অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବସାର ନୀଳହରିତ୍ ଶୈବାଳ

ଆଜୋଲା ପରି ନୀଳହରିତ ଶୈବାଳ ଏକ ଶିଉଳି । ଏହା ଏକ ଉତ୍କୃଷ୍ଟ ଯବକ୍ଷାରଜାନା ସଂଯୋଗକାରୀ ଜୈବସାର ।

ଏହା ମାଟିରେ ଯବକ୍ଷାରଜାନ ସଂଯୋଗ  କରିବା ସହିତ ମାଟିକୁ ଯଥେଷ୍ଟ ଜୈବିକ ପଦାର୍ଥ ଯୋଗାଇଥାଏ । ସାଧାରଣତଃ ଧାନ ଫସଲରେ   ଏହାର ବ୍ୟବହାର  କରାଯାଏ ।

ନୀଳହରିତ ଶୈବାଳ ପ୍ରୟୋଗ କଲେ ଜମିକୁ ଯଥେଷ୍ଟ ଜୈବିକ ସାର ମିଳେ । ପ୍ରଦୂଷଣମୁକ୍ତ ଚାଷ ଫସଲର ଗୁଣାତ୍ମକ ମାନ ବୃଦ୍ଧି ତଥା ସ୍ୱଳ୍ପ ଅର୍ଥ ବିନିଯୋଗରେ ମୃତ୍ତିକାର ଉର୍ବରତାକୁ ଏହା ଅକ୍ଷୟ ରଖେ ।

ନୀଳହରିତ୍ ଶୈବାଳ ବି.ଜି.ଏ ର ଉତ୍ପାଦନ ପ୍ରଣାଳୀ

ପ୍ରଣାଳୀ-୧:

୬ଫୁଟ ଲମ୍ବ ୪ ଫୁଟ୍ ଓସାର ୧ ଫୁଟ ଗଭୀରତର ୪ଟି କୁଣ୍ଡ ମାଟିରେ ଖୋଳତୁ । ଗାତ ଗୁଡ଼ିକୁ ପଲିଥିନ୍ ଚାଦରରେ ଘୋଡ଼ାଇବା ଉଚିତ୍ ଯେମିତି ପାଣି ଢ଼ାଳିଲେ ଗାତରେ ସମାନ ଅନୁପାତରେ ରହିବ । ବ୍ୟବସାୟୀକ ଭିରିରେ ଚାଷ କରୁଥୁଲେ ସିମେଣ୍ଟ କୁଣ୍ଡର ବ୍ୟବହାର ଫଳପ୍ରଦ । ବିଲର ଉପରମୁଣ୍ଡରୁ ୧୦-୧୨ କିଲୋ ମାଟି ଆଣି ସେଥିରୁ ଗୋଡ଼ି ଓ ଅନ୍ୟାନ୍ୟ କଠିନ ପଦାର୍ଥ ବାଛି ଦିଅନ୍ତୁ । ଓ ତାପରେ ସମସ୍ତ କୁଣ୍ଡରେ ସମାନ ଭାବରେ ପକାନ୍ତୁ । ପ୍ରତି କୁଣ୍ଡରେ ୬ ଇଞ୍ଚ ଉଚ୍ଚତାର ପାଣି ଢ଼ାଳନ୍ତୁ । ସେଥିରେ ୨ କିଲୋ ଦେଶୀ ଗାଈର ସଜ ଗୋବର ପକାଇ ମାଟି ପାଣି ଗୋବରକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ୨ ଦିନ ପରେ ମାଟି ବସି ଯାଇ ପରିଷ୍କାର ପାଣି ଦେଖାଗଲେ ଏହି ସମୟରେ ପ୍ରତି କୁଣ୍ଡରେ ୨୫୦ ଗ୍ରାମ୍ ନୀଳ ହରିତ୍ ଶୈବାଳର ଗୁଣ୍ଡ ସମାନ ଭାବରେ ବୁଣି ଦିଅନ୍ତୁ । ପ୍ରାୟ ୫/୬ ଦିନ ପରେ ଶୈବାଳର ଏକ ସ୍ତର ପାଣି ଉପରେ ଦିଶିବ । ଧ୍ୟାନ ରଖନ୍ତୁ ଏହି ସମୟରେ ଯେପରି ପାଣି ଶୁଖିନଯାଏ  । ପ୍ରାୟ ୧୫ ଦିନ ପରେ ପାଣି ଶୁଝାଯାଇ ଫଡ଼ା ଫଡ଼ା ମାଟି ସ୍ତର ଦେଖାଗଲେ ଏହାକୁ ସଂଗ୍ରହ କରନ୍ତୁ । ପ୍ରତି କୁଣ୍ଡରୁ ପ୍ରାୟ ୧୫ ଦିନରେ ୧କିଲୋ ଶୈବାଳ ମିଳିବ । ସେହି କୁଣ୍ଡରେ ଆଉ ମାଟି ନଦେଇ ଖାଲି କଞ୍ଚା ଗୋବର ଓ ପାଣି ଦେଇ କୁଣ୍ଡ ପ୍ରତି  ୨୫ ଗ୍ରାମ୍ ଶୈବାଳ ମିଶାନ୍ତୁ ।

ପ୍ରଣାଳୀ-୨ : (ସିଧା ଜମିରେ ପ୍ରସ୍ତୁତ ପ୍ରଣାଳୀ)

ସିଧାସଳଖ ଜମିରେ ୪୦ ବର୍ଗ ମିଟର ଆକରର ୧ ଫୁଟ ଗଭୀର ଗାତ ଖୋଳନ୍ତୁ । ପ୍ରତି ଖାତର ଚାରିପାଖରେ ୧୫ ସେ.ମି. ଉଚ୍ଚା ମାଟିର ହୁଡ଼ା ତିଆରି କରନ୍ତୁ । ଏହି ଗାତରେ ୪ ରୁ ୫ ସେମି ଉଚ୍ଚତାର ପାଣି ଭରି କରିବାକୁ ହୁଏ । ୪୦ ବର୍ଗ ମିଟର ପାଇଁ ୧୦ କି.ଗ୍ରା ସିଙ୍ଗଲ ସୁପର ଫସ୍ଫୋଟ୍ ସାର ଓ ୧oo ଗ୍ରାମ୍ ନିମ ପିଡ଼ିଆ ପକାନ୍ତୁ । ପ୍ରତ୍ୟେକ ଖାତରେ ୫ କି.ଗ୍ରା ବିଡ଼ିଏ କଲ୍‌ଚର୍ (ନୀଳହରିତ ଶୈବାଳ)କୁ ସମାନ ଭାବରେ ବୁଣନ୍ତୁ । ୩-୪ ସପ୍ତାହ ମଧ୍ୟରେ ଖାତରେ ବିଡ଼ିଏର ସ୍ତର ଜମିଗଲେ ଏହାକୁ ଶୁଖାଇ ବାହାର କରନ୍ତୁ । ଏହି ପ୍ରଣାଳୀ ଦକ୍ଷିଣ ଭାରତରେ ବେଶ୍ ଲୋକପ୍ରିୟ ।

ପ୍ରଣାଳୀ -୩

ତଳି ଘରାର ପାଖରେ ୪୦ ବର୍ଗମିଟରର ଏକ ଖାତ କରି ତଳି ପକାଇବା ସମୟରେ ପୂର୍ବ ପ୍ରଣାଳୀରେ କଲଚର ବଢ଼ାନ୍ତୁ । ତଳି ପ୍ରସ୍ତୁତ ସମୟକୁ ବି.ଜି.ଏ ବଢ଼ିଯାଇଥାଏ । ପ୍ରାୟ ୧ ହେକ୍ଟର ଜମିରେ ଏହାକୁ ସିଧା ମିଶାଇ ବ୍ୟବହାର କରନ୍ତୁ ।

ଧାନ ଜମିରେ ବିଜିଏର ପ୍ରୟୋଗ: ଧାନ ରୋଇ ସରିବା ପରେ ଜମିର ପାଣି ଓ ମାଟି ବସି ଯାଇ ସ୍ଵଛ ହୋଇଗଲେ ଏକର ପ୍ରତି ୭କି.ଗ୍ରା ହିସାବରେ ବିଡ଼ିଏ କଲଚର ବିଞ୍ଚି ଦିଅନ୍ତୁ । ଏହା ପ୍ରାୟ ୭-୧୦ ଦିନ ମଧ୍ୟରେ ବଢ଼ି ମୋଟା ଆସ୍ତରଣ ହୋଇଯାଏ । ତା’ପରେ ପାଣି କାଟି ଦେଲେ ଏହା ଜମିରେ ବସିଯାଏ ଓ ଏହା ସଂଗ୍ରହ କରିଥିବା ଯବକ୍ଷାରଜାନକୁ ଫସଲ ସହଜରେ ଗ୍ରହଣ କରିପାରେ ।

ବି.ଜି.ଏ. ନୀଳହରିତ୍ ଶୈବାଳର ଉପକାରିତା

ଏହା ବିଭିନ୍ନ କୃଷି ଜଳବାୟୁ ଅଞ୍ଚଳରେ ପ୍ରୟୋଗ ଯୋଗ୍ୟ ଓ ଲାଭଦାୟୀ । ଏହାର ପ୍ରୟୋଗ ଦ୍ଵାରା  ୩୦ ପ୍ରତିଶତ ରାସାୟିନକ ସାର ପ୍ରୟୋଗ କମିଯାଏ । ବର୍ଷ ଦିନେ ହେକ୍ଟର ପ୍ରତି ୨ କ୍ଵିଣ୍ଟାଲ ଓ ୩ କ୍ଵିଣ୍ଟାଲ ଧାନ ଅଧିକ ଅମଳ ହୁଏ । ଜୈବିକ ପଦାର୍ଥର ପରିମାଣ ବୃଦ୍ଧି କରେ । ଜୈବିକ ଅମ୍ଳ ଓ ଫସଫରସ୍ କୁ ଧାନ ଗଛ ପାଇଁ ଗ୍ରହଣ ଉପଯୋଗୀ କରାଏ । ଏହା ପ୍ରଥମ ଫସଲ ପରେ ୨ୟ ଫସଲକୁ ମଧ୍ୟ ଉପଯୋଗୀ ହୁଏ । ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ନୀଳ ହରିତ୍ ଶୈବାଳ ଚାଷ କଲେ ଜମିରେ ଆଉ ନୀଳ ହରିତ ଶୈବାଳ ପ୍ରୟୋଗର ଆବଶ୍ୟକତା ପଡ଼େ ନାହିଁ । ଏହାକୁ ଖରାରେ ଶୁଖାଇ ପଲିଥିନ୍ ପମ୍ପାକେଟରେ ବହୁଦିନ ପର୍ଯ୍ୟନ୍ତ ରଖୁ ହୁଏ । ଏହା ଅତି ସହଜରେ ଚାଷୀଙ୍କ ଦ୍ଵାରା ଉତ୍ପାଦନ କରାଯାଇପାରେ । ଖୁବ୍ ଶସ୍ତା ଓ କମ୍ ଖର୍ଚ୍ଚର ଆବଶ୍ୟକ ଛୋଇଥାଏ ।

ନୀଳହରିତ୍ ଶୈବାଳ (ବି.ଜି.ଏ) ଉତ୍ପାଦନ ଓ ପ୍ରୟୋଗର ସତର୍କତା

  • ସର୍ବଦା ଉନ୍ନତମାନର ବିଜିଏ କଲଚର ବ୍ୟବହାର କରନ୍ତୁ ।
  • ସର୍ବଦା ୫-୧୦ ସେମିଠିଆପାଣିରେ ବିଜିଏ ବଢ଼ାନ୍ତୁ । ଧାନ ରୁଆ ସରିବା ପରେ ଠିଆ ପାଣି ରଖି ପ୍ରୟୋଗ କରନ୍ତୁ।
  • ଫସଫରସ୍, କ୍ୟାଲସିୟମ୍ ଓମଳିବଡ଼େନମ୍ ପ୍ରୟୋଗ କରି ବି.ଜି.ଏ. ବୃଦ୍ଧି ରେ ସାହାଯ୍ୟ କରନ୍ତୁ ।
  • ମାଟିର ପିଏଚ୍ ୬.୫ ରୁ ୭.୫ ମଧ୍ୟରେ ବିଜିଏ ବଢାନ୍ତୁ ।
  • ବି.ଜି.ଏ. ଆଲୋକ ସଂଶ୍ଳେଷଣ ଦ୍ଵାରା ଯବକ୍ଷାରଜାନ ସଂଗ୍ରହ କରୁଥିବାରୁ ସବୁବେଳେ ଖରାରେ ବିଜିଏ କୁଣ୍ଡ ତିଆରି କରନ୍ତୁ ।
  • ବିଜିଏର ଭକ୍ଷକ କୀଟ ନିୟନ୍ତ୍ରଣ ପାଇଁ ନିମ୍ବପିଡ଼ିଆ ପ୍ରୟୋଗ କରନ୍ତୁ । ରାସାୟନିକ ସାର ଓ ବିଷ ସହ ମିଶାଇ ବି.ଜି.ଏ କଲଚର ରଖନ୍ତୁ ନାହିଁ । ଲଗାତର ୩ ବର୍ଷଯାଏ ବି.ଜି.ଏ. ପ୍ରୟୋଗ କରନ୍ତୁ ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା ଜୈବକୃଷି ପରାମର୍ଶଦାତା, ମୋ : ୯୮୬୧୩୯୭୬୪୩

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate