অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅମୃତଭଣ୍ଡା ଚାଷ

ପ୍ରାଧାନ୍ୟ

ଅମୃତଭଣ୍ଡା ଗୋଟିଏ ସ୍ୱଳ୍ପଦିନିଆ ଉପାଦେୟ ଫଳ  । ଏହା ଯେପରି ସୁସ୍ଵାଦୁ ସେହିପରି ଶରୀର ପାଇଁ ହିତକାରୀ  । ଏହା ପେଟ ବେମାର ରୋଗରେ ଔଷଧ ଭଳି କାର୍ଯ୍ୟ କରେ  । ଖାଦ୍ୟ ହଜମ ବିଶେଷତଃ ପୁଷ୍ଟିସାର ଖାଦ୍ୟ ହଜମରେ ସାହାଯ୍ୟ କରେ  । କୋଷ୍ଠକାଠିନ୍ୟ ଦୂର କରେ  । ପାଚିଲା ଫଳରେ ପ୍ରଚୁର ପରିମାଣର ଖାଦ୍ୟ ପ୍ରାଣ ‘କ’ ରହିଛି  ।

ଜଳବାୟୁ ଓ ମୃର୍ତ୍ତିକା

  • ଅମୃତଭଣ୍ଡା ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ଫଳ  । ସମୁଦ୍ର ପତ୍ତନ ଠାରୁ ୩ ହଜାର ଫୁଟ ମଧ୍ୟରେ ଏହାର ଚାଷ କରାଯାଇପାରେ  । ଉଷ୍ମ ଏବଂ ଆର୍ଦ୍ର ଜଳବାୟୁରେ ଏହା ଭଲ ଅମଳ ଦେଇଥାଏ  ।
  • ଅମୃତଭଣ୍ଡା ଫସଲ ସବୁପ୍ରକାର ନିଗିଡା ମାଟିରେ ଚାଷ କରାଯାଇପାରେ  । ମାଟିରେ ଅଧିକ ସମୟ ଜଳ ଜମି ରହିଲେ ଛେରା ସଢିଯାଏ  । ପତ୍ର ହଳଦିଆ ପଡି ଗଛ ଝାଉଂଳି ମରିଯାଏ  । ପାର୍ବତ୍ୟ ଅଞ୍ଚଳରେ ଜଳ ନିଷ୍କାସନ ଭଲ ହୋଇ ପାରୁଥିବା ହେତୁ ସେଠାରେ ଅମୃତଭଣ୍ଡା ଭଲ ଫଳେ  ।

ଉନ୍ନତ କିସମ

ଉନ୍ନତ କିସମଗୁଡିକ ହେଲା ହନିଡିଉ, ୱାସିଙ୍ଗଟନ, କୋଏମ୍ବାଟୁର୧, ୨, ୩, ୪, ୫; କୁର୍ଗ ହନିଡିଉ, ପୁସା ଡେଲିସିୟମ, ପୁସା ମାଜେଷ୍ଟିକ, ପୁସା ଜିଆଣ୍ଟ ଇତ୍ୟାଦି  ।

ଅମୃତଭଣ୍ଡାରେ ଲିଙ୍ଗୀୟ ବ୍ୟବସ୍ଥା

ଅମୃତଭଣ୍ଡାରେ ବିଭିନ୍ନ ପ୍ରକାର ଲିଙ୍ଗୀୟ ବର୍ଗ ଦେଖାଯାଏ  । ସେଗୁଡିକ ହେଲା ଅଣ୍ଡିରା, ମାଈ ଓ ଉଭୟଲିଙ୍ଗୀ ଇତ୍ୟାଦି  । ଛଡ଼ା ଅବସ୍ଥାରେ ବିଭିନ୍ନ ବର୍ଗର ଗଛକୁ ଚିହ୍ନିବା ସହଜ ନୁହେଁ  । ଏଣୁ ଚାରା ଲଗାଯିବା ବେଳେ ଦୁଇରୁ ତିନୋଟି ଚାରା ପ୍ରତି ଗାତରେ ଲଗାଯାଏ  । ଫୁଲ ଆସିବା ପରେ ଗୋଟିଏ ମାଈ କିମ୍ବା ଗୋଟିଏ ଅଣ୍ଡିରା ଗଛ ରଖି ଅନ୍ୟ ଗଛଗୁଡିକୁ ଉପାଡି ଦିଆଯାଏ  । ପରାଗସଂଗମ ପାଇଁ ଜମିରେ ନଅଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ରଖାଯାଏ  । କୁର୍ଗ ହନିଡିଉ ଏକ ଉନ୍ନତ କିସମ, ଯେଉଁଥିରେ ଅଧିକ ମାଈ ବା ଉଭୟଲିଙ୍ଗୀ ଗଛ ଦେଖାଯାଏ ତେଣୁ, ସବୁ ଗଛରେ ଫଳ ହୁଏ  ।

ଜମି ପ୍ରସ୍ତୁତି

ଅମୃତଭଣ୍ଡା ଚାଷ ପାଇଁ ଜମିକୁ ତିନିରୁ ଚାରି ଓଡ ଚାଷ କରାଯାଏ  । ଗେଡା ଗଛ ପାଇଁ ୬ ଫୁଟ ବ୍ୟବଧାନରେ ଏବଂ ଡେଙ୍ଗା ଗଛ ପାଇଁ ୮ ଫୁଟ ଦୂରତାରେ ଗାତ ଖୋଳାଯାଇ ଚାରା ଲଗାଯାଏ  । ଗାତର ଆକାର ଦେଢ ଫୁଟ (ଲମ୍ବା, ଓସାର, ଗଭୀରତା) କରାଯାଏ  । ଗାତରେ ଏକ ଝୁଡି ସଢା ଗୋବରଖତ ସହିତ ୨୫୦ ଗ୍ରାମ୍ ସୁପରଫସଫେଟ୍, ୨୫୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ମିଶାଇ ପୂରଣ କରାଯାଏ  ।

ଚାରା ପ୍ରସ୍ତୁତି

ପାଚିଲା ଫଳରୁ ବିହନ ସଂଗ୍ରହ କରାଯାଇ ଛାଇରେ ଶୁଖାଇ ସଙ୍ଗେ ସଙ୍ଗେ ଲଗାଇଲେ ଭଲ ଚାରା ହୁଏ  । ମଞ୍ଜି ୬ ମାସ ଭିତରେ ନଷ୍ଟ ହୋଇଯାଏ  । ପଲିଥିନ ମୁଣିରେ ଗୁଣ୍ଡା ଖତ ଓ ମାଟିର ମିଶ୍ରଣ ପୂର୍ଣ୍ଣ କରି ସେଥିରେ ବିହନ ଲଗାଇ ଚାରା କରାଯାଏ  କିମ୍ବା ତାଳି ଘରାରେ ତାଳି ପକାଇ ମାସିକିଆ ସାହି ଚାରାକୁ ପଲିଥିନ ମୁଣିରେ ଲଗାଇ ସାତ ଆଠ ପତ୍ର ହେବା ପରେ ଜମିରେ ଲଗାଯାଏ  । ପ୍ରତି ଗାତରେ ୨ରୁ ୩ଟି ଚାରା ଲଗାଯାଏ  । ପରବର୍ତ୍ତୀ ଅବସ୍ଥାରେ ଅଦରକାରୀ ଅଣ୍ଡିରା ଗଛକୁ କାଟି ଗୋଟିଏ ରଖାଯାଏ  । ଏକ ଏକର ଚାଷ ପାଇଁ ୨୦୦ ଗ୍ରାମ୍ ବିହନ ଆବଶ୍ୟକ ପଡିଥାଏ  ।

ଚାରା ରୋପଣର ସମୟ ଓ ପ୍ରଣାଳୀ

ଅମୃତଭଣ୍ଡା ଖରାଦିନ ଛାଡି ସବୁ ସମୟରେ ଲଗାଯାଇପାରେ  । ସାଧାରଣତଃ ଜୁଲାଇରୁ ଅକ୍ଟୋବର ଏବଂ ଫେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଚାରା ଲଗାଯାଏ  । ଚାରା ଲଗାଯିବା ପରେ ଆବଶ୍ୟକ ପଡିଲେ ଚାରାକୁ ସିଧା ରଖିବା ପାଇଁ ଖଣ୍ଡିଏ କାଠି ପୋତି ବାନ୍ଧି ଦିଆଯାଏ  । ଚାରା ଲଗାଇବା ବେଳେ କେତୋଟି ପୁରୁଣା ପତ୍ର ଛିଣ୍ଡାଇ ଦିଆଯାଏ  ।

ଅନ୍ତଃଫସଲ

  • କୋଡାଖୁସା କରି ଘାସ ସଫା କରାଯାଏ  ଏବଂ ମୂଳକୁ ମାଟି ଟେକି ଦିଆଯାଏ  ।
  • ଫୁଲ ଆସିବା ପରେ ପ୍ରତି ଗାତରେ ଗୋଟିଏ ଗଛ ରଖାଯାଏ, ଯେପରି ପ୍ରତି ୯ଟି ମାଈଗଛ ପିଛା ଗୋଟିଏ ଅଣ୍ଡିରା ଗଛ ରହିପାରିବ  ।

ଜଳସେଚନ

ଅମୃତଭଣ୍ଡା ଥରେ ଲଗାଇଲେ ୩ ବର୍ଷ ଯାଏଁ ଫଳ ଅମଳ କରାଯାଏ  । ଖରା ଓ ଶୀତ ଦିନରେ ମାଟିର ଆର୍ଦ୍ରତାକୁ ଅନୁଧ୍ୟାନ କରି ଜଳସେଚନ କରାଯିବା ଆବଶ୍ୟକ  । ଗଛ ମୂଳରେ ଯେପରି ପାଣି ନ’ ଜମେ ସେଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ  । ଗଛମୂଳରେ ପାଣି ଜମିଲେ ଗଛ ପଚି ମରିଯାଏ  ।

ଖତ ଓ ସାର

ଗାଁ ଗହଳିରେ କେବଳ ଖତ ପ୍ରୟୋଗ କରି ଅମୃତଭଣ୍ଡା ଚାଷ କରାଯାଇପାରିବ  । ଏଥିପାଇଁ ଗଛ ପିଛା ଦୁଇ ଚାରି ଝୁଡି ସଢା ଗୋବରଖତ ପ୍ରୟୋଗ କରାଯାଏ  । ଦରକାର ପଡିଲେ ଜୈବିକ ଖତସାର ପ୍ରୟୋଗ କରାଯାଇପାରେ  । ଅନୁର୍ବର ମାଟିରେ ପ୍ରତି ତିନି ମାସ ବ୍ୟବଧାନରେ ଗଛ ପ୍ରତି ୯୦ ଗ୍ରାମ୍ ୟୁରିଆ, ୨୫୦ ଗ୍ରାମ୍ ସିଙ୍ଗଲ ସୁପରଫସଫେଟ୍ ଏବଂ ୧୪୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ପ୍ରୟୋଗ କରିବା ଦରକାର  ।

ରୋଗ ଓ ପୋକ

କୋଲାର ରଟ୍, ଆନ୍ଥ୍ରାକନୋଜ ପ୍ରଭୃତି କେତେକ ରୋଗ ଅମୃତଭଣ୍ଡା ଗଛରେ ଦେଖାଯାଏ  । ଏହାକୁ ଦମନ କରିବାକୁ ହେଲେ ନିମ୍ନଲିଖିତ ପଦକ୍ଷେପଗୁଡିକୁ ଗ୍ରହଣ କରିବାକୁ ପଡେ  ।

  • ଗଛରେ୧% ବୋର୍ଡର ମିଶ୍ରଣ ସିଞ୍ଚନ କରନ୍ତୁ କିମ୍ବା ଏକର ପିଛା ଏକ କିଲୋ ଟ୍ରାଇକୋଡର୍ମା କଲଚର ପ୍ରୟୋଗ କରନ୍ତୁ ।
  • ଏଣ୍ଡୋଫିଲ ଏମ୍ – ୪୫ ଗୁଣ୍ଡ ୮୦୦ ଗ୍ରାମ୍ କୁ ୨୦୦ ଲିଟର ପାଣିରେ ମିଶାଇ ଗୋଟିଏ ଏକରରେ ସିଞ୍ଚନ କରନ୍ତୁ  । ବାଭିଷ୍ଟିନ ୨୦୦ ଗ୍ରାମ୍ ସିଞ୍ଚନ କଲେ ଭଲ ଫଳ ମିଳିଥାଏ  ।
  • ଅମୃତଭଣ୍ଡାରେ ମୋଜାଇକ ଭୂତାଣୁ ରୋଗ ଲାଗିଲେ ପତ୍ରଗୁଡିକ ଫିକା ହଳଦିଆ ପଡି ମୋଚା ହୋଇଯାଏ  । ବିଶେଷ କ୍ଷେତ୍ରରେ ଗଛର ଅଗ୍ରଭାଗ ଆଉ ବଢେ ନାହିଁ  । ଫୁଲଫଳ ଧରେ ନାହିଁ  । ଏହି ରୋଗ ଦେଖା ଦେଲେ ଗଛକୁ ଉପାଡି ଦୂରକୁ ଫିଙ୍ଗା ଦିଆଯାଏ  କିମ୍ବା ମାଟିରେ ପୋତି ଦିଆଯାଏ  । କୀଟମାନଙ୍କ ଦ୍ଵାରା ଏହି ରୋଗ ସଂକ୍ରମିତ ହେଉଥିବାରୁ ଆଗରୁ ବର୍ଣ୍ଣିତ ପ୍ରଣାଳୀରେ କୀଟ ଦମନ କରାଯାଏ  ।

ଅମଳ

ଗଛ ଲଗାଇବାର ନଅ ଦଶ ମାସ ପରେ ଅମଳ ଆରମ୍ଭ ହୁଏ  । ଠିକ୍ ଭାବରେ ପରିଚାଳନା କଲେ ଗଛଗୁଡିକ ତିନିବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଆନ୍ତି  । ସଙ୍କର ଜାତୀୟ ଗେଡାଗଛଗୁଡିକ ଗୋଟିଏ ବର୍ଷ ପରେ ଭଲ ଅମଳ ଦିଅନ୍ତି ନାହିଁ  ।

  • ପାର୍ବତ୍ୟ ଅଞ୍ଚଳରେ ଡେଙ୍ଗା ଗଛଗୁଡିକ ପାଞ୍ଚ ଦଶ ବର୍ଷ ପର୍ଯ୍ୟନ୍ତ ଅମଳ ଦିଅନ୍ତି  ।
  • ବର୍ଷକୁ ଗୋଟିଏ ଗଛ ସାଧାରଣ ଭାବେ ୫୦ରୁ ୭୫ କେଜି ଫଳ ଅମଳ ଦେଇଥାଏ  ।

ପ୍ୟାକିଙ୍ଗ

ତରକାରୀ ପାଇଁ ଟୋଲାଯାଇଥିବା ଅମୃତଭଣ୍ଡାକୁ ଯତ୍ନର ସହିତ ଅଖାରେ ଭର୍ତ୍ତି କରି ବଜାରକୁ ପଠାଯାଏ  । ବଜାରକୁ ପଠାଇବା ସମୟରେ ଫଳଗୁଡିକ ଯେପରି ଘଷି ହୋଇ କଳା ପଡିନ’ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ ପଡେ  ।

  • ପନିପରିବା ପାଇଁ ଅମୃତଭଣ୍ଡା ଚାଷ କଲେ ବଜାର ଠାରୁ ଅଳ୍ପ ଦୂରରେ ଅମୃତଭଣ୍ଡା ଚାଷ କରିବା ଦରକାର  ।
  • ପାଚିଲା ଫଳ ପାଇଁ ଫଳର ରଙ୍ଗ ବଦଳିବା ଆରମ୍ଭ ହେଲେ ଗଛରୁ ତୋଳାଜାଏ  । ଫଳଗୁଡିକୁ ଯତ୍ନର ସହିତ କାଗଜରେ ଗୁଡାଇ ଝୁଡିରେ ଭର୍ତ୍ତି କରି ଦୂରଦୂରାନ୍ତକୁ ପଠାଯାଏ  ।

ପାପିନ ସଂଗ୍ରହ

ପାପିନ ସଂଗ୍ରହ ପାଇଁ ଫଳଗୁଡିକୁ ତିନିଭାଗ ପାକଳ ହୋଇଗଲେ ସଂଗ୍ରହ କରାଯାଏ  । ଫଳର ଉପରୁ ତଳକୁ ଷ୍ଟେନଲେସ୍ ଷ୍ଟିଲ ଛୁରୀରେ ଦୁଇ ତିନୋଟି ସ୍ଥାନରେ ଅଳ୍ପ କାଟି ଦିଆଯାଏ  । କଟା ଯାଇଥିବା ସ୍ଥାନରୁ କ୍ଷୀରସବୁ ବାହାରିଥାଏ  । ଏବଂ ତଳେ ଲଗାଯାଇଥିବା ଟ୍ରେରେ ସଂଗୃହୀତ ହୁଏ  । ଏହି କ୍ଷୀରରେ ପବନ ବାଜିଲେ କଠିନ ହୁଏ  । ତାହାକୁ ଘର ଭିତରେ ଛାଇରେ ଶୁଖାଇ ସୁକ୍ରୋଜ ଏବଂ ପଟାସିୟମ ମେଟୋବାଇସଲଫାଇଡ ମିଶାଇ ପ୍ୟାକିଂ କରାଯାଏ  । ଏହି ପାପିନ ଔଷଧ ତିଆରି କମ୍ପାନୀମାନଙ୍କୁ ହଜମି ଔଷଧ ତିଆରି କରିବା ପାଇଁ ବିକ୍ରୀ କରାଯାଏ  ।

ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate