ଏକ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରାର ସ୍ଥାନ ସ୍ଵତନ୍ତ୍ର । ଫୁଲତୋଡ଼ା ଓ ସାଜସଜ୍ଜାରେ ଏହାର ବହୁଳ ବ୍ୟବହାର କରାଯାଉଛି । ଏନେଇ ଓଡିଶାରେ ଜର୍ବେରାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଅଧିକାଂଶ ଚାଷୀ ବ୍ୟବସାୟିକ ଭିତ୍ତିରେ ଜର୍ବେରା ଚାଷ କରୁଥିବା ପରିଲକ୍ଷିତ ହେଉଛି । ହେଲେ ବ୍ୟବସାୟିକ ଚାଷ ପାଇଁ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍ ବା ସବୁଜ ଗୃହର ଆବଶ୍ୟକତା ରହିଛି । ଉନ୍ନତ ପ୍ରଣାଳୀରେ ଗ୍ରୀନ୍ ହାଉସ୍ରେ ଜଣେ ଜର୍ବେରା ଚାଷ କରି ବେଶ୍ ଲାଭବାନ ହୋଇପାରିବ ।
ଓଡିଶାରେ ଜର୍ବେରାର ବ୍ୟବସାୟିକ ଚାଷ ଦିନକୁ ଦିନ ବଢୁଥିବାର ଦେଖିବାକୁ ମିଳୁଛି । ଜର୍ବେରାର ବୃନ୍ତ ସିଧା, ଅଧିକ ଲମ୍ବା ଏବଂ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ମଧ୍ୟ ରହୁଥିବାରୁ ଏହାର ଚାହିଦା ଅଧିକ । ଲାଲ, ହଳଦିଆ, ଗୋଲାପି, ବାଇଗଣୀ, ନାରଙ୍ଗୀ ରଙ୍ଗର ଜର୍ବେରା ଦେଖିବାକୁ ମଧ୍ୟ ବେଶ୍ ମନୋଲୋଭା । ଖୋଲା ସ୍ଥାନରେ କିମ୍ବା ଖାଲି ମାଟିରେ ଏହାର ବ୍ୟବସାୟିକ ଚାଷ କରାଯାଏ ନାହିଁ । ଏଥିପାଇଁ ‘ଗ୍ରୀନ୍ ହାଉସ୍'ର ଆବଶ୍ୟକତା ରହିଛି ।
କିସମ
ରେଡଷ୍ଟାର,ଜାଲିସେ, କାସିଆନା, ହାର୍ମେନୀ, ଆସ୍କୀ, ଟେକ୍କା, ସନ୍ଏଲୋ, କୋଚ, ବ୍ଲେସିଂ, ରୁବିରେଡ, ସାଙ୍ଗିଆ, ଆଲ ସମୀରା, ପପୁଲାର, ପିଙ୍କଷ୍ଟାର, ରେଡମୋନାର୍କ, ଲିଣ୍ଡେସା ଆଦି କିସମ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ।
ଜଳବାୟୁ
ସମତଳ ତଥା ପାର୍ବତୀୟ ଅଞ୍ଚଳରେ ଜର୍ବେରା ଚାଷ କରାଯାଇପାରିବ । ତାପମାତ୍ରା ୧୭୨୭ ଡିଗ୍ରୀ ସେଣ୍ଟିଗ୍ରେଡ ଏବଂ ଆର୍ଦ୍ଦତା ୮୦ ରୁ ୮୫ ପ୍ରତିଶତ ହେଲେ ବର୍ଷସାରା ଫୁଲ ମିଳିପାରିବ । ସବୁଜ ଗୃହ ସମ୍ପୂର୍ଣ୍ଣ ଭାବରେ ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ କରାଯାଇ ନପାରିଲେ ମଧ୍ୟ ଶତକଡା ୫୦ ଭାଗ ଛାଇଥିବା ନେଟ୍ ଏବଂ ମିଷ୍ଟିଂ ପାଇଁ ବନ୍ଦୋବସ୍ତ କଲେ କିଛି ପରିମାଣର ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ କରାଯାଇପାରିବ ।
ମୃତ୍ତିକା ମିଶ୍ରଣ
ଜର୍ବେରା ପାଇଁ ଦୋରସା, ବାଲି, ଖତ, କୋକୋପିଟ୍ ଓ ଜିଆଖତକୁ ନେଇ ଏକ ମିଶ୍ରଣ ତିଆରି କରାଯାଏ । ମୃତ୍ତିକା ମିଶ୍ରଣର ଅମ୍ଳତ୍ଵ ୫.୫ ଓ ୬.୫ ପର୍ଯ୍ୟନ୍ତ ରହିବା ଉଚିତ୍ । ଏଥିରୁ ଅମ୍ଳତ୍ଵ କମ୍। ରହିଲେ ଲୌହ ଓ ମାଙ୍ଗାନିଜ୍ର ଅଭାବ ଦେଖାଯାଏ ।
ବଂଶବିସ୍ତାର
ଟିସୁ କଲଚର ଜୋର୍ବର ଗଛକୁ ବୈଜ୍ଞାନିକ ଉପାୟରେ ବ୍ୟବସାୟିକ ଭିତିରେ ଚାଷ କଲେ ଉତ୍ତମମାନର ଫୁଲ ଫୁଟିବା ସହିତ ଅମଳ ଅଧିକ ହୁଏ । ପୁଆ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରାଯାଏ । ଟିସୁ କଲଚର ଗଛ ସୁସ୍ଥ ନିରୋଗ ଓ ଅଧିକ ଅମଳକ୍ଷମ ହୋଇଥିବା ସହିତ ଏହା ମାଆ ଗଛର ସମସ୍ତ ଗୁଣ ବହନ କରିଥାଏ ।
ଶଯ୍ୟା ବା ପଟାଳି ପ୍ରସ୍ତୁତି
ପଲି ହାଉସ୍ ମାଧ୍ୟମରେ ମୃତ୍ତିକା ମିଶ୍ରଣକୁ ଭଲ ଭାବରେ ଗୁଣ୍ଡ କରାଯାଏ ଏବଂ ଏହାକୁ ଜୀବାଣୁ ମୁକ୍ତ କରିବା ନିହାତି ଆବଶ୍ୟକ । ଜର୍ବେରା ସାଧାରଣତଃ ୧ ମିଟର ଓସାର ତଥା ୩୦ ସେମି ଉଚ୍ଚତା ବିଶିଷ୍ଟ ଶଯ୍ୟାରେ ଲଗାଯାଏ । ପାଣି ନିଷ୍କାସନ ହେବର ସମସ୍ୟା ଥିଲେ। କୁଣ୍ଡରେ ମୃତ୍ତିକା ମିଶ୍ରଣ ନେଇ ମଧ୍ୟ ଜର୍ବେରା ଚାଷ କରାଯାଏ ।
ଲଗାଇବା ପ୍ରଣାଳୀ
ଶଯ୍ୟାରେ ଗଛକୁ ଗଛ ୩୦ ସେମି ଧାଡିକୁ ଧାଡି ୪୦ ସେମି ଦୂରତାରେ ଟିସୁ କଲଚର ଚାରା ଲଗାଯାଏ । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ ଜର୍ବେରା ଲଗାଇବର ପ୍ରକୃଷ୍ଟ ସମୟ । ପ୍ରାୟ ହଜାର ବର୍ଗମି.ସବୁଜଗୃହ ପାଇଁ ୬ ହଜାର ଚାରା ଲଗାଯାଏ ।
ଖତ ଓ ସାର ପରିଚାଳନା
ଜର୍ବେରା ଟିସୁ କଲଚର ଲଗାଇବାର ପ୍ରଥମ ତିନି ମାସ ମଧ୍ୟରେ ବର୍ଗମିଟର ପ୍ରତି ୧୦ ଗ୍ରାମ୍ ଯବକ୍ଷାରଯାନ, ୧୫ ଗ୍ରାମ୍, ଫସଫରସ୍ ଓ ୨୦ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ । ପ୍ରାୟ ଚତୁର୍ଥ ମାସ ପରଠାରୁ ପ୍ରତି ୬ ମାସ ବ୍ୟବଧାନରେ ବର୍ଗ ମିଟର ପ୍ରତି ୧୫ ଗ୍ରାମ୍ ଯବକ୍ଷାରଯାନ, ୧୦ ଗ୍ରାମ୍ ଫସଫରସ, ଓ ୩୦ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କଲେ। ଅଧିକ ଅମଳ ହୁଏ ।
ଅମଳ
ଗଛ ଲଗାଇବାର ୭-୮ ସପ୍ତାହ ପରେ ଫୁଲ ଫୁଟିବା ଆରମ୍ଭ ହୁଏ । କିସମ ଅନୁସାରେ ଗଛ ପ୍ରତି ୩୫ରୁ ୫୫ଟି ଫୁଲ ଅମଳ ହୋଇଥାଏ । ଏକ ହଜାର ବର୍ଗମି. ସବୁକ ଗୃହରେ ୫ ବର୍ଷ ପର୍ଯ୍ୟନ୍ତ ଜର୍ବେରା ଚାଷ କଲେ ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ହୋଇଥାଏ । ଏହି ହିସାବରେ ୫ ବର୍ଷରେ ୩୦ ଲକ୍ଷ ୬୦ ହଜାର ଟଙ୍କା ଲାଭ ହେଉଥିଲା ବେଳେ ବର୍ଷକୁ ୬ ଲକ୍ଷ ୧୨ ହଜାର ଟଙ୍କା ଲାଭ ମିଳିପାରିବ ।
ସଂଗୃହିତ - ଡ. ଶଶିକଳା ବେଉରା, ନିର୍ଦ୍ଦେଶକ, ବାୟୋଟେକ୍ନୋଲୋଜି ଓ ଟିସୁ କଲଚର କେନ୍ଦ୍ର, ଓୟୁଏଟି
Last Modified : 1/26/2020