ଚାଷର ବ୍ୟୟବହୁଳତା ହ୍ରାସ ପାଇଁ ଆଜିକାଲି ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ିଛି। ଅପେକ୍ଷାକୃତ କମ୍ ଖର୍ଚ୍ଚରେ ଜୈବିକ ସାର ପ୍ରୟୋଗ କରି ଚାଷୀ ଅଧିକ ଅମଳ ପାଉଛନ୍ତି। ଧାନ ଚାଷ ପାଇଁ ମାଟିର ଉର୍ବରତା ବଢ଼ାଇବା ସକାଶେ ଆଜୋଲା ବ୍ୟବହାର କରାଯାଉଛି। ଯାହା ମାଟିରେ ମିଶି ଫସଲକୁ ଅଧିକ ଯବକ୍ଷାରଜାନ ଯୋଗାଇଥାଏ।
ଆମ ବାୟୁ ମଣ୍ଡଳରେ ଶତକଡ଼ା ୭୮–୮୦ ଭାଗ ଯବକ୍ଷାରଜାନ ଥିଲେ ମଧ୍ୟ ଏହାକୁ ସିଧାସଳଖ ଉଦ୍ଭିଦ ଗ୍ରହଣ କରିପାରେ ନାହିଁ। ଆଜୋଲାକୁ ଧାନ ଫସଲରେ ଜୈବ ଉର୍ବରକ ରୂପେ ବ୍ୟବହାର କରାଯାଉଛି। ଆଜୋଲା ଏକ ଜଳଜ ଉଦ୍ଭିଦ ହୋଇଥିଲେ ହେଁ, ଏହାକୁ ମାଟିରେ ମିଶାଇ ହଳ କଲେ ଉର୍ବରତା ବୃଦ୍ଧି ପାଇଥାଏ।
ଆଜୋଲା ସମ୍ପର୍କରେ କେତେକ ସୂଚନା-
ଆଜୋଲା ଚାଷ ପାଇଁ ୨x୧ ମିଟର ରୁ ୧୦x୧୦ ମିଟର ପର୍ଯ୍ୟନ୍ତ ସମତଳ ଜମିକୁ ନର୍ସରୀ ରୂପେ ବ୍ୟବହାର କରାଯାଇଥାଏ।
ଉକ୍ତ ଜମିର ଗଭୀରତା ୧୦ ସେ.ମି ହେବା ନିହାତି ଆବଶ୍ୟକ। ପ୍ରତି ବର୍ଗମିଟର ଜମି ପାଇଁ ୨୦୦ ଗ୍ରାମ ସଜ ଆଜୋଲାକୁ ସମାନ ଭାବରେ ଛଡ଼ାଯାଏ। ନର୍ସରୀରେ ଆଜୋଲାକୁ ବଢ଼ାଇବା ପାଇଁ ପ୍ରତି ବର୍ଗମିଟର ପିଛା ୨.୫ ରୁ ୫ ଗ୍ରାମ ସୁପର୍ ଫସଫେଟ୍ ଓ କୀଟ ଦମନ ପାଇଁ ୦.୫ ଗ୍ରାମ ଫ୍ୟୁରାଡନ୍ ପ୍ରୟୋଗ କରିବାକୁ ପଡ଼ିଥାଏ। ନର୍ସରୀରେ ଆଜୋଲା ଛାଡ଼ିବାର ୩ ସପ୍ତାହ ପରେ ପ୍ରତି ବର୍ଗମିଟର କ୍ଷେତ୍ରରୁ ୬ ରୁ ୮ କିଲୋଗ୍ରାମ ଆଜୋଲା ମିଳିଥାଏ।
ସବୁଜ ସାର ଏବଂ ଜୈବ ଯବକ୍ଷାରଜାନ ନିବନ୍ଧନ ପ୍ରକ୍ରିୟାରେ ଆଜୋଲାକୁ ଧାନ ଜମିରେ ବ୍ୟବହାର କରାଯାଇଥାଏ।
ସବୁଜ ସାର ଜମି ପ୍ରସ୍ତୁତି ସମୟରେ ତଳି ରୋଇବାର ଏକ ମାସ ପୂର୍ବରୁ କିଆରୀରେ ଛୋଟ ଛୋଟ ପଟାଳୀ କରିବା ପରେ ଏକର ପ୍ରତି ୨୦ କିଲୋଗ୍ରାମ ସୁପର ଫସଫେଟ୍ ସାର ଓ ୨.୫ କିଲୋଗ୍ରାମ ଫ୍ୟୁରାଡନ୍ ବ୍ୟବହାର କରିବାକୁ ପଡ଼ିଥାଏ। ଏକର ପ୍ରତି ଦୁଇ ଟନ୍ ହିସାବରେ ପ୍ରତି ପଟାଳୀରେ ୫୦୦ ଗ୍ରାମ ଆଜୋଲା ଛାଡ଼ିବା ଆବଶ୍ୟକ। ଉକ୍ତ ପଟାଳୀରେ ୫ ସେ.ମି. ଉଚ୍ଚର ଠିଆ ପାଣି ରହିବା ନିତ୍ୟାନ୍ତ ଜରୁରୀ। ଜମିରେ ଆଜୋଲା ଛାଡ଼ିବାର ୭-୧୦ ଦିନ ମଧ୍ୟରେ ଜମିରୁ ପାଣି କାଟି ଦେଇ ସେଇ କାଦୁଆ ଜମିରେ ରାସାୟନିକ ସାର ବ୍ୟବହାର କରି ଆଜୋଲାକୁ ଭଲ ଭାବେ ମାଟିରେ ମିଶାଇ ଦିଆଯାଏ। ୪-୫ ଦିନର ବ୍ୟବଧାନ ପରେ ଜମିରେ ଧାନ ରୁଆଯାଏ।
ଜୈବସାର ନିବନ୍ଧନ ଅଣଜଳସେଚିତ ଅଳଞ୍ଚରେ ସବୁଜ ସାର ବ୍ୟବହାର କରିବାର ସୁବିଧା ନଥିଲେ ଜମିରେ ଧାନ ରୋଇବାର ଏକ ସପ୍ତାହ ପରେ ଏକର ପିଛା ୪୦୦ କିଲୋଗ୍ରାମ ଆଜୋଲା ବ୍ୟବହାର କରାଯାଇଥାଏ।
ଆବଶ୍ୟକ ମୁତାବକଏ ସୁପର୍ ଫସଫେଟ୍ ଅଧା ଧାନ ରୁଆ ସମୟରେ ଏବଂ ବାକି ଅଧାକୁ ୨ ଥର କରି ୧୦ ଦିନ ଏବଂ ୨୦ ଦିନ ବ୍ୟବଧାନରେ ଜମିରେ ପକାଯାଇଥାଏ। ଏକ ମାସ ପରେ ଉକ୍ତ ଜମିରେ ହଳ କରି ଆଜୋଲାକୁ ମାଟିରେ ମିଶାଇ ଦିଆଯାଇଥାଏ। ବେଉଷଣର ୧୦ ଦିନ ପରେ ଆଜୋଲାକୁ ବିଲରେ ଛାଡ଼ି ଦେଲେ ତାହା ୨୦- ୨୫ ଦିନ ଭିତରେ ବଢ଼ିଯାଏ। ଘାସ ବଛାବଛି ସମୟରେ ଗୋଡ଼ରେ କିମ୍ବା ଉଇଡର ବ୍ୟବହାର କରି ତାକୁ ମାଟିରେ ମିଶାଇ ଦେବାକୁ ପଡ଼ିଥାଏ।
ଆଜୋଲା ବ୍ୟବହାର ଦ୍ୱାରା ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାରଜାନ ଫସଲକୁ ମିଳେ ଏବଂ ଶତକଡ଼ା ୩୦ ଭାଗ ଅଧିକ ଅମଳ ମିଳିଥାଏ। ଆଜୋଲା ଧାନ ଜମିରେ ଅନାବାନା ଘାସକୁ ବଢିବାକୁ ଦିଏ ନାହିଁ ଏବଂ ମାଟିର ମାନ ଉନ୍ନତ ରଖେ। ଧାନ ଚାଷ ବ୍ୟତୀତ ଅନ୍ୟ ଫସଲରେ ଆଜୋଲାକୁ ବ୍ୟବହାର କରିବା ସହ ଘୁଷୁରି, ବତକ, ମାଛ ଏବଂ ଗୋରୁ ମାନଙ୍କ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାଛଡ଼ା ପାଣି ଜମୁଥିବା ସ୍ଥାନରେ ଆଜୋଲା ଛାଡ଼ିଲେ ସେଠାରେ ମଶା ବଂଶ ବିସ୍ତାର କରିପାରନ୍ତି ନାହିଁ। ଚାଷୀଙ୍କ ପାଇଁ ବେଶ ଉପାଦେୟ ହୋଇଛି ଆଜୋଲା ।
ଆଧାର – "ସଂକଳ୍ପ ଓଡ଼ିଶା"
Last Modified : 9/19/2019