ହୋମ / କୃଷି / ଉତ୍ତମ ଅଭ୍ୟାସ / ବେସାୟିକ ଫଳ ଓ ପନିପରିବା ନର୍ସରୀ ପରିଚାଳନା
ସେଆର କରନ୍ତୁ

ବେସାୟିକ ଫଳ ଓ ପନିପରିବା ନର୍ସରୀ ପରିଚାଳନା

ନର୍ସରୀର ଯୋଜନା ବିଷୟରେ ସୂଚନା I

ସାଧାରଣତଃ ନର୍ସରୀ କହିଲେ, ଆମେ ବୁଝୁ, ଯେଉଁଠି ଫୁଲ ,ଫଳ ଓ ପନିପରିବା ଚାରା ଉପଲ୍ଲବଧ ହୁଏ । ଏହା ଏକ ଆବଦ୍ଧ, ସୀମିତ ଓ ସୁରକ୍ଷିତ ସ୍ଥାନରେ କରାଯାଇଥାଏ । ଯେଉଁଥି ବିଭିନ୍ନ କିସମର ମଞ୍ଜିକୁ ତଳି ଉତାରିବା, ମୂଳ ଦଣ୍ଡ ଗଛ ଉତରିବା, କଲିମ କରିବା ଏବଂ କଲାଣି କରିବା ପାଇଁ ବିଭିନ୍ନ ମା ଗଛ ଲଗାଯାଇଥାଏ ।

ନର୍ସରୀ ସ୍ଥାନ ଚୟନ

ବିଶେଷକରି ଫୁଲ, ଫଳ ଓ ପନିପରିବା ଚାରାର ଚାହିଦା ଅଧିକ ଥିବା ସ୍ଥାନରେ ନର୍ସରୀ କରିବା ଉଚିତ । ସାଧାରଣତଃ ସହର, ବଜାର, ନିକଟ ବା ଜିଲ୍ଲା ସବଡିଭିଜନ, ମହକୁମା , ବ୍ଲକ ଓ ତହସିଲ ଓ ଗ୍ରାମପଞ୍ଚାୟତ ନିକଟରେ କରାଯାଇଥାଏ ।  ଏହା ରାସ୍ତାକଡରେ ହେବ ଉଚିତ ଯେଉଁଠି କି ଯାନବାହନ ସୁବିଧା ଯାଇପାରିବ ।

ନର୍ସରୀ ସ୍ଥାପନ ପୂର୍ବରୁ ଜଳର ସୁବ୍ୟବସ୍ଥା ଏବଂ ନିଷ୍କାସନ ସୁବ୍ୟବସ୍ଥା ଉପରେ ଲକ୍ଷ୍ୟ ଦେବା ନିତ୍ୟାନ୍ତ ଜରୁରୀ । ନର୍ସରୀ ମାଟିର ସ୍ତର ସାଧାରଣତଃ ଉଚ୍ଚ ଥିବା ଆବଶ୍ୟକ ।  ମାଟି ସାଧାରଣତଃ ବାଲି ଅଂଶ ଥିବା ଦରକାର ଏବଂ ମାଟିର ଅମ୍ଳତା ୬.୫ -୭ ଥିବା ଆବଶ୍ୟକ ।  ବାରମ୍ବାର ଦେଖାଶୁଣା ପାଇଁ ନର୍ସରୀ ଘର ନିକଟରେ କରିବା ଆବଶ୍ୟକ । ନର୍ସରୀର ସ୍ଥାନ ଛାୟା ଠାରୁ ଦୂରରେ ଖୋଲା ଜାଗାରେ କରିବା ଆବଶ୍ୟକ ।  ବ୍ୟବହାରରେ ସୁବିଧା ପାଇଁ ନର୍ସରୀକୁ ଜମିର ଏକ ପାର୍ଶ୍ଵରେ କରିବା ଦରକାର ଯାହାଦାରା ଅନ୍ୟ କୃଷିକାର୍ଯ୍ୟରେ ବାଧା ଉତ୍ପନ୍ନ ହେବନାହିଁ ।  ସ୍ଥାନଟିକୁ ଚରାବୁଲା ଜନ୍ତୁ , ରୋଗପୋକ ଦାଉରୁ ନିରାପତ୍ତାରେ ରଖିବା ଆବଶ୍ୟକ । ତେଣୁ ନର୍ସରୀ କରିବା ପୂର୍ବରୁ ଭଲ ଭାବେ ବାଡବନ୍ଦୀ କରିବା ନିହାତି ଦରକାର । ଏହା ତାରବାଡ ବା ପକ୍କା ପାଚେରିରେ କରାଯାଇପାରେ । ପବନ ନିରୋଧିକ ବୃକ୍ଷ ଯଥା ଅ- ଝାଉଁ, ଦେବଦାରୁ , ସିଲଭରଓକ,କରଞ୍ଜ , ଜାମ୍ମୁ ଇତ୍ୟାଦି ଚତୁଃପାର୍ଶ୍ଵରେ ରୋପଣ କଲେ ସୁଫଳ ମିଳେ । ସାଧାରଣତଃ ରୋପଣ ବୃକ୍ଷ ଗୁଡିକ ଉଚ୍ଚା, ମରୁଡି ସଦ୍ୟ କରୁଥିବା ଏବଂ ମଜବୁତ ହୋଇଥିବା ଆବଶ୍ୟକ ।

ନର୍ସରୀ ଗୃହର ପ୍ରକାର ଭେଦ

ପ୍ରତିକୂଳ ବାତାବରଣରେ ବା ଜଳବାୟୁରେ ମଞ୍ଜିକୁ ଚାରା ଉତରିବା , ଡାଳକୁ କଲମି ଗଛ ଉତରିବା ଓ ଆବଶ୍ୟକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ କୃତ୍ରିମ ସଂରଚନା କକ୍ଷ ବ୍ୟବହାର କରାଯାଏ ।

  1. ନେଟ ହାଉସ (ସବୁଜ ଗୃହ)
  2. ପଲି ହାଉସ (ପଲିଥିନ ଗୃହ)

ସବୁଜ ଗୃହ

ବିଭିନ୍ନ ପ୍ରକାରର ସବୁଜ ଗୃହ ତିଆରି କରାଯାଇଥାଏ ।  ଆଜିକାଲି ଉନ୍ନତମାନର ସବୁଜ ଗୃହ ତିଆରି ହେଲେ ମଧ୍ୟ, କାଠ, ବାଉଁଶ ତରଜାଲି, ଇତ୍ୟାଦିକୁ ନେଇ କମ ଖର୍ଚ୍ଚରେ ମଧ୍ୟ ସବୁଜ ଗୃହର ଢାଞ୍ଚା ତିଆରି କରିହେ । ସବୁଜ ଗୃହ ଉପରେ ସବୁଜ ରଙ୍ଗ ର ନେଟ ଜାଲିର ଆବରଣ କରାଯାଇ ଏହି ଘର ମଧ୍ୟରେ ଚାରା ପାଇଁ ଆବଶ୍ୟକ ପରିମାଣରେ ଆଲୋକ, ବାୟୁ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଇ ଚାରା ଉତ୍ପନ୍ନ କରାଯାଇପାରୁଛି । ଏତତ ସମେତ ଅଣବାନା ଗଛ ରୋଗ ପୋକର ପ୍ରାଦୁର୍ଭାବକୁ ମଧ୍ୟ ରୋକାଯାଇ ପାରୁଛି ।  ସାଧାରଣତଃ ଏହାର ଉଚ୍ଚତା ୧୦-୧୨ ଫୁଟ ହେବ ସହ ଲମ୍ବ ୬୦ ଫୁଟ ଥାଏ ଓ ଏହାର ଚଉଡା ୨୦ -୨୨ ଫୁଟ ପର୍ଯ୍ୟନ୍ତ ହେଲେ  ୧୮ ଟି ପର୍ଯ୍ୟନ୍ତ ପଟାଳି ପ୍ରସ୍ତୁତି କରି ଚାରା ପ୍ରସ୍ତୁତ କରିହୁଏ  ।

ପଲିଥିନ ଗୃହ

ସବୁଜ ଗୃହ ଭଳି ପଲିଥିନ ଗୃହ ମଧ୍ୟ ଚାରା ଉତ୍ପାଦନ ସକାଶେ ପ୍ରକୃଷ୍ଟ ହୋଇଥାଏ । ବାହାରର ତାପମାତ୍ରା ଠାରୁ ଏହାର ଭିତର ତାପମାତ୍ରା ଅଧିକ ହେବାରୁ ଏହା ଭିତରେ ଶୀଘ୍ର ଓ ସହଜରେ ଚାରା ଉତ୍ପନ୍ନ କରିହୁଏ। ଏହାର ଉଚ୍ଚତା  ୧୦-୧୨ ଫୁଟ ଥାଏ ଓ ଲମ୍ବ ୩୦ ଫୁଟ ଓ ଚଉଡା ୧୬ ଫୁଟ ପର୍ଯ୍ୟନ୍ତ ଥାଏ । ଏହାଦ୍ଵାରା ଏହା ମଧ୍ୟରେ  ୧୪-୧୬ଟି ପଟାଳି ପ୍ରସ୍ତୁତି କରି ଛାଡ଼ ଉତ୍ପାଦନ କରିହୁଏ । ଏହାର ଦୁଇପାର୍ଶ୍ଵରେ ମଶାରୀ କପଡା ଥାଏ ଓ ତା ଉପରେ ପଲିଥିନର ଆବରଣ ରଖାଯାଇଥାଏ। ଅଧିକ ବର୍ଷା ପବନ ସମୟରେ ଏହି ପଲିଥିନ ଆବରଣକୁ ଢାଙ୍କି ଦିଆଯାଏ ।

ଅର୍ଥ ଓ ସରକାରୀ ରିହାତି

ଚାରା ଉତ୍ପାଦନ  ପାଇଁ ଅଗରହି ଚାଷୀ ମାନେ ସଂଘବଦ୍ଧ  ଭାବେ ବା ଏକାକୀ ମଧ୍ୟ ନର୍ସରୀ ତିଆରି କରିପାରିବେ । ନର୍ସରୀ କଲେ ଅର୍ଥର ଆବଶ୍ୟକତା ରହିଛି । ନିଜର ଟଙ୍କା ଥିଲେ ସବୁଠାରୁ ଭଲ । ଯଦି ନିଜର ଆବଶ୍ୟକୀୟ ଅର୍ଥ ନଥାଏ ତେବେ ଟଙ୍କା ବ୍ୟାଙ୍କରୁ ଆଣି ନର୍ସରୀ ଆରମ୍ଭ କରିହେବ । ସରକାରୀ ସ୍ତରରେ ମଧ୍ୟ ନର୍ସରୀ ଗୃହ ପାଇଁ ପୋତ୍ସାହନ ମିଳିପାରୁଛି । ଉଦ୍ୟାନ ବିକାଶ ସଂସ୍ଥା ସମୁଦାୟ ଖର୍ଚ୍ଚ ଶତକଡା ୨୦ ଭାଗ ରିହାତି ଯୋଗାଇ ଦେଉଛି । ଏକ ଛୋଟ ନର୍ସରୀରେ ଚାରା ଉତ୍ପାଦିତ ପାଇଁ ସାଧାରଣତଃ ଏକ ହେକ୍ଟର ପରିମିତ ସ୍ଥାନରେ ସ୍ଥାପନ ପାଇଁ ହାରାହାରି ୬ ଲକ୍ଷ ୨୫ ହଜାର ତାଙ୍କ ଆବୟକ ହୋଇଥାଏ । ରାଷ୍ଟ୍ରୀୟ ଉଦ୍ୟାନକୃଷି ମିଶନ( ଏନ.ଏଚ.ଏମ) ମାଧ୍ୟମରେ ସରକାରଙ୍କ ତରଫରୁ  ୫୦ ପ୍ରତିଶତ ଅର୍ଥାତ ୩ ଲକ୍ଷ  ୧୨ ହଜାର ୫୦୦ ଟଙ୍କା ରିହାତି ମିଳିପାରୁଛି । ବଡ ନର୍ସରୀ ପାଇଁ ସାଧାରଣତଃ ୨-୪ ହେକ୍ଟର ପରିମିତ ସ୍ଥାନରେ ଏହି ପ୍ରକାର ନର୍ସରୀ ପ୍ରାୟ ୧୨.୫ -୨୫ ଲକ୍ଷ ଟଙ୍କା ବ୍ୟୟ ରେ ସ୍ଥାପନ କରିହୁଏ ।  ରାଷ୍ଟ୍ରୀୟ ଉଦ୍ୟାନ କୃଷି ମିସନ ମାଧ୍ୟମରେ ସରକାରଙ୍କ ତରଫରୁ  ୫୦ ପ୍ରତିଶତ ୬.୨୫-୧୨.୫ ଲକ୍ଷ ରିହାତି ମିଳିପାରୁଛି ।  ଆଗ୍ରହୀ ଚାଷୀମାନେ ପଲିହାଉସ ସ୍ଥାପନ କରିବାକୁ ଚାହୁଁଥିଲେ  ସରକାରଙ୍କ ଦ୍ଵାରା ଉପଲ୍ଲବ୍ଧ ହେଉଥିବା ଏହି ରିହାତିର ସୁବିଧା ନେଇପାରିବେ।

ନର୍ସରୀରେ ବ୍ୟବହୃତ ଯନ୍ତ୍ରପାତି, ଅନ୍ୟାନ୍ୟ ଦରକାରୀ ଜିନିଷ ଓ ଏହାର କାର୍ଯ୍ୟ

ସାଧାରଣତଃ ନର୍ସରୀ ଆରମ୍ଭ କଲାବେଳେ କେତେ ଦରକାରୀ ଉପକରଣ ବ୍ୟବହାର କରିବାକାଉ ପଡିଥାଏ । ଯାହା ସାହାଯ୍ୟରେ କି ସୁବିଧାରେ ଚାରା ଉତ୍ପନ୍ନ କରିହୁଏ । ପନିପରିବା , ଫଳ ଫୁଲ ଚାରା ଉତ୍ପାଦନ ନିମନ୍ତେ ନର୍ସରୀରେ ସହଜ ଏ କାମ କରିବା ପାଇଁ ବିଭିନ୍ନ ପ୍ରକାରର ନର୍ସରୀ ଉପକରଣ ଓ ଯନ୍ତ୍ରପାତିମାନ ବ୍ୟବହାର କରାଯାଏ । ଏହା ସାଧାରଣତଃ ଛୋଟ ଆକାରର ଓ ସହଜରେ ବ୍ୟବହାର ଉପଯୋଗୀ । ଏହି ଉପକରଣଗୁଡିକ ଲୁହା , କାଠ ଓ ପ୍ଲାଷ୍ଟିକରେ ତିଆରି । ନର୍ସରୀ ପରିଚାଳନା ପାଇଁ ଦରକାରୀ ଉପକରଣ ସମ୍ବନ୍ଧରେ ନିମ୍ନରେ ଦିଆଗଲା ।

  1. ଝରା
  2. ନର୍ସରୀ ଚାରାରେ ଜଳସେଚନ ପାଇଁ ଝରାର ଆବଶ୍ୟକତା ରହିଛି । ଏହି ଉପକରଣର ଅଗ୍ରଭାଗରେ ଛୋଟ ଛୋଟ କଣା ଥିବାରୁ ଜଳ ଖର୍ଚ୍ଚ କମ ହେବା ସହ ସୁବିଧାରେ ଜଳସେଚନ କରିହୁଏ । ତଳିଘରାରେ ଲାଗିଥିବା ଚାରାରେ ପାଣି ଦେବା ସହ ପତ୍ର ଧୋଇବାର ଏହା ସାହାଯ୍ୟ କରେ   ।

  3. ଫାଉଡା
  4. ନର୍ସରୀରେ ହାର ବ୍ୟବହାର ଅଧିକ ହୋଇଥାଏ । ଏହାର ଅଗ୍ରଭାଗ ଚଟକା ଲୁହା ଚାଦରରେ ତିଆରି ଓ ଏଥିରେ କାମ କରିବା ପାଇଁ କାଠର ବେଣ୍ଟ ଲାଗିଥାଏ ।  ଏହି ଲୁହାର ଲମ୍ବ ୨୦-୨୫ ଓ ଚଉଡା ଓ ୧୫ ସେମି ପର୍ଯ୍ୟନ୍ତ ଥାଏ । ଏଥିରେ ମାଟି ହଣା ହୁଏ , ଖତ ଓ ବାଲି ମିଶାଯାଏ ଓ ନର୍ସରୀ ବେଦ ପ୍ରସ୍ତୁତ କରାଯାଏ ।

  5. ସ୍ପ୍ରେୟାର
  6. ଚାରାଗଛରେ ରୋଗପୋକର ନିରାକରଣ ପାଇଁ ତରଳ ଔଷଧ ସିଞ୍ଚନରେ ସ୍ପ୍ରେୟାର  ନିହାତି ଆବଶ୍ୟକ ।  ୫୦ ମିଲି ରୁ  ୧୬ ଲି କ୍ଷମତା ସମ୍ପନ୍ନ ସ୍ପ୍ରେୟାର ବ୍ୟବହାର କରାଯାଏ । ଔଷଧ ସ୍ପ୍ରେ ପାରେ ଏହାକୁ ଭଲଭାବେ ଧୋଇ ରଖିବା ଆବଶ୍ୟକ ।

  7. ଫର୍କ
  8. ଏହି ଯନ୍ତ୍ରଟି  ଠିକ ହାତପରି । ୧୦-୨୦ ସେମି ଲମ୍ବର  ୩-୫ ଟି ଦାନ୍ତୀଯୁକ୍ତ ହୋଇଥାଏ। ଏହା ଦ୍ଵାରା କୋଡାଖୁସା ଓ ମାଟିକୁ ତଳ ଉପର କରିହୁଏ ।

  9. ଖୁର୍ପି
  10. ଏହା ଏକ ବେଣ୍ଟଯୁକ୍ତ ଛୋଟ ଲୁହା ଚାଦର ଖଣ୍ଡ । ୨-୨୦ ସେମି ଚଉଡା ବିଶିଷ୍ଟ ଖୁର୍ପି ନର୍ସରୀରେ ବ୍ୟବହାର କରାଯାଏ।  ଘାସବଛା ଓ ଛୋଟ ଗଛକୁ କୋଡାଖୁସା କରିବାରେ ସାହାର୍ଯ୍ୟ କରିଥାଏ ।

  11. ମାଟି ଚାଲୁଣି
  12. ସାଧାରଣତଃ ଏହା ଗୋଲାକାର ଓ ଚାରିକୋଣିଆ ଆକୃତିର ହୋଇଥାଏ । ତାରଜାଲି ଦ୍ଵାରା ଏହି ଯନ୍ତ୍ର ତିଆରି କରାଯାଏ । ଏହା ମାଟି, କମ୍ପୋଷ୍ଟ ଚଳାଇବା ପାଇଁ ବ୍ୟବହୃତ ହୁଏ । ଏହି ଛୋଟ ଦାନାମାଟିକୁ ନର୍ସରୀ ପଟାଳୀ ଓ ପଲିଥିନରେ ବ୍ୟବହାର କରାଯାଏ ।

  13. ଡିବଲର
  14. ଏହାର ଅଗ୍ରଭାଗ  ଗୋଟିଏ ଲୁହା କୋନରେ ତିଆରି ହୋଇଥାଏ ଏବଂ ଏଥିରେ ପ୍ରାୟ ୩୦ ସେମିରୁ କମ ଲମ୍ବର ବେଣ୍ଟଥାଏ । ଡିବଲରକୁ ମାଟିରେ ଚାପି ଛୋଟ ଛୋଟ ଗାତକରି ସେହି ଗାତ ଗୁଡିକରେ ଚାରା ଲଗାଇବା ସୁବିଧା ଜନକ ହୋଇଥାଏ ।

  15. ତସଲା
  16. ୮-୧୦ ଲିଟର ଜଳଧାରଣ କ୍ଷମତା ଥିବା ତସଲା ନର୍ସରୀ ପାଇଁ ଆବଶ୍ୟକ । ଏଥିରେ ଜଳ ରଖି ଉଚିତ ମାତ୍ରାରେ ବିଶୋଧକ ମିଶ୍ରଣ କରି ଚାରାକୁ ଭିଯାଇ ବିଶୋଧନ କରାଯାଏ ।  ନର୍ସରୀ ପଟାଲିରେ ମାଟି ମିଶାଇବା ପାଇଁ ତସଲା ଶାଜୀ ଏ ମାଟି ଅଣାଯାଇଥାଏ ।

  17. ପ୍ଲାଷ୍ଟିକ ବାଲଟି
  18. ୧୦୦ ବା  ୨୦୦ ଲିଟର ଜଳଧାରଣ କ୍ଷମତା ଥିବା ପ୍ଲାଷ୍ଟିକ ବାଲଟି ନର୍ସରୀ ପାଇଁ ନିହାତି ଦରକାର । ଥିରେ ଜଳଭାରି ପ୍ରାୟ  ୨-୩ ଦିନ ପର୍ଯ୍ୟନ୍ତ ଏଥିରୁ ଜଳନେଇ ଜଳସେଚନ କରାଯାଇପାରେ ।

  19. ମାପ ଫିତା
  20. ନର୍ସରୀର ଲମ୍ବ, ପ୍ରସ୍ଥ, ନେଇ ତଳିଘରା ପ୍ରସ୍ତୁତ ହୁଏ । ତଳିଘରା ପ୍ରସ୍ତୁତି ପାଇଁ ନିର୍ଦ୍ଧିଷ୍ଟ ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ସ୍ଥିର କରାଯାଇଥାଏ । ଏସବୁ ବ୍ୟତିତ ପ୍ରତିଟି ତଳିଘରା ମଧ୍ୟରେ ନିର୍ଦ୍ଧିଷ୍ଟ ସ୍ଥାନ ଛଡ଼ାଯାଇଥାଏ ।  ଦୁଇପାର୍ଶ୍ଵ ତଳିଘରା ମଧ୍ୟରେ ଏକ ରାସ୍ତା ରଖାଯାଏ । ଏସବୁକୁ ମାପିବା ପାଇଁ ମାପ ଫିତାର ସହାୟତା ନିଆଯାଏ ।

  21. ନାମ ଫଳକ
  22. ଚାରାଗଛ ଗୁଡିକର ନାମ ଓ କିସମ ସମ୍ବନ୍ଧରେ ଜାଣିବା ପାଇଁ ଦସ୍ତା ଓ ଆଲୁମିନିୟମରେ ପ୍ରସ୍ତୁତ ଫଳକ ବ୍ୟବହାର କରାଯାଏ । ଏହାଦ୍ଵାରା ଚାରାଗଛକୁ ଚିହ୍ନିବାରେ ସୁବିଧା ହୋଇଥାଏ ।

  23. ଚାରା ଉତ୍ପନ୍ନି ଥଳୀ (ପ୍ରୋଟ୍ରେ)
  24. ଏହା ପ୍ଲାଷ୍ଟିକ ଓ ଫାଇବାରର ପ୍ରସ୍ତୁତ ଥଳୀ । ପ୍ରତ୍ୟେକ ଥଳୀରେ  ୫୫-୯୦ ଟି ପର୍ଯ୍ୟନ୍ତ ଛିଦ୍ରଯୁକ୍ତ ଗ୍ଳାସ ସଦୃଶ ଥାଏ । ଏଥିରେ ଖତସାର ମିଶା ମାଟିକୁ ମିଶାଇ ମଞ୍ଜି ରୋପଣ କରାଯାଏ । ଚାରା ବଢିଲାପରେ ଏହାକୁ ଥଳୀ/ଟ୍ରେରୁ ମାଟିସବୁ ଉଠାଇ ହୁଏ ।

  25. କଇଁଚି
  26. କଲମୀକରଣ ପାଇଁ କଇଁଚିର ଆବଶ୍ୟକତା ରହିଛି । ତାଳକାଟିବା, ଅଙ୍ଗଜ ବିସ୍ତାର କରିବା ବ୍ୟବହୃତ ଡାଳ ପ୍ରସ୍ତୁତ କରିବାରେ ଏହାର ବ୍ୟବହାର କରାଯାଏ ।  ଏହାର ଦୁଇଫାଳ ଛୁରୀ ମଧ୍ୟରେ ଗୋଟିଏ ସ୍ପ୍ରିଙ୍ଗ ଲାଗିଥାଏ। ତେଣୁ ଡାଳର ଛାଲିକୁ ନ ଫୁଟାଇ ଏହା ସୂକ୍ଷ୍ମଭାବେ କାଟିଥାଏ । ଏହା ବିଭିନ୍ନ ଆକୃତି ରେ ଉପଲବ୍ଧ ହୁଏ ।

  27. କଲମୀ ଛୁରୀ
  28. ସାଧରାଣତଃ ନର୍ସରୀରେ ଆଖିକଲମୀ ପ୍ରସ୍ତୁତ କରିବା ଛୁରୀକୁ କଲମୀ ଛୁରୀ କୁହାଯାଏ । ଏହା ଅଭଲ ଲୁହାରେ ତିଆରି । ଏହା ଛୁରୀର ବିପରୀତ ପାର୍ଶ୍ଵରେ ଛୋଟ ଲୁହାଖଣ୍ଡ ଥାଏ  ଯାହା ଦ୍ଵାରା କି ଆଖି (ବଡ) କୁ ସୁବିଧାରେ କଢିଯାଏ ।

ନର୍ସରୀରେ ବ୍ୟବହୃତ ଉପକରଣ ଗୁଡିକୁ ବ୍ୟବହାର ସଫା ସୁତୁରା କରି ରଖିବାକୁ ପଡେ । ଲୁହା ଓ ସ୍ପ୍ରିଙ୍ଗ ଥିବା ଯନ୍ତ୍ରରେ ତେଲ ଦେଇ ରଖିଲେ ଅଧିକ ଦିନ ବ୍ୟବହାର କରିହୁଏ ।

କୁଶଳୀ କାର୍ଯ୍ୟକର୍ମୀ

ନର୍ସରୀ ପାଇଁ ଭଲ ମାଳୀ ଓ କୁଶଳୀ ମୁଲିଆ ଆବଶ୍ୟକ । ଯେଉଁମାନେ କି ଗଛର ଯତ୍ନ ନେବାସହ କଲମୀ ମଧ୍ୟ କରିପାରିବେ । ଗଛ ଦୂର ସ୍ଥାନକୁ ଯିବା ପାଇଁ ଭଲ ଭାବେ ପ୍ୟାକିଂ କରିପାରନ୍ତି । ଏସବୁ ପାଇଁ ସରକାରଙ୍କ ତରଫରୁ କର୍ମଶାଳା ମାଧ୍ୟମରେ ନର୍ସରୀ ପରିଚାଳନା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯାଉଛି । ଆଗ୍ରହୀ ଚାଷୀ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ ସହାୟତାରେ ଏହାର ଫାଇଦା ଉଠାଇ ପାରିବେ ।

ମୃତ୍ତିକା

ମୃତ୍ତିକା ଚାରା ପାଇଁ ଖାଦ୍ୟସାର ଯୋଗାଇବାର ଉତ୍ସ । ସାଧାରଣତଃ ଜୈବି ପଦାର୍ଥ ଯୁକ୍ତ ନିଗିଡା ଜମି ଓ ଚିକଣ ଦୋରସା ମାଟି ସବୁଠାରୁ ଉପାଦେୟ । ବର୍ଷାଦିନେ ଗାତ ଖୋଲିଲେ ୨ ଫୁଟ ତଳେ ପାଣି ରହୁଥିବା ସ୍ଥାନ ଅତ୍ୟନ୍ତ ଉପଯୁକ୍ତ । କରଣ ଛାଡ଼ ଆଉଟାଇବା ବେଳେ ମାଟି ଗୋଳା ସହ ଚାରା ଉଠାଇବା ସହଜ ହୁଏ  । ଅତିର ଅମ୍ଳତା  ୬.୫ ଭିତରେ ରହିବା ଭଲ।  ସ୍ଥାନ ନିରୂପଣ ବେଳେ ଭଲ ମାଟି ନ ମିଳିଲେ ଭଲ ମାଟି ଓ ଖତ ଦେଇ ମାଟିକୁ ବଦଳାଇ ଦିଆଯାଇପରେ । ବିଭିନ୍ନ ପ୍ରକାର ଫଳ ଚାରା ପାଇଁ ପଲିଥିନ ବ୍ୟାଗରେ ଚାରା ପ୍ରସ୍ତୁତ କରାଯାଇଥାଏ । ଏଥିପାଇଁ  ୨ ଭାଗ ଦୋରସା ମାଟି, ୩ ଭାଗ ଗୋବର ଖତ ଓ ଭାଗେ ନାଦିପଠା ମାଟି ବା ବନମାଟି ମିଶାଇ ମିଶ୍ରଣ ତିଆରି କରାଯାଇଆଥାଏ ।  ଜୈବିକ ସାର ବା ନିମ୍ବ ପିଡିଆ ମିଶ୍ରଣ କଲେ ମଧ୍ୟ ଭଲ କାମ କରେ  ।

ଆଧାର - କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର

2.96774193548
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top