অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାସଙ୍ଗ ପତ୍ରରୁ କୀଟନାଶକ ଏବଂ ଛତୁ ଫାର୍ମ ଆବର୍ଜନାରୁ ଭର୍ମି କମ୍ପୋଷ୍ଟ

ବାସଙ୍ଗ ପତ୍ରରୁ କୀଟନାଶକ ଏବଂ ଛତୁ ଫାର୍ମ ଆବର୍ଜନାରୁ ଭର୍ମି କମ୍ପୋଷ୍ଟ

ଆମ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବାସଙ୍ଗ ଦେଖାଯାଏ । ଏହା ଏକ ଔଷଧୀୟ ଗଛ । ବାସଙ୍ଗର ଅରୁଚିକର, ବିକର୍ଷଣ, କୀଟନାଶକ, ପିମ୍ପୁଡ଼ିନାଶକ ଗୁଣ ରହିଛି । ଏହାର ପତ୍ରକୁ ଜୈବକୀଟନାଶକ ହିସାବରେ ବ୍ୟବହାର କରାଯାଇପାରେ । ଏଥିରେ ଜୁନ୍‌ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ଵେତ ରଙ୍ଗ ଯୁକ୍ତ ଫୁଲ ଫୁଟିଥାଏ । ଫୁଲ ଫୁଟି ଥିବା ସମୟରେ ଅଧିକ ଔଷଧୟ ତତ୍ତ୍ଵ ରହୁଥିବାରୁ ଏହି ସମୟ ପତ୍ର ଅମଳ ପାଇଁ ବିଶେଷ ଅନୁକୂଳ ଅଟେ ।

ବାସଙ୍ଗପତ୍ର ପାଚନ

ବାସଙ୍ଗ ପତ୍ର ସଂଗ୍ରହ କରି ଏହାକୁ ଭଲଭାବରେ ଧୋଇ ଖଣ୍ଡ ଖଣ୍ଡ କାଟିଦିଅନ୍ତୁ । ଏକ ପିତ୍ତଳ ପାତ୍ରରେ ଏହି ପତ୍ର ଓଜନର ଚାରିଗୁଣ ପାଣି ମିଶାଇ ଧୂମା ଆଞ୍ଚରେ ସମୁଦାୟ ୧/୪ ଅଂଶ ହେବା ପର୍ଯ୍ୟନ୍ତ ସିଝାନ୍ତୁ । ଏହା ଥଣ୍ଡା ହେଲା ପରେ ଏହାକୁ ପତଳା କନାରେ ଛାଣିଦିଅନ୍ତୁ । ୫୦୦ ମିଲି ଲିଟର ଏହି ରସ ସହିତ ୧୦ ମିଲି ସାବୁନ ପାଣି, ୯ ଲିଟର ପାଣି ମିଶାଇ ସକାଳ ୭ଟାରୁ ୧୦ଟା ମଧ୍ୟରେ ସିଞ୍ଚନ କରିବା ଦ୍ଵାରା ଫସଲର ପତ୍ରରେ ହୋଇଥିବା ଫିମ୍ପି ଜନିତ ରୋଗ ତଥା ଧାନର ମହିଷା ରୋଗ ଦୂର କରିବାରେ ସହାୟକ ହୋଇଥାଏ।

ସପ୍ତପର୍ଣ୍ଣ

୨୫୦ ଗ୍ରାମ୍ ନିମ୍ବପତ୍ର, କରଞ୍ଚ ପତ୍ର, ବାସଙ୍ଗ ପତ୍ର, ନାଗଅଇରି ପତ୍ର, ବଣତୁଳସୀ ପତ୍ର, ଅରଖପତ୍ର ନିଅନ୍ତୁ । ଏଥିରେ ୪ ଲିଟର ଦେଶୀ ଗୋମୂତ୍ର ଓ ୭ଲିଟର ପାଣି ଦେଇ ୧୫ ଦିନଯାଏ ସଢାଇ ଦିଅନ୍ତୁ । ତାପରେ ଏହି ଦ୍ରବଣକୁ ଘାଣ୍ଟି ଛାଣି ଏଥିରେ ୧୦ ଗୁଣା ପାଣି ମିଶାଇ ଫସଲରେ ପ୍ରୟୋଗ କରିବା ଦ୍ଵାରା ଅନେକ ପ୍ରକାର କୀଟ ନିୟନ୍ତ୍ରିତ ହୋଇଥାନ୍ତି ।

ବାସଙ୍ଗ ନିର୍ଗୁଣ୍ଡି ରସାୟନ

୧ ଲିଟର ଦେଶୀ ଗାଈର ଗୋମୂତ୍ର ସହିତ ୩୦୦ ଗ୍ରାମ୍ ବସଙ୍ଗ ପତ୍ର ତଥା ନିର୍ଗୁଣ୍ଡି ପତ୍ରର ବଟା ମିଶାନ୍ତୁ । ଏହି ମିଶ୍ରଣରେ ୧୦ ଲିଟର ପାଣି ମିଶାଇ ୭ ରୁ ୧୦ ଦିନ ମଧ୍ୟରେ ଧାନ ଫସଲରେ ଦୁଇରୁ ତିନିଥର ସିଞ୍ଚନ କଲେ ମୂଳସଢ଼ା, କାଣ୍ଡସଢ଼ା, ଫଳସଢ଼ା ରୋଗ ନିୟନ୍ଵିତ ହୋଇଥାଏ।

ଶସ୍ୟ ସାଇତିବା ପାଇଁ

ନିମ୍ବ, ତୁଳସୀ ଓ ବାସଙ୍ଗ ପତ୍ରକୁ ଶୁଖାଇ ୧:୧:୧ ଅନୁପାତରେ ମିଶାଇ ପ୍ରତି ୧ କିଗ୍ରା ସାଇତା ଶସ୍ୟାରେ ୫୦ ଗ୍ରାମ୍ ଲେଖାଏଁ ମିଶାଇ ରଖିଲେ ଶାଇତା ଶସ୍ୟାରେ ପୋକ ଲାଗନ୍ତି ନାହିଁ ।

ଧାନ ବିଲରେ ନୀଳ ଦଳ ନିୟନ୍ତ୍ରଣ

କେତେକ ଆଞ୍ଚଳରେ ଚାଷୀମାନେ ଏହି ପତ୍ରକୁ ଛେଚି ଧାନ ବିଲରେ ଖେଳାଇ ପକାଇ ଦିଅନ୍ତି । ଏହା ଜମିର ଉର୍ବରତା ବୃଦ୍ଧି କରିବା ସହ ମାଟିରେ ମିଶି ରହିଥିବା ନୀଳ ଦଳକୁ ନଷ୍ଟ କରିଦିଏ ।

ଛତୁ ଫାର୍ମ ଆବର୍ଜନାରୁ ଭର୍ମି କମ୍ପୋଷ୍ଟ

ପାଳଛତୁ ହେଉ ବା ଧୂଙ୍ଗରି ଛତୁ ଏହାର ନଡାଶଯ୍ୟ ଛତୁ ଚାଷ ଅନୁପଯୋଗୀ ହେଲା ପରେ ଏହାକୁ ନଷ୍ଟ ନକରି ଏଥିରୁ ଉତ୍କୃଷ୍ଣମାନର ଭର୍ମିକମୋଷ୍ଟ ବା ଜିଆଖତ ପ୍ରସ୍ତୁତି କରାଯାଇପାରେ । ଛତୁ ଚାଷୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ସରଳ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ।

ପ୍ରଥମେ ୧୨ ରୁ ୨୪ ଫୁଟ ଲମ୍ବ ଓ ୬ ଫୁଟ ଓସାରରେ ୨ ଫୁଟ ଗଭୀରତା ରଖି ଏକ ଖାତ ଖୋଳନ୍ତୁ । ଏହାକୁ ଏକ ବଡ ପଲିଥିନ୍ ଦ୍ଵାରା ଆବୃତ୍ତ କରି ଦିଅନ୍ତୁ । ଛତୁ ଫାର୍ମରୁ ବାହାରୁଥିବା ଚାଷ ଅନୁପଯୋଗୀ ନଡାଗୁଡିକୁ ଏହି ଖାତରେ ୮ରୁ ୧୦ ଇଞ୍ଚ ବହଳରେ ବିଛାଇ ଦିଅନ୍ତୁ । ତା' ଉପରେ ୩ ଇଞ୍ଚ ବହଳର ଦେଶୀ ଗାଈ ଗୋବରରୁ ପ୍ରସ୍ତୁତ ଖତ ବିଛାଇ ଦିଅନ୍ତୁ । ପ୍ରାୟ ୫୦ ପ୍ରତିଶତ ଜଳୀୟ ଅଂଶ ରହିବା ଭଳି ଓଦା କରି ଝୋଟ ଅଖାକୁ ଘୋଡାଇ ଦିଅନ୍ତୁ । ଦୁଇରୁ ଅଢେଇ ସପ୍ତାହ ମଧ୍ୟରେ ଏହି ଛତୁ ନଡାଗୁଡିକ ପ୍ରାୟ ଅର୍ଦ୍ଧ କୋମ୍ପାଷ୍ଟରେ ପରିଣତ ହେବାକୁ ଲାଗିଥାଏ । ଏହି ସମୟରେ ୧ କେଜି ଜିଆ (୧୦୦ଟି) ଝାଡି ଦିଅନ୍ତୁ । ଲାମ୍ପିଟୋ ମାରୁଟି, ପେରିଓନିକ୍ସ, ଏକ୍ସକାଭାଟସ୍, ଡ୍ରାୱିଡା ୱିଲସ୍ ଗ୍ଲାଇଫେଡ୍ରିଲସ୍ ପ୍ରଜାତିର ଜିଆ ବ୍ୟବହାର କରନ୍ତୁ । ଜିଆମାନଙ୍କର ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ମଝିରେ ମଝିରେ ୫୦ ପ୍ରତିଶତ ଜଳୀୟ ଅଂଶ ରହିବା ଭଳି ପାଣି ଛିଞ୍ଚନ୍ତୁ । ପ୍ରାୟ ଏକ ମାସ ହେବା ପରେ ଏହା ଜିଆଖତ ବା ଭର୍ମିକମ୍ପାଷ୍ଟରେ ପରିଣତ ହେବ । ଏହା ଜିଆ ଖତରେ ୧.୫ ପ୍ରତିଶତରୁ ୨ ପ୍ରତିଶତ ଯବକ୍ଷାରଯାନ, ୦.୮ରୁ ୧ ପ୍ରତିଶତ ଫସଫରସ୍ ଓ ୧.୨%ରୁ ୧.୫% ପଟାସ୍ ଥାଏ ।

ସଂଗୃହିତ - କିଶୋରଚନ୍ଦ୍ର ପଣ୍ଡା,ଜୈବିକ କୃଷି ପରାମର୍ଶଦାତା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate