অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗିନି ଘାସ ଚାଷ

ଗିନି ଘାସ ଚାଷ

ଘାସ ଚାଷ

ଗୋପାଳନ କରୁଥିବା ଚାଷୀ ନିଜ କ୍ଷେତରେ ଘାସ ଚାଷ କରିଲେ ଭଲ ଆମଦାନିର ଆଶା ରହିଛି । ଘାସ ଚାଷ କଲେ ଗୋରୁଙ୍କ ଦାନା ଖର୍ଚ୍ଚ କମିବା ସହ ଚାଷୀ ଗୋପାଳନରୁ ଅଧିକ ଲାଭ ପାଇପାରିବେ । ତେବେ ବିଭିନ୍ନ ପ୍ରକାରର ଘାସ ମଧ୍ୟରୁ ଗିନି ଘାସ ଚାଷ ବେଶ ଲାଭଜନକ । ଏହି ଘାସର ହାମିଲ, ରିଭରଡାଲ ଓ ମାକ୍ୟୁଇନ୍ ୩ଟି କିସମ ରହିଛି । ଗିନି ଘାସ ଅନ୍ୟ  ଘାସ ତୁଳନାରେ କୋମଳ ଏବଂ ଗୋରୁଗାଈଙ୍କ ପାଇଁ ବେଶ ଉପାଦେୟ ।

ଏହି ଗଛଗୁଡ଼ିକ ୪-୫ ଫୁଟ ଉଚ୍ଚ, ପତ୍ର ସରୁ ଏବଂ ଚେରରୁ ପିଲ ମାରି ଗୋଛା ବାନ୍ଧିବଢେ଼ । ଗୋଟିଏ ଜମିରୁ ଏହା ୩-୪ ମାସ ପର୍ଯ୍ୟନ୍ତ ଭଲ ଉତ୍ପାଦନ ଦିଏ । ସଠିକ ଖତସାର ପ୍ରୟୋଗ କଲେ ୨ ମାସ ଅନ୍ତରରେ କଟାଯାଇ ଏଥିରୁ ଭଲ ଅମଳ ମିଳିଥାଏ । ଏହି ଘାସ ଚାଷଳ ପଦ୍ଧତି ଜାଣିଲେ ଜଣେ ନିଶ୍ଚିତ ରୂପେ ଲାଭବାନ ହୋଇପାରିବେ ।

ଚାଷ ପଦ୍ଧତି

ସବୁ ପ୍ରକାର ମାଟିରେ ଗିନି ଘାସ ଚାଷ କରାଯାଇଥାଏ । କିନ୍ତୁ ପଟୁପଡ଼ା, ମଟାଳ ଓ ଦୋରସା ମାଟିରେ ଭଲ ଆମଦାନି ମିଳିଥାଏ । ଆର୍ଦ୍ର ଓ ଉଷ୍ଣ ଜଳବାୟୁଏହି ଚାଷ ପାଇଁ ବେଶ ଭଲ । ବର୍ଷାଦିନେ ଏହା ଭଲ ବଢ଼ୁଥିବା ବେଳେ ଶୀତଦିନେ ଅପେକ୍ଷାକୃତ କମ୍ ବଢ଼ିଥାଏ । ପ୍ରଥମେ ଜମିକୁ ୩-୪ ଓଡ଼ ଗୁଣ୍ଡ ଚାଷ କରି ମଇ ଦେବାକୁ ପଡ଼ିଥାଏ । ଜମି ଖାଲ ଢିପ ରହିଲେ ପାଣି ମଡ଼ାଇବାରେ ଅସୁବିଧା ହୋଇଥାଏ । ମୌସୁମି ପ୍ରବାହର ପ୍ରମାବସ୍ଥାରେ ଏହି ଘାସ ଲଗାଇବା ଉଚିତ । ବର୍ଷା ସମୟରେ ଏହା ଶୀଘ୍ର ଚେର ଧରିଥାଏ । ଜଳସେଚିତ ଜମିରେ ଫେବୃୟାରୀ ରୁ ଅଗଷ୍ଟ ମାସ ଭିତରେ ଲଗାଯାଇପାରେ । ଶୀତଦିନେ ଲଗାଇଲେ ଗଛ ମରିଯିବାର ସମ୍ଭାବନା ରହିଥାଏ । ପୂର୍ବରୁ ଗୋଟିଏ ସ୍ଥାନରେ ଲଗାଯାଇଥିବା ଘାସ ବୁଦାକୁ ଚେର ସହ ଉପାଡ଼ି ଭାଗ ଭାଗ କରିବକୁ ହୁଏ । ଗୋଟିଏ ମୂଳରେ ୨-୩ଟି କାଣ୍ଡ ବା ପିଲ ରହିବା ଉଚିତ । ଉକ୍ତ କାଣ୍ଡ ବା ପିଲରୁ ପତ୍ର କାଟିଦେଇ ମୂଳକୁ ଗଛକୁ ଗଛ ଓ ଧାଡ଼ି ଧାଡ଼ି ୯୦ ରୁ ୧୦୦ ସେ.ମି. ବ୍ୟବଧାନରେ ଲଗାଇବାକୁ ହୋଇଥାଏ ।ଏହି ପାରିମାଣରେ ଏକର ପିଛା ୫୦୦ ମୂଳ ଆବଶ୍ୟକ ହୋଇଥାଏ ।

ଯେତିକି ବେଶୀ ଖତ ସାର ଉପଯୋଗ କରାଯିବ ସେତେ ଅଧିକ ଘାସ କଅଁଳ ହେବ ଓ ଅଧିକ ଅମଳ ମିଳିବ । ଏକର ପିଛା ୪ ଟନ୍ କମ୍ପାଷ୍ଟ ଖତ ଓ ୧୨୦ କି.ଗ୍ରା. ଆମୋନିୟମ ସଲ୍‌ଫେଟ୍ ଆବଶ୍ୟକ ହୋଇଥାଏ । ଗୋଟିଏ କଥା ମନେରଖିବାକୁ ହୁଏ ଯେ, ପ୍ରତ୍ୟେକ ଥର ଘାସ କାଟିଲା ପରେ ଆମୋନିୟମ ସଲ୍‌ଫେଟ୍ ୪୦ କି.ଗ୍ରା. ହିସାବରେ ପ୍ରୟୋଗ କରିମା ଜରୁରୀ । ମୂଳ ଲଗାଇବାର ୬ ରୁ ୮ ସପ୍ତାହ ପରେ ଘାସ କଟାଯାଏ । ଗୋଟିଏ ବର୍ଷରେ ୫-୬ ଥର ଘାସ କାଟି ଏକ ଏକର ଜମିରୁ ୧୨୦ ରୁ ୧୫୦ କୁଇଣ୍ଟାଲ ଘାସ ଆମଦାନି କରାଯାଇପାରିବ ।

ଆଧାର –"ସଂକଳ୍ପ ଓଡିଶା"

Last Modified : 6/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate