଜସାଧ୍ୟ ଖାଦ୍ୟ । ଫଳ ଭୋଜନ ଦ୍ଵାରା ସୁସ୍ଥ ଓ ନିରୋଗ ଶରୀରପ୍ରାପ୍ତ ହୋଇଥାଏ । ଏହା ଦେହରୁ ଅଧିକ ବର୍ଜ୍ୟବସ୍ତୁ ଓ କ୍ଳୋରାଇଡ ପରିସ୍ରା ଦ୍ଵାରା ନିର୍ଗତ କରାଇଥାଏ । ଏହା ଅନ୍ତ୍ର ନଳୀକୁ ସଫା ରଖିବାରେ ସାହାଯ୍ୟ କରିବା ଦ୍ଵାରା ମଳକଣ୍ଟକ ଓ ଆନ୍ତ୍ରିକ ରୋଗ ଦୂର କରିଥାଏ । ଏହାଦ୍ଵାରା ରକ୍ତ ପରିଷ୍କାର ରହେ । କାଗେଜି ଲେମ୍ବୁ, କମଳା, ଓ ଅଁଳା ଇତ୍ୟାଦି ଫଳ ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଫଳ ଆହାର ଆମର ଅନ୍ତନଳୀକୁ ଅମ୍ଳତ୍ଵରୁ ରକ୍ଷା କରିଥାଏ । ପନିପରିବା ଓ ଶସ୍ୟ ଜାତୀୟ ଖାଦ୍ୟ ପାକକ୍ରିୟାରେ ଭିଟାମିନ ହରାଇବସନ୍ତି କିନ୍ତୁ ଫଳ ଆହାର ଦ୍ଵାରା ଆମକୁ ଭିଟାମିନ ସହଜରେ ମିଳିଥାଏ । ଏଣୁ ସୁସ୍ଥ ଶରୀର ପାଇଁ ଦୈନିକ ଖାଦ୍ୟ ସହ ଫଳ ଆହାର କରିବା ଅବଶ୍ୟକ ଅଟେ ।
ଆମ ଓଡିଶାରେ ଶତକଡା ୬୦ ଭାଗ ଜମିରେ ଜଳସେଚନ ସୁବିଧା ନାହିଁ । ଏସବୁ ଜମି ପାହାଡ ପର୍ବତ ଅଞ୍ଚଳ । ଏଥିରେ ମରୁଡି ଯୋଗୁଁ ବେଳେବେଳେ ଗୋଟିଏ ଫସଲ ଉତାରିବା କଷ୍ଟକର ହୋଇପଡେ । ଖାଦ୍ୟାଭାବ ଏ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ମୁଖ୍ୟ ସମସ୍ୟା । ମାଟି ଓ ପାଣି ଧୋଇ ହୋଇଯାଉଥିବା ମାଟିର ଉର୍ବରତା ବହୁତ କମ ଓ ଫସଲର ଉତ୍ପାଦନ ମଧ୍ୟ କମ ହୋଇଥାଏ । ଫଳ ଚାଷ ଏସବୁ ଅଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କ ପାଇଁ ଫଳଚାଷ ରକ୍ଷା କବଚ ସଦୃଶ ଅଟେ । ଫଳ ଗଛ ଲଗାଇବା ଦ୍ଵାରା ମାଟିରେ ପାଣି ସିଞ୍ଚନ ବୃଦ୍ଧିପାଏ । ୩୦ ଫୁଟ ଗଡାଣିର ବ୍ୟବଧାନରେ ବନ୍ଧ ଦେଇ ସେଥିରେ ଫଳ ଗଛ ଲଗାଇଲେ ଆମେ ଫସଲ ଚାଷ ସହ ଫଳଚାଷ ମଧ୍ୟ କରିପାରିବା । ଫଳଗଛ ମରୁଡି ସହିପାରେ । ଭୂତଳ ଜଳ ଓ ଖାଦ୍ୟସାର ଗ୍ରହଣ କରି ବଞ୍ଚେ । ମରୁଡି ସମୟରେ ଫସଲ ନଷ୍ଟ ହେଲେ ଚାଷୀ ଫଳଗଛରୁ ଅନାବୃଷ୍ଟି ସମୟରେ ଜଙ୍ଗଲରେ ଥିବା ଆମ୍ବ, ପଣସ, ଓ ଅନ୍ୟାନ୍ୟ ଫଳ ଖାଇ ଜୀବନଧାରଣ କରିଥାନ୍ତି । ଏଣୁ ଖାଦ୍ୟ ନିରାପତ୍ତା ପାଇଁ ଏସବୁ ଅଞ୍ଚଳରେ ବ୍ୟାପକ ଫଳଚାଷ କରିବା ସହ ବ୍ୟବସାୟିକ ଫଳଚାଷ କରିବା ଆବଶ୍ୟକ ଅଟେ । ଆମ ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଆମ୍ବ, ପିଜୁଳି, ଲିଚୁ, ଡାଳିମ୍ବ, ରାମଫଳ , ଓ କାଗେଜି ଲେମ୍ବୁ ଇତ୍ୟାଦି ଫଳଚାଷ ପାଇଁ ବିଶେଷ ଉପଯୋଗୀ ।
ଆମ ଉପକୁଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଚିର ସାଥି ହୋଇଗଲାଣି । ସମୟ ସମୟରେ ଘରଦ୍ଵାର ଭାଙ୍ଗିବା ସହ ଘର ମଧ୍ୟରେ ସଞ୍ଚିତ ଖାଦ୍ୟ ନଷ୍ଟ ହୋଇଯାଇଥାଏ । ଏସବୁ ଅଞ୍ଚଳରେ ଫଳଚାଷ ବିଶେଷ ସହାୟକ ହୋଇଥାଏ । ବନ୍ୟାପ୍ଳାବିତ ଅଞ୍ଚଳରେ ନଡିଆ, ଆମ୍ବ, ପିଜୁଳି, ଓ ଅମୃତଭଣ୍ଡା ଇତ୍ୟାଦି ଚାଷ କଲେ ସେଥିରୁ ଆୟ ମିଳିବା ସହ ବିପଦ ବେଳେ ରକ୍ଷା କବଚ ପରି କାମ କରେ । ଏହାଛଡା ଚାଷୀମାନେ ବାର୍ଦ୍ଧକ୍ୟ ସମୟରେ ପରିଶ୍ରମ କରି ଚାଷ କରିବା କଷ୍ଟକର ହୋଇଥାଏ । ଏଣୁ ବାଡିବଗିଚାରେ କିଛି ଫଳ ଗଛ ଲଗାଇଥିଲେ ସେଥିରୁ ହେଉଥିବା ଆୟରେ ପରିଣତ ବୟସରେ ଯେନତେନ ପ୍ରକାରେଣ ଚାଲିହେବ ।
ସାଧାରଣତଃ କ୍ଷେତରେ କ୍ଷେତ ଓ ସାର ଦେଇ ଫସଲ ଚାଷ କରାଯାଇଥାଏ । ଏହି ସାରର କିଛି ଅଂଶ ମାଟି ତଳକୁ ଚାଲିଯାଇ ପାଣିକୁ ଦୂଷିତ କରିଥାଏ । ହୁଡାରେ ଫଳଗଛଲ ଥିଲେ ଫଳଗଛ ମାଟି ତଳକୁ ଯାଇଥିବା ସାରକୁ ଗ୍ରହଣ କରିନିଏ ଓ ମାଟିତଳ ପାଣି ପ୍ରଦୂଷଣମୁକ୍ତ ହୋଇଥାଏ । ସାର ଗଛ ଦ୍ଵାରା ବିନିଯୋଗ ହୋଇ ପତ୍ର , ଫୁଲ ଫଳ ଓ କାଠରେ ପରିଣତ ହୋଇ ମାଟି ଉପରକୁ ଚାଲିଆସେ । ଏଣୁ ଗଛ ଲଗାଇବା ଦ୍ଵାରା ମାଟିର ଉର୍ବରତା ହ୍ରାସ ପାଇନଥାଏ ଏବଂ ସ୍ଥାୟିତ୍ଵ ବଜାୟ ରହିଥାଏ । ଗଛ ଲଗାଇବା ଦ୍ଵାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ସବୁ ସମୟରେ ବ୍ୟବହାର ହୋଇ ଜୈବିକ ଅଙ୍ଗରାରେ ପରିଣତ ହୋଇଥାଏ । ଏହାଦ୍ଵାରା ବାୟୁମଣ୍ଡଳ ଉତ୍ତପ୍ତିକରଣରୁ ରକ୍ଷା ମିଳିଥାଏ । ସୁତରାଂ ଫଳ ରାଜ୍ୟର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ସହ ପରିବେଶ ପାଇଁ ମଧ୍ୟ ଅନୁକୂଳ ହେବ ।
ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଏବଂ ଫଳ ଲାଗିରହୁଥିବାରୁ ଏହା ଅଧିକ ପରିମାଣରେ ଖତ ଏବଂ ସାର ଆବଶ୍ୟକ କରେ । ଗଛ ପିଛା ୨୫୦ ଗ୍ରାମ ଯବକ୍ଷାରଜାନ (୫୫୦ ଗ୍ରାମ ୟୁରିଆ ),୫୦୦ ଗ୍ରାମ ଫସଫରସ (୩.୧୨୫ କିଗ୍ରା ସିଙ୍ଗଲ ସୁପର ଫସଫେଟ ଏବଂ ୫୦୦ ଗ୍ରାମ ପଟାସ ) (୮୪୦ ଗ୍ରାମ ମ୍ୟୁରେଟ ଅଫ ପଟାସ ) କୁ ସମାନ ୬ ଭାଗ ବାଣ୍ଟି ପ୍ରତି ୨ ମାସଅନ୍ତରେ ଦେବା ଉଚିତ । ଏହା ବ୍ୟତୀତ , ଗଛପ୍ରତି ବର୍ଷକୁ ୨ ଝୁଡି ସଢା ଗୋବର ଖତ ଦେବା ଆବଶ୍ୟକ । ଖତ ଏବଂ ସାରକୁ ଗଛମୂଳରୁ ୨୫-୩୦ ସେମି ଦୂରରେ ଏବଂ ୧୦-୧୫ ସେମି ଗଭୀରର ମନ୍ଦାକରି ମାଟିରେ ଭଲ ଭାବରେ ମିଶାଇଦିଆଯାଏ । ତାପରେ ପାଣି ଦେବା ଉଚିତ ।
ଚାରା ଲଗାଇବାର ପ୍ରଥମ ବର୍ଷରେ ମୂଳା , ଫୁଲକୋବି , ବନ୍ଧାକୋବି, ପିଆଜ, ରସୁଣ ଗାଜର ଏବଂ ବିଲାତି ବାଇଗଣ ଇତ୍ୟାଦି ଅନ୍ତଃଫସଲ ଭାବରେ ଚାଷ କରାଯାଇପାରେ । ବର୍ଷକୁ ୪ରୁ ୫ ଥର କୋଡା ଖୋସା କରି ଅନାବନା ଘାସ ନିୟନ୍ତ୍ରଣ କରିବା ଉଚିତ । ଚାରା ଲଗାଇବାର ୪-୫ ମାସ ମଧ୍ୟରେ ଫୁଲ ଆସିବା ଆରମ୍ଭ ହୁଏ । ଗାତ ପ୍ରତି ୩ ଲେଖାଏଁ ଚାରା ଲଗାଯାଇଥିଲେ, ସେଥିରୁ ଗୋଟିଏ ମାଈ ଗଛ ରଖି ଅନ୍ୟ ଦୁଇଟିକୁ କାଟିଦେବା ଉଚିତ । କିନ୍ତୁ ମନେରଖିବା ଉଚିତ ଯେ ପ୍ରତି ୧୦ ଟି ମାଈ ଗଛ ପାଇଁ ଗୋଟିଏ ଅଣ୍ଡିରା ଗଛ ରହିବା ଆବଶ୍ୟକ ।
ସାଧାରଣତଃ ଅମୃତଭଣ୍ଡା ଗଛ କୌଣସି ପୋକ ଦ୍ଵାରା ସିଧାସଳଖ ଆକ୍ରାନ୍ତ ହୁଏ ନାହିଁ । ତଥାପି ବିଭିନ୍ନ ପ୍ରକାର ଶୋଷକ ଜାତୀୟ ପୋକ ଯଥା ଥ୍ରୀପ୍ପ , ଜଉପୋକ,ଏଫିଡସ ଏବଂ ଧଳାମାଛି ଦ୍ଵାରା ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗରେ ଆକ୍ରାନ୍ତ ହୋଇଥାଏ । ତେଣୁ ବର୍ଷାରିତୁ ଆରମ୍ଭ ପୂର୍ବରୁ ଏବଂ ଶେଷରେ ଦୁଇଥର ୧ଲି ପାଣିରେ ୧.୬ ମିଲି ମନୋକ୍ରୋଟଫସ ମିଶାଇ ସିଞ୍ଚନ କଲେ ସଫଳ ମିଳିଥାଏ । ଏହାବ୍ୟତୀତ,ଅଠାଯନ୍ତା ଓ ଆଲୋକଯନ୍ତା ବ୍ୟବହାର ଦ୍ଵାରା ମଧ୍ୟ ଉପରୋକ୍ତ ପୋକଙ୍କୁ ନିୟନ୍ତ୍ରଣ କରାଯାଏ ।ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ୧ଲି ପାଣିରେ ବାଭିଷ୍ଟିନ ଗୁଣ୍ଡମିଶାଇ ପ୍ରତି ୧୫ ଦିନ ଅନ୍ତରରେ ୨ରୁ୩ ଥର ସିଞ୍ଚନ କରିବାକୁ ପଡେ । ପତ୍ରପୋଡା , ଗୋଲ ଦାଗ ଏବଂ ମୋଜାଇକି ଭୂତାଣୁ ଅମୃତଭଣ୍ଡା ଗଛର ମୁଖ୍ୟ ରୋଗ ଯାହାକି ସଂପୂର୍ଣ୍ଣ ଫସଲ ନଷ୍ଟ କରିଦିଏ । ଭୂତାଣୁଜନିତ ରୋଗରେ ଆକ୍ରାନ୍ତ ଗଛକୁ ଉପାଡି ନଷ୍ଟ କରିଦେବା ଉଚିତ ।
ପରିବା ପାଇଁ ବ୍ୟବହୃତ ଫଳ କଞ୍ଚା ଅବସ୍ଥାରେ ତୋଳାଯାଏ । ଫଳର ଉପର ଅଂଶର ରଙ୍ଗ ଈଷତ ହଳଦିଆ ହୋଇଗଲେ ଏହାକୁ ତୋଳି ପୁରୁଣା କାଗଜରେ ମୋଟା କରି ଗୁଡାଇ କାଠ କିମ୍ବା ପ୍ଲାଷ୍ଟିକ ଝୁଡିରେ ପ୍ୟାକ କରି ବଜାରକୁ ପଠାଯାଏ । ଅମୃତଭଣ୍ଡା ଗଛ ଲଗାଇବାର ୯-୧୦ ମାସ ଠାରୁ ଆରମ୍ଭ କରି ୩ ବର୍ଷ ପର୍ଯ୍ୟନ୍ତ ବ୍ୟବସାୟିକ ଭିତ୍ତିରେ ଫଳିଥାଏ । ସାଧାରତଃ ପ୍ରଥମ ଦୁଇବର୍ଷ ଗଛ ପିଛା ୩୫-୪୦ କିଗ୍ରା ଏବଂ ତୃତୀୟ ବର୍ଷ ୨୦-୨୫ କିଗ୍ରା ଫଳ ଉତ୍ପାଦନ ହୋଇଥାଏ । କିନ୍ତୁ ଚାଷ ପ୍ରଣାଳୀ ଏବଂ ହେକ୍ଟର ପ୍ରତି ଗଛ ସଂଖ୍ୟା ଅମଳଉପରେ ଅନେକ ପ୍ରଭାବ ପକାଇଥାଏ । ହେକ୍ଟର ପିଛା ବର୍ଷକୁ ୬୦ ଟନ ଅମଳ ମିଳିଥାଏ ।
ଆଧାର : ଓଡ଼ିଶା କୃଷି ବିଭାଗ
Last Modified : 1/16/2020